Unknown

 

 

 

 

 

 

 

 

 

 

 

ସତର୍କ ଦୃଷ୍ଟି

ଗିରିଧାରୀ ମହାରଣା

 

ମଣିହରୀଫଣୀ ପରି କ୍ରୋଧିତ ଦଳପତି ବିରାଟ ହଲ୍‍ର ପରିସର ଭିତରେ ଘୂରି ବୁଲୁଥିଲେ । ତାଙ୍କ ମସ୍ତିଷ୍କ ଭିତରେ ଯେମିତି ଉଚ୍ଚଶକ୍ତି ସମ୍ଫନ୍ନ ବିଦ୍ୟୁତର ସ୍ପର୍ଶ ଲାଗିଯାଉଥିଲା । ଉପସ୍ଥିତ ପରିସ୍ଥିତି ବିଷୟରେ ସେ ଯେ କେଉଁଭଳି ଏକ ସିଦ୍ଧାନ୍ତରେ ଉପନୀତ ହେବେ, ସ୍ଥିର କରି ପାରୁ ନ ଥିଲେ ।

 

ଉପସ୍ଥିତ ସଦସ୍ୟବର୍ଗଙ୍କ ଚକ୍ଷୁରେ ଗଭୀର ଆତଙ୍କର ଛାୟା ଖେଳି ବୁଲୁଥିଲା । ପ୍ରତ୍ୟେକ ହୃତ୍‍ପିଣ୍ଡର ସ୍ପନ୍ଦନ ପ୍ରତ୍ୟେକେ ଉପଲବ୍‍ଧି କରି ପାରୁଥିଲେ । ବସଙ୍କ ଯୋତାର ଠକ ଠକ ଆବାଜ ସେମାନଙ୍କ ସ୍ପନ୍ଦନ ଅବୟବରେ ଯେମିତି ମୃତ୍ୟୁର ପଦଧ୍ୱନି ଶୁଣାଉଥିଲା ।

 

ଆଧୀର ଆଗ୍ରହରେ ବସଙ୍କ ବକ୍ତବ୍ୟକୁ ସମସ୍ତେ ଯେପରି ଅପେକ୍ଷା କରି ରହିଥିଲେ ।

 

ତାଙ୍କର ଚକ୍ଷୁ କେତେବେଳେ ଅତର୍କିତ ଭାବରେ ହଲ୍‍ର ମୁଖ୍ୟ ପ୍ରବେଶପଥ ଉପରେ ଲାଗି ରହୁଥିଲା; ଅଥବା କେତେବେଳେ ଉପସ୍ଥିତ ସଭ୍ୟଗଣଙ୍କର ମୁଖମଣ୍ଡଳରେ ପ୍ରତିଫଳିତ ହୋଇ ଆସୁଥିଲା ।

 

ବେଳକୁ ବେଳ ତାଙ୍କର ଉଦବେଗ ଯେମିତି ସୀମା ଲଙ୍ଘନ କରୁଥିଲା । ସେ ସେହିଭଳି ଭାବରେ ପଦଚାରଣା କରୁ କରୁ ହଠାତ୍ ଛିଡ଼ା ହୋଇଗଲେ ।

 

ନମ୍ବର ଛ’....ତାଙ୍କର ଗମ୍ବୀର କଣ୍ଠସ୍ୱର କୋଠରିର ବାୟୁମଣ୍ଡଳ ଭିତରେ ଗୁଞ୍ଜରଣ ତୋଳୁଥିଲା ।

 

ଇଏସ୍ ବସ୍... । କଳା ପୋଷାକରେ ଆଚ୍ଛାଦିତ ହୋଇଥିବା ଅନ୍ୟ ଏକ ଛାୟାମୂର୍ତ୍ତି ବସଙ୍କ ସମ୍ମୁଖରେ ଯାଇ ଛିଡ଼ା ହୋଇଗଲା ।

 

କିଛିକ୍ଷଣ ସ୍ଥିର ଦୃଷ୍ଟିରେ ଚାହିଁ ରହି ସେ କହିଲେ—ସେ ସମ୍ବାଦ କେମିତି ଲିକ୍-ଆଉଟ୍ ହେଲା, ତମେ ତାର ସନ୍ଧାନ ନେଇଛ ?

 

ମୁଁ ବି କିଛି ସ୍ଥିର କରିପାରୁ ନାହିଁ ଚିଫ୍ ! ମୀରାର ଅନ୍ତର୍ଦ୍ଧାନ ପରେ ପରେ ନଂ ୨୦ କୁ ଆମର ଦାୟିତ୍ୱ ଦେଇ ଦେବାରେ ହୁଏତ କୌଣସି ବ୍ୟତିକ୍ରମ ହୋଇଗଲା । ସେକେଣ୍ଡ ଚିଫ୍ କିନ୍ତୁ ଲୋକଟାକୁ ବିଶ୍ୱାସ କରୁପାରୁ ନ ଥିଲା ।

 

ନମ୍ବର ଛ’... । ବସଙ୍କ କଣ୍ଠସ୍ୱର ପୁଣି କୋଠରି ଭିତରେ ଆତଙ୍କତା ସୃଷ୍ଟି କଲା । ତା’ ପରେ ସେ ନିଜ ପାଇଁ ଉଦ୍ଦିଷ୍ଟ ଏକ ଚେୟାରରେ ବସିପଡ଼ି କହିବାରେ ଲାଗିଲେ—ତୁମ କଥା ମୁଁ ଠିକ୍ ଭାବରେ ବୁଝିପାରୁଛି, ହେଲେ ନମ୍ବର କୋଡ଼ିଏ ଯେ କାହା ନିକଟକୁ ଯାଉଛି, ତାର ଅସଲ ପରିଚୟ ଜାଣିଲା କେମିତି ? ଆଉ କୁଆଡ଼େ ଗଲା ସେ ?

 

ସେକେଣ୍ଡ ଚିଫ୍ ସେହି ଘଟଣାର ନିଜେ ତଦନ୍ତ କରୁଛନ୍ତି । ତାଙ୍କର ବିଶ୍ୱାସ, ସେ ମୀରାକୁ ନେଇ ଫେରି ଆସିବା ସମୟରେ ଯେଉଁଭଳି ଭାବରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ସେଥିରେ ମଧ୍ୟ ନମ୍ବର କୋଡ଼ିଏର କୌଣସି କାରାସାଦି ରହିଛି ।

 

ସେକେଣ୍ଡ ଚିଫ୍‍ଙ୍କୁ ଆଜିକାର ପ୍ରୋଗ୍ରାମ ତୁମେ ଜଣାଇ ଦେଇଥିଲ ?

 

ଦେଇଥିଲି ଚିଫ୍ । ହେଲେ ସେତେବେଳକୁ ସେ ଏମିତି ଏକ ଘଟଣାର ସନ୍ଧାନ ପାଇ ଯାଇଥିଲେ, ଯାହା ଫଳରେ ଆଜିକାର ଏହି ବୈଠକର ବିଷୟବସ୍ତୁ ଅପେକ୍ଷା ତାର ଗୁରୁତ୍ୱ ଥିଲା ଯଥେଷ୍ଟ ବେଶି ।

 

ମାନେ.......

 

ମୁଁ ଲକ୍ଷ୍ୟ କରୁଥିଲି ପ୍ରଥମେ ସେ ଯେମିତି ଅତିଶୟ ବିବ୍ରତ ହୋଇପଡ଼ିଥିଲେ, ତାହା ତାଙ୍କ ନିକଟରୁ ଅପସରି ଯାଇଥିଲା । ସେ ଯେମିତି ଆସ୍ତେ ଆସ୍ତେ ଦୃଢ଼ ହୋଇ ଉଠୁଥିଲେ । ଶେଷରେ ଏହି ଦଳର ସୁରକ୍ଷା ପାଇଁ ଯେପରି ତତ୍ପର ହୋଇ ଉଠିଥିଲେ, ତାହା ଗତିବିଧି ଉପରେ ଦୃଷ୍ଟିପାତ କରି ଆପଣ ନିଜେ ରିପୋର୍ଟ ଦେଇଛନ୍ତି ।

 

ତା’ ପରେ ମୋର ଯେତେଦୂର ମନେହୁଏ, ମୀରାକୁ ଉଦ୍ଧାର କରି ଆଣିଲା ପରଠାରୁ ସେ ଯେମିତି ଉତ୍ତ୍ୟକ୍ତ ହୋଇଉଠିଥିଲେ...ତା’ର ମୁଖର ଭାକ୍ଷା ମୁଖରେ ଅଟକିଗଲା । ହଲ୍ ଭିତରେ ସାଇରନର ଶବ୍ଦ....

 

ଉଦ୍‍ଗ୍ରୀବ ଭାବରେ ଦ୍ୱାରବନ୍ଧ ଆଡ଼କୁ ସମସ୍ତେ ଅନାଇ ରହିଥିଲେ । କଳା ପୋଷାକ ଆବୃତ୍ତ ହୋଇ ଜଣେ ଲୋକ ସିଧା ଯାଇ ବସଙ୍କ ସମ୍ମୁଖରେ ଛିଡ଼ା ହୋଇଗଲା ।

 

ସେକେଣ୍ଡ ଚିଫ୍ ।

 

ୟେସ୍ ସାର୍ । ମୋତେ ନମ୍ବର ଛ’ ଆଜିକାର ଅଧିବେଶନ ବିଷୟରେ ସୂଚନା ଦେଇଥିଲେ; ମୁଁ କିନ୍ତୁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ଚିଫ୍.....

 

ଗତକାଲିର ଘଟଣାର କୌଣସି ସନ୍ଧାନ ମିଳିଲା ?

 

ସେଇଥିପାଇଁ ମୁଁ ମୃତ୍ୟୁ ମୁଖରେ ଖୁବ୍ ଅଳ୍ପକେ ଉଦ୍ଧାର ପାଇଗଲି ଚିଫ୍ ।

 

ମାନେ ?

 

କେଉଁଠାରୁ ଆଉ କେଉଁଭଳି ଭାବରେ ସେ ଶତ୍ରୁ ଜିତ ମୋତେ ଅନୁସରଣ କରୁଥିଲା, ମୁଁ ଠିକ୍ ବୁଝିପାରିଲି ନାହିଁ ।

 

ମୁଁ କିନ୍ତୁ ମୋର ନିର୍ଦ୍ଦିଷ୍ଟ ପଥରେ ଆଗେଇ ଚାଲିଥିଲି । ବିଶ୍ୱାସଘାତକ ନମ୍ବର କୋଡ଼ିଏକୁ ମୋର ବିଶେଷ ଜରୁରୀ ଥିଲା । ଆଉ ମୁଁ ଜାଣିଥିଲି, ସେ ଯେଉଁଠି ଆତ୍ମଗୋପନ କରିଛି-

 

ପାଇଲ ?

 

ଆପଣଙ୍କର ଆଶୀର୍ବାଦ ଯାହା ଉପରେ ରହିଛି, ସେ ଯେ ଏତେ ଶୀଘ୍ର ପରାଜିତ ହେବ, ଏ ବିଶ୍ୱାସ ଆପଣ କରନ୍ତୁ ନାହିଁ ଚିଫ୍ ।

 

ମାନେ ?

 

ଯେଉଁ କୋଠରିରୁ ଗତକାଲି ମୀରାକୁ ମୁଁ ଉଦ୍ଧାର କରିଥିଲି, ଠିକ୍ ସେହି କୋଠରିରେ ନମ୍ବର କୋଡ଼ିଏକୁ ସେମାନେ ନେଇ ରଖିଥିଲେ । କିନ୍ତୁ ସେମାନେ ହୁଏତ ଚିନ୍ତା କରି ନ ଥିଲେ ଗତକାଲିର ଘଟଣା ପରେ ଆଜି ଏତେ ଶୀଘ୍ର ଆମେ ପୁଣି ସେଠାକୁ ଯିବାକୁ ସାହସ କରିବୁଁ...ଆଉ ସେହିଭଳି ତାଙ୍କର ସୁରକ୍ଷିତ ସ୍ଥାନ, ମୋର ଯେତେଦୂର ମନେହୁଏ ଆଉ ଅନ୍ୟ କୌଣସିଠାରେ ନାହିଁ ।

 

ଏହି ସିଦ୍ଧାନ୍ତରେ ଉପନୀତ ହେବା ମାତ୍ରେ ମୋର ଧାରଣା ହେଲା, ନମ୍ବର କୋଡ଼ିଏକୁ ଫଲୋ କରି ସେ ନିଶ୍ଚୟ ସେମାନଙ୍କୁ ବିପଦରେ ପକାଇଛି । କାରଣ ଆମେ ଯେତେ ସତର୍କ ପଥରେ ଗତି କଲେ ବି ବିଚକ୍ଷଣ ବୁଦ୍ଧିମାନ ଏସ୍. ପି. ସାହେବ ଆଉ ଧୂର୍ତ୍ତ ଶତ୍ରୁଜିତ ନିଶ୍ଚୟ ପୋଲିସର ଗୁପ୍ତ ସମ୍ବାଦଗୁଡ଼ିକ ଲିକ୍–ଆଉଟ୍ ହେବାର କାରଣ ଆନ୍ୱେଷଣ କରିଛନ୍ତି ।

 

ଆମେ ବି ଠିକ୍ ସେହିଭଳି ଭାବରେ ଗଭୀର ଅନୁଶୀଳନ କଲେ ବିଭିନ୍ନ ଉପାୟରେ କାହା ଦ୍ୱାରା ଆଉ କେଉଁଭଳି ଭାବରେ ସମ୍ବାଦଟି ଲିକ୍–ଆଉଟ୍ ହେଉଛି, ସହଜରେ ହୃଦୟଙ୍ଗମ କରି ପାରିବା ।

 

ଆଉ ସେମାନେ ଜେଲର ଶୋଚନୀୟ ଦୁର୍ଘଟଣାଠାରୁ ନିଶ୍ଚୟ ଜାଣି ନେଇଛନ୍ତି ପୋଲିସ ଡିପାର୍ଟମେଣ୍ଟର ଏହା ଭତରେ କୌଣସି ଷଡ଼ଯନ୍ତ୍ର ରହିଛି । ଅପରାଧୀ ଦଳକୁ ନିଶ୍ଚୟ କୌଣସି ଜଣେ ଉଚ୍ଚପଦସ୍ଥ ଅଫିସର ସାହାଯ୍ୟ କରିଚାଲିଛି ।

 

କିନ୍ତୁ ମୁଁ ସବୁଠାରୁ ଆଶ୍ଚର୍ଯ୍ୟାନ୍ୱତ ହେଉଛି, ଅଜୟ ଦସ୍ୟୁ ଏତେ ସବୁ ସମ୍ବାଦ କେଉଁଭଳି ଭାବରେ ସଂଗ୍ରହ କରି ପାରୁଛି । କାରଣ ଆମର ବାହାରର ଦୁଇ ମହାଶକ୍ତିଙ୍କୁ ତା ବ୍ୟତୀତ ଅନ୍ୟ କେହି ଯେ ଅପହରଣ କରିଛି ମୁଁ ଧାରଣା କରି ପାରୁ ନାହିଁ । କାରଣ ମୁଁ ଅତି ଗୋପନରେ ଏସ୍. ପି. ତଥା ଶତ୍ରୁଜିତଙ୍କ କଥୋପ–କଥନରୁ ଯାହା ଅନୁମାନ କଲି, ସେମାନେ ଅନୁମାନ କରୁଛନ୍ତି ଯେ, ଧରା ପଡ଼ିଯିବା ଭୟରେ ଆମେ ସେମାନଙ୍କୁ ନିରାପଦ ସ୍ଥାନକୁ ନେଇ ଆସିଛୁ ।

 

ତା ହେଲେ ସେମାନେ ଗଲେ କୁଆଡ଼େ ? ବସଙ୍କ ମୁଖମଣ୍ଡଳରେ ଆତଙ୍କର ଛାଇ ପରିସ୍ଫୁଟ ହୋଇ ଉଠୁଥିଲା । ସେ ଅପେକ୍ଷାକୃତ ଉଦାସ କଣ୍ଠରେ କହଲେ—ତୁମେ ଜାଣିପାରିବ ନାହିଁ ସେକେଣ୍ଡ ଚିଫ୍, ଏହାଦ୍ୱାରା ଆମେ କେଉଁଭଳି ଭାବରେ ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇପଡ଼ିଲେ । ମାନେ, ଏତେ ଦିନ ଧରି ଆମେ ଯେଉଁଭଳି ଭାବରେ ବିପଦର ପୂର୍ବାଭାସ ପାଇ ସତର୍କ ହୋଇ ଯାଉଥିଲୁ, ଏବେ ଆଉ ସେ ସୁଯୋଗ ମିଳିବ ନାହିଁ । ମାନେ, ପୂରାପୂରି ଆମକୁ କିଛିଦିନ ପାଇଁ ପ୍ରତ୍ୟକ୍ଷ ସଂଗ୍ରାମ କ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ମାନେ, ପ୍ରତିରକ୍ଷା ଦିଗରେ ଆମକୁ ଯଥେଷ୍ଟ ଧ୍ୟାନ ଦେବାକୁ ହେବ ।

 

କିନ୍ତୁ ଆଜି ଏଠାରେ ଉପସ୍ଥିତ ପ୍ରତ୍ୟେକ ସଦସ୍ୟଗଣଙ୍କୁ ମୋର ଅନୁରୋଧ, ସେମାନେ ନିଜ ନିଜର ବିପଦ ସବୁଠାରୁ ଭଲ ଭାବରେ ବୁଝି ପାରିଛନ୍ତି । ଆଉ ସେମାନେ ଯେଉଁ ସାହାଯ୍ୟ ତଥା ସହାନୁଭୂତି ଏହି ଦଳଠାରୁ ପାଇ ଆସିଛନ୍ତି, ଦଳର ଏ ଭଳି ଚରମ ସଂକଟ ମୁହୂର୍ତ୍ତରେ ସେମାନେ ତାହାର ସଦୁପଯୋଗ କରିବାର ଆଶା ।

 

ଆଉ ବିଶ୍ୱାସଘାତକତା ଯଦି କେହି କରିବାକୁ ଚେଷ୍ଟା କରେ ତାର ପ୍ରତିଫଳ ଯେ କିପରି ଭୟାବହ, ତାହା ତୁମେମାନେ ନିଜ ନିଜ ଚକ୍ଷୁରେ ଦେଖି ଆସିଛି । ଯେଉଁ ସଦସ୍ୟମାନେ ମୋର ଅତ୍ୟନ୍ତ ପ୍ରିୟ, ସେମାନେ ଯେ ମୋ ହାତରେ ସେହି ଶୋଚନୀୟ ପରିସ୍ଥିତିର ସମ୍ମୁଖୀନ ହେବେ, ଏହା ମୁଁ ଆଶା କରେନା ।

 

ଯେଉଁମାନେ ଏଠାରେ ଉପସ୍ଥିତ ହୋଇଛନ୍ତି, ସୋମାନେ କେଉଁଭଳି ଅସହାୟ ଅବସ୍ଥାରୁ ଆସି ଏହି ଦଳର ସହାୟତା ଫଳରେ ଆଜି ସମାଜର ଜଣେ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଭାବରେ ପରିଚିତ ହୋଇଛନ୍ତି, ନିଶ୍ଚୟ ଉପଲବ୍‍ଧି କରି ପାରୁଥିବେ ।

 

ଆଉ ମୁଁ ଯୋର ଦେଇ କହିପାରେ, ସେମାନେ ଯଦି କେବେ ବିଶ୍ୱାସଘାତକତା କରିନ୍ତି, ତାହାହେଲେ ନିଜ ନିଜ ସମାଧି ଦ୍ୱାର ତାଙ୍କ ପାଇଁ ଉନ୍ମୁକ୍ତ ହୋଇ ରହିବ, ଆଉ ଏହି ଦଳର ସେମାନେ କୌଣସି କ୍ଷତି କରି ପାରିବେ ନାହିଁ । କାରଣ ଏ ପର୍ଯ୍ୟନ୍ତ ଆମର ସଦସ୍ୟମାନେ ପରସ୍ପରର ପରିଚୟ ପାଇ ନାହାନ୍ତି । ରାତିର ଏହି କଳା ପୋଷାକ ଖୋଲିଦେଲେ ଦିନରେ କେହି କାହାରିକୁ ଦଳର ଜଣେ ସଦସ୍ୟ ବୋଲି ବି ଧାରଣା କରି ପାରିବେ ନାହିଁ ।

 

ତେବେ ତୁମମାନଙ୍କୁ ଆଜି ଏକତ୍ରିତ କରିବାର ଉଦ୍ଦେଶ୍ୟ ହେଉଛି, ପୂର୍ବରୁ ଯେଉଁ ପ୍ରକାର ତୁମମାନଙ୍କୁ ନିର୍ଦ୍ଦେଶ ଦିଆ ଯାଉଥିଲା, ଏବେ ଆଉ ସେଭଳି ଭାବରେ ଯୋଗାଯୋଗ ବ୍ୟବସ୍ଥା ରହିବ ନାହିଁ ।

 

ତା ହେଲେ... । ହଲ୍ ଭିତରେ ଗୁଞ୍ଜରଣ ଖେଳିବୁଲିଲା ।

 

ତାହା ତୁମମାନଙ୍କୁ ପରେ ଜଣାଇ ଦିଆଯିବ ।

 

ସେକେଣ୍ଡ ଚିଫ୍ । ନମ୍ବର କୋଡ଼ିଏ କଥା କଣ କହୁଥିଲ ?

 

ତାକୁ ରକ୍ଷା କରିବାର ଉପାୟ ନ ପାଇ ତାର ମୁଖ ଚିରଦିନ ପାଇଁ ବନ୍ଦ କରିଦେଇ ଆସିଛି ଚିଫ୍ । ସେହି କୃତଘ୍ନ ସେମାନଙ୍କ ଧମକରେ ଭୟଭୀତ ହୋଇ ଆମର କେତେକ ଗୁପ୍ତ ଖବର ପ୍ରକାଶ କରିବାରେ ଲାଗିଥିଲା । ଆଉ କାଳଦୂତ ସଦୃଶ ତିନି ଜଣ ଭୀମକାୟ ବ୍ୟକ୍ତି ହାତରେ ପିସ୍ତଲ ଧରି ତାହାରି ଆଡ଼େ ଲକ୍ଷ୍ୟ କରିଥିଲେ ।

 

ମୁଁ ଯେତେବେଳେ ଜଣିପାରିଲି ସେ ତାର ଜୀବନ ବିନିମୟରେ ସମସ୍ତ କିଛି କହିଦେବ, ସେତେବେଳେ ଫାୟାର୍ କରି ପଳାଇ ଆସିବାକୁ ବାଧ୍ୟ ହେଲି ।

 

ଉପସ୍ଥିତ ସଦସ୍ୟବର୍ଗ ନମ୍ବର କୋଡ଼ିଏର ଶୋଚନୀୟ ମୃତ୍ୟୁ କଥା ଶୁଣି ଭୟଭୀତ ହୋଇପଡ଼ିଲେ ।

 

ସାବାସ୍ ୟୁ ୟଙ୍ଗ୍ ମ୍ୟାନ୍ । ତୁମେ ଠିକ୍ କାମ କରିଛ । ଦଳର ରକ୍ଷା ପାଇଁ ଏହିଭଳି ନୃଶଂସ ପଦକ୍ଷେପ ନ ନେଲେ ଅଗ୍ରସର ହେବା ଅସମ୍ବବ ।

 

କିନ୍ତୁ ଆମକୁ ଆନୁଧ୍ୟାନ କରିବା ପାଇଁ ଅପରାଧ ବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ନେଇ ଫେରିଥିବା ମି: ଇଡମ୍ବିଏନ୍ ଗତକାଲି ଏହି ସହରରେ ଆସି ପହଞ୍ଚିଛନ୍ତି । ଏହା ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ସମ୍ବାଦରୁ ମୁଁ ଜାଣି ଆସିଛି, ଚିଫ୍ ।

ଏଁ.....ମି: ଇଡମ୍ବିଏନ୍ । ଚମକି ଉଠିଲେ ଦଳପତି । ମି: ଇଡେମ୍ବିଏନ୍ ଏଠାକୁ ଆସୁଛି ? ତୁମେ ଭଲ ଭାବେରେ ଜାଣିଛ ?

ଆଉ ତାଙ୍କ ସଙ୍ଗେ ଶତ୍ରୁଜିତ ସହଯୋଗ କରୁଛନ୍ତି ।

ନା, ନା, ସେ କଥା କରାଇ ଦିଆଯିବ ନାହିଁ ସେକେଣ୍ଡ ଚିଫ୍ । ତୁମେ ହୁଏତ ଜାଣି ନାହଁ ମି: ଇଡମ୍ବିଏନ୍ କେତେ ଇଣ୍ଟେଲିଜେଣ୍ଟ୍ । ଆଉ ସେ ଏଠାରେ ପହଞ୍ଚିଗଲା ପରେ ଆମେମାନେ ଯେ ଘୋର ଦୁର୍ଯୋଗର ସମ୍ମୁଖୀନ ହେବା ଏଥିରେ ସନ୍ଦେହ ନାହିଁ । ତା ପୂର୍ବରୁ.....

ତାକୁ ଶେଷ କରି ଦେବାକୁ ପଡ଼ିବ, ସେକେଣ୍ଡ ଚିଫ୍ । ଓଃ, ପ୍ରକୃତରେ ତୁମେ ଯଦି ଏହି ସମ୍ବାଦ ପାଇ ନଥାନ୍ତ, କ’ଣ ଯେ ଆମର ପରିଣତି ହୋଇଥାଆନ୍ତା, ମୁଁ ଚିନ୍ତା କରିପାରୁ ନାହିଁ ।

ନମ୍ବର ଛ’….

ୟେସ୍ ସାର୍ ।

ଫାଷ୍ଟ ଚିଫ୍‍ଙ୍କୁ ଖବର ଦିଅ । ତାଙ୍କର ସମସ୍ତ କାମ ବନ୍ଦ କରି ସେ ଏହିଠାକୁ ଆସନ୍ତୁ । ସେକେଣ୍ଡ ଚିଫ୍ । ତୁମକୁ ଆହୁରି ସଙ୍ଘାତିକ ହେବାକୁ ପଡ଼ିବ, ଆହୁରି ନୃଶଂସ ହେବାକୁ ପଡ଼ିବ । ଆଉ ଏହି ପୋଲିସ ବାହିନୀ, ଦସ୍ୟୁ ଅଜୟ—ଯେଉଁମାନେ ଆମ ବିରୁଦ୍ଧରେ ଲାଗିଛନ୍ତି, ସେମାନେ ଯେମିତି ଦଶ ଦିନ ଭିତରେ ଆମର ବନ୍ଦୀ ଭାବରେ ରହିଥିବେ; ନଚେତ୍ ସୋମାନଙ୍କୁ କୁକୁର ଭଳି ମାରି ଦିଆଯାଇଥିବ । ଏହି ଭଳି ପଦକ୍ଷେପ ବ୍ୟତୀତ ଆଉ କୌଣସି ଉପାୟ ଏବେ ଆମର ନାହିଁ-

ମି: ଇଡମ୍ବିଏନଙ୍କୁ କୌଶଳରେ ଜାଲରେ ଛନ୍ଦିବାର ବ୍ୟବସ୍ଥା କରିବାକୁ ପଡ଼ିବ । ତାଙ୍କର ଦାୟିତ୍ୱ ହିଁ ଫାଷ୍ଟ୍ ଚିଫ୍ ଗ୍ରହଣ କରିବେ । ଆଉ ତୁମ ଉପରେ ସମସ୍ତ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷାର ଦାୟିତ୍ୱ ରହିବା ସଙ୍ଗେ ସଙ୍ଗେ ଦସ୍ୟୁ ଅଜୟ ଆଉ ଶତ୍ରୁଜିତ ତଥା ଏସ୍. ପି...

କିନ୍ତୁ ସେକେଣ୍ଡ ଚିଫ୍, ତୁମର କଣ୍ଠସ୍ୱରରେ ଏ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ଆସିପାରି ନାହିଁ । ତୁମେ ଯେ କୌଣସି ଛଦ୍ମ ବେଶରେ ରହିଲେ ମଧ୍ୟ ତୁମର ପରିଚିତ କୌଣସି ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ ତୁମକୁ ଆବିଷ୍କାର କରିବାକୁ ବିଶେଷ ସମୟ ଲାଗିବ ନାହିଁ ।

ତୁମେ ଯେ ସେମାନଙ୍କ ନିକଟରୁ ଚତୁରତାର ସହ ଆତ୍ମରକ୍ଷା କରି ପାରିବ ଏ ବିଶ୍ୱାସ ମୋର ଅଛି । ହେଲେ, ମୁଁ ଚାହେଁ ନାହିଁ ଯେ ତୁମର ପରିଚିତ ତୁମେ କାହାରି ନିକଟରେ ଛାଡ଼ିଦେଇ ଆସ । ତୁମେ ସେହି ଟାବଲେଟ୍ ଆହୁରି କିଛି ବ୍ୟବହାର କର ।

ଚେଷ୍ଟା କରିବି, ଚିଫ୍...

ତା ପରେ ଗଭୀର ଚିନ୍ତା ଜାଲରେ ଦଳପତି ଯେମିତି ଆଚ୍ଛନ୍ନ ହୋଇପଡ଼ିଲେ । କେତେକ ସମୟ ପରେ ଉପସ୍ଥିତ ସଦସ୍ୟମାନଙ୍କ ଦିଗରେ ଦୃଷ୍ଟିପାତ କରି କହିଲେ—ଏବେ ତୁମେମାନେ ଯାଇପାର; କିନ୍ତୁ ପ୍ରବେଶ କୋଠରିରୁ ବାହାରିବା ସମୟରେ କାହାରି ସନ୍ଦେହରେ ତୁମେମାନେ ଯେମିତି ନ ପଡ଼ । ପରେ ଆବଶ୍ୟକୀୟ ନିର୍ଦ୍ଦେଶନାମା ତୁମମାନଙ୍କ ନିକଟରେ ପହଞ୍ଚିବ ।

 

ନମ୍ବର ସାତ ବ୍ୟତୀତ ଆଉ ସମସ୍ତେ ଚାଲିଯାଅ ।

 

ଦଳପତିଙ୍କ ଆଦେଶରେ କେତେକ ମୁହୂର୍ତ୍ତ ପରେ ପ୍ରକାଣ୍ଡ ହଲଟି ଶୂନ୍ୟ ହୋଇଗଲା । ସେ ଆଡ଼ୁ ଦୃଷ୍ଟି ଫେରାଇ ଆଣି ଦଳପତି କହିଲେ—ଲୁସି, ଏହିଠାକୁ ଆସ ।

 

ବିନା ପ୍ରତିବାଦରେ ଲୁସି ଦଳପତିଙ୍କ ନିକଟକୁ ଆଗେଇ ଗଲା ।

 

ମୀରାର ଚେତନା ଏ ପର୍ଯ୍ୟନ୍ତ ଫେରି ନାହିଁ ?

 

ଦସ୍ୟୁ ଅଜୟ ତା ନିକଟରୁ କଥା ଆଦାୟ କରିବା ପାଇଁ ଯେଉଁ ପ୍ରକାର ଅମାନୁଷିକ ଦଣ୍ଡର ସହାୟ ନେଇଛି, ତା ଫଳରେ ତାର ଯେ ଜ୍ଞାନ ଏତେ ଶୀଘ୍ର ଫେରି ଆସିବ, ଏ ବିଶ୍ୱାସ ମୋର ନାହିଁ ।

 

ଡଃ: ତୁଷାରକାନ୍ତି ।

 

କୁହନ୍ତୁ ସାର୍ ।

 

ତୁମେ ଠିକ୍ ସମୟରେ ନ ପହଞ୍ଚିଥିଲେ ମୋର ଯେତେଦୂର ବିଶ୍ୱାସ, ମୀରା ଭଳି ଜଣେ ଦକ୍ଷ କର୍ମୀକୁ ଆମକୁ ହରାଇବାକୁ ପଡ଼ିଥାଆନ୍ତି । ହେଲେ, ଅତ୍ୟଧିକ ପୀଡ଼ା ଫଳରେ ତା’ର କଣ ଜ୍ଞାନଶୂନ୍ୟ ହୋଇଛି ?

 

କିନ୍ତୁ ଆଜି ରାତି ଦୁଇଟା ସୁଦ୍ଧା ତାର ଜ୍ଞାନ ଫେରି ଆସିବାର କଥା ଆଜ୍ଞା । ମୁଁ ଔଷଧ ଆଉ ଇଞ୍ଜେକ୍‍ସନର ବ୍ୟବସ୍ଥା କରି ଯାଇଥିଲି । ତେବେ ମୋର ମନେହୁଏ ଶାରୀରିକ ଯନ୍ତ୍ରଣା ଅପେକ୍ଷା ଏମିତି କୌଣସି ଏକ ଭୀତିପ୍ରଦ ଜିନିଷ ସେଠାରେ ଦେଖିଛି, ଯାହା ଫଳରେ ତାର ସଂଜ୍ଞାହୀନ ଅବସ୍ଥା ସୃଷ୍ଟି ହୋଇଛି ।

 

ତୁମ ଉପରେ ବହୁତଗୁଡ଼ାଏ ଦାୟିତ୍ୱର ପ୍ରେସର ଦେଉଥିବାରୁ ମୁଁ ନିଜକୁ ନିଜେ ଦୁଃଖିତ ହେଉଛି ଡକ୍ଟର । ଆମର ଏଠାରେ ଡକ୍ତରଙ୍କର ବିଶେଷ ଅଭାବ । ତା ପରେ ଡଃ: ଥମାସ୍ ଯାହାଙ୍କ ଉପରେ ଏ ସବୁର ଦାୟିତ୍ୱ ଥିଲା, ସେ ଆମେରିକାରେ ଅଟକ ରହିଛନ୍ତି । ଆଉ ଏଠାରେ ଅନ୍ୟମାନେ ଏତେ କର୍ମବ୍ୟସ୍ତ ହୋଇପଡ଼ିଛନ୍ତି ଯେ, ଅନ୍ୟ କୌଣସି ବିଷୟ ପ୍ରତି ଲକ୍ଷ୍ୟ ରଖିବାକୁ ସେମାନଙ୍କର ସମୟ ନାହିଁ ।

 

କିନ୍ତୁ ଡକ୍ଟର, ତୁମେ ଜାଣିଥିବ, ଜେଲଖାନା ଦୁର୍ଘଟଣାର ତଦନ୍ତ କରି ଶତ୍ରୁଜିତ ବହୁତଗୁଡ଼ାଏ ପ୍ରମାଣ ପାଇ ସାରିଛି । ଯେଉଁ ପ୍ରମାଣ ବଳରେ ଆମର ଅତି ବିଶ୍ୱସ୍ତ ଜଣେ ସ୍ୱନାମଧନ୍ୟ କର୍ମଚାରୀ ଉପରେ ଆଞ୍ଚ ଆସିବାର ଯଥେଷ୍ଟ ସମ୍ବାବନା ରହିଛି । କେବଳ ସେତିକି ନୁହେଁ, ତାର ସତର୍କ ଦୃଷ୍ଟି ବରାବର ତାହାରି ଉପରେ ଲାଗି ରହିଛି ।

 

ତା ହେଲେ...

 

ଆଉ ମୁଁ ବିଶ୍ୱସ୍ତ ସୂତ୍ରରୁ ସମ୍ବାଦ ପାଇଛି, ସେ ଯେଉଁ ସୂତ୍ରର ଲିଖିତ ବିବରଣୀଗୁଡ଼ାକ ପ୍ରସ୍ତୁତ କରିଛି, ତାହା ସେ ତା’ର ଅଭିଯୁକ୍ତ ବ୍ୟକ୍ତି ଉପରେ ଅଭିଯୋଗ ଆଣିବା ପାଇଁ ଆସନ୍ତା କାଲି କଲେକ୍ଟରଙ୍କ ନିକଟରେ ଉପସ୍ଥାପିତ କରିବ । ଆଉ ଧନୀରାମର ଘଟଣା ପରେ ପରେ ଏ ଭଳି ପ୍ରମାଣ ଯେତେବେଳେ କଲେକ୍ଟରଙ୍କ ହାତକୁ ଯିବ, ସେ ନିଃସନ୍ଦେହରେ ତାକୁ ଗ୍ରହଣ କରି ନେବେ-

 

ଆଉ ଯଦି ଆମର କୌଶଳରୁ ରକ୍ଷା ପାଇ ମି: ଇଡମ୍ବିଏନ୍ କୌଣସି ପ୍ରକାର ଏଠାରେ ପହଞ୍ଚି ଯାଆନ୍ତି, ତାହାହେଲେ ସେହି ପ୍ରମାଣ ଅନୁସାରେ ଆମର ଏକ ବିରାଟ୍ ଘାଟୀର ସନ୍ଧାନ ସେ ପାଇଯିବେ ।

 

ତେଣୁ....

 

କିନ୍ତୁ ଶତ୍ରୁଜିତଙ୍କର ଉପସ୍ଥିତିରେ ତାଙ୍କ କୋଠରି ଭିତରୁ ତାହା ଆଣିବା କୌଣସି ପ୍ରକାରେ ସମ୍ବବ ହୋଇ ପାରିବ ନାହିଁ । ଆଉ ସେ ଯେତେବେଳେ ଜାଣିଛନ୍ତି ଯେ, ସେହି ପ୍ରମାଣ ବଳରେ ସେ ଅଭିଯୁକ୍ତ ଲୋକଟିକୁ ଦୋଷୀ ରୂପରେ ସାବ୍ୟସ୍ତ କରି ପାରିବେ, ସେତେବେଳେ ସେ ଯେ କୌଣସି ପ୍ରକାର ତାକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ଥିବେ, ଏ ବିଶ୍ୱାସ ମୋର ନାହିଁ ।

 

ମୁଁ କିନ୍ତୁ ସନ୍ଧାନ ନେଇ ବୁଝି ସାରିଛି ସେ ଯେଉଁ ବିବରଣୀଗୁଡ଼ିକ ସଂଗ୍ରହ କରିଛନ୍ତି, ତାହା ଯେ ଆମେ ଜାଣିପାରିଛୁ ସେ ଜାଣେ ନାହିଁ । କାରଣ ଖୁବ୍ ଗୋପନରେ ସେ ଏହାର ଅନୁସନ୍ଧାନ କରି ଚାଲିଛି । ଆଉ ସେଇଥିପାଇଁ ଲୁସିକୁ ଏକ ଅଭିନୟ କରିବାକୁ ପଡ଼ିବ । ମାନେ, ଶତ୍ରୁଜିତ ଯେମିତି ହଠାତ୍ ତାର କୋଠରି ଛାଡ଼େ ।

 

ଏକ ପକ୍ଷରେ ଦୁଇ କାମ ଆମେ ଅକ୍ଳେଶରେ ହାସଲ କରି ପାରିବା । ମାନେ, ଯେଉଁ କୋଠରିକୁ ଲୁସି ତାକୁ ନିମନ୍ତ୍ରଣ କରିବ, ସେହି କୋଠରିରୁ ତାକୁ ସ୍ଥାନାନ୍ତର କରାଯିବ । ତା’ପରେ ଶତ୍ରୁଜିତର ବାସଭବନ ବିଷୟରେ ତୁମର ଅଭିଜ୍ଞତା ଯଥେଷ୍ଟ ଅଛି । ତେଣ ତୁମ ବ୍ୟତୀତ ସେହି ଡକୁମେଣ୍ଟଗୁଡ଼ିକ ଅନ୍ୟ କାହାରି ଦ୍ୱାରା ଉଦ୍ଧାର କରିବା ସହଜ ହୋଇପାରିବ ନାହିଁ ।

 

ତା ପରେ ତାକୁ ଅପହରଣ କରିବାର ଦାୟିତ୍ୱ ମୁଁ ଫାଷ୍ଟ ଚିଫଙ୍କ ହାତରେ ଦେଉଛି ।

 

ଭିତରୁ କାହାର ଆସିବାର ସଂକେତ ଶୁଣାଗଲା । ଫାଷ୍ଟ୍ ଚିଫ୍, ଆମର ଆଠ ନମ୍ବର ଇନ୍‍ଫରମେଶନ ସେଣ୍ଟର ଯେଉଁ କକ୍ଷ ଏବେ ପୋଲିସମାନଙ୍କ ଦ୍ୱାରା ଅବରୁଦ୍ଧ ହୋଇ ରହିଛି, ତାହାରି ଭିତରକୁ ତୁମକୁ ଯିବାକୁ ପଡ଼ିବ ।

 

ଯିବି, ବସ ।

 

ବାହାରେ ପୋଲିସର ଦୁଇ ଜଣ ଜଗୁଆଳ ରହିଛନ୍ତି । ସେମାନଙ୍କ ନିକଟରୁ ବିପଦର କୌଣସି ଆଶଙ୍କା ନାହିଁ । ପ୍ରଥମେ ସେମାନଙ୍କୁ ସ୍ଥାନଚ୍ୟୁତ କରିବା ତୁମର କର୍ତ୍ତବ୍ୟ । ତା ପରେ ଲୁସି ଯେତେବେଳେ ସାହାଯ୍ୟ ପ୍ରାର୍ଥନା କରି ଶତ୍ରୁଜିତଙ୍କୁ ସେଠାକୁ ଡାକିବ, ତୁମେ ସେତେବେଳେ ସେଠାରେ ଗୋପନରେ ଉପସ୍ଥିତ ହୋଇ ରହିଥିବ ।

 

ଆଉ ଯେ କୌଣସି ପ୍ରକାରେ ତାକୁ ବନ୍ଦୀ କରି ଆଣିବା ତୁମର ପ୍ରଥମ କର୍ତ୍ତବ୍ୟ; କିନ୍ତୁ ଦେଖ, ପରେ ସେଠାରୁ ଯେମିତି ତୁମ ବିଷୟରେ କୌଣସି ପ୍ରମାଣ ନ ମିଳେ । ବେଶ୍ ଏବେ ତୁମେ ଯାଅ ।

 

ପୁଣି ଭିତରର କବାଟ ବନ୍ଦ ହୋଇଗଲା । ସେ ଆଡ଼ୁ ଦୃଷ୍ଟି ଫେରାଇ ଆଣି ବସ କହିବାରେ ଲାଗିଲେ—ଆଉ ମି: ଇଡମ୍ବ ଏନ ତାର ଦାୟିତ୍ୱ ସ୍ୱୟଂ ମୋତେ ନେବାକୁ ପଡ଼ିବ ।

 

ଆଜିକାର ଦାୟିତ୍ୱ ଆଉ କର୍ତ୍ତବ୍ୟ ବିଷୟରେ ତୁମେମାନେ ବେଶ୍ ସଚେତନ । ଉପସ୍ଥିତ ବୁଦ୍ଧି ଆଉ କର୍ତ୍ତବ୍ୟରେ ତୁମେମାନେ ଅଗ୍ରସର ହୁଅ ।

ଜୟନ୍ତଙ୍କର ଛଦ୍ମବେଶ ଉପରୁ ଶେଷ ଥର ପାଇଁ ଦୃଷ୍ଟି ଫେରାଇ ସଫଳତାର ସହିତ ହସିଉଠିଲେ ଶତ୍ରୁଜିତ । ବେଲଜିୟମର ବିରାଟ ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ ଜୟନ୍ତଙ୍କର ମୁଖମଣ୍ଡଳରେ ହସ ଲାଗି ରହିଥିଲା ।

ତୁମେ ଠିକ୍ ସମୟରେ ପହଞ୍ଚି ନ ଥିଲେ ମୋତେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାଙ୍କୁ ପଡ଼ିଥାଆନ୍ତା, ଜୟନ୍ତ । ଏବେ ରାତି ଗୋଟାଏ । ତୁମ ହାତରେ ଆଉ ମାତ୍ର ତିରିଶ ମିନିଟ..ଆଉ ଏହି ଅଭିଯାନରେ ଆମେ ଯଦି ଜୟଯୁକ୍ତ ହୋଇଉଠୁ...

ତା ହେଲେ ଆପଣ କଣ ଭାବୁଛନ୍ତି ଆମେ ତନ୍ନ ତନ୍ନ କରି ପରୀକ୍ଷା କରି ସାରିବା ପରେ ଆମ ଦୃଷ୍ଟି ଶକ୍ତିରେ ନିଶ୍ଚୟ କେଉଁଠି ବ୍ୟତିକ୍ରମ ରହି ଯାଇଥିଲା ?

ତାହା ଅସ୍ୱୀକାର କରିବା ଭଳି ଅବସ୍ଥାରେ ଏବେ ମୁଁ ନାହିଁ ଜୟନ୍ତ । ମୋର ବି ସେତେବେଳେ ଧାରଣା ହୋଇଥିଲା ନିଶ୍ଚୟ ଆମର ଅଲକ୍ଷ୍ୟରେ ବି କେଉଁଠି ଏକ ସୂତ୍ର ରହିଯାଇଛି-। ଯାହା ଫଳରେ ଆମେ ନିରାଶା ପରେ ନିରାଶାର ସମ୍ମୁଖୀନ ହେଉଛେ ।

ଆଉ ଦସ୍ୟୁ ଅଜୟ......

ଏ ଥର ଶତ୍ରୁଜିତ ହସିଲେ । ଦସ୍ୟୁ ଅଜୟ ଯେ କିଏ ଆଉ ସେ କେଉଁଠାରେ ଏ ଭଳି ଲୁକ୍‍କାୟିତ ଭାବରେ ରହିପାରୁଛି, ତାହାର ସୂତ୍ର ମୁଁ ଏହି କୋଠରି ଭିତରୁ ଆବିଷ୍କାର କରି ପାରିବି ।

ମାନେ....

ସେ ଯେଚେ ଚତୁରତାର ସୀମା ଅତିକ୍ରମ କଲେ ମଧ୍ୟ ତାକୁ ଆବିଷ୍କାର କରିବାର ଏକ ସରଳ ପଥ ମୁଁ ନିଶ୍ଚିତ କରିଦେଇଛି । ତଥାପି ମୋର ଅନୁମାନ ଯେ କେତେଦୂର ସଫଳତା ଲାଭ କରିବ, ମୁଁ ଭାବିପାରୁ ନାହିଁ । ତେବେ ତୁମେ ବ୍ୟସ୍ତ ହୁଅ ନାହିଁ ଜୟନ୍ତ ।

କିନ୍ତୁ ତୁମ କାମର ସଫଳତା ତୁମରି ଉପରେ ନିର୍ଭର କରେ । ଯେଉଁ ଦଳର କର୍ମକର୍ତ୍ତାମାନେ ଏତେ ବିଜ୍ଞ ଆଉ ଯେଉଁମାନଙ୍କର ଏକ ନିର୍ଦ୍ଧାରିତ କର୍ମପନ୍ଥା ରହିଛି, ସେଠାରେ ଯଦି ତୁମକୁ ଚାନ୍‍ସ ମିଳେ ତା’ର ସଦୁପଯୋଗ କରିବାର ସୁବିଧାରୁ ବଞ୍ଚିତ ହେବ ନାହିଁ ।

ତା ପରେ ହାତଘଣ୍ଟାକୁ ଚାହିଁ ଶତ୍ରୁଜିତ ସେ କକ୍ଷ ପରିତ୍ୟାଗ କଲେ, ଆଉ ଯେତେବେଳେ ଫେରି ଆସିଲେ, ସେ ଆଉ ଶତ୍ରୁଜିତ ଭାବରେ ନ ଥିଲେ ।

ଜୟନ୍ତ ତାଙ୍କୁ ଅନାଇ ହସିଲେ ।

ଆପଣଙ୍କର ପରିକଳ୍ପନା ଚମତ୍କାର... । ଜୟନ୍ତ ଆଉ କଣ କହିଆସୁଥିଲେ, ହଠାତ୍‍ ଟେଲିଫୋନ ରିଂ ହେବାରୁ ଜୟନ୍ତ ରିସିଭର ଉଠାଇବାକୁ ଯାଉଥିଲେ; କିନ୍ତୁ ଶତ୍ରୁଜିତ ତାଙ୍କ ହାତ ଧରି ଅଟକାଇ ନେଲେ ।

 

ଟେଲିଫୋନ ଯନ୍ତ୍ର ସେହିଭଳି ଭାବରେ ଶଦ୍ଦାୟିତ ହେଉଥିଲା । କେତେକ ମୃହୂର୍ତ୍ତ ପରେ ରିସିଭର ଉଠାଇଲେ ଶତ୍ରୁଜିତ ।

 

ଅନ୍ୟ ପାର୍ଶ୍ୱରୁ ନାରୀକଣ୍ଠର ବିକଳ ଚିତ୍କାର ଶୁଣା ଯାଉଥିଲା—ମୋତେ ରକ୍ଷା କରନ୍ତୁ । ଏ କୋଠରିରୁ ବାହାରକୁ ବାହାରିବାର ମୋର ଉପାୟ ନାହିଁ ।

 

କିଏ ତୁମେ....କେଉଁଠୁ କହୁଛ ? —ଶତ୍ରୁଜିତଙ୍କ ବିସ୍ମିତ କଣ୍ଠସ୍ୱର ଗୁଞ୍ଜରି ଉଠିଲା ।

 

ଲିଙ୍କ୍ ରୋଡ଼ସ୍ଥ ହଳଦିଆ କୋଠାରୁ । ଏ କୋଠା ଭିତରେ କେହି ନାହାନ୍ତି । ମୋତେ ବିଶେଷ ଭୟ ଲାଗୁଛି ।

 

ତୁମେ କିଏ ?

 

ସେମାନେ ମୋ ପଛେ ପଛେ ଧାଇଁଥିଲେ । କେଉଁ ମୁହୂର୍ତ୍ତରେ ଯେ ଏଠାକାର ସନ୍ଧାନ ପାଇଯିବେ.... । ଦୟାକରି ମୋତେ ରକ୍ଷା କରନ୍ତୁ ।

 

ରିସିଭର ରଖି ଶତ୍ରୁଜିତ ହସି ଜୟନ୍ତଙ୍କୁ ଅନାଇ କହିଲେ—ଆଉ ଅବହେଳା କର ନାହିଁ ବନ୍ଧୁ । ଯେତେ ଶୀଘ୍ର ପାର..

 

ଜୟନ୍ତ ବାହାରିଗଲେ ।

 

ତା ପରେ ରତନାକୁ କେତେକ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇ ନିଜକୁ ଅତି ସତର୍କିତ ଭାବରେ ସେହି ଅନ୍ଧକାର ଭିତରେ ହଜାଇ ଦେଲେ ଶତ୍ରୁଜିତ ।

 

ନିବିଡ଼ ଅନ୍ଧକାର ଭିତରେ ଲିଙ୍କ୍ ରୋଡ଼ସ୍ଥ ସେହି ଅଟ୍ଟାଳିକାଟି ଘୁମାଇ ପଡ଼ିଥିଲା । ପ୍ରାସାଦର ଉତ୍ତର ପାର୍ଶ୍ୱର ବଗିଚାର ଧାରେ ଧାରେ ଅତି ସତର୍କ ଭାବରେ ଗତି କରୁଥିଲେ ଶତ୍ରୁଜିତ-

 

ଅନ୍ଧକାରରେ ନିଜର ଶରୀର ମଧ୍ୟ ନିଜକୁ ଦୃଷ୍ଟିଗୋଚର ହେଉ ନ ଥିଲା । ଖୁବ୍ ସତର୍କତା ସହକାରେ ସେ ଆସି ଛିଡ଼ା ହେଲେ ପ୍ରବେଶଦ୍ୱାର ସମ୍ମୁଖରେ । ଦ୍ୱାର ଖୋଲା ରହିଥିଲା । ଆଉ ଏଇ କେତେ ସମୟ ପୂର୍ବରୁ ଯେ ସେହି ରାସ୍ତାରେ ଭିତରକୁ ଯିବାର ପାଦଶବ୍ଦ ସେ ଶୁଣି ପାରିଥିଲେ, ସେଥିରୁ ତାଙ୍କର ମନେ ହେଉଥିଲା ଜୟନ୍ତ ନିଶ୍ଚୟ ଭିତରକୁ ଯାଇଛି ।

 

ସେ ପାଦ ଚିପି ଚିପି ଭିତରକୁ ଅଗ୍ରସର ହେଲେ । ଭିତରେ ଅଖଣ୍ଡ ନୀରବତା । ଏପରି କି କାହାରି ପଦଶବ୍ଦର ବି ସୂଚନା ମିଳୁ ନ ଥିଲା । ଅଟ୍ଟାଳିକାଟିର ଭିତର ପରିସ୍ଥିତି ଶତ୍ରୁଜିତଙ୍କ ନିକଟରେ ଅବଦିତ ନ ଥିଲା । ସେ ଯେଉଁଠାରେ ଛିଡ଼ା ହୋଇଥିଲେ, ତାହା ଥିଲା କ୍ଷୁଦ୍ର ଧରଣର ଗୋଟାଏ ହଲ୍ । ଆଉ ଟିକିଏ ଆଗକୁ ସଂକୀର୍ଣ୍ଣ ଦ୍ୱାରବନ୍ଧ ଅତିକ୍ରମ କଲେ ବାରଣ୍ଡା ।

 

ପାଦ ଚିପି ଚିପି ବାରଣ୍ଡା ଉପରେ ସେ ଛିଡ଼ା ହେଲେ । ତାଙ୍କର ଚକ୍ଷୁ, କର୍ଣ୍ଣଦ୍ୱୟ ସଜାଗ ହୋଇ ରହିଥିଲେ ମଧ୍ୟ କୌଣସି ବ୍ୟକ୍ତିର କିଞ୍ଚତ୍ ଛାୟା ଅଥବା ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ସେ ଶୁଣିପାରୁ ନ ଥିଲେ ।

 

ଆଲୋକ ଜଳାଇବାର ସାହସ ତାଙ୍କର ନ ଥିଲା । ସେ ଭାବି ପାରୁ ନ ଥିଲେ ଜୟନ୍ତ ପ୍ରବେଶ କରିବାର ପଦଶବ୍ଦ ସେ ଶୁଣିଲେ; ଅଥଚ.... ।

 

ପୁଣି ଦ୍ୱାରଦେଶରେ କାହାର ପଦଶବ୍ଦ ଶୁଭିଲା । ସେ ଖୁବ୍ ଚଞ୍ଚଳ ନିଜକୁ ଏକ ପିଲର୍ ଆଢ଼ୁଆଳରେ ଲୁଚାଇ ନେଲେ । ଯେଉଁ ପିଲରଟା କି ଉଭୟ ପ୍ରବେଶ ପଥ ଆଉ ଗୃହ ଭିତରର ଦୃଷ୍ଟିରୁ ତାଙ୍କୁ ଲୁକକାୟିତ କରୁଥିଲା । ପ୍ରବେଶକାରୀ ଅଥବା ଯେ କୌଣସି କୋଠରିର ବ୍ୟକ୍ତି ସେଠାରୁ ତାଙ୍କୁ ଦେଖି ପାରିବାର ଅବକାଶ ନ ଥିଲା ।

 

ଏ ଥର ଆଗନ୍ତୁକ ହାତର ଟର୍ଚ୍ଚ ଜଳିଉଠିଲା । ଏ ଯେ ଜୟନ୍ତ ସେ ନିଶ୍ଚିତ ଭାବରେ ଜାଣି ପାରିଥିଲେ । କିନ୍ତୁ ସେ ଏତେ ବିଳମ୍ବ କଲା କାହିଁକି ? ଆଉ ଯାହାର ପଦଶବ୍ଦ ଭିତରୁ ଶୁଣିଲେ, ସେ କିଏ ?

 

ଜୟନ୍ତର ଟର୍ଚ୍ଚର ଆଲୋକ ପ୍ରତ୍ୟେକ କୋଠରି ଉପରେ ଖେଳି ବୁଲୁଥିଲା । ବାହାରୁ କବାଟଗୁଡ଼ିକ ବନ୍ଦ ଥିଲା । ଶେଷରେ ତାଙ୍କର ଟର୍ଚ୍ଚର ଆଲୋକ ଯେଉଁ ଦ୍ୱାର ଉପରେ ସ୍ଥିର ରହିଗଲା, ତାହା ମୁକୁଳା ରହିଥିଲା ।

 

କିଏ ଅଛି ? —ଜୟନ୍ତଙ୍କର କଣ୍ଠସ୍ୱର ନିସ୍ତବ୍ଧ ବାତାବରଣରେ ପ୍ରତିଧ୍ୱନିତ ହୋଇଉଠୁଥିଲା । ଆଶ୍ଚର୍ଯ୍ୟ । କାହାରି ପ୍ରତିଉତ୍ତର ନ ଥିଲା ।

 

ପୁଣି ଯେତେବେଳେ ଜୟନ୍ତଙ୍କ କଣ୍ଠସ୍ୱର ମୁଖରିତ ହୋଇ ଉଠିଲା, ଶତ୍ରୁଜିତ ଶୁଣିବାକୁ ପାଇଲେ ସେହି କୋଠରି ଭିତରୁ ଏକ କ୍ଷୀଣ ଚିତ୍କାର । ଯେପରି ମୁଖ ଭିତରେ ଲୁଗା ଭର୍ତ୍ତି କରି ବାନ୍ଧି ରଖିଲେ ଶବ୍ଦ ନିଃସୃତ ହୁଏ ।

 

କିନ୍ତୁ ପରମୁହୂର୍ତ୍ତରେ ଭିତରେ କୌଣସି ଏକ ଭାରୀ ଜିନିଷର ପତନ ଶବ୍ଦ ଶୁଣିଲେ ଶତ୍ରୁଜିତ । ତା ପରେ କ୍ଷୀଣ ଚିତ୍କାର । ସେ ଉଦ୍‍ବିଗ୍ନ ହୋଇ ସେହି ଆଡ଼କୁ ଦୌଡ଼ିବାରେ ଲାଗିଲେ । ପୁଣି ତାଙ୍କର ମନେ ହେଲା, କିଏ ଦୁଇ ଜଣ ଯେପରି କ୍ଷିପ୍ର ବେଗରେ ତାଙ୍କୁ ଅତିକ୍ରମ କରିଗଲେ ।

 

ଭିତରେ ଧସ୍ତାଧସ୍ତିର ଶବ୍ଦ । ଶତ୍ରୁଜିତ କଣ କରିବେ ସ୍ଥିର କରି ପାରିଲେ ନାହିଁ । କୋଠରି ଭିତରେ ସୂଚୀଭେଦ୍ୟ ଅନ୍ଧକାର ।

 

ଜୟନ୍ତଙ୍କର ଶବ୍ଦ ସେ ଶୁଣୁ ନ ଥିଲେ । ହଠାତ୍ କଣ କରିବେ ନ କରିବେ, ଭାବିବା ପୂର୍ବରୁ ତାଙ୍କର ହସ୍ତସ୍ଥିତ ଟର୍ଚ୍ଚ ଜଳିଉଠିଲା । ତିନି ଜଣ କଳା ପୋଷାକ ପରିହିତ ବ୍ୟକ୍ତି ଅନ୍ୟ ଗୋଟିଏ କଳା ପୋଷାକ ପିନ୍ଧିଥିବା ଲୋକକୁ ଆକ୍ରମଣ କରୁଥିଲେ ।

 

ହଠାତ୍ ତାଙ୍କ ବାମ ହାତ ଉପରେ କିଏ ଜଣେ ଖୁବ୍ ଜୋରରେ ଆଘାତ କଲା । ଟର୍ଚ୍ଚଟି ତାଙ୍କ ହାତରୁ ଛିଟିକି ଯାଇ ଖଣ୍ଡେ ଦୂରରେ ପଡ଼ିଗଲା । ସେ ଅନ୍ୟ କୌଣସି ପଦକ୍ଷେପ ନେବା ଆଗରୁ କୋଠରି ଭିତରେ ଧସ୍ତାଧସ୍ତିରେ ବ୍ୟସ୍ତ ରହିଥିବା ଲୋକମାନେ ଭିତରୁ ବାହାରି ଆସିବାକୁ ଲାଗିଲେ ।

 

ଆଉ ସେ ନିଜେ କାହାର ଏକ ସୁଦୃଢ଼ ବାହୁ ଦ୍ୱାରା ଏପରି ଭାବରେ ବନ୍ଦୀ ହୋଇ ରହିଥିଲେ ଯେ, ତାଙ୍କର ଆଉ କୌଣସି କର୍ତ୍ତବ୍ୟ ନ ଥିଲା । ସେ କିଂକର୍ତ୍ତବ୍ୟବିମୁଢ଼ ଭାବରେ ଅନ୍ଧକାର ଭିତରେ ଅପସରି ଯାଉଥିବା ପଦଶବ୍ଦ ଶୁଣିପାରିଥିଲେ ।

 

କେତେକ ମୁହୂର୍ତ୍ତ ପରେ ଏକ ଗତିଶୀଳ ଯାନର ଶବ୍ଦ ତାଙ୍କର କର୍ଣ୍ଣକୁହରରେ ପ୍ରବେଶ କରିବାରେ ଲାଗିଲା । ପ୍ରତିରୋଧ କରିବାର ସମସ୍ତ ସାମର୍ଥ୍ୟ ସେ ହରାଇ ସାରିଥିଲେ । ତାଙ୍କର ହସ୍ତପଦରେ ସେ କଠିନ ରଜ୍ଜୁର ସ୍ପର୍ଶ ଅନୁଭବ କରୁଥିଲେ ।

 

ତା ପରେ କେତେ ଜଣ ତାଙ୍କୁ ସେହି କୋଠରି ଭିତରକୁ ନେଇ ଆସି ଚଟାଣ ଉପରେ ଗଡ଼ାଇ ଦେଲେ ।

 

ତାଙ୍କର ମନେହେଲା, କେହି ଜଣେ ସେହି କୋଠରିରେ ଥିବା ଟେଲିଫୋନ୍ ରିସିଭର ଉତ୍ତୋଳନ କଲା ।

 

ହ୍ୟାଲୋ.....ପୋଲିସ ଷ୍ଟେସନ....

 

ହଁ, ଲିଙ୍କ୍ ରୋଡ଼ସ୍ଥ ଆପଣଙ୍କ ଦ୍ୱାରା ସିଜ୍ ହୋଇଥିବା କୋଠରିରେ ଅସହାୟ ଅବସ୍ଥାରେ ମି: ଜୟନ୍ତ ପଡ଼ିଛନ୍ତି । ତାଙ୍କୁ ଶୀଘ୍ର ଉଦ୍ଧାର କରନ୍ତୁ ।

 

ତା ପରେ ରିସିଭରଟି ରଖିଦେବା ପରେ ପରେ ସେମାନଙ୍କର ପ୍ରସ୍ଥାନୋଦ୍ୟତ ପଦଶବ୍ଦ ଶତ୍ରୁଜିତ ଶୁଣିପାରୁଥିଲେ ।

 

ଏ ଭଳି ଏକ ପରିସ୍ଥିତିର ଯେ ସେ ସମ୍ମୁଖୀନ ହେବେ, ଏ ବିଶ୍ୱାସ ତାଙ୍କର ନ ଥିଲା । ଆଉ ଏ ଭଳି ଅତର୍କିତ ଆକ୍ରମଣର ଯେ ସେ ସମ୍ମୁଖୀନ ହେବେ, ଏ ବିଶ୍ୱାସ ସେ କରିପାରି ନ ଥିଲେ ।

 

ଅପରାଧୀମାନଙ୍କର ଶକ୍ତି ତାଙ୍କଠାରୁ ଯଥେଷ୍ଟ ବେଶି ଥିଲେ ମଧ୍ୟ ସେମାନେ ଯେ ତାଙ୍କ ପ୍ରତି ଏ ଭଳି ଦୟା କାହିଁକି ଦେଖାଇଲେ, ତାହାହିଁ ତାଙ୍କ ନିକଟରେ ଘୋର ବିସ୍ମୟ ସୃଷ୍ଟି କରୁଥିଲା ।

 

 

ସନ୍ଧ୍ୟା ସମୟରେ ଘଟଣା ତାଙ୍କ ମନକୁ ଆଲୋଡ଼ିତ କରୁଥିଲା । ମଣିରାମ ଇଣ୍ଡଷ୍ଟ୍ରିଜ୍‍ର କେତେକ କର୍ମଚାରୀଙ୍କ ବିଷୟରେ ତାଙ୍କ ମନରେ ଯେଉଁ ସନ୍ଦେହର ପାହାଡ଼ ଗଢ଼ିଉଠୁଥିଲା, ସେହି ବିଷୟରେ କେତେକ ସମ୍ବାଦ ସଂଗ୍ରହ କରିବାକୁ ସେ ଯାଇଥିଲେ, ଆଉ ସେଠାରୁ ଫେରି ତାଙ୍କ ଅନୁସନ୍ଧାନର ବିବରଣୀ ପ୍ରସ୍ତୁତ କରୁଥିଲେ ।

 

ଆଉ ସେ ବିଷୟରେ ସାହାଯ୍ୟ କରିବାକୁ ଆସିଥିଲେ ଜୟନ୍ତ । କାରଣ ଆସନ୍ତା କାଲି ସୁଦ୍ଧା ସେହି ରିପୋର୍ଟ କଲେକ୍ଟରଙ୍କୁ ଦେବାର ଥିଲା । ଆଉ ମଧ୍ୟ ସେ ସେହି ରିପୋର୍ଟ ଯେ ତାଙ୍କୁ ଆସନ୍ତା କାଲି ସୁଦ୍ଧା ନିଶ୍ଚୟ ପ୍ରସ୍ତୁତ କରି ଦେଉଛନ୍ତି, ଏ ବିଷୟରେ ଜଣାଇ ଦେଇଥିଲେ ।

 

କିନ୍ତୁ ଠିକ୍ ସାଢ଼େ ବାରଟାରେ....

 

ଅପ୍ରତ୍ୟାଶିତ ଭାବରେ ଯେଉଁ ଫୋନ୍ ରିସିଭ୍ କଲେ, ସେଥିରେ ସେ ଚକିତ ହୋଇଗଲେ । ଦସ୍ୟୁ ଅଜୟ ହିଁ ତାଙ୍କ ନିକଟକୁ ଫୋନ୍ କରିଥିଲା ।

 

ସେଥିରେ ସେ ପରିଷ୍କାର ଜଣାଇ ଦେଇଥିଲା—ବିଶ୍ୱସ୍ତସୂତ୍ରରୁ ସମ୍ବାଦ ମିଳିଛି, ଆଜି ଅପରାଧୀ ଦଳ ଆପଣଙ୍କୁ ଅପହରଣ କରି ନେବାର ସମସ୍ତ ପ୍ରୋଗ୍ରାମ୍ ଠିକ୍ କରି ସାରିଛନ୍ତି । ଆଉ ଯେଉଁଭଳି ପ୍ଲାନରେ ତାଙ୍କ କାର୍ଯ୍ୟ ହାସଲ କରିବାର ସ୍ଥିର କରିଛନ୍ତି, ତାର ଏକ ସଂକ୍ଷିପ୍ତ ବିବରଣୀ ସୂଚାଇ ଦେବା ସଙ୍ଗେ ସଙ୍ଗେ ସେ ଆହୁରି କହିଥିଲା, ସେହି କୋଠରିର ବିଚିତ୍ରପୂର୍ଣ୍ଣ ନିର୍ମାଣକୌଶଳ ହିଁ ଆପଣଙ୍କୁ ଅପହରଣ କରିବାରେ ଯଥେଷ୍ଟ ସାହାଯ୍ୟ କରିବ । ଶକ୍ତି ଅପେକ୍ଷା ସାହସ ବଳରେ ଆପଣ ହୁଏ ତ ଏହି ପ୍ଲାନର୍‍ ମୂଳସୂତ୍ର ଆବିଷ୍କାର କରିବାରେ ଯଥେଷ୍ଟ ସୁଯୋଗ ପାଇବେ ।

 

ଏହି ଅମୁଲ୍ୟ ସୂତ୍ର ଆପଣ ଆବିଷ୍କାର କରନ୍ତୁ, ଏହା ହିଁ ମୋର ଆନ୍ତରିକ ଇଚ୍ଛା । ସେମାନେ ଯେ ଆପଣଙ୍କ ଉପରେ ବଳପ୍ରୟୋଗ କରିବେ ନାହିଁ, ଏ ବିଷୟରେ ମୁଁ ନିଶ୍ଚିତ ।

 

ଶତ୍ରୁଜିତ ଆଉ କିଛି ପଚାରିବା ପୂର୍ବରୁ ଅପର ପକ୍ଷରୁ କନେକ୍‍ସନ କଟା ଯାଇଥିଲା । ସେହି ନମ୍ବର ଜାଣିବାକୁ ଶତ୍ରୁଜିତ ବିଶେଷ ଚେଷ୍ଟା କଲେ ନାହିଁ । କାରଣ କୌଣସି ପବ୍ଲିକ୍ କଲ୍ ଅଫିସର ନମ୍ବର ଯେ ସେ ଏକ୍‍ସଚେଞ୍ଜରୁ ପାଇବେ, ଏହି ବିଶ୍ୱାସ ହିଁ ସେ କରୁଥିଲେ ।

 

ସେତେବେଳେ ସେ ଏହି ସମ୍ବାଦ ବିଷୟରେ ବିଶେଷ କିଛି ଭାବିବାର ଅବସର ପାଇ ନ ଥିଲେ । କାରଣ ନିର୍ଦ୍ଦିଷ୍ଟ ସମୟ ଆଉ ମାତ୍ର ଘଣ୍ଟାଟିଏ ଥିଲା । ତା ପରେ ଅଜୟ ଦସ୍ୟୁର କାର୍ଯ୍ୟକଳାପ ବିଷୟରେ ବିଭିନ୍ନ ବିଷୟର ଅନୁଧ୍ୟାନ କରି ସେ ନିଶ୍ଚିତ ହୋଇଥିଲେ ଯେ, ଅନ୍ତତଃ ଅଜୟ ଦସ୍ୟୁ ତାଙ୍କର ଅମଙ୍ଗଳ ପାଇଁ କୌଣସି ପଦକ୍ଷେପ ନେବ ନାହିଁ ।

 

ତା ପରେ ଏହି କୋଠରି ବିଷୟରେ ସେ ଏହିଭଳି ଏକ ଧାରଣା ପୂର୍ବରୁହଁ କରି ଆସୁଥିଲେ । ତାଙ୍କର ଅକ୍ଳାନ୍ତ ଚେଷ୍ଟା ଫଳରେ ବି କୌଣସି ସୂତ୍ର ସେ ପାଇବାରେ ସମର୍ଥ ହୋଇ ନ ଥିଲେ । ଆଉ ସେହି କୋଠରି ସିଜ୍ ହେବା ପରେ ଟେଲିଫୋନ୍ ଲାଇନ୍ ଡିସକନେକ୍ଟ ନ କରିବା ପାଇଁ ସେ ଅନୁରୋଧ କରିଥିଲେ । ଏହିପରି ଅନୁରୋଧ କରିବା ମୂଳରେ ତାଙ୍କର ଯେଉଁ ଆଶା ଥିଲା, ଦସ୍ୟୁ ଅଜୟ ନିକଟରୁ ସେହି ସମ୍ବାଦ ପାଇବା ପରେ ତାଙ୍କର ଅନୁମାନ ସତ୍ୟରେ ପରିଣତ ହୋଇଛି, ଏହି ଭାବନାରେ ସେ ଅଧୀର ହୋଇ ପଡ଼ିଥିଲେ ।

 

ତତକ୍ଷଣାତ୍ ତାଙ୍କ ମସ୍ତିଷ୍କ ଭିତରେ ଏକ ନୂତନ ଭାବନାର ସୂତ୍ରପାତ ହୋଇଥିଲା । ଦସ୍ୟୁ ଅଜୟର ଟେଲିଫୋନ ବାର୍ତ୍ତାରୁ ସେ ଯେତିକି ସଂଗ୍ରହ କରିଥିଲେ; ସେତିକିରୁ ତାଙ୍କର ସ୍ପଷ୍ଟ ମନେ ହେଉଥିଲା, ସେହି କୋଠରି ଭିତରେ ତାଙ୍କର ଏକାକୀ ଉପସ୍ଥିତି ଅନୁସନ୍ଧାନ ଦୃଷ୍ଟିରୁ ଏକାନ୍ତ ବାଞ୍ଛନୀୟ ।

 

ଆଉ ସେହି ସୁଯୋଗର ଉପଯୁକ୍ତ ସଦ୍‍ବ୍ୟବହାର କରିବା ପାଇଁ ସେ ଆହୁରି ଏକ ନୂତନ କୌଶଳ ଉଦ୍ଭାବନ କରିଥିଲେ । ମାନେ, ବେଶ ପରିବର୍ତ୍ତନ ।

 

ତାଙ୍କର ଉଦ୍ଦେଶ୍ୟ ଥିଲା, ସେହି କୋଠରି ଭିତରକୁ ତାଙ୍କର ଛଦ୍ମବେଶରେ ଜୟନ୍ତ ଚାଲିଗଲା ପରେ ସେ ଦୂରରେ ରହି କେବଳ ସେହି କୋଠରିର ପରିସ୍ଥିତି ଅନୁଧ୍ୟାନ କରିବେ । କାରଣ ସେ ଜାଣି ସାରିଥିଲେ ଏହି ଦଳରେ ବିଜ୍ଞାନର ସାହାଯ୍ୟ ଏପରି ଭାବରେ ନିଆଯାଇଛି ଯେ, ଯାହା ଫଳରେ ସହଜରେ କୋଠରିର ଗୁପ୍ତ ସୁଡ଼ଙ୍ଗର କୌଶଳ ଜାଣିବାର ଉପାୟ ନାହିଁ ।

 

କାରଣ ବିଜ୍ଞାନ କ୍ଷେତ୍ରରେ ଆମେରିକାର ଉନ୍ନତି ପ୍ରଶଂସନୀୟ । ତାହାରି ବଳରେ ସେ ପ୍ରତ୍ୟହ ଏକ ଏକ ନୂତନ ପଦକ୍ଷେପ ନେଇ ଜୟଯୁକ୍ତ ହୋଇ ପାରୁଛନ୍ତି । ତା ପରେ ରୀତାର ଅପହରଣ ବେଳେ ତାଙ୍କର ପ୍ରାସାଦର ଝରକା ନିକଟରୁ ଯେଉଁ ରକ୍ତର ଜାର୍ (ବ୍ଲଡ୍ ଜାର୍) ସେ ସଂଗ୍ରହ କରିଥିଲେ, ସେଥିରେ ପରିଷ୍କାର ‘ଆମେରିକା’ ଶବ୍ଦ ସେ ପଢ଼ି ପାରିଥିଲେ ।

 

ସେହି ଦିନଠାରୁ ଏହି ଦଳ କେବଳ ବୈଜ୍ଞାନିକ ପ୍ରଣାଳୀ ତଥା ଅସମ୍ବବ ଚତୁରତାର ସହିତ ଯେ ଉଦ୍ଧାର ପାଇ ଯାଉଛନ୍ତି, ଏହା ସେ ସ୍ଥିର କରି ସାରିଥିଲେ । ଆଉ ଦସ୍ୟୁ ଅଜୟ ଯେ ଏହି ଦଳ ବିଷୟରେ ଅନେକ କିଛି ରହସ୍ୟ ଉଦଘାଟନ କରି ପାରିଛି, ଏହା ସେ ଅସ୍ୱୀକାର କରୁ ନ ଥିଲେ ।

 

ସେତେବେଳେ ସେହି ଟେଲିଫୋନ ସମ୍ବାଦ ଯେ ତାଙ୍କ ପାଇଁ ଏକ ବ୍ୟଙ୍ଗାତ୍ମକ ଉପହାସ ଥିଲା, ସେ ଏବେ ସହଜରେ ବୁଝି ପାରିଲେ । କାରଣ ସେ କେବେ ଦସ୍ୟୁ ଅଜୟକୁ ଦେଖିବାର ସୁଯୋଗ ପାଇ ନ ଥିଲେ; ଅଥବା ତାର କଣ୍ଠସ୍ୱର ସହିତ ପରିଚିତ ନ ଥିଲେ ।

 

ଗଭୀର ହତାଶା ଭିତରେ ଶତ୍ରୁଜିତ କେବଳ ଦୀର୍ଘନିଶ୍ୱାସ ତ୍ୟାଗ କରୁଥିଲେ । ସେମାନଙ୍କ ଷଡ଼ଯନ୍ତ୍ର ବୁଝିବାରେ ତାଙ୍କର ଖୁବ୍ ବିଳମ୍ବ ହୋଇ ଯାଇଥିଲା । କାରଣ ତାଙ୍କର ସନ୍ଦେହ ପରିଷ୍କାର ହୋଇ ଯାଇଥିଲା, ଦୁର୍ବୃତ୍ତଗଣ ସେହି କୋଠରି ଛାଡ଼ି ବାହାରକୁ ଚାଲିଯିବାରୁ । ତା ପରେ ମୋଟରର ଶଦ୍ଦ ତାଙ୍କର ଧାରଣାକୁ ଆହୁରି ପରିଷ୍କାର କରି ଦେଇଥିଲା ।

 

ହଠାତ୍ ତାଙ୍କ ଦେହ ଉପରେ ପ୍ରବଳ କମ୍ପନ ଅନୁଭବ କଲେ, ଯେପରି ତାଙ୍କ ତଳର ଚଟାଣଟି ଗଭୀର ଭାବରେ ଆନ୍ଦୋଳିତ ହେଉଛି । ଏହାର କାରଣ ସହଜରେ ଅନୁମାନ କରି ପାରିଲେ ନାହିଁ ସେ ।

 

ଆଶଙ୍କା ତଥା ଉତ୍ତେଜନାରେ ସେ ଅଧୀର ହୋଇଉଠିବା ମୁହୂର୍ତ୍ତରେ ସେହି ଅଟ୍ଟାଳିକା ସାମନାରେ ଗୋଟିଏ ଗାଡ଼ି ରହିବାର ଶବ୍ଦ ଶୁଣାଗଲା । ଆଉ ତା ପରେ କେତେଗୁଡ଼ିଏ ଭାରୀ ବୁଟ୍‍ ଜୋତାର ଆବାଜ । ବାହାରୁ ଆଲୋକର ଆଭାସ ଜଣା ଯାଉଥିଲା ।

 

କିନ୍ତୁ ସେ ଅନୁଭବ କରିବାକୁ ଲାଗିଲେ—ଆଉ ଏ ଥର ସେଭଳି କମ୍ପନ ଅନୁଭବ କରି ହେଉ ନାହିଁ । ଯେଉଁଭଳି ଅପ୍ରତ୍ୟାଶିତ ଭାବରେ ସେହି କମ୍ପନର ସୃଷ୍ଟି ହୋଇଥିଲା, ସେହିଭଳି ଅପ୍ରତ୍ୟାଶିତ ଭାବରେ ସେହି କମ୍ପନ ବନ୍ଦ ହୋଇ ଯାଇଛି ।

 

ତାଙ୍କ ଚିନ୍ତାରେ ବାଧା ଦେଲା ଏସ୍. ପି ଙ୍କର କଣ୍ଠସ୍ୱର । ଶତ୍ରୁଜିତଙ୍କର ବନ୍ଧନ ଖୋଲୁ ଖୋଲୁ ସେ ଚକିତ ହୋଇ କହିଲେ, କଣ ହେଲା ଜୟନ୍ତ ।

 

ଏସ୍. ପି. ଙ୍କର ସନ୍ଦିଗ୍ଧ ଚକ୍ଷୁ ତାଙ୍କ ମୁଖମଣ୍ଡଳ ଉପରେ ସ୍ଥିର ରହିଥିଲା । ତାଙ୍କୁ ଯେ କ’ଣ ଉତ୍ତର ଦେବେ, ସ୍ଥିର କରି ପାରିଲେ ନାହିଁ ସେ ।

 

କୋଠରିଟି ଆଲୋକିତ ହୋଇଉଠିଥିଲା । ଦୁର୍ବୋଧଙ୍କ ଭଳି କୋଠରିର ଚତୁଃପାର୍ଶ୍ୱରେ ନିଜର ଦୃଷ୍ଟି ଦୌଡ଼ାଇବାରେ ଲାଗିଥିଲେ ଶତ୍ରୁଜିତ ।

 

କଣ ହୋଇଛି ଜୟନ୍ତ । ତୁମେ ଏଠାକୁ କିମିତି ଆସିଲ ? ଏସ୍‍.ପି.ଙ୍କର ଉତ୍କଣ୍ଠା ଯେମିତି ଚରମ ସୀମା ସ୍ପର୍ଶ କରୁଥିଲା । ମୋଟ ଉପରେ ସେ ଘଟଣାଟି ଜାଣିବା ପାଇଁ ଏତେ ଉଦବିଗ୍ନ ହୋଇ ଉଠିଥିଲେ ଯେ, ଶତ୍ରୁଜିତଙ୍କର ଏ ଭଳି ନୀରବତା ସେ ସହ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ ।

 

ଶତ୍ରୁଜିତ ଉପସ୍ଥିତ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କିଛି ସମୟ ପାଇଁ ବାହାରେ ଅପେକ୍ଷା କରିବାକୁ କହି ପୁଣି ଥରେ ଭିତରଟିକୁ ଭଲ ଭାବରେ ନିରୀକ୍ଷଣ କରିବାକୁ ଚେଷ୍ଟା କରୁଥିଲେ ।

 

ଏସ୍. ପି. ଙ୍କ ମୁଖମଣ୍ଡଳରେ ଉଦବେଗର ଲକ୍ଷଣ ସୀମା ଟପି ଆସୁଥିବାର ଜାଣିପାରି ସେ ଅତି ସଂକ୍ଷେପରେ ସମସ୍ତ ଘଟଣା ବର୍ଣ୍ଣନା କରିଗଲେ ।

 

ତା ହେଲେ ଶତ୍ରୁଜିତଙ୍କୁ ଶେଷ ସୁଦ୍ଧା ଆମକୁ ହରାଇବାକୁ ପଡ଼ିଲା....ହତାଶାର ଦୀର୍ଘଶ୍ୱାସ ଏସ୍. ପି. ଙ୍କ କଣ୍ଠରୁ ନିଃସୃତ ହେଉଥିଲା ।

 

ମନେ ମନେ ହସିଉଠିଲେ ଶତ୍ରୁଜିତ; କିନ୍ତୁ ତାଙ୍କର ଅପହରଣ ଶୁଣି ଏସ୍. ପି. ଯେ ଭଳି ଭାବରେ ମର୍ମାହତ ହୋଇ ପଡ଼ୁଥିଲେ, ସେଥିରେ ତାଙ୍କୁ ଆଉ ବେଶି ସମୟ ଅଧୀରତା ଭିତରେ ନ ରଖି ଯେତେବେଳେ ଉଭୟଙ୍କର ପରିବର୍ତ୍ତନ ବିଷୟରେ କହିଗଲେ, ସେତେବେଳେ ଆଗ୍ରହତିଶଯ୍ୟରେ ଶତ୍ରୁଜିତଙ୍କୁ ଭିଡ଼ି ଧରି ସେ କ’ଣ କହିବାକୁ ଚାହିଁଥିଲେ; କିନ୍ତୁ ଶତ୍ରୁଜିତ ତାଙ୍କୁ ଇଙ୍ଗିତରେ ବାରଣ କରି ତାଙ୍କ କାନ ପାଖରେ ଖୁବ୍ ଧୀର ସ୍ୱରରେ କଣ କହିବାରେ ଲାଗିଲେ ।

 

ଏ ଥର ଏସ୍. ପି. ଙ୍କ ମୁଖମଣ୍ଡଳରେ ପ୍ରସନ୍ନତା ଫେରି ଆସିଲା । ସେ ଆଶ୍ଚର୍ଯ୍ୟ ହୋଇ କହିଲେ—କିନ୍ତୁ ଏ ଭଳି ଦୁଃସମୟରେ ତୁମ ଭଳି ଜଣେ ସହକର୍ମୀକୁ ହରାଇବାକୁ ମୁଁ ଆଦୌ ଆଶା କରୁ ନ ଥିଲି ଜୟନ୍ତ । କିଏ ଜାଣେ ବିଚରାର ଅବସ୍ଥା କଣ ହେବ ?

 

ଶତ୍ରୁଜିତଙ୍କର କିନ୍ତୁ ଏସ୍‍. ପି.ଙ୍କ ଉତ୍ତର ଉପରେ ଧ୍ୟାନ ନ ଥିଲା । ସେ ଶୋଇ ରହିଥିବା ସ୍ଥାନଟିକୁ ଭଲ ଭାବରେ ପରୀକ୍ଷା କରିବାରେ ଲାଗିପଡ଼ିଥିଲେ । ସିମେଣ୍ଟ ଚଟାଣରେ କ୍ଷୁଦ୍ର କ୍ଷୁଦ୍ର ବର୍ଗାକାର କ୍ଷେତ୍ର ଚଟାଣଟିର ଶୋଭା ବର୍ଦ୍ଧନ କରୁଥିଲା ।

 

ସେ ପୂର୍ବ ପରି ସେହି ଚଟାଣ ଉପରେ ଶୋଇ ରହି କ’ଣ ପରୀକ୍ଷା କରିବାରେ ଲାଗିଲେ । ତା ପରେ ଉଠିପଡ଼ି ଜୋରରେ ଗୋଡ଼ ବାଡ଼େଇବାରେ ଲାଗିଲେ । ପୁଣି କେତେବେଳେ ଚଟାଣ ଦେହରେ କାନ ଲଗାଇ କଣ ଯେମିତି ଶୁଣିବାକୁ ଚେଷ୍ଟା କରୁଥିଲେ ।

 

ତାଙ୍କର ଏପରି ଆଚରଣ ଏସ୍‍. ପି.ଙ୍କୁ ଆହୁରି ଚକିତ କରୁଥିଲା । ସେ ହାସ୍ୟ ସମ୍ବରଣ କରି ନ ପାରି କହିଲେ—ତୁମେ ପାଗଳ ହୋଇ ନାହଁ ତ ଜୟନ୍ତ ।

 

ସେହି କଥା ମୁଁ ଏବେ ଭାବୁଛି ସାର । କିନ୍ତୁ ଯେତେଦୂର ମୋର ମନେହୁଏ, ଅପ୍ରତ୍ୟାଶିତ ଭାବରେ ଏତେଗୁଡ଼ାଏ ଦୁର୍ଘଟଣା ମୋହରି ସମ୍ମୁଖରେ ଘଟି ଯାଇଥିଲେ ବି ମୋର ସ୍ପର୍ଶଶକ୍ତି ଅଥବା ସ୍ମରଣ ଶକ୍ତିର କୌଣସି ବ୍ୟତିକ୍ରମ ସୃଷ୍ଟି ହୋଇ ନାହିଁ ।

 

ମାନେ ?

 

ସ୍ଥିର ଭାବରେ ସେହି ଚଟାଣକୁ ଲକ୍ଷ୍ୟ କରି କହିଲେ—ଘଟଣାଟି ଯେ କଣ ହୋଇପାରେ, ମୁଁ ବି ଏ ପର୍ଯ୍ୟନ୍ତ ସ୍ଥିର କରି ପାରି ନାହିଁ ।

 

କେଉଁ ଘଟଣା ?

 

ଆପଣଙ୍କର ପ୍ରବେଶ କରିବାର ଠିକ୍ କିଛି ସେକେଣ୍ଡ ଆଗରୁ ମୁଁ ଏହି ଚଟାଣରେ ନିରୁପାୟ ଅବସ୍ଥାରେ ପଡ଼ିବାର କିଛି ସମୟ ପରେ ମୋର ଯେମିତି ଧାରଣା ହେଲା, ମୁଁ ଆସ୍ତେ ଆସ୍ତେ ଦୋହଲିବାରେ ଲାଗିଛି । ଯେମିତି ଭୂମିକମ୍ପର ପ୍ରାରମ୍ବିକ ଅବସ୍ଥାରେ ଆସ୍ତେ ଆସ୍ତେ ଭୂମି ଦୋହଲି ଦୋହଲି ପ୍ରଖର କମ୍ପନର ସମ୍ମୁଖୀନ ହୁଏ, ଠିକ୍ ସେହିଭଳି ।

ମାନେ ତୁମେ କହିବାକୁ ଚାହଁ, ଏହି କୋଠରିରେ କିଛି ସମୟ ପୂର୍ବରୁ ଭୂମିକମ୍ପର ସୃଷ୍ଟି ହୋଇଥିଲା ?

କିନ୍ତୁ ତାହା ଯେମିତି ଅପ୍ରତ୍ୟାଶିତ ଭାବରେ ଆରମ୍ବ ହୋଇ ଯାଇଥିଲା, ଠିକ୍ ସେହିଭଳି ଭାବରେ ପ୍ରଶମିତ ମଧ୍ୟ ହୋଇଥିଲା ।

ଏସ୍. ପି. ଙ୍କ ମୁଖମଣ୍ଡଳର ରେଖାଗୁଡ଼ିକ କୁଞ୍ଚିତ ହୋଇ ଆସୁଥିଲା । ସେ ନିର୍ନିମେଷ ନୟନରେ ଶତ୍ରୁଜିତଙ୍କୁ ଅନାଇ ରହିଥିଲେ । ତାଙ୍କ କଥାରେ ଏସ୍. ପି. ଙ୍କର ଦୃଢ଼ବିଶ୍ୱାସ ଥିଲା; ଅଥଚ ଏ ଭଳି କମ୍ପନ ଏଠାରେ ହୋଇଗଲା, ସେ ତାହା ଜାଣିପାରିଲେ ନାହିଁ ।

ଏ ଅଞ୍ଚଳ ସାଧାରଣତଃ ଭୂମିକମ୍ପ ରେଖା ଭିତରେ ଅବସ୍ଥିତ ନୁହେଁ । ଆଉ ଶତ୍ରୁଜିତଙ୍କ ବର୍ଣ୍ଣନା ଅନୁସାରେ ଯେଉଁଭଳି ଭୂମି ଦୋଳନର କଥା ସେ ଶୁଣିଲେ, ଗାଡ଼ିରେ ଆସୁଥିଲେ ବି ସେ ନିଶ୍ଚିତ ଭାବରେ କିଛି ଜାଣିପାରି ଥାଆନ୍ତି ।

କାହିଁ, ସେ ଭଳି ଅନୁଭୂତି ଯେ ଏହି କେଇ ମୁହୂର୍ତ୍ତ ପୂର୍ବରୁ ତାଙ୍କର ହୋଇଛି—ସେ ଭାବିପାରୁ ନ ଥିଲେ । ହୁଏ ତ ଏ କଥା ବି ହୋଇପାରେ, ସେତେବେଳେ ତାଙ୍କର ଧ୍ୟାନ ପୂରା ମାତ୍ରାରେ ଏହି କୋଠରି ବିଷୟରେ ଆକର୍ଷିତ ହୋଇଥିବାରୁ ଅନ୍ୟ କୌଣସି ବିଷୟ ପ୍ରତି ହୁଏତ ତାଙ୍କର ଧ୍ୟାନ ଆସି ନାହିଁ ।

ଏସ୍. ପି. ଙ୍କ ମନର ଭାବ ଶତ୍ରୁଜିତଙ୍କ ନିକଟରେ ଦୁର୍ବୋଧ୍ୟ ହେଲା ନାହିଁ । ସେ ଚିନ୍ତାପୂର୍ଣ୍ଣ ଭାବରେ କହିଲେ—ମୁଁ କିନ୍ତୁ ଏହାକୁ ସାଧାରଣ ଭୂକମ୍ପନ ବୋଲି ଭାବିପାରୁ ନାହିଁ ସାର୍ ।

କାରଣ....

ତାହା ଯେଉଁଭଳି ଏଠାରେ ଅନୁଭୂତ ହେଉଥିଲା, ଅନ୍ୟ ଆଡ଼େ ଯଦି ସେହିଭଳି ଭାବରେ କମ୍ପନ ସୃଷ୍ଟି ହୋଇଥାଆନ୍ତା, ତା ହେଲେ ଯେ କୌଣସି ଲୋକ ଯେଉଁଭଳି ଭାବରେ ଥିଲେ ମଧ୍ୟ ସହଜରେ ଏ ବିଷୟରେ ଧାରଣା କରି ପାରିଥାଆନ୍ତା ।

ଆଉ ଆପଣ ଯେଉଁ ଜିପରେ ଆସିଲେ, ସେଥିରେ ଆପଣ ବି ସେହି କମ୍ପନ ଅନୁଭବର ସୁଯୋଗ ପାଇଥାଆନ୍ତେ । ତା ବ୍ୟତୀତ..ଶତ୍ରୁଜିତ ଅଟକିଲେ ।

ତା ବ୍ୟତୀତ...

ମୋର ଯେତେଦୂର ମନେହେଲା, ଆପଣଙ୍କ ଗାଡ଼ି ଯେଉଁ ମୁହୂର୍ତ୍ତରେ ଏହି ଅଟ୍ଟାଳିକା ସମ୍ମୁଖରେ ବ୍ରୋକ୍ କଲା, ସେହି ମୁହୂର୍ତ୍ତରେ ସେହି କମ୍ପନ ଯେମିତି ଅପ୍ରତ୍ୟାଶିତ ଭାବରେ ସ୍ଥିର ହୋଇଗଲା ।

ମାନେ, ତୁମେ କହିବାକୁ ଚାହୁଁଛ...

ହଁ, ସାର; ମୋର ଉଦ୍ଦେଶ୍ୟ ଠିକ୍ କାହାରି ଆସିବାର ଶବ୍ଦ ଜାଣିବା ପରେ ପରେ ଏହି କମ୍ପନ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଗଲା ।

ଏସ୍. ପି. କିଛି ସମୟ ନିର୍ବୋଧଙ୍କ ଭଳି ଶତ୍ରୁଜିତଙ୍କୁ ଅନେଇ ରହିଲେ । ପ୍ରକୃତରେ ଯଦି ତୁମ କଥାରେ କୌଣସି ବ୍ୟତିକ୍ରମ ନ ଥାଏ, ତା ହେଲେ ଏହା ସମ୍ବବ କେମିତି ?

ସେହି ପ୍ରଶ୍ନବାଚୀ...

ଶତ୍ରୁଜିତଙ୍କ ମସ୍ତିଷ୍କ ବିଭ୍ରାନ୍ତ ହେଉଥିଲା । ତାଙ୍କର ଅସହାୟ ଦୃଷ୍ଟି ବାରମ୍ବାର ଚଟାଣ ଉପରେ ନିବଦ୍ଧ ହେଉଥିଲା । ଏସ୍‍. ପି. ସେହି ସ୍ଥାନ ବୁଟ୍ ଦ୍ୱାରା ପରୀକ୍ଷା କରିବା ପାଇଁ ଚାଲି ଆସିଲେ ।

କ୍ଷିପ୍ର ବେଗରେ ଶତ୍ରୁଜିତ ସେହି ଆଡ଼କୁ ଦୌଡ଼ିଗଲେ ଯେଉଁଠାରେ ଏସ୍. ପି. ଏଇ କେତେକ ମୁହୂର୍ତ୍ତ ପୂର୍ବରୁ ଛିଡ଼ା ହୋଇଥିଲେ । ତାଙ୍କ ଚକ୍ଷୁରେ ଆନନ୍ଦର ଆଭା ଖେଳିଗଲା ।

ଏସ୍. ପି.ଙ୍କ ମୁଖମଣ୍ଡଳର ରେଖାଗୁଡିକ କୁଞ୍ଚିତ ହୋଇ ଆସୁଥିଲା । ସେ ନିର୍ନିମେଷ ନୟନରେ ଶତ୍ରୁଜିତଙ୍କୁ ଅନାଇ ରହିଥିଲେ । ତାଙ୍କ କଥାରେ ଅସ. ପି. ଙ୍କର ଦୃଢ଼ବିଶ୍ୱାସ ଥିଲା; ଅଥଚ ଏ ଭଳି କମ୍ପନ ଏଠାରେ ହୋଇଗଲା, ସେ ତାହା ଜାଣିପାରିଲେ ନାହିଁ ।

ଏ ଅଞ୍ଚଳ ସାଧାରଣତଃ ଭୂମିକମ୍ଫ ରେଖା ଭିତରେ ଅବସ୍ଥିତ ନୁହେଁ । ଆଉ ଶତ୍ରୁଜିତଙ୍କ ବର୍ଣ୍ଣନା ଅନୁସାରେ ଯେଉଁଭଳି ଭୂମି ଦୋଳନର କଥା ସେ ଶୁଣିଲେ, ଗାଡ଼ିରେ ଆସୁଥିଲେ ବି ସେ ନିଶ୍ଚିତ ଭାବରେ କିଛି ଜାଣିପାରି ଥାଆନ୍ତେ ।

କାହିଁ, ସେ ଭଳି ଅନୁଭୂତି ଯେ ଏହି କେଇ ମୁହୂର୍ତ୍ତ ପୂର୍ବରୁ ତାଙ୍କର ହୋଇଛି—ସେ ଭାବିପାରୁ ନ ଥିଲେ । ହୁଏ ତ ଏ କଥା ବି ହୋଇପାରେ, ସେତେବେଳେ ତାଙ୍କର ଧ୍ୟାନ ପୂରା ମାତ୍ରାରେ ଏହି କୋଠରି ବିଷୟରେ ଆକର୍ଷିତ ହୋଇଥିବାରୁ ଅନ୍ୟ କୌଣସି ବିଷୟ ପ୍ରତି ହୁଏ ତ ତାଙ୍କର ଧ୍ୟାନ ଆସି ନାହିଁ ।

ଏସ୍. ପି. ଙ୍କ ମନର ଭାବ ଶତ୍ରୁଜିତଙ୍କ ନିକଟରେ ଦୁର୍ବୋଧ୍ୟ ହେଲା ନାହିଁ । ସେ ଚନ୍ତାପୂର୍ଣ୍ଣ ଭାବରେ କହିଲେ—ମୁଁ କିନ୍ତୁ ଏହାକୁ ସାଧାରଣ ଭୂକମ୍ପନ ବୋଲି ଭାବିପାରୁ ନାହିଁ ସାର୍ ।

କାରଣ...

ତାହା ଯେଉଁଭଳି ଭାବରେ ଏଠାରେ ଅନୁଭୂତ ହେଉଥିଲା, ଅନ୍ୟ ଆଡ଼େ ଯଦି ସେହିଭଳି ଭାବରେ କମ୍ପନ ସୃଷ୍ଟି ହୋଇଥାଆନ୍ତା, ତା ହେଲେ ଯେ କୌଣସି ଲୋକ ଯେଉଁଭଳି ଭାବରେ ଥିଲେ ମଧ୍ୟ ସହଜରେ ଏ ବିଷୟରେ ଧାରଣା କରି ପାରିଥାଆନ୍ତା ।

ଆଉ ଆପଣ ଯେଉଁ ଜିପରେ ଆସିଲେ, ସେଥିରେ ଆପଣ ବି ସେହି କମ୍ପନ ଅନୁଭବର ସୁଯୋଗ ପାଇଥାଆନ୍ତେ । ତା ବ୍ୟତୀତ...ଶତ୍ରୁଜିତ ଅଟକିଲେ ।

ତା ବ୍ୟତୀତ...

ମୋର ଯେତେଦୂର ମନେହେଲା, ଆପଣଙ୍କ ଗାଡ଼ି ଯେଉଁ ମୁହୂର୍ତ୍ତରେ ଏହି ଅଟ୍ଟାଳିକା ସମ୍ମୁଖରେ ବ୍ରୋକ୍ କଲା, ସେହି ମୁହୂର୍ତ୍ତରେ ସେହି କମ୍ପନ ଯେମିତି ଅପ୍ରତ୍ୟାଶିତ ଭାବରେ ସ୍ଥିର ହୋଇଗଲା ।

 

ମାନେ, ତୁମେ କହିବାକୁ ଚାହୁଁଛ...

 

ହଁ, ସାର; ମୋର ଉଦ୍ଦେଶ୍ୟ ଠିକ୍ କାହାରି ଆସିବାର ଶବ୍ଦ ଜାଣିବା ପରେ ପରେ ଏହି କମ୍ପନ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଗଲା ।

 

ଏସ୍‍. ପି. କିଛି ସମୟ ନିର୍ବୋଧଙ୍କ ଭଳି ଶତ୍ରୁଜିତଙ୍କୁ ଅନାଇ ରହିଲେ । ପ୍ରକୃତରେ ଯଦି ତୁମ କଥାରେ କୌଣସି ବ୍ୟତିକ୍ରମ ନ ଥାଏ, ତା ହେଲେ ଏହା ସମ୍ବବ କେମିତି ?

 

ସେହି ପ୍ରଶ୍ନବାତୀ...

 

ଶତ୍ରୁଜିତଙ୍କ ମସ୍ତିଷ୍କ ବିଭ୍ରାନ୍ତ ହେଉଥିଲା । ତାଙ୍କର ଅସହାୟ ଦୃଷ୍ଟି ବାରମ୍ବାର ଚଟାଣ ଉପରେ ନିବଦ୍ଧ ହେଉଥିଲା । ଏସ୍. ପି. ସେହି ସ୍ଥାନ ବୁଟ୍ ଦ୍ୱାରା ପରୀକ୍ଷା କରିବା ପାଇଁ ଚାଲି ଆସିଲେ ।

 

କ୍ଷିପ୍ର ବେଗରେ ଶତ୍ରୁଜିତ ସେହି ଆଡ଼କୁ ଦୌଡ଼ିଗଲେ, ଯେଉଁଠାରେ ଏସ୍. ପି. ଆଇ କେତେକ ମୁହୂର୍ତ୍ତ ପୂର୍ବରୁ ଛିଡ଼ା ହୋଇଥିଲେ । ତାଙ୍କ ଚକ୍ଷୁରେ ଆନନ୍ଦର ଆଭା ଖେଳିଗଲା ।

 

ସେ ଆଣ୍ଠୁମାଡି ବସିପଡ଼ିଲେ । ଚଟାଣ ଉପରକୁ ଅର୍ଥାତ୍ ସିମେଣ୍ଟର ଯେଉଁସବୁ କ୍ଷୁଦ୍ର କ୍ଷୁଦ୍ର ବର୍ଗାକାର କ୍ଷେତ୍ର ସୃଷ୍ଟି ହୋଇ—ହୋଇଥିଲା, ସେହିଭଳି ଏକ ବର୍ଗାକାର କ୍ଷେତ୍ରର ସୀମା ଭିତରେ ସେ ଖଣ୍ଡିଏ କନା ଭିଡ଼ି ରହିଥିବାର ଦେଖିଲେ । କନାଟିର କିୟଦଂଶ ଉପରକୁ ଦୃଷ୍ଟିଗୋଚର ହେଉଥିଲା । ସେ ତାକୁ ଆଙ୍ଗୁଳି ସାହାଯ୍ୟରେ ଉଠାଇ ଆଣିବାକୁ ଚାହୁଁଥିଲେ । କିନ୍ତୁ ତାହା ନ ଆସିବାରୁ ସେ ଆଶ୍ଚର୍ଯ୍ୟ ହୋଇ କିଞ୍ଚିତ୍ ବଳପ୍ରୟୋଗ କଲେ ।

 

କିନ୍ତୁ ପୂର୍ବ ପରି ସେ ସେହି ଚଟାଣ ସହିତ ଲାଗି ରହିଥିଲା । ବିସ୍ମୟ କ୍ରମେ ଘନୀଭୂତ ହେଉଥିଲା ଶତ୍ରୁଜିତଙ୍କର । ସେ ପୁଣି ଥରେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଯେତେବେଳେ ଟାଣିବାରେ ଲାଗିଲେ, ଉପରକୁ ଦିଶୁଥିବା କାନର କିଛି ଅଂଶ ତାଙ୍କ ହାତରେ ରହିଗଲା ।

 

ଏସ୍. ପି. ମଧ୍ୟ ରଭୀର ବିସ୍ମୟ ସହକାରେ ଶତ୍ରୁଜିତଙ୍କୁ ଲକ୍ଷ୍ୟ କରୁଥିଲେ । ଚଟାଣର ସେହି ଅଂଶରେ ଲାଗିଥିବା କନାଟି ମଧ୍ୟ ତାଙ୍କ ମନରେ କମ୍ ବିସ୍ମୟ ସୃଷ୍ଟି କରୁ ନ ଥିଲା ।

 

ଛିନ୍ନ ଅଂଶଟିକୁ, ଯେଉଁଟା କି ଶତ୍ରୁଜିତଙ୍କ ହାତରେ ରହି ଯାଇଥିଲା, ତାକୁ ଗଭୀର ଭାବରେ ନିରୀକ୍ଷଣ କରି ଶତ୍ରୁଜିତ ଜାଣି ପାରିଲେ ଯେ, ତାହା ନିଶ୍ଚୟ କୌଣସି ଶାଢ଼ିର ଏକ ଛିନ୍ନ ଅଞ୍ଚଳ । ଶାଢ଼ିଟି ଯେ ବେଶି ପୁରୁଣା ନୁହେଁ, ଏହା ପରିଷ୍କାର ଭାବରେ ସେ ହୃଦୟଙ୍ଗମ କରି ପାରୁଥିଲେ ।

 

ଡିପ୍–ବ୍ଲୁ କଲରର ଟେରେଲିନ୍ ଶାଢ଼ିର ଏକ ଛିନ୍ନ ଅଂଶ; କିନ୍ତୁ ଅପର ଅର୍ଦ୍ଧେକ ଚଟାଣ ଦେହରେ ସେହିଭଳି ଲାଗି ରହିଥିଲା । ହାତରେ ଥିବା ଶାଢ଼ିର ଛିନ୍ନ ଅଂଶ ଆଉ ଚଟାଣ ଦେହରେ ଲାଗି ରହିଥିବା ଅଂଶକୁ ନିର୍ବୋଧଙ୍କ ଭଳି ଅନାଇ ରହିଥିଲେ ଶତ୍ରୁଜିତ । ତାଙ୍କ ମସ୍ତିଷ୍କ ଭିତରେ କୌଣସି ସୂତ୍ର ପ୍ରବେଶ କରୁ ନ ଥିଲା ।

 

ପୁଣି ଥରେ ଚଟାଣ ଦେହରେ ଲାଗିରହିଥିବା ଛିନ୍ନ ଅଂଶକୁ ନଖ ସାହାଯ୍ୟରେ ବାହାର କରିବାକୁ ଚେଷ୍ଟା କଲେ । କେଜାଣି କାହିଁକି ହଠାତ୍ ତାଙ୍କ ମୁଖମଣ୍ଡଳର ଭାବ ପରିବର୍ତ୍ତନ ହୋଇଗଲା ।

 

ଏସ୍‍. ପି. ସାହାବ ଶତ୍ରୁଜିତଙ୍କ ଚକ୍ଷୁର ଉଚ୍ଛ୍ୱଳତାରୁ ସେ ଯେ ଏ ବିଷୟରେ କୌଣସି ଏକ ସୂତ୍ର ଆବିଷ୍କାର କରି ପାରିଛନ୍ତି, ତାହା ସହଜରେ ଜାଣିପାରୁଥିଲେ ।

 

ଶତ୍ରୁଜିତ କହିଲେ––ଏହି ଫାଙ୍କ ଦେହରେ ଲୁଗା ଲାଗି ରହିବାରୁ ମୁଁ ଏକ ଚମତ୍କାର ସୂତ୍ରର ସନ୍ଧାନ ପାଇ ଯାଇଛି, ସାର ।

 

ମାନେ ?

 

ମୋତେ ପ୍ରଥମେ ଏଠାରୁ ଗୋଟିଏ ସ୍ତ୍ରୀଲୋକ ଫୋନ୍ କରିଥିଲା । ତା ପରେ ତା ପଛେ ପଛେ ମୁଁ ଯେତେବେଳେ ଏଠାକୁ ଆସିଲି, ମୋ ଆସିବାର କେତେକ ମୁହୂର୍ତ୍ତ ପୂର୍ବରୁ ଜଣେ କିଏ ଏହି ପ୍ରାସାଦ ଭିତରକୁ ପ୍ରବେଶ କରୁଥିବାର ପଦଶବ୍ଦରୁ ଅନୁମାନ କରି ପାରୁଥିଲି । ତେଣୁ ମୁଁ ନିଃସନ୍ଦେହ ହୋଇଥିଲି ଯେ, ସେ ନିଶ୍ଚୟ ଆସିଛି; କିନ୍ତୁ ମୁଁ ଏହା ଭିତରକୁ ଆସିବା ପରେ ପୁଣି କାହାର ଏକ ପଦଶବ୍ଦ ଶୁଣିପାରି ଆଶ୍ଚର୍ଯ୍ୟ ହୋଇଗଲି । ପୁଣି କିଏ ପ୍ରବେଶ କରିପାରେ ଚିନ୍ତା କରିବା ପୂର୍ବରୁ ତାକୁ ଆସୁଥିବାର ଦେଖି ମୁଁ ନିଃସନ୍ଦେହ ହୋଇଗଲି; କିନ୍ତୁ ଭାବିପାରୁ ନ ଥିଲି, ପ୍ରଥମେ ଯିଏ ଆସିଥିଲା ସେ କିଏ, ଆଉ ଗଲା କୁଆଡ଼େ ?

 

କିନ୍ତୁ ଚିନ୍ତା କରିବାର ଅବସର ମୁଁ ପାଇ ନ ଥିଲି । ସେ ଟର୍ଚ୍ଚ ସାହାଯ୍ୟରେ ପ୍ରତ୍ୟେକ କୋଠରି ପରୀକ୍ଷା କରି ଏହି କୋଠରିଟି ଭିତରକୁ ପ୍ରବେଶ କଲା । ମୋର ଯେତେଦୂର ମନେହୁଏ, ସେତେବେଳେ ଏହି କୋଠରି ଭିତରେ କେହି ନ ଥିଲେ । କାରଣ ତାର ଟର୍ଚ୍ଚର ଆଲୋକ ଯେତେବେଳେ କୋଠରି ଭିତରକୁ ଆଲୋକିତ କରୁଥିଲା, ସେତେବେଳେ ବୋଧହୁଏ ସେ କାହାରିକୁ ଦେଖି ପାରି ନ ଥିଲା । ସେଇଥିପାଇଁ ସେ କହିଉଠିଥିଲା—କିଏ ଅଛ ?

 

ତା ପରେ ଚିତ୍କାର....ପୁଣି ଗୋଟିଏ ଭାରୀ ଜିନିଷ ପତନର ଶବ୍ଦ । ଠିକ୍ ଯେତେବେଳେ ମୁଁ ସେହି କୋଠରି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରେ, ପରମୁହୂର୍ତ୍ତରେ ଲୋକଙ୍କର ଶକ୍ତ ବନ୍ଧନ ଭିତରୁ ମୁକୁଳିବାର ଉପାୟ ମୁଁ ପାଏ ନାହିଁ, ଯାହା କି ଆପଣଙ୍କୁ ମୁଁ କହିଛି ।

 

ସେତେବେଳର ଘଟଣାରେ ମୋ ମନ ଭିତରେ ଯେଉଁଭଳି ଧାରଣା ଆସୁଥିଲା, ଏହି କନାଖଣ୍ଡିକ ପୂରାପୂରି ମୋର ସେ ଧାରଣାକୁ ବଦଳାଇ ଦେଲା ।

 

ମାନେ ?

 

ଆମ ଉଭୟଙ୍କ ଭିତରେ ତୃତୀୟ ଶକ୍ତିର ଆବିର୍ଭାବ ହୋଇଛି । ତା ମାନେ ତୁମେ କହୁଛ.....

 

ହିଁ ସାର୍, ସେହି ତୃତୀୟ ପକ୍ଷଟି ଯେ ଦସ୍ୟୁ ଅଜୟ, ଏଥିରେ ଆଉ କୌଣସି ସନ୍ଦେହ ନାହିଁ । ଏ ଭଳି ସନ୍ଦେହ କରିବାର ବି ଯଥେଷ୍ଟ କାରଣ ରହିଛି । ଯେହେତୁ ଅପରାଧୀ ଦଳ ପକ୍ଷରୁ ଆମମାନଙ୍କୁ; ଅର୍ଥାତ୍ ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କୁ ଯେ କୌଣସି ଉପାୟରେ କବଳିତ କରିବାର ପ୍ଲାନ୍ ନେଇଛି । ସେହେତୁ ଶତ୍ରୁଜିତଙ୍କୁ ଅପହରଣ କରିବା ସଙ୍ଗେ ସଙ୍ଗେ ମୋତେ ଯେ ଏ ଭଳି ଅବସ୍ଥାରେ ଛାଡ଼ି ଦେଇଯିବ, ଏ ବିଶ୍ୱାସ ମୁଁ କରିପାରୁ ନାହିଁ । କାରଣ ସେମାନେ ଶତ୍ରୁଜିତଙ୍କ ସହିତ ମୋ ନାମଟି ବି ଶୁଣିଛନ୍ତି ।

 

ତା ହେଲେ ଶତ୍ରୁଜିତଙ୍କ ଦସ୍ୟୁ ଅଜୟ ଅପହରଣ କରିଛି ?

 

ନା, ଶତ୍ରୁଜିତଙ୍କୁ ଏହି କୋଠରିରୁ ବାହାରକୁ ସ୍ଥାନାନ୍ତର କରାଯାଇ ନାହିଁ ।

 

ତା ମାନେ ?

 

ଶତ୍ରୁଜିତ କିଛି ସମୟ କୌଣସି ଉତ୍ତର ନ ଦେଇ ନୀରବ ରହିଲେ । ତାଙ୍କର ଦୃଷ୍ଟି ଚଟାଣ ଉପରେ ଥିବା ସେହି କନା ଖଣ୍ଡିକ ଉପରେ ଲାଗି ରହିଥିଲା । ସେ ଆଡ଼ୁ ଦୃଷ୍ଟି ଫେରାଇ ସେ କହିଲେ—ଏହି ଚଟାଣ ଭିତର ଦେଇ ତାଙ୍କୁ ସ୍ଥାନନ୍ତରିତ କରାଯାଇଛି ।

 

ଏସ୍‍. ପି. ଙ୍କ ମୁଖମଣ୍ଡଳରେ ଚିନ୍ତାର ରେଖା ଫୁଟିଉଠିଲା । ସେ କହିଲେ—ତା ହେଲେ ଏଇ କନାରୁ ତୁମେ ଅନୁମାନ କରି ପାରୁଛ ଯେ, ଯେଉଁ ସ୍ତ୍ରୀ ଲୋକଟି ତାର ବିପଦର ଆଶଙ୍କା କରି ତୁମକୁ ସାହାଯ୍ୟ ପ୍ରାର୍ଥନା କରିଥିଲା, ସେହି ତରୁଣୀଟି ଏହି ଅନ୍ଧକାର ଭିତରେ ଆତ୍ମଗୋପନ କରିଥିଲା ।

 

କୋଠରିର ଦୁଇ ପାର୍ଶ୍ୱରେ ସେ ପର୍ଯ୍ୟନ୍ତ ରହିଥିବା ଦୁଇଟି ବଡ଼ ବଡ଼ କାଠ ଆଲମିରା ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ କହିଲେ—ମୋର ମନେହୁଏ, ତରୁଣୀଟି ବ୍ୟତୀତ ଆଉ ଜଣେ କେହି ନିଶ୍ଚୟ ଆସିଥିଲା । ମୋର ପରିଷ୍କାର ମନେ ଅଛି, ସେ ଯେତେବେଳେ କିଏ ଅଛି ବୋଲି ଶେଷଥର ପଚାରିଥିଲା, ଠିକ୍ ସେହି ସମୟରେ ସେ ଏହିଠାରେ ଛିଡ଼ା ହୋଇଥିଲା । ଆଉ ଅକସ୍ମିକ ଭାବରେ ସେଇ ଝିଅଟି ଯେତେବେଳେ ଆଲମିରା ନିକଟରୁ ବାହାରି ପଡ଼ିଛି, ଠିକ୍ ସେତିକେବେଳେ ଯଦି ଆମ ଗୁପ୍ତ ସୁଡ଼ଙ୍ଗର ଦ୍ୱାର ଖୋଲିଯିବାରୁ ସେ ତଳକୁ ଖସି ଯାଉ ଯାଉ ଚିତ୍କାର କରିଛି । ଠିକ୍ ସେତିକିବେଳେ ବାହାରୁ ପଦଶବ୍ଦ ଶୁଣି ଝିଅଟି ମଧ୍ୟ ସେହି ଗର୍ତ୍ତ ଭିତରେ ଓହ୍ଲାଇ ଯାଇଛି । ଏଇ ଶାଢ଼ିରୁ ଏତିକି ପ୍ରମାଣ ମଳେ ଯେ—ସେ ପଦଶବ୍ଦ ଶୁଣି ଏତେ ହଠାତ୍ ଖସି ଯାଇଛି ଯେ, ଯାହା ଫଳରେ ଉପର ଆବରଣ ପଡ଼ିଯିବା ସଙ୍ଗେ ସଙ୍ଗେ ତା ଶାଢ଼ି ଅଞ୍ଚଳର କିଛି ଅଂଶ ଏହିଠାରେ ଲାଗି ରହିଛି, ଯାହା କି ଆଉ ଟାଣି ନେବା ତା ପକ୍ଷରେ ସମ୍ବବପର ହୋଇ ପାରି ନାହିଁ ।

 

ଆଉ ଅନ୍ୟ ଲୋକଟି ଭିତରକୁ ଯିବାକୁ ଉପାୟ ପାଇ ନାହିଁ । କାରଣ ସେତେବେଳକୁ ବାହାରୁ ଲୋକମାନେ ଆସି ତାକୁ ଅଟକ କରି ନେଇଛନ୍ତି । ଯାହା ଫଳରେ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ ଆରମ୍ବ ହୋଇ ଯାଇଛି; କିନ୍ତୁ ଏକାକୀ ସେ ଏତେଗୁଡ଼ାଏ ଲୋକଙ୍କୁ ପରାସ୍ତ କରି ପାରି ନାହିଁ । ଫଳରେ ସେ ତୃତୀୟ ପକ୍ଷ ଦ୍ୱାରା ବନ୍ଦୀ ଭାବରେ ସ୍ଥାନାନ୍ତରିତ ହୋଇଛି ।

 

ଆଉ ମୋ ଅନୁମାନ ଯେ ସତ୍ୟ, ତାହା ପ୍ରମାଣିତ କରେ ଯେଉଁ କମ୍ପନର ଅନୁଭୂତି ମୁଁ ଅନୁଭବ କରିଥିଲି । କାରଣ ଭିତରେ ସେହି ଝିଅଟି ନିଶ୍ଚୟ ଉପରର ଘଟଣା ଜଣାଇଦେଇଛି । ଆଉ ସେମାନେ ଯେତେବେଳେ ଜାଣିଛନ୍ତି ଯେ ତାଙ୍କର ଆଉ ଜଣେ ସାହାଯ୍ୟକାରୀ ରହିଯାଇଛି, ସେତେବେଳେ ପୁଣି ଉପରକୁ ଆସିବାକୁ ଚେଷ୍ଟା କରିଛନ୍ତି ।

 

କେବଳ ସେତିକି ନୁହେଁ; ମୋର ଦୃଢ଼ ବିଶ୍ୱାସ, ଏହି କୋଠରି ସହିତ ସେମାନଙ୍କର କୈଣସି ଯୋଗସୁତ୍ର ରହିଛି । ଯାହା ଫଳରେ ଏହାର ପ୍ରତ୍ୟେକ କଥାବାର୍ତ୍ତା ସେମାନେ ନିର୍ବିଘ୍ନରେ ଶୁଣି ପାରୁଛନ୍ତି ।

 

ତେଣୁ ଆପଣମାନଙ୍କର ଏ କୋଠରିରେ ପ୍ରବେଶ କରିବାର ସମ୍ବାଦ ଯେଉଁ ମୁହୂର୍ତ୍ତରେ ସେମାନେ ଜାଣି ନେଇଛନ୍ତି, ସେହି ମୁହୂର୍ତ୍ତରେ ଏହାର ଦୋଳନ ବନ୍ଦ ହୋଇ ଯାଇଛି ।

 

ଚମତ୍କାର ତୁମର ବିଶ୍ଳଷଣ । କିନ୍ତୁ ଏଇ ଚାଟାଣଟା ଯେ କେବେ ଗୁପ୍ତଦ୍ୱାରର କାମ କରେ, ଏ ବିଶ୍ୱାସ ସହଜରେ ଆସୁ ନାହିଁ । କାରଣ ତଳର କଂକ୍ରିଟ ଚଟାଣ...

ବାହାରେ ଅପେକ୍ଷା କରିଥିବା କନେଷ୍ଟବଳମାନଙ୍କୁ ଶତ୍ରୁଜିତ ଡାକିଲେ । ତା ପରେ ଗୋଟିଏ ଲୁହା ଶାବଳ ଯେ କୌଣସି ପ୍ରକାରେ ଖୁବ୍ ଶୀଘ୍ର ଯୋଗାଡ଼ କରି ଆଣିବା ପାଇଁ ସେମାନଙ୍କ ଭିତରୁ ଜଣକୁ କହି, ନିଜେ ପୁଣି ସେହି ସ୍ଥାନରେ ବସିରହିଲେ । ମାନେ, ମନେ ମନେ ସେଇ ଲୁଗା ଲାଗିଥିବା ସ୍ଥାନରୁ ସେ ଅସହାୟ ଅବସ୍ଥାରେ ପଡ଼ିଥିବା ସ୍ଥାନ ପର୍ଯ୍ୟନ୍ତ ପୁଣି ଥରେ ଦୃଷ୍ଟି ଖେଳାଇ ଗଲେ । କିନ୍ତୁ ତା ଭିତରେ ଯେ କୌଣସି ଗହିର ଥାଇପାରେ, ଏହା ସେ କଳ୍ପନା କରିପାରୁ ନ ଥିଲେ । ତଥାପି ତାଙ୍କର ଯୁକ୍ତି ଅଖଣ୍ଡନୀୟ ଥିଲା । ଏହିଠାରେ ଯଦି ସେ କନା ଖଣ୍ଡିକ ଦେଖି ନ ଥାନ୍ତେ; ଅଥବା ସେ ଶୋଇବା ସ୍ଥାନରେ କମ୍ପନ ଅନୁଭବ କରି ନ ଥାନ୍ତେ, ତା ହେଲେ ଏହି ଭାବନା ତାଙ୍କ ମସ୍ତିଷ୍କ ଭିତରେ ପ୍ରବେଶ କରି ନ ଥାନ୍ତା ।

କେତେକ ମୁହୂର୍ତ୍ତର ନୀରବତା ପରେ ସେହି କନେଷ୍ଟବଳଟି ଖଣ୍ଡିଏ ଲୁହା ଶାବଳ ନେଇ ପ୍ରବେଶ କରିବା ମାତ୍ରେ ତା ହାତରୁ ସେଇଟା ନେଇ କନା ଲାଗି ରହିଥିବା ସ୍ଥାନରେ ଶାବଳର ମୂନ ସାହାଯ୍ୟରେ ଶକ୍ତି ପ୍ରୟୋଗ କରିବାରେ ଲାଗିଲେ ।

କିନ୍ତୁ କୌଣସି ସୁଫଳ ମିଳିବାର ଆଶା ଦେଖାଗଲା ନାହିଁ । ସେ ବିରକ୍ତ ହୋଇ ଖୁବ୍ ଜୋରରେ ତା ଉପେର ଯେତେବେଳେ ଆଘାତ କଲେ, ସେତେବେଳେ ଝଣ୍ କରି ଏକ ଶବ୍ଦ ଉତ୍ପନ୍ନ ହେଲା ।

ସେହି ଶବ୍ଦରେ ଉଭୟେ ଏସ୍. ପି. ତଥା ଶତ୍ରୁଜିତଙ୍କ ସହିତ ଅନ୍ୟମାନେ ବି ଚମକି ଉଠିଲେ ।

କଂକ୍ରିଟ ଚଟାଣ ସହିତ ଲୌହ ଶାବଳର ସ୍ପର୍ଶରେ ଏ ଭଳି ଶବ୍ଦ ଉତ୍ପନ୍ନ ହେବ ନାହିଁ । ମୋର ଯେତେଦୂର ମନେହୁଏ, ଏହା ହୁଏ ତ ମୋଟା ଟିଣ ଚଦର ହୋଇପାରେ—ଏସ୍‍. ପି. ଙ୍କ କଥା ଶେଷ ହେଉ ନ ହେଉଣୁ ଶତ୍ରୁଜିତ ତାଙ୍କର ନିରୂପିତ ପରିସର ମଧ୍ୟରେ ପୁଣି ଥରେ ଜୋରରେ ଶାବଳ ବାଡ଼େଇ ଦେଲେ ।

ଏ ଥର ତାଙ୍କ ମୁଖମଣ୍ଡଳ ପ୍ରସନ୍ନ ହୋଇଉଠିଲା । ଏହା ଯେ କଂକ୍ରିଟର ଚଟାଣ ନୁହେଁ, ସେ ଭଲ ଭାବରେ ଉପଲବଧି କରି ପାରିଲେ । ପୁଣି ତାଙ୍କ ସନ୍ଦେହକୁ ଆହୁରି ପରିଷ୍କାର କରିବା ପାଇଁ ସେଠାରୁ କିଛିଦୂର ଛଡ଼ାରେ ଆଉ ଥରେ ଚଟାଣ ଦେହରେ ଶାବଳ ବାଡ଼େଇଲେ ।

ପୂର୍ବଠାରୁ ସଫଳତାର ଦୀପ୍ତିରେ ଆଲୋକିତ ହୋଇଉଠିଲା ତାଙ୍କର ଚକ୍ଷୁ । ଏ ସବୁ କିନ୍ତୁ କଂକ୍ରିଟର ଚଟାଣ ସାର୍; କିନ୍ତୁ ଗୁପ୍ତହାର ଅଛି । ଆଉ ବାହାର ଲୋକଙ୍କ ଚକ୍ଷୁରେ ପରଳ ପକାଇବା ପାଇଁ ଏକ ମୋଟା ଟିଣ ଚଦରକୁ ଠିକ୍ ଏହି ଚଟାଣ ସହିତ ମ୍ୟାଚ୍ କରାଯାଇ ଚିତ୍ରିତ କରାଯାଇଛି ।

କିନ୍ତୁ ଏହା ଯେଉଁଭଳି ଭାବରେ ବନ୍ଦ ରହିଛି, ତାକୁ ଯେ ଏବେ ଖୋଲିବା ସମ୍ବବ ହେବ....

ଏସ୍. ପି. ଙ୍କ ମୁଖରୁ କଥା ଶେଷ ନ ହେଉଣୁ ଅନ୍ୟମାନଙ୍କୁ ସେହି ଫାଙ୍କର ମଧ୍ୟବର୍ତ୍ତୀ ସ୍ଥାନରେ ଖୁବ୍ ଜୋରରେ ଶାବଳ ବାଡ଼େଇବାକୁ ନିର୍ଦ୍ଦେଶ ଦେଲେ ଶତ୍ରୁଜିତ ।

 

ବିକଟ ଶବ୍ଦରେ କୋଠରିଟି ଶଦ୍ଦାୟିତ ହୋଇଉଠିଥିଲା । ଉତ୍କଣ୍ଠିତ ଭାବରେ ଉଭୟେ ସେହି ସ୍ଥାନକୁ ଅନାଇ ରହିଥିଲେ ।

 

କର୍ମରତ ସିପାହୀମାନେ ଅନବରତ ଶାବଳ ପ୍ରହାର କରି ମଧ୍ୟ କୌଣସି ସୁଫଳର ଆଶା ଦେଖିପାରିଲେ ନାହିଁ । ପ୍ରଚୁର ସଂଘର୍ଷ ଫଳରେ ଶାବଳର ନିମ୍ନ ଅଂଶ ଭାଙ୍ଗି ଯାଉଥିଲା ।

 

ତଥାପି କୌଣସି ପରିବର୍ତ୍ତନ ଦେଖି ନ ପାରି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଉଠୁଥିଲେ-। ଏସ୍. ପି. ଙ୍କ ମୁଖମଣ୍ଡଳ ଆହୁରି ଶକ୍ତ ହୋଇ ଉଠୁଥିଲା । ସେ ଗମ୍ବୀର ସ୍ୱରରେ କହିଲେ–ଏହି ସୂତ୍ର ଆବିଷ୍କାର କରିବା ପାଇଁ ଯଦି ଏହି କୋଠରିକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିଦେବାକୁ ପଡ଼େ, ତା ହେଲେ ବି ଆମକୁ ପଛେଇ ଯିବାକୁ ପଡ଼ିବ ନାହିଁ । ତା ପରେ ସେ ଖୁବ୍ ଶୀଘ୍ର ଟେଲିଫୋନ ନିକଟକୁ ଯାଇ ଏକ ନମ୍ବର ମିଳାଇଲେ । ତା ପରେ କେତେକ ଆବଶ୍ୟକ ସରଞ୍ଜାମ ଶୀଘ୍ର ଏଠାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଫେରି ଆସିଲେ ।

 

ପୂର୍ବ ପରି କନେଷ୍ଟବଳମାନେ ସେହି ଫାଙ୍କ ଦେହରେ ଶାବଳରେ ପ୍ରହାର କରି ଚାଲିଥିଲେ । ସେମାନଙ୍କର ପରିଧେୟ ପ୍ରଚୁର ଝାଳରେ ଭିଜି ଯାଇଥିଲା ।

 

ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ନିର୍ଦ୍ଦେଶ ଦେଇ ଏସ୍‍. ପି. ସାହେବ ସେହି ସ୍ଥାନରେ ବସିପଡ଼ିଲେ । ତାଙ୍କର ଦୃଷ୍ଟି ଲାଗି ରହିଥିଲା, ଯେଉଁ ସ୍ଥାନରେ ସେମାନେ ଶାବଳ ପ୍ରହାର କରୁଥିଲେ ।

 

ଦେଖନ୍ତୁ ସାର, ଶାବଳର ପ୍ରହାର ଫଳରେ ଲୁହା ପ୍ଲେଟ୍ ଉପରେ ଲଗାଯାଇଥିବା କଲରିଂଗୁଡ଼ିକ କିମିତି ଛାଡ଼ିଯାଇ ପରିଷ୍କାର ଭାବେର ପ୍ଲେଟଟି ଜଣାପଡ଼ୁଛି । ଆଗ୍ରହାତିଶଯ୍ୟରେ ଶତ୍ରୁଜିତ କହିଉଠିଲେ ।

 

ଏସ୍. ପି. ଙ୍କ ଦେହରେ ଯେମିତି ତାରୁଣ୍ୟରେ ପ୍ରବାହ ଖେଳି ଯାଉଥିଲା । ସେ ଉତ୍ସାହିତ ହୋଇ କହିଲେ—ନିଶ୍ଚୟ ସେମାନେ ଏହି ଭୂଗର୍ଭରେ ନିର୍ମିତ କୌଣସି କକ୍ଷରେ ଆଶ୍ରୟ ନେଇଛନ୍ତି; ଅଥବା ସେମାନଙ୍କର ଗୁପ୍ତ ଆଡ୍‍ଡାକୁ ଏହି ବାଟେ ନିଶ୍ଟୟ ଯୋଗସୂତ୍ର ରହିଛି ।

 

ପୁଣି ସେ ହାତଘଣ୍ଟାକୁ ଅନାଇ ଚଞ୍ଚଳ ହୋଇଉଠିଲେ । ଆଃ, ଏଇଟା ଯଦି ମୁକୁଳି ଯାଇ ଥାଆନ୍ତା... । ବାହାରେ ପୁଣି ଗୋଟାଏ ଗାଡ଼ି ରହିବା ଶବ୍ଦରେ ତାଙ୍କ ମୁଖରେ ଆନନ୍ଦର ବନ୍ୟା ଖେଳିଗଲା ।

 

ସେ ଚିତ୍କାର କରି କହିଲେ––ଯେତେ ଶୀଘ୍ର ପାର ସୈତାନମାନଙ୍କର ଏହି ପ୍ରବେଶ ଦ୍ୱାର ଭାଙ୍ଗି ଛିନ୍ନଛତ୍ର କରିଦିଅ । ଓଃ, କି ସାଙ୍ଘାତିକ କୌଶଳୀ ଏମାନେ ।

 

ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ ପରେ ଲୌହ ଦ୍ୱାରଟି ଖୋଲିଗଲା ଛ’ ଇଞ୍ଚ ଓସାରର ଏହି ଲୁହା ଚଦର ଗୋଟିଏ ପାର୍ଶ୍ୱରେ କବଜା ଦ୍ୱାରା ଫିଟ୍ କରାଯାଇଥିଲା । ଆଉ ଅନ୍ୟ ପାର୍ଶ୍ୱଟି ଏକ ଶକ୍ତ ଲୌହ କିଳକ ଦ୍ୱାରା ବନ୍ଦ କରାଯାଇଥିଲା । ସେହି ଶକ୍ତ ଲୌହ କିଳକଟିର ଅପସାରଣ ଯେ ବୈଦ୍ୟୁତିକ ଉପାୟରେ ହେଉଥିଲା, ତାହାର ପ୍ରମାଣ ଥିଲା କେତେଗୁଡ଼ିଏ ଇନସୁଲେଟେଡ୍ ଓୟାର୍ । କିନ୍ତୁ ସେଗୁଡ଼ିକ ସବୁ ବିଚ୍ଛିନ୍ନ ହୋଇଥିଲା । ତିନି ଫୁଟ୍ ପରିଧି ଭିତରେ ପାହାଚଶ୍ରେଣୀ ତଳକୁ ଲମ୍ବି ଯାଇଥିଲା । ଭିତରେ ପ୍ରଗାଢ଼ ଅନ୍ଧକାର ।

 

ନିଜର ଉତ୍ସାହ ଦମନ କରି ନ ପାରି ଶତ୍ରୁଜିତଙ୍କ ସହ ଏସ୍. ପି. ସେହି ସୋପାନଶ୍ରେଣୀ ଅତିକ୍ରମ କରୁଥିଲେ । ଭିତରକୁ ରାସ୍ତାର ଓସାର ଏତେ ସଂକୀର୍ଣ୍ଣ ହୋଇଥିଲା ଯେ, ଜଣେ ଲୋକ ମଝିରୁ ଇଚ୍ଛା କରି ଫେରିବାର ଉପାୟ ନ ଥିଲା । ଦଶଟି ପାହାଚ ଅତିକ୍ରମ କଲା ପରେ ଖଣ୍ଡିଏ ଶାଢ଼ି ପଡ଼ିଥିବାର ଶତ୍ରୁଜିତଙ୍କର ଦୃଷ୍ଟି ଗୋଚର ହେଲା ।

 

ସେ ଉତ୍ସାହିତ ହୋଇ ସେଇଟିକୁ ଉଠାଇ ନେଲେ । ଡିପ୍-ବ୍ଲୁ ଟେରେଲିନ୍ ଶାଢ଼ି—ଯାହାର ଅଞ୍ଚଳର କିୟଦଂଶ ଛିଡ଼ା ଯାଇଥିଲା । ଶତ୍ରୁଜିତଙ୍କର ମନେହେଲା, ସେହି ରାମଣୀଟି ଚାଲି ଆସୁ ଆସୁ ଅପ୍ରତ୍ୟାଶିତ ଭାବରେ ଶାଢ଼ିଟି ଲାଗି ରହିବା ଦ୍ୱାରା ନିରୁପାୟ ହୋଇ ତାକୁ ପରିତ୍ୟାଗ କରି ଚାଲିଯାଇଛି । ଆଉ ପ୍ରବେଶ ପଥର ସେହି ରୁଦ୍ଧ ଦ୍ୱାରଟି ଖୋଲିଯିବା ଦ୍ୱାରା ତାହା ତଳକୁ ଖସି ଆସିଛି ।

 

ସେହି ଶାଢ଼ିଟିକୁ ହାତରେ ଧରି ଶତ୍ରୁଜିତ ଯେତେବେଳେ ଆଉ ଦୁଇଟି ପାହାଚ ଆଗେଇ ଗଲେ, ତାଙ୍କର ମନେହେଲା, ସେ କ୍ରମଶଃ ଉପରକୁ ଉଠୁଛନ୍ତି । ଆଉ ପୂର୍ବ ଅପେକ୍ଷା ପାହାଚର ପରିଧି ବଢ଼ି ବଢ଼ି ଆସୁଛି ।

 

ଟର୍ଚ୍ଚ ଆଲୋକର ଉଜ୍ଜ୍ୱଳତାରେ ସେ ପରିଷ୍କାର ଜାଣିପାରିଲେ ସେଠାରେ ପୁଣି ଗୋଟିଏ ଲୌହ ଚଦର କିଳକ ସାହାଯ୍ୟରେ ବନ୍ଦ କରାଯାଇଛି । ତାଙ୍କର ବାମ ଆଉ ଡାହାଣ ଉଭୟ ପାର୍ଶ୍ୱକୁ ସେ ଭଲ ଭାବରେ ନିରୀକ୍ଷଣ କରି ଜାଣିପାରିଲେ ଯେ, ସେହି ଦ୍ୱାର ସହିତ ବୈଦ୍ୟୁତିକ ତାରର ସମ୍ପର୍କ ରହିଛି ।

 

ଉପରକୁ ଆଉ ମାତ୍ର ପାଞ୍ଚଟି ପାହାଚ । ଶତ୍ରୁଜିତ ସେଇଠି ଅଟକିଲେ । କେମିତି ଏକ ଅଜଣା ଆଶଙ୍କାରେ ତାଙ୍କ ମନ ଆଶଙ୍କାୟିତ ହୋଇଉଠିଲା । କିଏ ଜାଣେ, ସେହି ରୁଦ୍ଧ ଦ୍ୱାର ଖୋଲି ତାର ବିପରୀତ ପାର୍ଶ୍ୱରେ ସେ କେଉଁଭଳି ପରିସ୍ଥିତିର ସମ୍ମୁଖୀନ ହେବେ ।

 

ଦୃଷ୍ଟି ତାଙ୍କର ସ୍ୱତଃ ପୃଷ୍ଠଦିଗକୁ ଫେରି ଆସିଲା । ଏସ୍. ପି. ଙ୍କ ପଛରେ କେତେ ଜଣ ଦକ୍ଷ ପୋଲିସ କର୍ମଚାରୀ ରହିଛନ୍ତି । ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସମସ୍ତେ ପ୍ରସ୍ତୁତ ।

 

ସେ ସେହି ରୁଦ୍ଧଦ୍ୱାରଟି ଖୋଲିବାକୁ ଚେଷ୍ଟା କଲେ । କେତେକ ସମୟ ପରିଶ୍ରମ ପରେ ତାହା ଖୋଲିଗଲା । ସେ ଅତି ସନ୍ତର୍ପଣରେ ଉପରକୁ ଉଠି ଆସିଲେ ।

 

ଯେଉଁ ଉତ୍ସାହ, ଉଦ୍ଦୀପନା ନେଇ ସେ ଅଗ୍ରସର ହେଉଥିଲେ, ହଠାତ୍ ଯେମିତି ସେହି ଉତ୍ସାହ ଦାରୁଣ ନିରାଶାରେ ପରିଣତ ହୋଇଗଲା । ସେ ଲଥ୍ କରି ମୁକ୍ତ ଆକାଶ ତଳେ ବସିପଡ଼ିଲେ । ମାନେ, ସେହି ରାସ୍ତାଟି ଆସି ଏକ ପ୍ରକାଣ୍ଡ ପଡ଼ିଆରେ ଶେଷ ହୋଇଥିଲା । ଆଉ ସେହି ଗଛ ଲଟା ପରିପୂର୍ଣ୍ଣ ପଡ଼ିଆଟି ଯେ ସେହି ଗୃହର ଉଦ୍ୟାନର ଏକ ଅଂଶ, ତାହା ଆଉ ତାଙ୍କ ନିକଟରେ ଅବିଦିତ ରହିଲା ନାହିଁ ।

 

ସମସ୍ତଙ୍କ ମୁଖମଣ୍ଡଳରେ ଗଭୀର ନୈରାଶ୍ୟ ଆଚ୍ଛାଦିତ ହୋଇ ରହିଗଲା ।

 

ସେହି ଉଦ୍ୟାନଟିର ଚତୁର୍ଦ୍ଦିଗରେ ଛୋଟ ବଡ଼ ଅନେକଗୁଡ଼ିଏ ବୃକ୍ଷ ଆଚ୍ଛାଦନ କରି ରହିଥିଲା, ଆଉ ସେମାନେ ଯେଉଁଠି ବସିଥିଲେ, ସେହି ସ୍ଥାନଟି ଅନ୍ତତଃ ପନ୍ଦର ଫୁଟ୍ ଲମ୍ବ ପ୍ରସ୍ଥରେ ସିମେଣ୍ଟ ହୋଇଥିଲା । ଆଉ ସେହି କୋଠରିର ଚଟାଣ ଭଳି ଛୋଟ ଛୋଟ ଚତୁଷ୍କୋଣ କ୍ଷେତ୍ର ସୃଷ୍ଟି ହୋଇଥିଲା । ତାର ଚାରି ପାଖରେ ସିମେଣ୍ଟର ବେଞ୍ଚ ।

 

ଦେଖିଲେ ମନେ ହେବ, ଗୃହସ୍ୱାମୀ ଏହାକୁ ନିଜର ଘରୋଇ ପାର୍କ ଭାବରେ ବ୍ୟବହାର କରୁଥିଲେ । ଅପରାଧୀମାନଙ୍କର ଦୂର ଦୃଷ୍ଟିକୁ ପ୍ରଶଂସା ନ କରି ରହିପାରୁ ନ ଥିଲେ ଶତ୍ରୁଜିତ । କିନ୍ତୁ ତାଙ୍କର ଭାବନାରେ ବାଧା ଦେଲା ଏସ୍. ପି. ଙ୍କର କଣ୍ଠସ୍ୱର ।

 

ତା ହେଲେ ତୁମର କଣ ମନେହୁଏ, ତାଙ୍କୁ ଏହି ଗୁପ୍ତ ପଥ ଦେଇ ଅପହରଣ କରି, ଏହିଠାରୁ ସ୍ଥାନାନ୍ତରିତ କରାଯାଇଛି ?

 

ଚିନ୍ତିତ ହୋଇଉଠିଲେ ଶତ୍ରୁଜିତ । ତା ପରେ ଅନ୍ୟ କେତେ ଜଣ ସହକର୍ମୀଙ୍କୁ ସେହି ବଗିଚାର ଚତୁଃପାର୍ଶ୍ୱ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇ ସେ କହିଲେ—ସେଇଠି ମୁଁ ସନ୍ଦେହ ଭିତରେ ପଡ଼ୁଛି ସାର୍ ।

 

ମୋତେ ଆହୁରି ସନ୍ଦେହରେ ପକାଉଛି ସେଇ ଗୁପ୍ତ ଦ୍ୱାରର ଇଲେକଟ୍ରିକ୍ କନେକସନ୍-। ତା ପରେ ଏହି ବଗିଚାଠାରୁ ସମ୍ମୁଖ ଦ୍ୱାରର ଦୂରତ୍ୱ ବିଶେଷ କିଛି ନୁହେଁ । ….ହଠାତ୍ ସେ ଅଟକିଗଲେ । ତା ପରେ କ୍ଷୀପ୍ର ବେଗରେ ଦ୍ୱାରଦେଶରେ ଛିଡ଼ା ହୋଇଥିବା ପୋଲିସ ଜିପ୍ ନିକଟକୁ ଅଗ୍ରସର ହେଲେ ।

 

ଡ୍ରାଇଭର ରହେମନ ଗାଡ଼ିରେ ବସି ରହିଥିଲା ।

 

ଏଠାରେ ଗାଡ଼ି ପହଞ୍ଚିବା ପରେ ପରେ ତମେ ଏଇ ଗାଡ଼ି ଛାଡ଼ି କୁଆଡ଼େ ବାହାରକୁ ଯାଇଥିଲ ?

 

ନାହିଁ ସାର୍, ମୁଁ ବରାବର ଏଇଠି ଅଛି । ଏପରିକି ପରିସ୍ରା କରିବା ପାଇଁ ମଧ୍ୟ ବାହାରକୁ ଯାଇ ନାହିଁ ।

 

ଧନ୍ୟବାଦ । ଆଚ୍ଛା ରହମନ, ଏସ୍. ପି. ସାହେବ ଇତ୍ୟାଦି ଭିତରେ ପ୍ରବେଶ କରିବା ପରେ ତୁମେ ସେହି ବଗିଚା ଭିତରୁ କାହାରି ପଦଶବ୍ଦ ଏପରିକି ଧୀର କଥାବାର୍ତ୍ତା କିଛି ଶୁଣି ପାରିଥିଲ ?

 

ନା, ସାର୍ ।

 

ଭଲ ଭାବରେ ମନେ ପକାଇଲ ।

 

ନା, ସାର୍ । କେବଳ ପବନରେ ଏଇ ଗଛପତ୍ର ଦୋହଲୁଥିବାର ଶବ୍ଦ ବ୍ୟତୀତ ଆଉ କିଛି ଶୁଣିପାରି ନାହିଁ ।

 

ଆଉ କୌଣସି ଗାଡ଼ିର ଶବ୍ଦ ?

 

ନା….. ।

 

ଶତ୍ରୁଜିତଙ୍କର ମୁଖମଣ୍ଡଳରେ ଟିକିଏ ଆଲୋକର ରେଖା ଦେଖା ଦେଲା । ସେ ସେଠାରୁ ଫେରିଆସି ଦେଖନ୍ତି ତ ଏସ୍. ପି. ସାହେବ ସେହି ଗର୍ତ୍ତ ଭିତରେ ଓହଳିଥିବା ଲୁହାର ପ୍ଲେଟଟିକୁ ପରୀକ୍ଷା କରୁଛନ୍ତି ।

 

ଶତ୍ରୁଜିତ ତାଙ୍କ ନିକଟକୁ ଫେରି ଆସୁଥିବାର ଦେଖି ସେ ଛିଡ଼ା ହୋଇଗଲେ । କିଛି ମିଳିଲା ?

 

ରହେମନ କଥାରୁ ଜଣାପଡ଼େ, ସେ ଏଠାରୁ କୈଣସି ସୂଚନା; ଅର୍ଥାତ୍ ଯାତାୟାତର ଶବ୍ଦ ବି ଶୁଣି ନାହିଁ । ଅଥଚ….

 

ମୁଁ ଜୋର୍ ଦେଇ କହିପାରେ ଯେ, ଆପଣଙ୍କର ପ୍ରବେଶ କରିବାର ପରମୁହୂର୍ତ୍ତ ପର୍ଯ୍ୟନ୍ତ ଅପରାଧୀ ସେହି ଗୁପ୍ତଦ୍ୱାର ଭିତରେ ହିଁ ରିହଥିଲା । ଆହୁରି ଆଶ୍ଚର୍ଯ୍ୟର କଥା, ଏତେ ଶୀଘ୍ର ତାଙ୍କୁ ସଂଜ୍ଞାହୀନ କରିଦେବାର କୌଣସି ଉପାୟ ନ ଥିଲା । ଯାହା ଦ୍ୱାରା ତାଙ୍କୁ ଗର୍ତ୍ତ ଭିତରକୁ ଅଣାଯାଇ ନିର୍ବିଘ୍ନରେ ଏଠାକୁ ନେଇ ଆସି ସେମାନଙ୍କ ନିର୍ଦ୍ଦିଷ୍ଟ ପଥରେ ଯାତ୍ରା କରିବାର ସୁବିଧା ପାଇ ପାରିବେ । କାରଣ ଯେ କୌଣସି ଅବସ୍ଥାରେ ବନ୍ଦୀ ଭାବରେ ତାଙ୍କୁ ଏଇବାଟେ ଆଣିଥିଲେ ବି ସେ ମୁକ୍ତି ପାଇବା ପାଇଁ ଅବଶ୍ୟ କିଛି ନା କିଛି ଶବ୍ଦ ପ୍ରୟୋଗ କରି ଥାଆନ୍ତେ; ଯାହାଦ୍ୱାରା ଡ୍ରାଇଭର ନିଶ୍ଚୟ ସେହି ଶବ୍ଦ ଶୁଣିପାରି ଥାଆନ୍ତା ।

 

ଏସ୍. ପି. ଚିନ୍ତିତ ହୋଇଉଠିଲେ । କଣ ଭାବି ଶତ୍ରୁଜିତଙ୍କୁ ତାଙ୍କ ସହ ଆସିବା ପାଇଁ ନିର୍ଦ୍ଦେଶ ଦେଇ, ସେହି ଉଦ୍ୟାନ ଆଡ଼େ ଅଗ୍ରସର ହେଲେ ।

 

ଉଦ୍ୟାନଟି ବିଶେଷ ବଡ଼ ନ ଥିଲା । ଚତୁଃପାର୍ଶ୍ୱରେ ଆଚ୍ଛାଦିତ ହୋଇ ରହିଥିବା ଅନୁଜ କାନ୍ଥ ଭିତରେ ତାର ପରିସମାପ୍ତି ଘଟିଥିଲା ।

 

ଅନ୍ୟ କର୍ମଚାରୀମାନେ ବଗିଚାରେ ଇତସ୍ତତଃ ଭ୍ରମଣ କରୁଥିଲେ । ସେମାନଙ୍କ ମସ୍ତିଷ୍କ ଭିତରେ ହୁଏତ ଏ ସବୁ ଭାବନା ପ୍ରବେଶ କରୁ ନ ଥିଲା ।

 

କାନ୍ଥର ପାଖେ ପାଖେ ବୁଲି ଯାଉ ଯାଉ ଯେଉଁଠି ଏସ୍‍. ପି. ଛିଡ଼ା ହୋଇଗଲେ, ସେହି ସ୍ଥାନରେ ଗୋଟିଏ ଗେଟ୍ ଥିଲା । ତାହା ସମ୍ମୁଖ ଗେଟର ଠିକ୍ ବିପରୀତ ପାର୍ଶ୍ୱରେ ।

 

ଗେଟ୍‍ଟି ମୁକୁଳା ଅବସ୍ଥାରେ ଥିଲା । ଏସ୍‍. ପି. ଙ୍କ ଉଜ୍ଜ୍ୱଳ ଟର୍ଚ୍ଚର ଆଲୋକ ଭୂମିକୁ ଆଲୋକିତ କରୁଥିଲା । ଠିକ୍ ଗେଟ୍ ନିକଟରୁ ଯେଉଁ ଅବହେଳିତ ପଡ଼ିଆ ଆରମ୍ବ ହୋଇଥିଲା, ତାହା କ୍ଷୁଦ୍ର କ୍ଷୁଦ୍ର ଘାସରେ ପୂର୍ଣ୍ଣ ଥିଲା, ଯାହା ଉପରେ ଜମିରହିଥିବା ଶିଶିରବିନ୍ଦୁ ମୁକ୍ତା ଫଳକର ମାୟା ସୃଷ୍ଟି କରୁଥିଲା ।

 

ସେ କିଛି ସମୟ ସେହିଠାରେ ଛିଡ଼ା ହେଲେ । ତାଙ୍କର ତୀବ୍ର ଦୃଷ୍ଟି ଘାସ ଉପରେ ଜମିରହିଥିବା କାକରବିନ୍ଦୁ ଉପରେ ଲାଗିରହିଥିଲା । ମାନେ, ତାଙ୍କ ସମ୍ମୁଖର ପାଞ୍ଚଫୁଟ ପର୍ଯ୍ୟନ୍ତ ସ୍ଥାନ ତାଙ୍କ ତୀକ୍ଷ୍‍ଣ ଦୃଷ୍ଟିରୁ ବାଦ୍ ଯାଇ ନ ଥିଲା । ସେ ଶତ୍ରୁଜିତଙ୍କର ଦୃଷ୍ଟି ସେହି ଆଡ଼କୁ ଆକର୍ଷିତ କରାଇ କହିଲେ––ଏଥିରୁ କିଛି ଅନୁମାନ କରି ପାରୁଛ ?

 

ଶତ୍ରୁଜିତ ହସିଲେ । ତା ପରେ କହିଲେ—ବର୍ତ୍ତମାନ କିମ୍ବା ଅନ୍ତତଃ ଅଧଘଣ୍ଟାଏ ପୂର୍ବରୁ ଯେ ଏ ରାସ୍ତାରେ କେହି ଯାଇ ନାହିଁ କିମ୍ବା ବାହାରୁ ଭିତରକୁ ପ୍ରବେଶ କରି ନାହିଁ, ଏ ବିଷୟରେ ଏକ ସ୍ପଷ୍ଟ ସୂଚନା ମିଳୁଛି । କାରଣ ଘାସ ଉପରେ କାକରବିନ୍ଦୁ ଜମିଗଲା ପରେ କେହି ଗଲେ ବା ଆସିଲେ, ତାର ପାଦର ଆଂଶିକ ଅଥବା ପୂର୍ଣ୍ଣ ଚିହ୍ନ ଘାସ ଉପରେ ରହିଯାଇ ଥାଆନ୍ତା ।

 

ତାହା ଏଠାରେ ନାହିଁ ।

 

ତା ହେଲେ ମୋର ଅନୁମାନ….

 

ସେମାନଙ୍କ ପାଇଁ ଏହି ପଥଟି ଯେ ଏକମାତ୍ର ନିରାପଦ, ତାହା ପରିଷ୍କାର ଅନୁମେୟ । କାରଣ ଏ ରାସ୍ତା ପରିତ୍ୟାଗ କରି ସେମାନେ କେବେହେଲେ ସମ୍ମୁଖ ରାସ୍ତା ଦେଇ ଯିବେ ନାହିଁ ।

 

ଶତ୍ରୁଜିତଙ୍କର କାନ୍ଧ ଥାପଡ଼ାଇ ଏସ୍. ପି. କହିଲେ—ତୁମର ଦୂରଦୃଷ୍ଟି ଖୁବ୍ ତୀକ୍ଷ୍‍ଣ ଶତ୍ରୁଜିତ । ଅପରାଧୀମାନେ ଯେ ଅସମ୍ବବ ଚତୁରତା ସହକାରେ କାର୍ଯ୍ୟ ହାସଲ କରିପାରନ୍ତି, ତାର ପଞ୍ଚମ ପ୍ରମାଣ ଆଜି ମୁଁ ପାଇଲି ।

 

ଶତ୍ରୁଜିତ କିଛି କହିଲେ ନାହିଁ । ତାଙ୍କର ଦୃଷ୍ଟି ଲମ୍ବି ଯାଇଥିଲା ସେହି ଅବହେଳିତ କ୍ଷେତ୍ରର ଅନତିଦୂରରେ ଛିଡ଼ା ହୋଇଥିବା ଅଟ୍ଟାଳିକାମାନଙ୍କ ଉପରେ ।

 

ତା ପରେ ଏସ୍. ପି. ନୀରବତା ଭଙ୍ଗ କଲେ ।

 

ପୁଣି ଥରେ ସେହି ଗୁପ୍ତଦ୍ୱାରକୁ ଭଲ ଭାବରେ ନିରୀକ୍ଷଣ କରିବାଟା ମୁଁ ଉଚିତ୍ ବୋଲି ମନେ କରୁଛି, ସାର୍ ।

 

ତା ହେଲେ ତୁମର କଣ ବିଶ୍ୱାସ, ସେହି ଗୁପ୍ତଦ୍ୱାର ଭିତରେ ଆହୁରି ଗୁପ୍ତଦ୍ୱାର ଅଛି ?

 

ଏ ଭଳି କ୍ଷେତ୍ରରେ ଅଗତ୍ୟା ସେହି ସିଦ୍ଧାନ୍ତରେ ଆମକୁ ପହଞ୍ଚିବାକୁ ହେବ, ସାର୍ ।

 

ମାନେ ?

 

ସେହି ଗୁପ୍ତଦ୍ୱାର ବ୍ୟବହୃତ ହୋଇଛି, ଏ ବିଷୟରେ ମୁଁ ନିଃସନ୍ଦେହ । ଆଉ ସେହି ବାଟେ ଯେ ଜୟନ୍ତଙ୍କୁ ସ୍ଥାନାନ୍ତରିତ କରାଯାଇଛି, ଏହା ମୋର ପୂର୍ଣ୍ଣବିଶ୍ୱାସ । ମୋର ବିଶ୍ୱାସକୁ ଆହୁରି ଦୃଢୀଭୂତ କରିଛି ସେହି ଶାଢ଼ି ।

 

ଆଉ ସେମାନେ ଯେ ସେହି ଅଣ୍ଡର ଗ୍ରାଉଣ୍ଡ ପଥ ଦେଇ ଏ ବାଟରେ ଆସି ନାହାନ୍ତି, ତାର ପ୍ରମାଣ ଆମେମାନେ ପାଇଗଲେ । ଆଉ ଅଣ୍ଡର ଗ୍ରାଉଣ୍ଡ ଭିତରେ କୌଣସି ସ୍ୱଶରୀରୀ ଆମର ଦୃଷ୍ଚିଗୋଚର ହେଲେ ନାହିଁ ।

 

ତେଣୁ ମୋର ବିଶ୍ୱାସ, ସେହି ଅଣ୍ଡର ଗ୍ରାଉଣ୍ଡ ପଥ ଭିତରେ….

 

ଆହୁରି କୌଣସି ପଥ ଅଛି; ଯାହା କି ତାଙ୍କ ଆଡଡା ସ୍ଥଳକୁ ସଂଯୋଜିତ କରୁଛି । ଶତ୍ରୁଜିତ ଏସ୍. ପି. ଙ୍କ ଅସଂପୂର୍ଣ୍ଣ ବାକ୍ୟକୁ ସଂପୂର୍ଣ୍ଣ କରି କହିଲେ ।

 

କିନ୍ତୁ କିମିତି ?

 

ଶତ୍ରୁଜିତ ଅଗ୍ରସର ହେଉଥିଲେ । ତାଙ୍କ ମନରେ ସନ୍ଦେହର ବସା ଦୃଢ଼ତର ହେଉଥିଲା । ଏସ୍. ପି. ତାଙ୍କୁ ଆନୁସରଣ କରି ପୁଣି ସେହି ଭୂଗର୍ଭସ୍ଥ ପାବଚ୍ଛଶ୍ରେଣୀରେ ଅବତରଣ କରିବାକୁ ଲାଗିଥିଲେ ।

 

ଉପର, ତଳ, ବାମ, ଡାହାଣ ଚତୁର୍ଦ୍ଦିଗରେ ଉଭୟଙ୍କର ଚାରୋଟି ସତର୍କ ଚକ୍ଷୁ ଘୂରି ବୁଲୁଥିଲା । ଏପରି କି ଗୋଟିଏ ମାଛି ବସିବା ସ୍ଥାନ ପର୍ଯ୍ୟନ୍ତ ତାଙ୍କର ଚକ୍ଷୁ ତଥା ହାତର ସ୍ପର୍ଶରୁ ବାଦ୍ ଯାଇ ନ ଥିଲା । ଉଭୟ ପାର୍ଶ୍ୱରେ ସିମେଣ୍ଟର ମଜଭୂତ ପ୍ଲାଷ୍ଟରିଂ ।

 

ଶତ୍ରୁଜିତ ଅଟକିଲେ । ତାଙ୍କର ମନେହେଲା, ସେହିଠାରେ ଅବତରଣ ଶେଷ ହୋଇ ଆରୋହଣ ଆରମ୍ବ ହୋଇଛି । ତାଣୁ ଦୀର୍ଘ ସମୟ ସେ ଉଭୟ ପାର୍ଶ୍ୱ ପରୀକ୍ଷା କରିବାରେ ଲାଗିଲେ । ହାତରେ ଧରିଥିବା ଏକ ଲୂହାଛଡ଼ ସାହାଯ୍ୟରେ ସେ ପିଟିପାଟି ପରୀକ୍ଷା କରିବାରେ ଲାଗିଥିଲେ ।

 

ନା, ମଜଭୁତ ସିମେଣ୍ଟ କଂକ୍ରିଟ ବ୍ୟତୀତ ସେ ଆଉ କିଛି ହୋଇପାରେନା । ପୁଣି ଆଗକୁ ବଢ଼ିଲେ । ଶେଷରେ ପ୍ରବେଶପଥ ଦେଇ ପୁଣି ପୁର୍ବୋକ୍ତ କୋଠରି ଭିତରେ ପ୍ରବେଶ କଲେ-

 

ହତାଶାରେ ତାଙ୍କ ଅନ୍ତର ଦ୍ରବୀଭୂତ ହୋଇଯାଉଥିଲା । ଏସ୍‍. ପି. କିନ୍ତୁ ହତାଶ ନ ହୋଇ କହିଲେ—ଏ ଭଳି ଅଧୈର୍ଯ୍ୟ ହେବା ତୁମ ପକ୍ଷରେ ଅନ୍ତତଃ ମୁଁ ଆଶା କରେ ନାହିଁ । ଧୈର୍ଯ୍ୟ ହିଁ ହେଉଛି ସଫଳତାର ପ୍ରଥମ ପାହାଚ ।

 

ଏବେ ଆଉ ସେ ବିଷୟରେ ବିଶେଷ କିଛି ଚିନ୍ତା କରି ଲାଭ ନାହିଁ । କାରଣ ମସ୍ତିଷ୍କର କାର୍ଯ୍ୟକାରୀ ଶକ୍ତି ଏବେ ଯଥେଷ୍ଟ ନ୍ୟୂନ ହୋଇ ଯାଇଛି । ଅନ୍ତତଃ ଆସନ୍ତା କାଲି ଏ ବିଷୟରେ ପଦକ୍ଷେପ ନେଲେ ବି ଚଳିବ ।

 

ତା ପରେ କେତେ ଜଣ କନେଷ୍ଟବଳ ଓ ଜଣେ ଏସ୍. ଆଇ. ଙ୍କ ଦାୟିତ୍ୱରେ ସେହି ଅଟ୍ଟାଳିକା ଛାଡ଼ି ଶତ୍ରୁଜିତଙ୍କ ସହିତ ସେ ବାହାରେ ଛିଡ଼ା ହୋଇଥିବା ଜିପରେ ବସିଲେ ।

 

ଜିପ୍‍କୁ ଶତ୍ରୁଜିତଙ୍କ ବାସଭବନ ଆଡ଼େ ନେଇଯିବାକୁ ନିର୍ଦ୍ଦେଶ ଦେଇ ଏସ୍‍. ପି. କହିଲେ–ସେହି ଅଟ୍ଟାଳିକା ସମ୍ବନ୍ଧରେ ଯେଉଁ ବିବରଣୀ ତୁମେ ସଂଗ୍ରହ କରୁଥିଲ, ସେଥିରେ କେତେଦୂର ସଫଳତା ହାସଲ କଲ ?

 

ଶତ୍ରୁଜିତ ଖଣ୍ଡିଏ ସିଗାରେଟରେ ନିଆଁ ଧରାଇ ଟାଣିବାରେ ବ୍ୟସ୍ତ ରହିଥିଲେ । ବାହାରୁ ପବନ ଜିପ୍ ଭିତରେ ପ୍ରବେଶ କରି ଧୂଆଁର ଏକ ଅପୂର୍ବ ସମାବେଶ ତାଙ୍କର ମୁଖମଣ୍ଡଳକୁ ଆଚ୍ଛନ୍ନ କରି ରଖିଥିଲା ।

 

ତାଙ୍କର ଚକ୍ଷୁ ଅର୍ଦ୍ଧମୂଦ୍ରିତ ଅବସ୍ଥାରେ ରହିଥିଲା । ସେ ହଠାତ୍ ଏସ୍‍. ପି. ଙ୍କର କଥାର ଉତ୍ତର ନ ଦେଇ ପୁଣି ସିଗାରେଟରେ ଦୁଇ ଚାରି ଟାଣ ମାରିବା ପରେ ବାହାରକୁ ଫୋପାଡ଼ି ଦେଲେ ।

 

ବାହାରର ମୁକ୍ତ ପବନ ପୁଣି ତାଙ୍କୁ ସତେଜ କରି ଆଣୁଥିଲା । ସେ ଧୀରେ ଧୀର କହିଲେ—ସେହି ପ୍ରମାଣ ହିଁ ମୋତେ ସେଇ ଗୁପ୍ତଦ୍ୱାର ବିଷୟରେ ବିଶେଷ ସଚେତନ କରୁଛି ।

 

ମାନେ ?

 

ଜିପ୍‍ଟି ବ୍ରୋକ୍ କରିଯିବାରୁ ଉଭୟେ ସଚେତନ ହୋଇଗଲେ । ଦୃଷ୍ଟି ତାଙ୍କର ସମ୍ମୁଖ ଆଡ଼କୁ ଆକର୍ଷିତ ହେଲା । ଶତ୍ରୁଜିତଙ୍କ ବାସଭବନର ଗେଟ୍ ନିକଟରେ ଡ୍ରାଇଭର ଗାଡ଼ି ଛିଡ଼ା କରାଇ ଏସ୍. ପି.ଙ୍କ ଆଦେଶ ପ୍ରତୀକ୍ଷାରେ ରହିଥିଲା ।

 

ଗେଟ୍ ଖୋଲି ଭିତରକୁ ଗାଡି ନେଇଯିବା ପାଇଁ ଡ୍ରାଇଭରକୁ ଆଦେଶ ଦେଲେ ଶତ୍ରୁଜିତ-। କିନ୍ତୁ ଗାଡ଼ି ଯାଇ ଯେତେବେଳେ ତାଙ୍କ ବାସଭବନରେ ମୁଖ୍ୟ ପ୍ରବେଶହାର ନିକଟରେ ଛିଡ଼ା ହୋଇଗଲା, ସେ ସେହି ଆଡ଼କୁ ଅନାଇ ଚମକି ଉଠିଲେ ।

 

ତାଙ୍କ ମୁଖମଣ୍ଡଳରୁ କୌଣସି ଭାଷା ସ୍ଫୂରିଲା ନାହିଁ । ଉଲ୍‍କା ବେଗରେ ସେ ଜିପ୍‍ରୁ ଓହ୍ଲାଇ ସେଠାରେ ପହଞ୍ଚିଗଲେ । ଦ୍ୱାରଟି ଉନ୍ମୁକ୍ତ ଥିଲା । ଭିତରେ କିନ୍ତୁ ଗାଢ଼ ଅନ୍ଧକାରର ରାଜତ୍ୱ ବିରାଜମାନ କରିଥିଲା ।

 

ରତନା…ରତନା…. । ସେ ଖୁବ୍ ଜୋରରେ ଚିତ୍କାର କରିଉଠିଲେ । କିନ୍ତୁ ତାଙ୍କର ଚିତ୍କାର ସେହି ନିସ୍ତବ୍‍ଧ କୋଠରି ଭିତରେ ଗଭୀର ଭାବରେ ପ୍ରତିଧ୍ୱନି ସୃଷ୍ଚି କରୁଥିଲା ।

 

ତାଙ୍କର ଏପରି ଭାବ ଦେଖି ଏସ୍‍. ପି. ମଧ୍ୟ କମ୍ ଭାରାନ୍ତ୍ରାନ୍ତ ହେଲେ ନାହିଁ । ସେ ଶତ୍ରୁଜିତଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଶତ୍ରୁଜିତ କୋଠରିଟିକୁ ଆଲୋକିତ କରିବାକୁ ଚେଷ୍ଟା କରି ସୁଇଚ୍–ବୋର୍ଡରେ ହାତ ଲଗାଇଲେ ।

 

କିନ୍ତୁ ବ୍ୟର୍ଥତା ତାଙ୍କୁ ନିର୍ମମ ଭାବରେ ଉପହାସ କରିବାରେ ଲାଗିଥିଲା । ପୁଣି ଥରେ ଜୋରରେ ସେ ରତନାକୁ ଡାକପକାଇଲେ ।

 

ଏସ୍. ପି, ଙ୍କ ନିର୍ଦ୍ଦେଶରେ ଟର୍ଚ୍ଚ ନେଇ ଡ୍ରାଇଭର ଆସିଲା । ଡ୍ରାଇଭର ହାତରୁ ଟର୍ଚ୍ଚ ନେଇ ଝଡ଼ ବେଗରେ ସେ ଭିତରେ ପ୍ରବେଶ କରୁ କରୁ, ହଠାତ୍ କାହା ଦେହରେ ଧକ୍କା ଖାଇ ପଡ଼ି ଯାଉ ଯାଉ ନିଜକୁ ରକ୍ଷା କରିନେଲେ । ତାଙ୍କ କୋଠରିକୁ ପ୍ରବେଶ କରିବା ବାଟରେ ଚିତ୍ ହୋଇ ରତନା ପଡ଼ିଥିଲା । ହଠାତ୍ ତା ଉପରେ ଦୃଷ୍ଟି ପଡ଼ିବାରୁ, ତା’ର ଏ ଅବସ୍ଥା ଦେଖି ପିଲାଙ୍କ ଭଳି ଚିତ୍କାର କରିଉଠିଲେ ଶତ୍ରୁଜିତ ।

 

ଅଧୀର ଆବେଗରେ ରତନା ନିକଟରେ ବସିପଡ଼ି ତାକୁ ପରୀକ୍ଷା କରୁଥିଲେ ଏସ୍‍. ପି. । ତା ଠାରୁ କିଞ୍ଚିତ୍ ଦୂରରେ ମେଞ୍ଚାଏ ତୁଳା ଦେଖି ସେ ତାକୁ ଉଠାଇ ଆଣିଲେ ।

 

ନିଶ୍ୱାସ ପ୍ରଶ୍ୱାସର ଗତି ସ୍ୱାଭାବିକ ଥିଲା । ଦୀର୍ଘନିଶ୍ୱାସ ତ୍ୟାଗ କରି ସେ କହିଲେ—ରତନାକୁ କେବଳ କ୍ଲୋରୋଫର୍ମ ପ୍ରୟୋଗ ଦ୍ୱାରା ଅଚେତ କରାଯାଇଛି ।

 

କ୍ଲୋରୋଫର୍ମ ଶତ୍ରୁଜିତଙ୍କ ବିସ୍ମିତ କଣ୍ଠସ୍ୱର ଗୁଞ୍ଜରଣ ସୃଷ୍ଟି କଲା ।

 

ସେତେବେଳକୁ ଡ୍ରାଇଭର ସାହାଯ୍ୟରେ ରତନାର ଅଚେତ ଶରୀରକୁ ଗୋଟିଏ କୋଠରିକୁ ନେଇ ଯାଇଥିଲେ ଏସ୍‍. ପି ।

 

ହଠାତ୍ ଶତ୍ରୁଜିତଙ୍କ ମସ୍ତିଷ୍କ ଭିତରେ ଏ ପରିସ୍ଥିତି ବିଷୟରେ କୌଣସି ସୂଚନା ପ୍ରବେଶ କରୁ ନ ଥିଲା । ସେ କିଛିକ୍ଷଣ ମୂକ ଭାବରେ ସେହିଠାରେ ଛିଡ଼ା ହୋଇଥିଲେ । ପୁଣି ଚଞ୍ଚଳ ହୋଇଉଠି କ୍ଷୀପ୍ର ପଦକ୍ଷେପରେ ତାଙ୍କର କୋଠରି ଭିତରକୁ ଅଗ୍ରସର ହେଲେ ।

 

କୋଠରି ଭିତରେ ଅନ୍ଧକାରର ରାଜତ୍ୱ ବିରାଜମାନ କରିଥିଲା । ସେ ସୁଇଚ୍ ଦବାଇବାକୁ ଯାଉ ଯାଉ ସେଥିରୁ ନିବୃତ୍ତ ହୋଇ ଫେରି ଆସିଲେ । କାରଣ ପ୍ରଥମରୁ ସେ ଜାଣିପାରିଥିଲେ, ତାଙ୍କ ବାସଭବନକୁ ଇଲେକଟ୍ରିକ୍ ଯୋଗାଣ ଛିନ୍ନ କରାଯାଇଛି ।

 

ରତନା ବିଷୟରେ କୌଣସି ଦୁଃଶ୍ଚିନ୍ତା କରିବାର ନାହିଁ, ଶତ୍ରୁଜିତ । ମୋର ବିଶ୍ୱାସ, ସେ ଅଳ୍ପ ସମୟ ଭିତରେ ସଚେତନ ହୋଇଉଠିବ । ହେଲେ, ଏ ଭଳି ପରିସ୍ଥିତିରେ ତୁମର ବାସଭବନ ପ୍ରତି ତୁମର ଏତେଟା ଅବହେଳା ପ୍ରଦର୍ଶନ କରିବା ମୁଁ ଉଚିତ ମନେ କରୁ ନାହିଁ ।

 

ଏସ୍‍. ପି. ଙ୍କ ଶେଷ ହେବା ପୂର୍ବରୁ ତାଙ୍କ ହାତରୁ ଟର୍ଚ୍ଚଟି ଏକପ୍ରକାର ଛଡ଼ାଇ ସେ ଯେତେବେଳେ ତାଙ୍କର ଆଲମିରା ନିକଟରେ ପହଞ୍ଚିଲେ, ସେତେବେଳେ ସେ ବିବ୍ରତ ହୋଇପଡ଼ିଲେ । ଷ୍ଟିଲ ଆଲମିରାଟି ଖୋଲା ସ୍ଥାନରେ ପଡ଼ିଥିଲା ।

 

ତଡ଼ିତ୍ ବେଗରେ ସେହି ଆଲମିରାର ଭିତରଟାକୁ ପରୀକ୍ଷା କରୁ ସେ ମୁଣ୍ଡରେ ହାତ ଦେଇ ତଳେ ବସିପଡ଼ିଲେ ଦିଗରେ ତାଙ୍କର ଗଭୀର ଅନ୍ଧକାର ଯେମିତି ଆଚ୍ଛନ୍ନ କରି ନଥିଲା ।

 

କଣ ହୋଇଛି, ଶତ୍ରୁଜିତ ?

 

ହଠାତ୍ ଶତ୍ରୁଜିତଙ୍କ ମୁଖମଣ୍ଡଳରୁ କୌଣସି ଭାଷା ସ୍ଫୁରିଲା ନାହିଁ । ସେ କେବଳ ନିର୍ବୋଧଙ୍କ ଭଳି ଆଲମିରା ଭିତରକୁ ଅନାଇ ରହିଥିଲେ ।

 

କଣ କିଛି ମୁଲ୍ୟବାନ୍ ଡକୁମେଣ୍ଟ ଅପହୃତ ହୋଇ ଯାଇଛି ?

 

ଯାଇଛି ସାର୍ । ଜେଲଖାନା ଦୁର୍ଘଟଣାର ଯେଉଁ କେତେଗୁଡ଼ିଏ ଦୁର୍ଲ୍ଲଭ ପ୍ରମାଣ ମୁଁ ସଂଗ୍ରହ କରି ଆସନ୍ତା କାଲି କଲେକ୍ଟରଙ୍କୁ ଦେବି ବୋଲି ଫାଇଲ କରି ରଖିଥିଲି, ସେହି ଫାଇଲଟି କେବଳ ନାହିଁ ।

 

କଣ କହିଲ ? ସମ୍ମୁଖରେ ବିଷଧର ସର୍ପ ଦେଖିଲା ଭଳି ଉଠି କହିଲେ ଏସ୍‍. ପି. । ସେ ଯେମିତି ଏ କଥାକୁ ବିଶ୍ୱାସ କରିପାରୁ ନ ଥିଲେ ।

 

ଶତ୍ରୁଜିତ ଉଠିବାକୁ ଚେଷ୍ଟା କରି ମଧ୍ୟ ଉଠିପାରୁ ନ ଥିଲେ । ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ାକ ହଠାତ୍ ଅବାଧ୍ୟ ହୋଇ ଉଠିଛନ୍ତି । ବହୁତ କଷ୍ଟରେ ସେ ଛିଡ଼ା ହୋଇ କହିଲେ–ସେ ଫାଇଲଟି କିନ୍ତୁ ଏ କେଶ୍ ବିଷୟରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିବ ସାର୍ । ମାନେ, ମୋର ଅଭିଯୁକ୍ତ ଆସାମୀ ଉପରେ ଯେଉଁ ପ୍ରତ୍ୟକ୍ଷ ଇନକ୍ୱାରୀ କରିବି ବୋଲି ଚାହୁଁଥିଲି, ତାହା ଆଉ ହୋଇପାରିବ ନାହିଁ ।

 

ଶେଷ ଆଡ଼କୁ ତାଙ୍କର କଣ୍ଠସ୍ୱର ଖୁବ୍ ନରମ ହୋଇ ଆସି ଥିଲା । ସେ ଏକ ପ୍ରକାର ଟଳ ଟଳ ପାଦରେ ଅଗ୍ରଗତି ଗୋଟାଏ ଚେୟାର ଉପରେ ବସିପଡ଼ିଲେ ।

 

ଏ ଭଳି ପରିସ୍ଥିତିରେ ଆଉ ତାଙ୍କୁ ବରକ୍ତ କରିବାକୁ ନ ଚେଷ୍ଟା ନ କରି, ଟେବୁଲ ଉପରେ ଥିବା ଟେଲିଫୋନ ରିସିଭର ଉଠାଇ କୌଣସି ଗୋଟାଏ ନମ୍ବରକୁ ଡାଏଲ୍ କଲେ ।

 

ଦୀର୍ଘ ସମୟ ରିଂ ହେବା ପରେ ଅପର ପାର୍ଶ୍ୱରୁ କୌଣସି ଉତ୍ତର ନ ମିଳିବାରୁ ସେ ଆହୁରି ବିସ୍ମିତ ହେଲେ । ତା ପରେ ପୁଣି ଗୋଟାଏ ନମ୍ବର ସହିତ ସଂଯୋଗ କରି, ରିସିଭ୍, କରୁଥିବା ବ୍ୟକ୍ତିଙ୍କୁ ଶୀଘ୍ର ଏଠାକୁ ଆସିବାକୁ ଅନୁରୋଧ କରି ଧୀରେ ଧୀରେ ସେ କକ୍ଷରୁ ବାହାରିଗଲେ ।

 

ପଣି ଯେତେବେଳେ ସେ କୋଠରି ଭତରକୁ ଫେରି ଆସିଲେ ତାଙ୍କ ହାତରେ ଗୁଡ଼ାଏ ମହମବତୀ ଥିଲା । ଆଉ ସେଥିରୁ ଗୋଟାଏ ଟେବୁଲ ଉପରେ ସେ ବସାଇ ନିଃଶଦ୍ଦରେ ଚେୟାର ଉପରେ ବସିପଡ଼ିଲେ ।

 

ଶତ୍ରୁଜିତ କିନ୍ତୁ ପୁଣି ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କରି, ସେହି କୋଠରି ପରିକ୍ରମଣ କରିବାରେ ଲାଗିପଡ଼ିଥିଲେ କେତେକ ସମୟ ସେହିପରି ବୁଲିବା ପରେ ସେ ଫେରିଲେ ଚେୟାର ଉପରେ ବସିଲେ । ତାଙ୍କର ମୁଖମଣ୍ଡଳର ମାଂସପେଶୀଗୁଡ଼ିକରେ ଅସମ୍ଭବ ଦୃଢ଼ତା ଫୁଟି ଉଠୁଥିଲା । ହାତଗୁଡ଼ିକ ମୁଠା ମୁଠା ହୋଇ ଆସୁଥିଲା । ସେ ପୁଣି ଛିଡ଼ା ହେଲେ । ଅନ୍ୟ ଗୋଟିଏ ସିଗାରେଟରେ ଅଗ୍ନି ସଂଯୋଗ କରି ପୂର୍ବ ପରି ଘୂରିବାରେ ଲାଗିପଡ଼ିଲେ ।

 

ପୁଣି ସିଗାରେଟଟାକୁ ଜୋରରେ ବାହାରକୁ ଫୋପାଡ଼ି ଦେଇ ଟେବୁଲ ଉପରେ ପଡ଼ିଥିବା ଅନ୍ୟ ଗୋଟାଏ ମହମବତୀରେ ଅଗ୍ନିସଂଯୋଗ କରି ଷ୍ଟିଲ୍ ଆଲମିରା ନିକଟକୁ ଅଗ୍ରସର ହେଲେ । କେତେଗୁଡ଼ିଏ ଫାଇଲ୍‍ ଓଲଟ ପାଲଟ କରି ସେ ଯେତେବେଳେ ଟେବୁଲ ନିକଟକୁ ଫେରିଆସିଲେ, ସେତେବେଳେ ତାଙ୍କ ହାତରେ ଗୋଟିଏ ବୃହତ୍‍କାୟ ହଳଦିଆ ଫାଇଲ୍‍ ରହିଥିଲା-

 

ଏସ୍‍. ପି. କେବଳ ନୀରବ ଦର୍ଶକ ଭାବରେ ଶତ୍ରୁଜିତଙ୍କୁ ଲକ୍ଷ୍ୟ କରି ଚାଲିଥିଲେ । ଏଥର ଶତ୍ରୁଜିତଙ୍କ ମୁଖମଣ୍ଡଳରେ ପୁଣି ଗୋଟାଏ ସିଗାରେଟ ଲାଗିରହିଥିଲା, ଆଉ ସେ ଫାଇଲ୍‍ ଫିଟାଇ ତାର ପ୍ରତ୍ୟେକ ପୃଷ୍ଠାରେ ନିଜର ଦୃଷ୍ଟି ଫେରାଇ ଚାଲିଥିଲେ । ଅବଶେଷରେ ଫାଇଲ୍‍ଟିକୁ ବନ୍ଦ କରି ଚେୟାରର ପୃଷ୍ଠଦେଶରେ ନିଜ ଶରୀରର ଭାର ଅର୍ପଣ କରି ଚୁପଚାପ୍ ବସିରହିଲେ । ତାଙ୍କର ଚକ୍ଷୁ ଯୋଡ଼ିକ ମୁଦି ହୋଇ ଆସୁଥିଲା ।

 

କୋଠରି ଭିତରେ ଅଖଣ୍ଡ ନୀରବତା ବ୍ୟାପି ରହିଥିଲା । ଶତ୍ରୁଜିତ ପୁଣି ଚକ୍ଷୁ ଖୋଲିଲେ-। ତାଙ୍କର ଚକ୍ଷୁ ଏସ୍‍. ପି. ଙ୍କ ଦିଗକୁ ଆକର୍ଷିତ ହେଲା । ସେ ସହଜ ଗଳାରେ କହିଲେ–ସେହି ଫାଇଲଟିକୁ ଅପହରଣ କରି ନେବା ଦ୍ୱାରା ମୁଁ ଭାବୁଛି, ପୂର୍ବାପେକ୍ଷା ତା ବିରୁଦ୍ଧରେ ପ୍ରମାଣ ଦୃଢ଼ତର ହୋଇଛି । ଆଉ ସେତେବେଳେ ତା ବିଷୟରେ ମୋର ଯେଉଁ ସନ୍ଦେହ ଥିଲା, ତାହା ଏବେ ପରିଷ୍କାର ହୋଇଛି ।

 

ମାନେ ?

 

ସେହି କୋଠରିରୁ ଫେରିବା ସମୟରେ ଆପଣ ମୋତେ ପଚାରୁଥିଲେ ସେହି କୋଠରିର ଇତିହାସ ।

 

ହଁ ।

 

ମ୍ୟୁନିସିପାଲିଟି ରେକର୍ଡ଼ରୁ ଯାହା ଜଣାପଡ଼େ, ଆଜକୁ କୋଡ଼ିଏ ବର୍ଷ ତଳେ ଏହି ସହରର ଅଧିକାଂଶ ସ୍ଥାନ ମି: ବିଲଫୋର୍ଡ଼ ନାମରେ ଜଣେ ଆମେରିକାନ୍ କୌଣସି ବ୍ୟବସାୟୀ ସଂକ୍ରାନ୍ତରେ କ୍ରୟ କରିଥିଲେ । ତା ଭିତରୁ ଦୁଇଟି ସ୍ଥାନରେ ସେ କୋଠା ତିଆରି କରିଥିଲେ; କିନ୍ତୁ ତାଙ୍କର ଏଠାକାର କାହାଣୀର ପାଞ୍ଚ ବର୍ଷ ପରେ କୌଣସି କାରଣବଶତଃ ସେ ଏଠାରେ ଖରିଦ କରିଥିବା ସମସ୍ତ ସମ୍ପତ୍ତିକୁ ତିନି ଜଣଙ୍କ ନାମରେ ବିକ୍ରି କରିଦେଲେ । ସେମାନେ ହେଉଛନ୍ତି—ଉଇଲିଅମ୍ ଫୋର୍ଡ଼, ସୁକୁମାର ଦାସଗୁପ୍ତା ଆଉ ଆମର ବିଶେଷ ଖ୍ୟାତିସଂପନ୍ନ ଧନୀରାମ ।

 

ଆଉ ଏଠାରେ ଯେଉଁ ଅଟ୍ଟାଳିକା ଆମ ଆଗରେ ପ୍ରହେଳିକା ସୃଷ୍ଟି କରିଛି, ସେହି ପ୍ଲଟ୍‍ଟି କିଣିଥିଲେ ସୁକୁମାର ଦାସଗୁପ୍ତା ଆମେରିକା ପ୍ୟାଟର୍ଣ୍ଣରେ ଏକ ସୁରୁଚିସଂପନ୍ନ ହୋଟେଲ ନିର୍ମାଣ ଥିଲା ତାଙ୍କର ଲକ୍ଷ୍ୟ । ସେଥିପାଇଁ ତତ୍‍କାଳୀନ ଇଂରେଜ ସରକାରଙ୍କର କେତେକ ମୁଖ୍ୟ ଅଫିସର ଏହିଭଳି ଏକ ଆଭିଜାତ୍ୟ–ସଂପନ୍ନ ହୋଟେଲ ନିର୍ମାଣର ପକ୍ଷପାତୀ ଥିଲେ । ଆଉ ମୁଁ ଗୋଟାଏ ସମ୍ବାଦ ପାଇଲି, ସେହି ଅଟ୍ଟାଳିକା ନିର୍ମାଣ ସମୟରେ କୌଣସି ଲୋକକୁ ତା ଭିତରକୁ ପ୍ରବେଶ କରିବାର ଅନୁମତି ଦିଆଯାଉ ନ ଥିଲା । ଆଉ ତାହା ନିର୍ମାଣ କରିବା ପାଇଁ ଆମେରିକାରୁ କେତେ ଜଣ କାରିଗର ମଧ୍ୟ ଆସିଥିଲେ । ତା ପରେ କ’ଣ ହେଲା, ସେ ବିଷୟରେ କିଛି ଜଣାଯାଇ ନାହିଁ । ମି: ଦାସଗୁପ୍ତ କୌଣସି କାରଣରୁ ବିତୃଷ୍ଣା ହୋଇ ସେହି କୋଠା ଆଉ ତାଙ୍କର ସମସ୍ତ ସମ୍ପତ୍ତି ଧନୀରାମଙ୍କୁ ବିକ୍ରୟ କରିଦେଇ ଚାଲିଗଲେ । ଧନୀରାମ ମଧ୍ୟ ଦୁଇ ବର୍ଷ ପରେ ମଦନ ମୋହନ ଦାସ ନାମକ ଏଠାକାର ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ବିକ୍ରୟ କରିଦେଲେ । କିନ୍ତୁ ଏହି ମଦନ ମୋହନ ଦାସ କିଏ ମୁଁ ଜାଣିପାରିଲି ନାହିଁ ।

 

ମାନେ ?

 

ସେଇଠି ତ ଆହୁରି ବିଚିତ୍ରତା ରହିଛି । ମାନେ, ତା ଆଖ ପାଖରେ ଯେତେଗୁଡ଼ିଏ ଅଟ୍ଟାଳିକା ରହିଛି, ତାର ବାସିନ୍ଦାମାନେ ବି ମଦନ ମୋହନଙ୍କ ପରିଚୟ ଦେଇ ପାରିଲେ ନାହିଁ । ଏପରି କି ମଦନ ମୋହନ ଦାସ କିପରି ଲୋକ, ସେମାନେ ମଧ୍ୟ ଜାଣିବାର କିମ୍ବା ଦେଖିବାର ସୁଯୋଗ ପାଇ ନାହାନ୍ତି ।

 

ଏସ୍‍. ପି. ନିର୍ବିକାର ଭାବରେ ତାଙ୍କୁ ଅନାଇ ରହିଥିଲେ । ମ୍ୟୁନିସିପାଲିଟି ରିପୋର୍ଟରୁ ଜଣାପଡ଼େ, ମଦନ ମୋହନ ଦାସ ସେହି ଘରଗୁଡ଼ିକ ଭଡ଼ାରେ ଲଗାଇଥିଲେ । ପ୍ରତି ମାସ ତାଙ୍କରି ନାମରେ ମ୍ୟୁନିସିପାଲିଟି ଟ୍ୟାକ୍‍ସ, ଟେଲିଫୋନ, ଇଲେକଟ୍ରିକ୍ ଚାର୍ଯ ପେମେଣ୍ଟ କରାଯାଉଥିଲା ।

 

ଆଉ ସେ ଘରେ କେତେବେଳେ ଯେ କିଏ ରହୁଥିଲେ, ତାହା ପଡ଼ୋଶୀମାନେ ମଧ୍ୟ ଜାଣିପାରୁ ନ ଥିଲେ । ଏଥିରୁ ମୋର ମନେହୁଏ, ଏହି ଅପରାଧୀ ଦଳର ପରିକଳ୍ପନା ଆଜକୁ କୋଡ଼ିଏ ବର୍ଷ ତଳୁ ।

 

ତା ହେଲେ ତୁମର ଅନୁମାନ, ଏହି ପରିକଳ୍ପନା କରାଯାଇ ପ୍ରଥମରୁ ଜମି କିଣାଯାଇଥିଲା ?

 

ସେ ବିଷୟରେ ମୁଁ ନିଃସନ୍ଦେହ ହେଲି, ରୀତା ଦେବୀଙ୍କ ଅପହରଣ ପରେ ଝରକା ତଳୁ ଯେଉଁ ବ୍ଲଡ୍ ବୋତଲ ମୁଁ ସଂଗ୍ରହ କରିଥିଲି ।

 

ଆଉ ଜେଲଖାନା ବିଷୟରେ ଯେଉଁ କାଗଜପତ୍ର….. ।

 

ଏହି ମୂଳମନ୍ତ୍ରରୁ ତାର ଉତ୍ପତ୍ତି । ତେବେ ଯେତେ ଶୀଘ୍ର ତାକୁ ପ୍ରତ୍ୟକ୍ଷ ଆଇନ ଉପରକୁ ଆଣିବାକୁ ଚେଷ୍ଟା କରୁଥିଲି, ତାହା ଆଉ ଏବେ ସମ୍ବବ ହେବ ନାହିଁ । ମାନେ, ମୋତେ ଅପହରଣ କରିଥିଲେ ସେମାନେ ଉଭୟ ଦିଗରୁ କୃତକାର୍ଯ୍ୟ ହୋଇ ପାରିଥାଆନ୍ତେ । ମାନେ, ଏ କେଶ୍ ବିଷୟରେ ସବିଶଷେ ବିବରଣୀ ପାଇବା ଆଉ ପୋଲିସ୍ ପକ୍ଷରେ ସମ୍ବବପର ହୋଇ ପାରି ନ ଥାନ୍ତା । ସହଜରେ ମୁଁ ତ ସେମାନଙ୍କ ବନ୍ଦୀ ଭାବରେ ରହି ଥାଆନ୍ତି ।

 

କିନ୍ତୁ ଜୟନ୍ତଙ୍କୁ ଯେଉଁଭଳି ଭାବରେ ପାଇଛନ୍ତି, ସେ ଯେ ସେଠାରେ ମୋ ଭୂମିକାର ଅବିକଳ ଅବତୀର୍ଣ୍ଣ ହୋଇପାରିବ, ଏ ବିଶ୍ୱାସ ମୋର ଅଛି । ଆଉ ମୁଁ ଏଠାରେ…. ।

 

ଜୟନ୍ତ ଭୂମିକାରେ ଅବଶିଷ୍ଟ କାମ ସଂପନ୍ନ କରିବ—ଶତ୍ରୁଜିତଙ୍କର ଅସଂପୂର୍ଣ୍ଣ ବାକ୍ୟକୁ ସଂପୂର୍ଣ୍ଣ କଲେ ଏସ୍‍. ପି. । ତା ପରେ ଚେୟାର ଛାଡ଼ୁ ଛାଡ଼ୁ କହିଲେ—ତୁମେ ଏବେ ଭୀଷଣ କ୍ଳାନ୍ତ ହୋଇ ପଡ଼ିଛ । ଏବେ ତୁମେ ବିଶ୍ରାମ ନିଅ । ମୋତେ ପୁଣି ଆସନ୍ତା କାଲି ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଶତ୍ରୁଜିତ ହୁଏତ ତାହା ହିଁ ଚାହୁଁଥିଲେ । ତେଣୁ ଆଉ କିଛି ପ୍ରତିବାଦ କଲେ ନାହିଁ ।

 

ମୁଁ ତୁମକୁ କେଉଁଭଳି ଭାବରେ ଅଭିନନ୍ଦନ ଜଣାଇବି, ସ୍ଥିର କରି ପାରୁ ନାହିଁ, ତୁଷାରକାନ୍ତି । ପ୍ରକୃତରେ ତୁମେ ମୋ ପାଖରେ ନ ଥିଲେ, ଏବେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ମୋତେ ପଡ଼ିଛି, ମୁଁ ପାଗଳ ହୋଇଯାଇ ଥାଆନ୍ତି ।

 

ଆଉ ଯେଉଁ ସୂତ୍ର ତୁମେ ସେଠାରୁ ଉଦ୍ଧାର କରି ଆଣିଲ, ଅନ୍ୟ କେହି ହୋଇଥିଲେ ହୁଏତ ପାରି ନ ଥାନ୍ତା । ଆଉ ସେହି ପ୍ରମାଣ ବଳରେ ଆମରେ ଜଣେ ହିତୈଷୀ ବନ୍ଧୁର ଯେ କେଉଁଭଳି ଭାବରେ କ୍ଷତି ହୋଇ ଥାଆନ୍ତା, ମୁଁ ବର୍ଣ୍ଣନା କରିବାକୁ ଭାଷା ବି ପାଉ ନାହିଁ । କେବଳ ତାଙ୍କର ତ ନୁହେଁ, ତାଙ୍କରି ପାଇଁ ବାହାରର ଯୋଗସୂତ୍ର ଆମର ବି ଛିନ୍ନ ହୋଇଯାଇଥାଆନ୍ତି । ଆଉ ଆମର ଅନେକ ବନ୍ଧୁମାନେ ବିପଦର ସମ୍ମୁଖୀନ ହୋଇ ଥାଆନ୍ତେ ।

 

ଏବେ ଶତ୍ରୁଜିତ ଆମ ହାତରେ, ତାର ସମସ୍ତ ପ୍ରମାଣ ମଧ୍ୟ ଆମ ହାତରେ । ତା ମାନେ, ଏବେ ଆମେ ଗୋଟିଏ ଦିଗରୁ ସଂପୂର୍ଣ୍ଣ ନିରାପଦ ହେଲେ ମଧ୍ୟ ଅପର ଦିଗରୁ….

 

ମାନେ, ଫାଷ୍ଟ ଚିଫ୍‍ଙ୍କ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସମ୍ବାଦ ମିଳିଲା ନାହିଁ । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ତୁଷାରକାନ୍ତି, ଦସ୍ୟୁ ଅଜୟ ଆମ ସହିତ ସଦାବେଳେ ଏମିତି କାହିଁକି ପ୍ରତିଦ୍ୱନ୍ଦିତା କରି ଚାଲିଛି ? ଆଉ କେଉଁଭଳି ଭାବରେ ସେ ଆମର ପ୍ରତ୍ୟେକ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି… ।

 

ମୁଁ ଏହି ଘଟଣାଟିକୁ ଯେଉଁଭଳି ଭାବରେ ଅନୁଧ୍ୟାନ କରିଛି, ସେଥିଲେ ମୋର ଧାରଣା, ଆମର ଲୋକମାନଙ୍କର କାର୍ଯ୍ୟକଳାପ ଅଥବା ତାଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ଭିତରେ ନିଶ୍ଚୟ ବ୍ୟତିକ୍ରମ ରହୁଛି, ଯାହା ଫଳରେ ତାର ସନ୍ଦେହ ଦୃଢ଼ ହେଉଛି ।

 

କେମିତି ?

 

ଗତରାତ୍ରିର ଘଟଣାଟିକୁ ଯଦି ବିଶ୍ଳେଷଣ କରାଯାଏ, ତା ହେଲେ ଆପଣ ନିଶ୍ଚୟ ଜାଣିପାରିବେ ଯେ, ସେହି କୋଠାଟି ଯଦିଓ ପୋଲିସ ଦ୍ୱାରା ଅଧିକୃତ ହୋଇଛି, ତଥାପି ତାହାରି ଉପରେ ଦସ୍ୟୁ ଅଜୟର ଗଭୀର ଧ୍ୟାନ ରହିଛି । ମାନେ, ପୋଲିସର ଉପସ୍ଥିତି ଯେଉଁଠି, ତାର ସନ୍ଦେହ ହିଁ ସେଇଠି ଏକତ୍ରିତ ହୋଇଛି । ଆଉ ହୁଏତ ସେ କଥା ଜାଣିନେଇଛି ଯେ, ସେହି ଅଟ୍ଟାଳିକାରେ ନିଶ୍ଚୟ କୌଣସି ବୈଚିତ୍ର ରହିଛି । ଆଉ ସେଇଥିପାଇଁ ପୋଲିସ ଗାର୍ଡ ଥିଲେ ବି ତା ଉପରେ ତାର କୌଣସି ଅନୁଚର ଦୃଷ୍ଟି ରଖିଛି ।

 

ଗତକାଲି ସେହି ସିପାହୀ ଦୁଇ ଜଣଙ୍କୁ ଯେଉଁଭଳି ଭାବରେ ସ୍ଥାନାନ୍ତରିତ କରିବାକୁ ଫାଷ୍ଟ ଚିଫ୍ ନିର୍ଦ୍ଦେଶ ଦେଇଥିଲେ, ତାହା ଦସ୍ୟୁ ଅଜୟର ଅନୁଚରର ଦୃଷ୍ଟି ଶକ୍ତିକୁ ଏଡ଼ାଇ ଯାଇ ପାରି ନାହିଁ । ଆଉ ସେ ସେଇଥିପାଇଁ ତାର ଦଳକୁ ନିର୍ଦ୍ଦେଶ ଦେଇ ଦେଇଛି ।

 

ଲୁସି କଥାରୁ ଯାହା ଜଣାପଡ଼େ, ଶତ୍ରୁଜିତଙ୍କୁ ଆଣିବା ପାଇଁ ସେ ଯଦି ତୁରନ୍ତ ପଦକ୍ଷେପ ନେଇ ନ ଥାନ୍ତା, ତା ହେଲେ ଉଭୟେ ଦସ୍ୟୁ ଅଜୟର ବନ୍ଦୀ ଭାବରେ ଏବେ ରହିଥାଆନ୍ତେ । ଡଃ: ତୁଷାରକାନ୍ତି ତାଙ୍କର କଥା ସମାପ୍ତ କଲେ ।

 

ଦୀର୍ଘନିଶ୍ୱାସ ବସଙ୍କ କଣ୍ଠ ଥରାଇ ନିର୍ଗତ ହେଲା । ସେ ଗମ୍ବୀର ଭାବରେ କହିଲେ–—ଏବେ ପୋଲିସ ଶକ୍ତି ଅତ୍ୟନ୍ତ ଦୁର୍ବଳ । ମି: ଇଡମ୍ବିଏନ୍ ମଧ୍ୟ ଆଜି ଶତ୍ରୁଜିତଙ୍କ ଦଶା ଭୋଗ କରିବେ-। ସେ ଦିଗରୁ କୌଣସି ଦୁର୍ଭାବନା ନାହିଁ; କିନ୍ତୁ ସେହି ସୈତାନଟାକୁ ଧରିବାକୁ ପଡ଼ିବ ଯେ କୌଣସି ଉପାୟରେ ।

 

ମୋତେ ଆଦେଶ ଦିଅନ୍ତୁ, ବସ ।

 

ନାଃ, ଡକ୍ଟର । ସେ କାମ ଅପେକ୍ଷା ତୁମ ଉପରେ ଆହୁରି ଗୁରୁ ଦାୟିତ୍ୱ ଝୁଲି ରହିଛି । ମାନେ, ଆମ ହାତରେ ଆଉ ମାତ୍ର ପନ୍ଦର ଦିନର ବ୍ୟବଧାନ ରହିଛି ।

 

ପନ୍ଦର ଦିନ....ମାନେ ? ତୁଷାରକାନ୍ତିଙ୍କ କଣ୍ଠସ୍ୱରରେ ଆଶ୍ଚର୍ଯ୍ୟତା ଦେଖା ଦେଲା ।

 

ସେହି ପନ୍ଦର ଦିନ ପରେ ଅର୍ଥାତ୍ ୨୬ ତାରିଖରେ ଆମର ନୂତନ ଟାୱାରର ଶୁଭ ଉଦ୍‍ଘାଟନ ହେବ । ଆଉ ସେଥିରେ ପୌରୋହିତ୍ୟ କରିବେ ସ୍ୱୟଂ ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ।

 

ମ୍ୟାନେଜିଂ ଡାଇରେକ୍ଟର.... ।

 

ତୁମେ ଏ ଅନୁଷ୍ଠାନ ବିଷୟରେ ଅତ୍ୟନ୍ତ ଶିଶୁ, ମି: ତୁଷାରକାନ୍ତି । ଏହା ହେଉଛି ଗୋଟିଏ ଆନ୍ତର୍ଜାତୀୟ ସଂସ୍ଥା । ଏହାର ଅସଂଖ୍ୟ ଶାଖା ପୃଥିବୀର ବହୁ ଦେଶରେ ରହିଛି । ଆଉ ଏ ସବୁ ଯାହାର ସୁତୀକ୍ଷ୍‍ଣ ବୁଦ୍ଧିବଳରେ ପରିଚାଳିତ ହେଉଛି, ସେହି ନିଜେ ଏହି ଟାୱାର୍ ଉଦଘାଟନ କରିବାକୁ ଆସୁଛନ୍ତି ।

 

କିନ୍ତୁ ତାଙ୍କ ପଛରେ ଯଦି....ତୁଷାରକାନ୍ତିଙ୍କ କଣ୍ଠରେ ଭୟର ଇଙ୍ଗିତ ଦେଖା ଦେଲା ।

 

ଏ ଥର ହସିଉଠିଲେ ବସ । ପ୍ରକାଶ୍ୟ ଦିବାଲୋକରେ ସେ ଘୂରି ବୁଲୁଛନ୍ତି । ଜ୍ଞାନୀ, ମାନୀ, ବିଜ୍ଞ ଭାବରେ ତାଙ୍କର ସୁଖ୍ୟାତି ରହିଛି । ଆଉ ତାଙ୍କୁ ଅକସ୍ମାତ୍ ଦୁର୍ଯ୍ୟୋଗରୁ ରକ୍ଷା କରିବା ପାଇଁ ଲୋକ ରହିଛନ୍ତି । ମୋଟ ଉପରେ ବାହାରେ ତାଙ୍କ ଉପରେ ବିପଦର ଆଶଙ୍କା ନାହିଁ; କିନ୍ତୁ ଆମର ଏଠାରେ ଯେଉଁଭଳି ଭାବରେ ଅବ୍ୟବସ୍ଥା ଦେଖା ଦେଇଛି….

 

ସେହି ଦୃଷ୍ଟିରୁ ଏବେ ତାଙ୍କର ଭିଜିଟ୍ ଅନ୍ତତଃ ସ୍ଥଗିତ ରଖନ୍ତୁ, ବସ ।

 

ଇମ୍ପସିବଲ୍‍ । ଏହି ଟାୱାର୍ ଭିତରେ ବାହାରର କୌଣସି ଶକ୍ତି ତାଙ୍କ ଉପରେ ଆଘାତ ଆଣିପାରିବ ନାହିଁ । ସେ ଭୟ ମୁଁ କରୁ ନାହିଁ, ଡକ୍ଟର; କିନ୍ତୁ ଏଠିକାର ପ୍ରଡକ୍‍ସନ୍....ମାନେ, ଯେଉଁଥିପାଇଁ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ସେଦିନ ଅନ୍ତତଃ ଲକ୍ଷେ ଟଙ୍କାର ଉପଢୌକନ ତାଙ୍କୁ ଦେବାକୁ ପଡ଼ିବ ।

 

ମାନେ ?

 

ଉପଢୌକନ.....ମାନେ, ଟଙ୍କା ନୁହେଁ କିମ୍ବା ସୁନା ନୁହେଁ । ପୁଣି ହସିଉଠିଲେ ବସ । ତା ପରେ ତୁଷାରକାନ୍ତିଙ୍କର ଦୁଇ ବାହୁକୁ ଧରି କହିଲେ—ତୁମକୁ ଦୃଢ଼ ରହିବାକୁ ପଡ଼ିବ, ଡକ୍ଟର । ଏ ପର୍ଯ୍ୟନ୍ତ ପ୍ରତ୍ୟେକ ପରୀକ୍ଷାରେ ତୁମେ କୃତକାର୍ଯ୍ୟତା ସହିତ ଉତ୍ତୀର୍ଣ୍ଣ ହୋଇ ଆସିଲେ; କିନ୍ତୁ ଏଇଟା ହିଁ ତୁମ ପାଇଁ ସର୍ବଶେଷ ପରୀକ୍ଷା ।

 

ଶିହରୀ ଉଠିଲେ ତୁଷାରକାନ୍ତି ।

 

ଏ ପର୍ଯ୍ୟନ୍ତ ତୁମେ ଚାତୁରୀ ଦେଖାଇଥିଲ; ସାହସ ଦେଖାଇଥିଲ; କିନ୍ତୁ କଠୋରତା ଦେଖାଇବାକୁ ପଡ଼ିବ । ଅବଶ୍ୟ ଏ ଆଦେଶ ତୁମକୁ କଦାପି ଦିଆଯାଇ ନ ଥାନ୍ତା; କିନ୍ତୁ ଫାଷ୍ଟ ଚିଫ୍ ଘୋର ଦୁର୍ଯୋଗରେ । ତାଙ୍କର କାମ ତୁମ ବ୍ୟତୀତ ଆଉ କେହି ପାରି ପାରିବେ ନାହିଁ । କାରଣ ତୁମର ଡାକ୍ତରୀ ବିଦ୍ୟାର ଚରମ ନିଦର୍ଶନ ସେହିଠାରେ ।

 

କିନ୍ତୁ କାମ...

 

ସେହି ସ୍ଥାନ ଉପରେ ତୁମେ ସମସ୍ତ ନିର୍ଦ୍ଦେଶ ପାଇବ ।

 

ତୁଷାରକାନ୍ତି କିଛିକ୍ଷଣ ଗମ୍ବୀର ହୋଇଗଲେ । ତା ପରେ କହିଲେ—ମୀରା ପ୍ରତି ସେମାନେ ଯେଉଁ ଦୁର୍ବ୍ୟବହାର କରି କଥା ଆଦାୟ କରିବାକୁ ଚାହୁଁଥିଲେ, ଯଦି ସେହଭଳି ଭାବରେ ଫାଷ୍ଟ ଚିଫ୍‍ଙ୍କ ନିକଟରୁ...

 

ତାହା ଅବଶ୍ୟ ଘୋର ଚିନ୍ତାର କଥା, ଡକ୍ଟର । ମୋର ବିଶ୍ୱାସ ଥିଲା, ତୁମେ ହୁଏ ତ ନିରବଚ୍ଛିନ୍ନ ଭାବରେ ସେହି ଦାୟିତ୍ୱରେ ରହିଥିଲେ ନିଶ୍ଚୟ କୃତକାର୍ଯ୍ୟ ହୋଇପାରି ଥାଆନ୍ତ । ହେଲେ ଫାଷ୍ଟ ଚିଫ୍ ପାଇଁ ଆମର ଦୁର୍ଭାବନା ସେତେ ନାହିଁ । କାରଣ ଏହି ଅନୁଷ୍ଠାନରେ ଦୀର୍ଘଦିନ କାର୍ଯ୍ୟକାଳ ଭିତରେ ତୁମେ ହିଁ ଏକମାତ୍ର ବ୍ୟକ୍ତି, ଯିଏ କି ଏହି ବିଭାଗର ସମସ୍ତ କଥା ଜାଣିବାକୁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇ ପାରିଛି । ଅବଶ୍ୟ ଫାଷ୍ଟ ଚିଫ୍‍ଙ୍କ କାମ ବ୍ୟତୀତ । ଆଉ ଆମର ସୁରକ୍ଷା ଟାୱାରକୁ ବାଦ୍ ଦେଇ ।

 

ମୁଁ ଜାଣେ, ଏ ଭଳି କେହି ନିଷ୍ଠାପର ନାହିଁ, ଯିଏ କି ସମସ୍ତ ଅମାନୁଷିକ ଯନ୍ତ୍ରଣା ସହ୍ୟ କରି ନେଇ ଏହି ଦଳର ତଥ୍ୟ ପ୍ରକାଶ କରିବ ନାହିଁ । ଆଉ ସେହି ଏମ୍‍କୁ ଲକ୍ଷ୍ୟ କରି ଏତେ ଦିନ ପର୍ଯ୍ୟନ୍ତ ଏହି ଦଳ ଗୋଟିଏ ନିୟମରେ ଚାଲି ଆସୁଥିଲା ।

 

ମାନେ, ଯିଏ ଯେଉଁ ବିଭାଗର ସେହି ବିଭାଗ ବ୍ୟତୀତ ଅନ୍ୟ ବିଭାଗର କଥା ଜାଣିପାରିବ ନାହିଁ । ଯଦି କୌଣସିମତେ ସେ ବିଶ୍ୱାସଘାତକତା କଲା, ତା ହେଲେ ତାହା ବି ସେତେ କ୍ଷତିକାରକ ହେବ ନାହିଁ ।

 

ଫାଷ୍ଟ ଚିଫ୍ ଅତ୍ୟନ୍ତ ଦୁର୍ଦ୍ଦର୍ଷ ଆଉ ଶକ୍ତିଶାଳୀ ହୋଇଥିଲେ କେବଳ ତାଙ୍କର ଦାୟିତ୍ୱ ଆଉ ଆମର ଏହି ଗୁପ୍ତଦ୍ୱାର ବ୍ୟତୀତ ଆଉ କୌଣସି ବିଷୟରେ ଜାଣିବାକୁ ସକ୍ଷମ ହୋଇ ନାହାନ୍ତି-। ଏବେ ଗୁପ୍ତଦ୍ୱାର ବନ୍ଦ । ମାନେ କୌଣସି ଶକ୍ତି ସେହି ବାଟ ଦେଇ ଏହା ଭିତରକୁ ଆସି ପାରିବ ନାହିଁ ।

 

ଆଉ ଆମେ....

 

ପ୍ରଥମ ଟାୱାର । ସେହିଠାକୁ ସମସ୍ତ କିଛି ଅପସାରଣ କରାଯାଇ ସାରିଛି । ଆଉ ଆସନ୍ତା କାଲିଠାରୁ ଫାଷ୍ଟ ଚିଫ୍‍ଙ୍କର କାର୍ଯ୍ୟକ୍ରମ ସେହିଠାରେ ଆରମ୍ଭ ହୋଇଥାଆନ୍ତା । ମାନେ, ପନ୍ଦର ଦିନ ପୂର୍ବରୁ ଲକ୍ଷେ ଟଙ୍କାର ମାଲ ସେ ପ୍ରସ୍ତୁତ କରିଥାଆନ୍ତେ ସେ କେଉଁ ବିଭାବରେ ଥିଲେ, ସେହି ବିଭାଗର କାର୍ଯ୍ୟ ଯଦି ପ୍ରଭୁତି

 

ତୁମେମାନେ ଦୁର୍ବଳ ହୋଇ ଯାଉଛ, ଡକ୍ଟର । ଏହା ଭିତରେ ଏତେଟା ଭୟ କରିବା ଅନ୍ତତଃ ଉଚିତ ନୁହେଁ । କାରଣ ତାଙ୍କ ବିଭାଗର କଥା ସେ ଯଦି ବାହାରେ ପ୍ରଚାର କରିଦିଅନ୍ତି, ତା ହେଲେ ଆଦୌ କ୍ଷତି ହେବ ନାହିଁ । ଏତିକି ହେବ ଯେ; ସେହି କଥା ଶୁଣି ବାହାର ଲୋକେ ଭୟରେ ଥରହର ହୋଇଯିବେ । ଏ ଭଳି ନୃଶଂସ କାମକୁ ମୂଳପୋଛ କରିବା ପାଇଁ ସମସ୍ତେ ଲାଗିପଡ଼ିବେ-। ଆଉ ସହଜରେ ଶିକାର ଆମ ହାତକୁ ଆସିବେ ନାହିଁ; କିନ୍ତୁ ସେ ସବୁ ବିଶେଷ ବଡ଼ କଥା ନୁହେଁ-। ବାହାରେ ଯେତେ ତମ୍ବି ତୋଫାନ ହେଲେ ବି ଆମର କୌଣସି କ୍ଷତି ହେବ ନାହିଁ ।

 

ହଠାତ୍ ଲୀଳାକୁ ଝଡ଼ ବେଗରେ ସେହି କୋଠରି ଭିତରକୁ ପଶି ଆସୁଥିବାର ଦେଖି ବସ ନୀରବ ହୋଇଗଲେ । ତାଙ୍କ ହାତରେ ଚଞ୍ଚଳତା ଖେଳିଗଲା । କଣ ହେଲା, ଲୀଳା ?

 

ଲୀଳାର ଦୃଷ୍ଟି ତୁଷାରକାନ୍ତିଙ୍କ ଉପରେ ସ୍ଥିର ରହିଲା ।

 

ତାର ମନର ଭାବ ବୁଝିପାରି ବସ ହସି ହସି କହିଲେ—ସେ ଏବେ ଫାଷ୍ଟ ଚିଫ୍ ।

 

ସାର୍ ।

 

ନିଃସଙ୍କୋଚରେ ତୁମେ କହିପାର ।

 

ତା ହେଲେ ସାର୍, ମୁଁ ଯେଉଁ କଥାବାର୍ତ୍ତା ଶୁଣି ଆସିଲି ଏହା ଠିକ୍ ?

 

ମାନେ ?

 

ଲୁସି ତୁଷାରକାନ୍ତିଙ୍କୁ ଠିକ୍ ଏହିଭଳି ପୋଜିସନକୁ ଆଣିବା ପାଇଁ ଜାଣୁ ଜାଣୁ ଫାଷ୍ଟ ଚିଫ୍‍ଙ୍କୁ ବିପଦ ଭିତରକୁ ଠେଲି ଦେଲା ?

 

ଲୀଳା… । ଉଭୟେ ତୁଷାରକାନ୍ତ ଆଉ ବସ ଚମକିଉଠିଲେ ।

 

ୟେସ୍, ବସ । ସମସ୍ତଙ୍କ ଭିତରେ ଏଇଥିପାଇଁ ଅଶାନ୍ତି ଲାଗିରହିଛି । ତା ମାନେ ନୁହେଁ ଯେ, ଡକ୍ଟର ସାହେବଙ୍କୁ ସେମାନେ ଅବଜ୍ଞା କରୁଛନ୍ତି ବା ଆପଣଙ୍କ ବିବେଚନାକୁ ସମାଲୋଚନା କରୁଛନ୍ତି । କେବଳ ଲୁସି ଜାଣୁ ଜାଣୁ ଏହିଭଳି ଏକ ଅବହାୱା ସୃଷ୍ଟି କରିଛି ବୋଲି ସମସ୍ତେ ନୀରବ ପ୍ରତିବାଦ କରୁଛନ୍ତି । ସେମାନେ ବି ଭଲ ଭାବରେ ଜାଣିନେଇଛନ୍ତି; ଲୁସି କେବେ ଏ କଥା ଡକ୍ଟର ସାହେବଙ୍କ ଆଗରେ କହିବାକୁ ସାହସ କରି ନାହିଁ । କାରଣ ଏ ଭଳି କଥା ପ୍ରକାଶ କରି, ସେ ଡକ୍ଟର ସାହେବଙ୍କ ନିକଟରୁ କ୍ଷମା ପାଇ ନ ଥାନ୍ତା ।

 

ମାନେ, ସେମାନଙ୍କର କଣ ବିଶ୍ୱାସ...

 

ଆପଣ ସେ ଦୁଇ ଜଣଙ୍କ ଉପରେ ଶତ୍ରୁଜିତଙ୍କୁ ସେଠାରୁ ଅପହରଣ କରିବାର ଦାୟିତ୍ୱ ଦେଇଥିଲେ; କିନ୍ତୁ ଫାଷ୍ଟ ଚିଫ୍‍ଙ୍କ ଆଗରୁ....

 

କିନ୍ତୁ ତୁମର ଏତେ ଉତ୍ତେଜିତ ହେବାର କାରଣ କଣ ଲୀଳା ? କାହାରିକୁ ଦୋଷ ଦେବା ଆଗରୁ ତା ବିଷୟରେ ଅନୁସନ୍ଧାନ କରି ପ୍ରକୃତ ସତ୍ୟାସତ୍ୟର ବିଚାର କରାଯାଏ । ମୁଁ ଚାହେଁ ନାହିଁ ତୁମେ ଯେଉଁମାନେ ଏଠାରେ ଏକତ୍ରିତ ହୋଇ ଭଉଣୀ ଭଉଣୀ ହିସାବରେ, ଭାଇ ଭାଇ ଭାବରେ ବନ୍ଧୁତା ରକ୍ଷା କରୁଛ, କାହାରି ପ୍ରତି ଈର୍ଷା ବା ସନ୍ଦେହ ଯେପରି କାହାରି ନ ଆସେ । କାରଣ....

 

ମୋର ଭୁଲ ହୋଇ ଯାଇଛି, ବସ ।

 

ଲୁସି ବଷୟରେ ଅନୁସନ୍ଧାନ ଶେଷ ହୋଇଛି । ମାନେ, ଫାଷ୍ଟ ଚିଫ୍ ଯେଉଁଭଳି ଭୁଲ୍ ନିର୍ଦ୍ଦେଶନାମା ଦେଇଥିଲେ, ସେ ଯଦି ନିଜର ଉପସ୍ଥିତ ବୁଦ୍ଧିର ସାହାଯ୍ୟ ନେଇ ନ ଥାନ୍ତା, ତା ହେଲେ ଦୁହେଁଯାକ ହିଁ ସମଦଶା ଭୋଗ କରୁ ଥାଆନ୍ତେ ।

 

ତୁମେ ଜାଣ, ଲୁସି ଯଦି ଥରେ ଆମର ନିରାପତ୍ତାର ସୀମା ଅତିକ୍ରମ କରି ଯାଇଥାନ୍ତା, ତା ହେଲେ ହୁଏ ତ କିଛିଦିନ ଭିତରେ ଆମର ବାହାରର ପ୍ରତ୍ୟେକ ବନ୍ଧୁଙ୍କ ହାତରେ ଶୃଙ୍ଖଳ ବନ୍ଧା ଯାଇ ଥାଆନ୍ତା । ଆଉ ସର୍ବୋପରି ତୁଷାରକାନ୍ତି—ତାଙ୍କର ଭବିଷ୍ୟତ କେଉଁଭଳି ଭାବରେ ଅନ୍ଧକାରାଚ୍ଛନ୍ନ ହୋଇ ଯାଇ ଥାଆନ୍ତା ?

 

ମୁଁ ଏତେ କଥା ଜାଣି ନ ଥିଲି, ସାର୍‍ ।

 

ମୁଁ ଜାଣେ ଲୀଳା, ତୁମେ ଅସମ୍ବବ ଚତୁରୀ । ଏ ଦଳର ମଙ୍ଗଳ ପାଇଁ ତୁମେ ତୁମର ଜୀବନ ବି ଦେଇ ପାରିବ । ଆଉ ସେଇଥିପାଇଁ ଏ ଦଳର କେତେକ ଛୋଟ ଛୋଟ ଘଟଣା ନେଇ ତୁମ ମନରେ ଯେଉଁ ପ୍ରତିବାଦର ଢେଉ ଉଠେ, ତାକୁ ମୁଁ ସମର୍ଥନ କରେ । ହେଲେ ତୁମର ଏହି ପ୍ରତିବାଦ ଯଦି ଲୁସି କାନରେ ପଡ଼େ... ।

 

ମୁଁ ତା ପାଖରୁ କ୍ଷମା ମାଗିନେବି, ସାର୍ ।

 

ଭିତରେ ଲାଲ ଆଲୋକ ଜଳିଉଠିଲା । ବସ ତ୍ରସ୍ତ ହୋଇ କହିଲେ—ମୋତେ ନିଉଜ୍ ରିସିଭ୍ କରିବାକୁ ପଡ଼ିବ, ଡକ୍ଟର । ଆଜି ପାଇଁ ତୁମେ ରେଷ୍ଟ ନିଅ ।

 

ତାଙ୍କର ଗତିପଥ ଉପରୁ ଦୃଷ୍ଟି ଫେରାଇ ତୁଷାରକାନ୍ତି ଯେତେବେଳେ ଲୀଳା ଆଡ଼େ ଦୃଷ୍ଟି ପକାଇଲେ, ସେତେବେଳେ ତା ଚକ୍ଷୁରେ ଲୋତକର ବିନ୍ଦୁ ଫୁଟି ଉଠୁଥିଲା । ଅତ୍ୟନ୍ତ କରୁଣ ଭାବରେ ତାର ଚକ୍ଷୁ ତଳକୁ ଲମ୍ବି ଯାଇଥିଲା ।

କେଜାଣି କାହିଁକି ତାର ଏଭଳି କରୁଣ ଅବସ୍ଥା ତୁଷାରକାନ୍ତିଙ୍କୁ ସମବେଦନାରେ ଅଧୀର କରିଦେଲା । ସେ ଆହୁରି ଲୀଳା ପାଖକୁ ଲାଗି ଆସି କହିଲେ—ତୁମେ କାନ୍ଦୁଛ, ଲୀଳା ।

ଲୀଳାର କୋହ ଯେମିତି ବଢ଼ୁଥିଲା । ତୁଷାରକାନ୍ତି ଆଉ କିଛି କହିବାକୁ ଯାଉଥିଲେ; କିନ୍ତୁ ଲୀଳା ତାଙ୍କର ହାତ ଧରି କ୍ଷୀପ୍ର ବେଗରେ ଗୋଟିଏ କୋଠରି ଭିତରକୁ ଭିଡ଼ି ନେଇ ସଶଦ୍ଦରେ କବାଟଟି ଭିତରୁ ବନ୍ଦ କରି ପିଲାଙ୍କ ଭଳି ଉଚ୍ଚସ୍ୱରରେ କାନ୍ଦି ଉଠିଲା ।

ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ ତୁଷାରକାନ୍ତି । ସେ ଲୀଳାର ଗୋଟିଏ ହାତ ନିଜ ହାତ ଭିତରକୁ ନେଇ ଆସି କୋମଳ କଣ୍ଠରେ କହିଲେ—ତୁମେ କାନ୍ଦୁଛ; ଲୀଳା ।

ଲୀଳାର କ୍ରନ୍ଦନର ଲହରୀ ଆହୁରି ଉଚ୍ଚତର ହେଉଥିଲା; କିନ୍ତୁ ତା ଭଳି ରମଣୀର ହଠାତ୍ ଏ ଭଳି ପରିବର୍ତ୍ତନ କାରଣ କିଛି ସ୍ଥିର କରି ପାରୁ ନ ଥିଲେ ତୁଷାରକାନ୍ତି ।

ତାକୁ ଆହୁରି ନିଜ ଆଡ଼କୁ ଆଉଜାଇ ନେଇ ସେ କହିଲେ, ବସଙ୍କ କଥାରେ ତୁମେ ଆହତ ହେଲ ଲୀଳା !

ଏ ଥର ଲୀଳାର ଦୃଷ୍ଟି ଧୀରେ ଧୀରେ ତୁଷାରକାନ୍ତଙ୍କ ମୁଖମଣ୍ଡଳରେ ଲାଗିରହିଲା ।

ତୁଷାରକାନ୍ତି ଲକ୍ଷ୍ୟ କଲେ, ସେ ଯେମିତି କଣ କହିବାକୁ ଇଚ୍ଛା କରି କହିପାରୁ ନାହିଁ । ତା ପରେ ତାକୁ ଆହୁରି ଟିକିଏ ସାହସ ଦେବାକୁ ନିବିଡ଼ ଭାବରେ ନିଜ ଦେହରେ ଭିଡ଼ି ଧରିଲେ । ତାଙ୍କର ମନେହେଲା, ଲୀଳାର ଦେହରେ ଯେମିତି କମ୍ପନର ସୃଷ୍ଟି ହୋଇଛି । ଚକ୍ଷୁରେ ଭୀତତ୍ରସ୍ତା ହରିଣୀର ସଂକେତ ଫୁଟି ଉଠୁଛି ।

ଲୀଳା ।

କିନ୍ତୁ......କିନ୍ତୁ....କଣ କହି ଆସୁ ଆସୁ ଅଟକି ଯାଉଥିଲା ସେ ।

ମୋତେ ବିଶ୍ୱାସ କରୁନା ଲୀଳା ।

ଏ ଥର ଲୀଳାର ଦୃଷ୍ଟି ସ୍ଥିର ଭାବରେ ଲାଗିରହିଲା ତୁଷାରକାନ୍ତିଙ୍କ ଚକ୍ଷୁ ଉପରେ ।

ତାର ଚକ୍ଷୁର ଆଶା ଆଉ ନିରାଶାର ଇଙ୍ଗିତ ଯେ ସମୟ ସମୟରେ ଫୁଟିଉଠୁଛି, ଏହା ଖୁବ୍ ଭଲ ଭାବରେ ଉପଲବ୍‍ଧି କରୁଥିଲେ ତୁଷାରକାନ୍ତି । ମୋତେ ତଥାପି ବି ତୁମେ ବିଶ୍ୱାସ କରୁନା, ଲୀଳା ।

ତଥାପି ଲୀଳାର ଭୟର ଅପସାରଣ ହେଉ ନ ଥିଲା । ସେ ଥରିଲା କଣ୍ଠରେ କହିଲା—ମୁଁ ଜାଣେ ଡକ୍ଟର, ଆପଣ ଖୁବ୍ ଅଳ୍ପ ଦିନ ଭିତରେ ଏ ଦଳ ପାଇଁ ନିଜର ଜୀବନ ସୁଦ୍ଧା ଦେବାକୁ ପ୍ରସ୍ତୁତ ହୋଇ ଉଠିଛନ୍ତି । ଦଳର ନିୟମ ଦୃଷ୍ଟିରୁ ମୁଁ ଯେଉଁ ବ୍ୟତିକ୍ରମ କରି ସାରିଛି, ଆପଣଙ୍କ ନିକଟରୁ କେବେ କ୍ଷମା ପାଇ ପାରିବି ନାହିଁ; କିନ୍ତୁ ମୋର ଅନୁରୋଧ, ଆପଣ ଯଦି ଏ କଥା କେବେ ଦଳପତିଙ୍କ ନିକଟରେ ପ୍ରକାଶ କରିବାକୁ ଚାହାନ୍ତି, ତା ପୂର୍ବରୁ ଯେମିତି ଆପଣଙ୍କ ହାତରେ ମୋର ଜୀବନ ଯାଏ, କୁହନ୍ତୁ ଫାଷ୍ଟ ଚିଫ୍ ।

ଲୀଳା ।

ଏହି କୋଠରି ଭିତରକୁ ମୁଁ ଯେ ଆପଣଙ୍କୁ ନେଇ ଆସିଛି, ଏ କଥା କେବେ ବି ଲୁସି ଆଗରେ କହିବେ ନାହିଁ ।

ମାନେ ?

ଲୀଳାର ସଂଳାପ ଭିତରୁ ତୁଷାରକାନ୍ତି କୌଣସିଟା ବୁଝିବାକୁ ସକ୍ଷମ ହୋଇ ନ ପାରି ନିର୍ବୋଧ ଭାବରେ ଅନାଇ ରହିଲେ । କଥାଟା ପରିଷ୍କାର କୁହ ଲୀଳା ।

ଲୀଳାର ଚକ୍ଷୁରେ ପୁଣି ବିନ୍ଦୁ ବିନ୍ଦୁ ଲୋତକ ସଞ୍ଚିତ ହୋଇ ଆସୁଥିଲା । ତାକୁ ସେ ନିଜ ପାପୁଲି ସାହାଯ୍ୟରେ ଅପସାରଣ କରିବାକୁ ଯିବା ପୂର୍ବରୁ ନିଜେ ତୁଷାରକାନ୍ତି ନିଜ ହାତରେ ସେଗୁଡ଼ିକ ପୋଛି ନେଇ କହିଲେ—ମୋତେ ବିଶ୍ୱାସ କର ଲୀଳା । ତୁମର ଏହି ସମ୍ବାଦ ମୋ ବ୍ୟତୀତ ଆଉ କାହାରି କାନକୁ ନୁହେଁ ।

ଲୁସିର ବି.....

ତୁମେ କଣ ଭାବୁଛ, ବସଙ୍କଠାରୁ ଲୁସି ମୋର ଏତେ ପ୍ରିୟ ?

କିନ୍ତୁ ଲୁସି ଯେ ତୁମ ପାଇଁ ପାଗଳ, ଫାଷ୍ଟ ଚିଫ୍ ।

ଫାଷ୍ଟ ଚିଫ୍ ବ୍ୟତୀତ ମୋର ନାମ ଅଛି, ଲୀଳା । ଅନ୍ତତଃ ବର୍ତ୍ତମାନ ପାଇଁ ମୁଁ ଫାଷ୍ଟ ଚିଫ୍ ନୁହେଁ । ଆସ୍ତେ ଆସ୍ତେ ତୁଷାରକାନ୍ତି ଯେମିତି ରହସ୍ୟମୟ ହୋଇ ଉଠୁଥିଲେ ।

ମାନେ......ମାନେ, ତୁମେ ?

ଥରେ ତୁମକୁ କହିଛି ଲୀଳା, ମୁଁ କାହାରି ମନରେ କଷ୍ଟ ଦେବା ପାଇ ଚାହେଁ ନାହିଁ । ଦଳର ହିତ ଦୃଷ୍ଟିରୁ ସମସ୍ତଙ୍କ କଥା ଗୋପନ ରଖି, ସେମାନଙ୍କୁ ସେଥିପାଇଁ ସତର୍କ କରାଇଦେବା ହିଁ ସବୁଠାରୁ ଶ୍ରେଷ୍ଠ ଉପାୟ ।

ଆଉ ମୋ ପାଇଁ ?

କିନ୍ତୁ ତୁମେ ତ ମୋତେ ଏ ପର୍ଯ୍ୟନ୍ତ କେବଳ ରହସ୍ୟ ଭିତରେ ବୁଡ଼ାଇ ରଖିଲ ।

ତା ପରେ.......ଲୀଳାର ଉଦାସ ଦୃଷ୍ଟି ତୁଷାରକାନ୍ତିଙ୍କ ନିକଟରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ।

କିଛିକ୍ଷଣ ଲୀଳାକୁ ଅନାଇ ରହିଲେ ତୁଷାରକାନ୍ତି । ସୁନ୍ଦରୀ ଜଗତରେ ଏକ ସାର୍ଥକ ସୃଷ୍ଟି ନେଇ ଲୀଳା ଜନ୍ମ ହୋଇଥିଲା । ତାହାରି ସେହି ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରୁଥିଲା ତାର ବେଦନାତୁର ମୁଖମଣ୍ଡଳ । ଆସ୍ତେ ଆସ୍ତେ ତୁଷାରକାନ୍ତିଙ୍କ ଚକ୍ଷୁରେ ଲାଳସାର ବହ୍ନି ଜଳିଉଠୁଥିଲା । ସେହି ବହ୍ନିର ଶିଖା ଏତେ ପ୍ରଜ୍ଜ୍ୱଳିତ ହୋଇଉଠୁଥିଲା ଯେ, ଲୀଳାର ମୁଖମଣ୍ଡଳରେ ଉଦାସତା ପରିବର୍ତ୍ତେ ଲଜ୍ଜାର ରକ୍ତିମା ଫୁଟିଉଠିଲା ।

 

ଲୀଳା...... । ତୁଷାରକାନ୍ତିଙ୍କ କଣ୍ଠସ୍ୱରରେ ଅସ୍ଥିରତା ଫୁଟି ଉଠୁଥିଲା ।

 

କିଛି କହିବ ?

 

ଯଦି ତୁମେ ଅନୁମତି ଦିଅ.....

 

କିନ୍ତୁ ମୋ ଅନୁମତିରେ ତୁମର ପ୍ରୟୋଜନ ନାହିଁ, ଡକ୍ଟର । ମୁଁ ଯେଉଁ ଅପରାଧ କରି ସାରିଛି, ସେତେବେଳେ ମୁଁ ତ ତୁମର ହୋଇ ସାରିଛି ।

 

ଅପରାଧ.....ଅପରାଧ । ବାରମ୍ବାର ଲୀଳା ମୁଖରୁ ଏହି ଅପରାଧ ଶବ୍ଦ ଶୁଣି ପ୍ରକୃତରେ ତୁଷାରକାନ୍ତି କିଛି ବୁଝିପାରୁ ନ ଥିଲେ । ତୁମେ ଏମିତି କଣ ଅପରାଧ କରିଛ ଯେ...

 

ଲୀଳା ତୁଷାରକାନ୍ତିଙ୍କୁ ଅନାଇଲା । ଚକ୍ଷୁରେ ତାର ସନ୍ଦେହର ବଉଦ ଜମା ହେବାରେ ଲାଗିଥିଲା । କେତେକ ମୁହୂର୍ତ୍ତ ନୀରବ ରହି କହିଲାଆପଣ ହୁଏ ତ ମୋ ଅପରାଧ ଯେ କଣ, ଜାଣିବାର ସୁଯୋଗ ପାଇ ନାହାନ୍ତି । କିନ୍ତୁ ଆସନ୍ତା କାଲିଠାରୁ ଏ ସବୁ ବିଷୟରେ ତଥ୍ୟ ପାଇଯିବେ-

 

ଏହି ହଲ୍ ଭିତରେ ଯେଉଁତକ କୋଠରି ରହିଛି, ମାନେ, ଯେଉଁଥିରୁ ଗୋଟିଏ ଗୋଟିଏ ପ୍ରତ୍ୟେକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସେହିସବୁ କୋଠରିମାନଙ୍କରେ ଅତି ଶକ୍ତିଶାଳୀ ଶବ୍ଦ ଗ୍ରହଣକାରୀ ଯନ୍ତ୍ର ଖଞ୍ଜାଯାଇଛି । ମାନେ, ସେହି କୋଠରିମାନଙ୍କରେ ପ୍ରତ୍ୟେକ ଯେଉଁ ଯେଉଁ କଥାବାର୍ତ୍ତା ହୁଅନ୍ତି, ତାହା ଲିପିବଦ୍ଧ ହୁଏ ବସଙ୍କ ଅଫିସ ରୁମରେ ।

 

ଏକା ମୋ ବ୍ୟତୀତ ଆଉ ଏଠାରେ ଯେତେ ଜଣ ଅଛନ୍ତି କେହି ଜାଣି ନାହାନ୍ତି । ଏମିତି କି ଆମର ଫାଷ୍ଟ ଚିଫ୍ ମଧ୍ୟ ଜାଣି ନାହାନ୍ତି । କେବଳ ବସ ଆଉ ମୋ ବ୍ୟତୀତ...

 

ବସ ତୁମକୁ ଖୁବ୍ ଭଲ ପାଆନ୍ତି, ନୁହେଁ ?

 

ନିଜ ଝିଅଠାରୁ ଆହୁରି ବଳି । ହେଲେ ନିୟମ ଭଙ୍ଗ ପାଇଁ ସେ କେବେ କ୍ଷମା କରନ୍ତି ନାହିଁ କି କରିବେ ନାହିଁ । କେବଳ ସେତିକି ନୁହେଁ ତାଙ୍କର ମଧ୍ୟ ବିଶ୍ୱାସ ମୋ ଉପରେ ଥିଲା ସେଇଥିପାଇଁ ଏହି ଆଭ୍ୟନ୍ତରୀଣ ବ୍ୟାପାରର ଦାୟିତ୍ୱ ମୋହରି ଉପରେ ଦେଇଥିଲେ ।

 

କିନ୍ତୁ ଏ ସବୁ ଗୁପ୍ତ ବ୍ୟବସ୍ଥା କାହିଁକି ?

 

ଏହା ଭିତରେ ବି ଅନେକ ପ୍ରତିହିଂସା ପରାୟଣ ହୋଇଉଠନ୍ତି । ସମୟ ସମୟରେ ନିଭୃତ କୋଠରିକୁ ନିରାପଦ ଭାବି ତାହାରି ଭିତରେ ଅତି ଗୋପନରେ ଏହି ଆଲୋଚନା କରନ୍ତି । ସେହି ସମ୍ବାଦ ସଂଗ୍ରହ କରି ଦଳର ବିରୋଧୀ କୌଣସି କଥା ହେଉଥିଲେ, ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯାଏ । ଅତି କଠୋର ନିର୍ମମ ଦଣ୍ଡ ।

 

ଏ କୋଠରି ଭିତରେ ଯେ ସେମିତି ବ୍ୟବସ୍ଥା ନାହିଁ, ତୁମେ କେମିତି ଜାଣି ପାରିଲ ? ଏହା ହୁଏ ତ ତୁମ ଭଳି ଗୁପ୍ତ ବିଭାଗରେ ଯେଉଁମାନେ ରହିଛନ୍ତି, ସେମାନଙ୍କୁ ପରୀକ୍ଷା କରାଯିବା ପାଇଁ ଏକ ମାଧ୍ୟମ ହୋଇପାରେ ।

 

ନ, କେତେକ କାରଣ ଦୃଷ୍ଟିରୁ ଏହିଭଳି ତିନୋଟି ଶୂନ୍ୟ କୋଠରି ଏହି ହଲ୍ ଭିତରେ ରହିଛି । ସେ ସବୁ କାହିଁକି ରହିଛି, ଏବେ ତୁମେ ପରିଷ୍କାର ଭାବରେ ଜାଣିପାରିବ ।

 

ତୁଷାରକାନ୍ତି ସିଗାରେଟ ବାହାର କରି ଅଗ୍ନିସଂଯୋଗ କଲେ । ତା ପରେ ସେହି କୋଠରିରେ ପଡ଼ିଥିବା ଗୋଟିଏ ଖଟ ଉପରେ ବସିପଡ଼ିଲେ । ଲୀଳା ସେମିତି ଛିଡ଼ା ହୋଇ ରହିଥିଲା ।

 

ମୋ ପାଖରେ ବସିବାକୁ ସଂକୋଚ କରୁଛ, ଲୀଳା ?

 

ଲୀଳା ମୁହଁରେ ହସ ଟିକିଏ ଫୁଟିଉଠିଲା । ଆଉ ସେହି ହସ ଭିତରେ କେଉଁ ପରିମାଣରେ ଯେ ଦୁଃଖ ମିଶ୍ରିତ ହୋଇ ରହିଥିଲା, ତାହା ପରିଷ୍ପୁଟ ହୋଇ ଉଠୁଥିଲା ।

 

ତୁଷାରକାନ୍ତି ଲକ୍ଷ୍ୟ କଲେ, କ୍ରମଶଃ ତାର ସୁନ୍ଦର ମୁଖମଣ୍ଡଳର ଆଢ଼ୁଆଳରେ ଗଭୀର ଦୁଃଖର ରେଖା ପରିଷ୍ଫୁଟ ହୋଇ ଆସୁଛି । ଆଉ ସେହି ଦୁଃଖର ସୃଷ୍ଟି ହିଁ ହୋଇଛି ଅନ୍ତରର ନିବିଡ଼ତମ ପ୍ରଦେଶରୁ ।

 

ଏ ଦୁଃଖ ଯେତେବେଳେ ରୁଦ୍ଧ ଆବେଗର ପର୍ଦ୍ଦା ଖୋଲି ବାହାରି ଆସିଛି, ସେତେବେଳେ ତାହା ଅପ୍ରକାଶିତ ହେବାର ନୁହେଁ । ଯେ କୌଣସି ମୁହୂର୍ତ୍ତରେ ତାହା ଆତ୍ମପ୍ରକାଶ କରିବାର ସୁବିଧା ଖୋଜି ବୁଲୁଛି ।

 

ପ୍ରକୃତରେ ଲୀଳାର ଦୁଃଖରେ ତୁଷାରକାନ୍ତିଙ୍କର ଅନ୍ତରତମ ପ୍ରଦେଶର କେଉଁ କୋଣରେ ଆଘାତ ଲାଗିଲା କେଜାଣି, ସେ ସମବେଦନଶୀଳ ହୋଇଉଠିଲେ ।

 

ସେହିଭଳି ଭାବରେ ଚକ୍ଷୁରେ ନିରୀହ କୃଷ୍ଣସାରର ଦୃଷ୍ଟି ତୋଳି ଛିଡ଼ା ହୋଇଥିଲା ଲୀଳା-। ତୁଷାରକାନ୍ତିଙ୍କର ମନେହେଲା, ସେ ସହଜରେ ଯେମିତି ତାଙ୍କୁ ବିଶ୍ୱାସ କରି ପାରୁ ନାହିଁ ।

 

ବିଶ୍ୱାସ କରିବାର ବି ନୁହେଁ । ତୁଷାରକାନ୍ତି ଉଠିଲେ । ଲୀଳାର ଗୋଟାଏ ହାତ ଧରି ଖଟ ଉପରେ ବସାଇ ଦେଇ କହିଲେ—ମୋତେ ବିଶ୍ୱାସ କର ଲୀଳା । ତୁମେ ଭାବ ନାହିଁ ଯେ ଦଳପତି ମୋତେ ଯେଉଁ ଆସନ ଦେଇଛନ୍ତି, ମୋର ପ୍ରତ୍ୟେକ କର୍ମଚାରୀଙ୍କ ମନରେ ଦୁଃଖର ଝଡ଼ ବୁହାଇ, ତାଙ୍କର ଦୁଃଖର କାରଣ ନ ବୁଝି ତାଙ୍କୁ ଅଯଥା ଦଣ୍ଡରେ ଦଣ୍ଡିତ କରିବି । ମୁଁ ତୁମକୁ କଥା ଦେଉଛି, ତୁମର ପ୍ରତ୍ୟେକ କଥା ମୋ ନିକଟରେ ଖୁବ୍ ଗୋପନୀୟ ହୋଇ ରହିବ । ଆଉ ମୁଁ ନିଶ୍ଚୟ ତୁମକୁ ମୋର ଯଥାସାଧ୍ୟ ଚେଷ୍ଟା କରି ସୁଖୀ କରାଇବାକୁ ଚେଷ୍ଟା କରିବି ।

 

ତୁଷାର ବାବୁ, ସତରେ ମୋତେ ତୁମେ କ୍ଷମା କରିବ ? ଦଳର ନିୟମ ଅବମାନନା କରି ମୋତେ ରକ୍ଷା କରିବାକୁ ଚେଷ୍ଟା କରିବ ?

 

ଦଳର ନିୟମ ଅବମାନନା କରିବାର ପ୍ରଶ୍ନ ଉଠିବ ନାହିଁ, ଲୀଳା । ଜୋର ଜବରଦସ୍ତରେ ଜଣକର ମନକୁ ବାଧ୍ୟ କରି ନିୟନ୍ତ୍ରୀତ କଲେ ତାହା ଯେପରି କ୍ଷୀଣସ୍ଥାୟୀ ହୁଏ, ଆଉ ପଦେ ପଦେ ଯେପରି ବିପଦର ସମ୍ଭାବନା ରହିଥାଏ, ତା ମନରେ ଶାନ୍ତିର ଉତ୍ସ ଖେଳାଇ ଯଦି କାମ ହାସଲ କରିବାକୁ ଚେଷ୍ଟା କରାଯାଏ, ତା ହେଲେ ଆଉ ଭୟର ସମ୍ଭାବନା ନ ଥାଏ ।

 

ଡକ୍ଟର ସା’ବ...

 

ଲୀଳା...

 

ତୁମ ପାଖରେ ମୁଁ ଲୁସିର ଉପସ୍ଥିତି ସହ୍ୟ କରି ପାରେନା, ତୁଷାର ବାବୁ । ମୁଁ... ମୁଁ... ଚାହେଁନା... ଲୀଳା ଅଟକିଗଲା । ହୁଏ ତ ତାର ଅର୍ଦ୍ଧୋଚ୍ଚାରିତ ବାକ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ସାହସ ପାଇ ପାରିଲା ନାହିଁ ସେ ।

 

ତୁଷାରକାନ୍ତିଙ୍କୁ ଲୀଳାର ଏହି କଥା କିନ୍ତୁ ଗଭୀର ଅନ୍ୟମନସ୍କତାର ଜଗତକୁ ଓଟାରି ନେଇଗଲା । ସେ ନୀରବରେ ଯେମିତି କେଉଁ ଚିନ୍ତାରେ ବୁଡ଼ି ରହିଥିଲେ । ତା ପରେ ଆସ୍ତେ ଆସ୍ତେ ତାଙ୍କର ଚକ୍ଷୁ ଫେରି ଆସି ଲୀଳାର ଚକ୍ଷୁ ଦୁଇଟି ଉପରେ ଲାଗି ରହିଲା । ସେ କିଛି ସମୟ ସେହିପରି ଭାବରେ ତାକୁ ଅନାଇ ରହି କହିଲେ—ଏ ଦଳକୁ ବାଦ୍ ଦେଲେ ଆମେ ପରସ୍ପର ସାଧାରଣ ମଣିଷ ।

 

ସାଧାରଣତଃ ମଣିଷ ମନରେ ଦୟା, କ୍ଷମା ଆଉ ମାୟାର ଯେଉଁ ଆସ୍ତରଣ ଘେରି ରହିବା କଥା, ଆମ ମନରେ ସେହି ଭାବନାର ବ୍ୟତିକ୍ରମ ସୃଷ୍ଟି ହୋଇ ନାହିଁ । ଲୁସି ବିରୁଦ୍ଧରେ ତୁମେ କୌଣସି କଥା କହି ମୋ ନିକଟରୁ ଭୟର ଆଶା କଦାପି କରିବ ନାହିଁ, ଲୀଳା

 

ତୁଷାର ବାବୁ... ! ଅତ୍ୟଧିକ ଆବେଗରେ ତୁଷାରକାନ୍ତିଙ୍କ ବାହୁଦ୍ୱୟକୁ ଧରି କହିଉଠିଲା ଲୀଳା ।

 

ତୁଷାରକାନ୍ତିଙ୍କ ବିବେକ ବୋଧହୁଏ ଆତ୍ମହତ୍ୟା କରି ସାରିଥିଲା ଲୀଳାର ଅନୁପମ ସୌନ୍ଦର୍ଯ୍ୟ ନିକଟରେ । ଲୀଳାର ମୁଖମଣ୍ଡଳ ତାଙ୍କ ନିକଟରୁ ଖୁବ୍ ଅଳ୍ପ ଦୂରରେ ରହି ସୀତ୍କାର ସୃଷ୍ଟି କରୁଥିଲା ।

 

ତାଙ୍କର କମ୍ପିତ ହସ୍ତଦ୍ୱୟ ଲୀଳାକୁ ନିଜ ଆଡ଼କୁ ଆକର୍ଷିତ କରି ଆଣିଲା । ବାଧା ଦେଲା ନାହିଁ ଲୀଳା । ତୁଷାରକାନ୍ତିଙ୍କ କୋଳରେ ନିଜର ମସ୍ତିଷ୍କଟି ରଖି ଚକ୍ଷୁ ଦୁଇଟି ବନ୍ଦ କରି ଦେଇଥିଲା ସେ ।

 

ତୁଷାରକାନ୍ତିଙ୍କ ମୁଖମଣ୍ଡଳରେ ପ୍ରସନ୍ନତାର ଆଭା ଫୁଟି ଉଠୁଥିଲା । ତାର ତରଙ୍ଗାୟିତ ଚୂର୍ଣ୍ଣ କୁନ୍ତଳରେ ହସ୍ତ ସଞ୍ଚାଳନ କରୁ କରୁ ସେ କହିଲା—ସତରେ ଲୀଳା, ତୁମକୁ ଦେଖିଲେ ମୋର କଣ ମନେହୁଏ ଜାଣ… ?

 

ଲୀଳାର ଅଧରଦ୍ୱୟ ଥରିଉଠି ନୀରବ ହୋଇଗଲା ।

 

ହୁଏ ତ କୌଣସି ଅଭିଶାପ ନେଇ ମର୍ତ୍ତ୍ୟର ଏହି ପୁରୀରେ ତୁମର ଆବିର୍ଭାବ ହୋଇଛି-

 

ଅଭିଶାପ... ହୁଏ ତ ତୁମରି କଥା ଠିକ୍ ତୁଷାରକାନ୍ତି । ମୁଁ ଶାପଗ୍ରସ୍ତା । ମୋର ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ କିଛି ନିଶ୍ଚିହ୍ନ ହୋଇ ଯାଇଛି । କେବଳ ବୁକୁ ଭିତରେ ଉଦବେଳିତ କୋହର ତରଙ୍ଗ ଧରି ମୁଁ ପଡ଼ିରହିଛି । ଏହି କୋହର ପ୍ରାବଲ୍ୟରେ ଛଟପଟ ହୋଇ ମୁଁ ଅନେକ ଥର ଚେଷ୍ଟା କରିଛି ଏହି ଛୋଟ ଜୀବନଟାକୁ ଶେଷ କରିଦେବାକୁ; କିନ୍ତୁ ପାରି ନାହିଁ । କରିଛନ୍ତି କେବଳ ସେହିମାନେ । ଯେଉଁମାନଙ୍କ ପାଇଁ...

 

ତୁଷାରକାନ୍ତିଙ୍କ ହାତ ଲୀଳାର ମସ୍ତିଷ୍କ ଉପରେ ସ୍ଥିର ରହିଗଲା । ହୁଏ ତ ଲୀଳାର ଅଭିବ୍ୟକ୍ତି ଭିତରେ ସେ ଯେଉଁ ନିଷ୍ଠୁର ସତ୍ୟର ଆଭାସ ପାଇଥିଲେ; ତାହା ତାଙ୍କୁ ସ୍ଥିର କରି ଦେଇଥିଲା । ସେ ଧୀର ସ୍ୱରରେ କହିବାରେ ଲାଗିଲେ—ତା ହେଲେ ତୁମେ...

 

ସେ କାହାଣୀ ଅତି ନିଷ୍ଠୁର ଡକ୍ଟର ସା’ବ । ହେଲେ, ତା ବ୍ୟତୀତ ମୋର ଆଉ ଉପାୟ ନ ଥିଲା... । ଏକ ଦୀର୍ଘଶ୍ୱାସ ତାର ବକ୍ଷପଞ୍ଜର ଥରାଇ ନିର୍ଗତ ହୋଇ ଆସିଲା । ସେ ପୁଣି କହିବାରେ ଲାଗିଲା—ମୁଁ ସେତବେଳେ ବି. ଏସ୍.-ସି. ପାଶ୍ କରି ଫେରି ଆସିଥାଏ । ବାପ ମା’ର ପ୍ରଥମ ସନ୍ତାନ । ଅତି ଆନନ୍ଦରେ ମୋର ବାଲ୍ୟକାଳ ଅତିବାହିତ ହୋଇ ଆସିଥିଲା । ବାପା ସେତେବେଳେ ଥିଲେ ଡକ୍ କଣ୍ଟାକ୍ଟର । ଅମାପ ପଇସା, ଅକଳନ ସମ୍ପତ୍ତି । କିନ୍ତୁ କେଉଁଥିପାଇଁ ମୁଁ ଠିକ୍ ଭାବରେ ଜାଣି ନ ପାରିଲେ ବି, ଜାଣିଥିଲି ବାପାଙ୍କର ସେ କଣ୍ଟ୍ରାକ୍ଟରୀ ରବ୍ଦ ହୋଇ ଯାଇଥିଲା । ଆଉ କେତେକ ଜାଗାରେ କଣ୍ଟ୍ରାକ୍ଟରୀ କରି ବିଶେଷ କ୍ଷତିର ସମ୍ମୁଖୀନ ହୋଇଥିଲେ । ଏ ଆଡ଼େ ମୋ ତଳେ ଚାରି ଭଉଣୀଙ୍କୁ ବାଦ ଦେଇ ତିନୋଟି ଛୋଟ ଛୋଟ ଭାଇ, ଚାକର ପୂଜାରୀ । ଖର୍ଚ୍ଚରେ କିନ୍ତୁ ସୀମା ନ ଥିଲା । ପୂର୍ବ ପରି ଆୟ କମି ଯାଇଥିଲେ ମଧ୍ୟ ବ୍ୟୟର ପରିମାଣ କମୁ ନ ଥିଲା ।

 

ବାପା ବିଚଳିତ ହୋଇ ପଡ଼ୁଥିଲେ । ମୁଁ ସେତେବେଳେ ଆଇ. ଏସ୍-ସି.ର ଛାତ୍ରୀ । ଆଉ ସାନ ଭଉଣୀ ଦୁଇ ଜଣ ମାଟ୍ରିକରେ ଆଉ ଅନ୍ୟମାନେ ଏମ୍ . ଇ. ତଥା ୟୁ. ପି. ରେ ।

 

ଏହି ବିରାଟ ସଂସାର ପରିଚାଳନା କରିବାକୁ ମାସକୁ ଶହ ଶହ ଟଙ୍କା ଦରକାର ହେଉଥିଲା । ବାରମ୍ବାର କଣ୍ଟ୍ରାକ୍ଟରୀ କରି ସେ ମୂଳଧନ ଅପଚୟ କରିବାରେ ଲାଗିଥିଲେ । ଶେଷରେ ମୋଟର ପାର୍ଟସର ଦୋକାନ ଜଣେ ବନ୍ଧୁଙ୍କ ପରାମର୍ଶରେ ସେ ଖୋଲିଥିଲେ । ତଥାପି ଭାଗ୍ୟ ତାଙ୍କର ଅନୁକୂଳ ହେଲା ନାହିଁ । ସେ ବିଷୟରେ ଅଭିଜ୍ଞତା ନ ଥିବାରୁ ସେଥିରେ ମଧ୍ୟ ସେ ଫେଲ ମାରିଲେ ।

 

ହତାଶାର ସମୁଦ୍ର ମଝିରେ ସେ ବୁଡ଼ି ରହିଥିଲେ । ଯାହା କିଛି ବ୍ୟାଙ୍କ ବାଲାନସ ଥିଲା, ତାହା ଆସ୍ତେ ଆସ୍ତେ ଶେଷ ହେବାରେ ଲାଗିଲା । ତା ପରେ ଆସବାବପତ୍ର ।

 

ତୁମେ ଚିନ୍ତା କରି ପାରିବ ନାହିଁ ତୁଷାର ବାବୁ, ସେତେବେଳେ ବାପାଙ୍କର ମାନସିକ ଅବସ୍ଥା କଣ ହୋଇଥିବ ? ତାଙ୍କର ସେହି ଅବସ୍ଥା ଦେଖି ମୁଁ ବେଳେ ବେଳେ କାନ୍ଦି ପକାଏଁ । ସେ ମୋତେ ଭିଡ଼ି ଧରି କହନ୍ତି—ମା, ତୁ ଯଦି ମୋର ଝିଅ ନ ହୋଇ ପୁଅଟିଏ ହୋଇଥାନ୍ତୁ, ମୋତେ ଏତେ ଦୁଃଖରେ କାଳ କଟାଇବାକୁ ପଡ଼ୁ ନ ଥାନ୍ତା । ତା ପରେ ସେ ଆଉ କିଛି କହିପାରନ୍ତି ନାହିଁ । ବକ୍ଷପଞ୍ଜର ଥରାଇ ତାଙ୍କର ଦୀର୍ଘଶ୍ୱାସ ନିର୍ଗତ ହୋଇ ଆସେ ।

 

ତାଙ୍କ ବେଦନାର ଅର୍ଥ ମୋ ନିକଟରେ ଅପ୍ରକାଶିତ ରହେ ନାହିଁ । ମୁଁ ସେତେବେଳେ ଲାଷ୍ଟ ଇୟରର ଛାତ୍ରୀ । ଆଉ ମୋ ତଳ ଭଉଣୀ ଦୁଇ ଜଣ କଲେଜରେ ପାଦ ଦେଲେଣି । ବାପା ନିରୁପାୟ, ଅଥର୍ବ । କେବଳ ତାଙ୍କରି ଅର୍ଜିତ ସମ୍ପର୍ତ୍ତିର ଧ୍ୱଂସସ୍ତୂପ ଉପରେ ଏକମାତ୍ର ଦିଗହରା ନାବିକ । ସେହି ଦୁଃଖରେ ପ୍ରାଣତ୍ୟାଗ କରିଥିଲେ ।

 

କେବଳ ବାସଭବନକୁ ବାଦ୍ ଦେଲେ ଆଉ ଆମର ନିଜସ୍ୱ କିଛି ନ ଥିଲା । ସେତକ ବି ବିକ୍ରି ହୋଇ ଯାଇଥାନ୍ତା; କିନ୍ତୁ ସେଇଥିରେ ଥିବା ବିପରୀତ ପାର୍ଶ୍ୱଟିର ଭଡ଼ା ଆମର ଏକମାତ୍ର ହୋ ଭରସା ଥିଲା । ମାସକୁ ତିନି ଶହ । ଯେ କୌଣସି ପ୍ରକାରେ ସେମାନଙ୍କର ଖାଦ୍ୟପେୟ ସେଇଥିରୁ ହିଁ ଉଠି ଯାଉଥିଲା ।

 

କିନ୍ତୁ ସ୍କୁଲ, କଲେଜ ଦରମା ଦେବା ଆଉ ସମ୍ଭବପର ହୋଇ ପାରୁ ନ ଥିଲା । ଛୋଟ ଛୋଟ ତିନି ଭାଇଙ୍କୁ କୋଳରେ ପରି କେବଳ ଲୁହ ଗଡ଼ାଉଥିଲେ ବାପା । ସେହି କୋଠରିରୁ ତାଙ୍କ ନିଜର ନିର୍ଗତ ଦୀର୍ଘଶ୍ୱାସ ମୁଁ ମୋ କୋଠରିରେ ଶୁଣିବାକୁ ପାଉଥିଲେ । ଆଉ ତାଙ୍କର ଅସଂଲଗ୍ନ ସଂଳାପ…

 

“ତୁମମାନଙ୍କୁ ମୁଁ ଆଉ ମଣିଷ କରି ପାରୁ ନାହିଁ ରେ ବାପା... ଭୋଗା ତୁମେମାନେ, ଯଦି ଆହୁରି ଆଗରୁ ତୁମେମାନେ ଆସି ଥାଆନ୍ତ...”

 

ତାଙ୍କର କଥାର ମର୍ମ ମୁଁ ବୁଝିପାରୁଥିଲି । ସେମାନଙ୍କୁ ମଣିଷ ଏଇ ଛିଡ଼ା କରାଇବାର ମାନଦଣ୍ଡ ଅର୍ଥର ପ୍ରୟୋଜନ । ସେହି ଭାଇଙ୍କର ଭବିଷ୍ୟତକୁ ରାହୁର ଛାୟା ପରି ଘେରି ରହିଥିଲୁ ଆମେ ଚାରି ଭଉଣୀ । ବୋଝ ଉପରେ ନଳିତାବିଡ଼ା । ଚାରି ଭଉଣୀଙ୍କ ଭିତରୁ ଜଣକୁ ବାଦ୍ ଦେଲେ ଆମମାନଙ୍କର ବିବାହର ବୟସ ଆସିଯାଇଥିଲା । ଆଉ ସେହି କଥା ହିଁ ବାପାଙ୍କୁ ବିଶେଷ ପରିମାଣରେ ଚିନ୍ତାଗ୍ରସ୍ତ କରି ଦେଉଥିଲା ।

 

ତାଙ୍କ ମୁହଁରୁ କେବେ ନ ଶୁଣିଲେ ମଧ୍ୟ ଭିତରେ ଭିତରେ ତାଙ୍କର ପୂର୍ବ ପରିଚିତ ବନ୍ଧୁମାନଙ୍କ ନିକଟରେ ମୋର ବିବାହ ପାଇଁ ପାତ୍ରଟିଏ ଯୋଗାଡ କରିଦେବାକୁ ଅନୁରୋଧ କରୁଥିଲେ । ଶେଷରେ ସେମାନଙ୍କର ବ୍ୟଙ୍ଗାତ୍ମକ ଉତ୍ତରରେ କ୍ଷତି ବିକ୍ଷତ ହୋଇ ଅଦିନରେ ବି ବାପା ମୃତ୍ୟୁର ଦ୍ୱାରଦେଶକୁ ଅଗ୍ରସର ହୋଇ ଆସୁଥିଲେ ।

 

ସବୁ କଥା ମୁଁ ବୁଝୁଥିଲି । ଝିଅଟିକୁ ସତ୍ ପାତ୍ରରେ ଟେକି ଦେବା ପାଇଁ ଆଜିକାଲି ଯେ ଧନର ମାଧ୍ୟମ ଲୋଡା, ତାହା ମୋର ନିକଟରେ ଅବିଦିତ ନ ଥିଲା । ମୋ ଜୀବନର ଦୀର୍ଘ ହା–ହା–କାର ମରୁଭୂମିର ପ୍ରତିଫଳନ ମୁଁ ଅନ୍ୟ ଭଉଣୀମାନଙ୍କ ଭିତରେ ଦେଖୁଥିଲି । ତେ ପରେ ମୋର ଅତି ଆପଣାର ଛୋଟ ଛୋଟ ଭାଇ...

 

ସତରେ ତୁଷାର ବାବୁ, ମୁଁ ସେତେବେଳେ ଦିଗହରା ହୋଇ ପଡ଼ୁଥିଲି । ବାପାଙ୍କର କଥା ମନେପଡି ଯାଉଥିଲା । “ତୁ ଯଦି ମୋର ଝିଅଟିଏ ନ ହୋଇ ପୁଅଟିଏ ହୋଇ ଥାଆନ୍ତୁ...”

 

ମନେ ମନେ ମୁଁ ସାହସ ସଞ୍ଚୟ କରୁଥିଲି । ଝିଅଟିଏ ହୋଇବ ଯଦି ବାପାଙ୍କର ଅପୂର୍ଣ୍ଣ ଆଶା ମୁଁ ପୂର୍ଣ୍ଣ କରିପାରେ... ସତରେ ଏହି ଚିନ୍ତାରେ ସେତେବେଳେ ମୁଁ କିପରି ଏକ ଆନନ୍ଦ ପାଉଥିଲି ଠିକ୍ ସେହି ବର୍ଷ ବି. ଏସ୍-ସି.ରେ ମୁଁ କୃତକାର୍ଯ୍ୟ ଲାଭ କଲି ତା ପରେ ମୁଁ ଚାକିରି କରି ଯେତେବେଳେ ମୋର ଛୋଟ ଭାଇ ଓ ଭଉଣୀମାନଙ୍କର କିଛି ଗୋଟାଏ ବ୍ୟବସ୍ଥା କରି ପାରିବି ବୋଲି ବାପାଙ୍କୁ କହିଲି, ସେତେବେଳେ ସେ ମୋତେ ଅନାଇ ରହିଲେ ।

 

ଓଃ, ତାଙ୍କର ସେ କି କାତର ଦୃଷ୍ଟି ! ବୋଧହୁଏ ସେହି ସାତରେ ଦୃଷ୍ଟିରେ ସେ ମୋତେ ସୁଚାଇ ଦେଉଥିଲେ, ମୁଁ ଗୋଟାଏ ଝିଅ–ସେ ରାସ୍ତାରେ ଗତି କରି ଯେ ସଫଳତା ଲାଭ କରି ପାରିବି ସେଥିରେ ସେ ନିଶ୍ଚୟ ସନ୍ଦିହାନ ଥିଲେ ।

 

ମୁଁ କିନ୍ତୁ ତାଙ୍କର ଯୁକ୍ତି ତାଙ୍କରି ମୁହଁରେ ଦେଇ କହିଲି—ମୁଁ ପୁଅଟିଏ ହୋଇଥିଲେ ତୁମେ ଯେତିକି ସାହାଯ୍ୟ ପାଇଥାଆନ୍ତି, ଝିଅଟିଏ ବୋଲି କଣ ସେହି ସେବାରୁ ମୋତେ ତୁମେ ଦୂରେଇ ଦେବାକୁ ଚେଷ୍ଟା କରୁଛ, ବାବା !

 

ତଥାପି ସେ ନିରୁତ୍ତର ଥିଲେ । ତାଙ୍କର ରୁଦ୍ଧ ଉଜ୍ଜ୍ୱାସ ଲୋତକ ପ୍ରବାହରେ ଉଦବେଳିତ ହୋଇ ଉଠୁଥିଲା । ମୋର ଛୋଟ ଭାଇମାନେ ଆସି ବାପାଙ୍କ ନିକଟରେ ଜାମା ପ୍ୟାଣ୍ଟ ପାଇଁ ଅତି କରିବାରେ ଲାଗିଥିଲେ । ପଡ଼ୋଶୀ ପିଲାମାନଙ୍କର ପୋଷାକ ପରିଚ୍ଛଦ ହିଁ ସେମାନଙ୍କ ମନରେ ଉତ୍ସାହ ଆଣି ଦେଇଥିଲା ।

 

ଏଇମାନଙ୍କୁ ମଣିଷ କରିବା ପାଇଁ ମୋତେ ଅନୁମତି ଦିଅ, ବାପା ! ମୋର ଚକ୍ଷୁରେ ବି ସେତେବେଳେ ଅଜାଣତରେ ଲୋତକ ପୂରି ଉଠିଥିଲା । ବାପା ତାଙ୍କ ବସିବା ସ୍ଥାନରୁ ଟଳ ଟଳ ପଦକ୍ଷେପରେ ମୋ’ରି ନିକଟକୁ ଆସିଲେ । ମୋର ମସ୍ତିଷ୍କକୁ ତାଙ୍କର ବକ୍ଷରେ ଭିଡ଼ି ଧରି ତାଙ୍କର ଅନ୍ତରର ହା–ହା–କାର ସମାଧାନ ଖୋଜୁଥିଲେ । ଆଉ ଚକ୍ଷୁ ପ୍ରାନ୍ତରୁ ବିଗଳିତ ଲୋତକ ବିନ୍ଦୁ ମୋର କୃଷ୍ଣ କବରୀକୁ ଭିଜାଇବାରେ ଲାଗିଥିଲା । କେତେକ ମୁହୂର୍ତ୍ତ ପରେ ତାଙ୍କର ଅନ୍ତରର କୋହ ପ୍ରଶମିତ ହେବାର ମୁଁ ଲକ୍ଷ୍ୟ କଲି ।

 

ସେ ତାଙ୍କର ଓ୍ୱାକିଂ ଷ୍ଟିକ୍ ଉପରେ ଭାରା ଦେଇ ସେହି କକ୍ଷ ଅତିକ୍ରମ କରି ଯାଉ ଯାଉ କହୁଥିଲେ, ମୁଁ ତୋ ପାଇଁ କିଛି ସ୍ଥିର କରି ପାରିଲି ନାହିଁ, ମା । ହେଲେ ତୋ ଭାଇମାନଙ୍କୁ ମଣିଷ କରିବା ପାଇଁ ତୁ ଯେଉଁ ବାଟର ସୂଚନା ଦେଇଛୁ, ସେଥିରେ ଭଗବାନ ତୋତେ ସହାୟ ହୁଅନ୍ତୁ । କିନ୍ତୁ ଏ କଥା ଭୁଲିଯିବୁ ନାହିଁ ମା, ତୁ ବିକ୍ରମ ସାନ୍ନ୍ୟାଲର ଝିଅ... ଯେଉଁ ବଂଶ ନିଜର ଜୀବନ ଅପେକ୍ଷା ଚରିତ୍ରର ମୂଲ୍ୟ ବିଶେଷ ଭାବରେ ନିରୁପଣ କରନ୍ତି ।

 

ମୁଁ ଥକ୍‍କା ହୋଇ ଛିଡ଼ା ହୋଇ ଯାଇଥିଲି । ତାଙ୍କର ଶେଷ ପଦକ କଥାର ଉତ୍ତର ପାଇଁ ସେ ଆଉ ମୋ ନିକଟରେ ନ ଥିଲେ । ଓ୍ୱାକିଂ ଷ୍ଚିକ୍‍ର ଶବ୍ଦ ଲାଟ୍ରିନ୍ ଆଡ଼େ ଶୁଣା ଯାଉଥିଲା ।

 

ପିଲାମାନେ ବଲ ବଲ କରି ମୋ ମୁହଁକୁ ଅନାଇ ରହିଥିଲେ । ଦିଦି…

 

ସମସ୍ତଙ୍କୁ ମୋର କୋଳ ଭିତରେ ପୂରାଇ କେଉଁ ଏକ ଅଜ୍ଞାତ ଶକ୍ତି ବଳରେ ମୁଁ କହିଉଠିଥିଲି—ହଁ ରେ ହଁ, ମୁଁ ତୁମମାନଙ୍କୁ ମୋ ଜୀବନ ବିନିମୟରେ ମଣିଷ କରିବି... ସମାଜରେ ଛିଡ଼ା ହୋଇ ପାରିବାର ଶକ୍ତି ଦେବି ।

 

କିନ୍ତୁ ମୋର ସେହି କଥା ଯେ କେତେଦୂର ସଫଳ ହୋଇ ପାରିବ, ତାହା ଚିନ୍ତା କରି ନ ଥିଲି । କାରଣ ଘରୁ କଲେଜ ଆଉ କଲେଜରୁ ଘର ଭିତରେ ମୋର ପରିସର ହିଁ ସୀମାବଦ୍ଧ ହୋଇ ରହିଥିଲା । ବାହାର ଦୁନିଆ ବିଷୟରେ କିଛି ଜାଣିବାର ଉପାୟ ମୋର ସେତେବେଳେ ନ ଥିଲ ।

 

ତା ପରେ ଯେତେବେଳେ ମୋର ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍ ନେଇ ଏମ୍ପଲୟମେଣ୍ଟ ଏକସଚେଞ୍ଜରୁ ଅଫିସ ପରେ ଅଫିସ ବୁଲି ନିରାଶାର ବାଣୀ ଶୁଣିବାକୁ ଲାଗିଲି, ସେତେବେଳେ ମୋର ଚତୁର୍ଦ୍ଦିଗ ଆହୁରି ଅନ୍ଧକାର ଦେଖାଗଲା।

 

ସେଥିରେ ବି ଅର୍ଥର ପ୍ରୟୋଜନ । ସରକାରୀ ସଂସ୍ଥାରେ କାମ କରିବାକୁ ଗଲେ ଖୁବ୍ କମରେ ପାଞ୍ଚ ଶହରୁ କମ୍ ନୁହେଁ; କିନ୍ତୁ ସେତେବେଳେ ପାଞ୍ଚଟା ପଇସା କାହାରିକୁ ଦେବାର ମୋର ଶକ୍ତି ନ ଥିଲା । ବରଂ ଘରଭଡ଼ା ବାବଦ ଯେଉଁ ତିନି ଶହ ଟଙ୍କା ମାସ ପହିଲାରେ ଆଦାୟ ହେଉଥିଲା, ସେଥିରୁ ପଚାଶ, ଷାଠିଏ ଟଙ୍କା ରିକସା, ଟ୍ରାମ୍ ତଥା ଟ୍ୟାକସି ଫେୟାରରେ ଉଡ଼ି ଯାଉଥିଲା ।

 

ଶେଷରେ ସରକାରୀ ଅନୁଷ୍ଠାନ ଆଶା ପରିତ୍ୟାଗ କରି ବେସରକାରୀ ସଂସ୍ଥା ଉଦ୍ଦେଶ୍ୟରେ ଘୂରି ବୁଲିଲି । ବହୁ ଅନ୍ୱେଷଣ ପରେ ଗୋଟିଏ ଜୁଏଲାରୀ ସପରେ ମାସକୁ ଶହେ ତିରିଶ ଟଙ୍କା ଦରମାରେ ସେଲସମ୍ୟାନ୍ ଚାରକିରିଟିଏ ଯୋଗାଡ଼ କରିପାରିଲି । ତାହା ପୁଣି ଆମ ଘରଠାରୁ ଦେଢ଼ ମାଇଲରୁ କମ୍ ଦୂର ନୁହେଁ । ସକାଳ ସାତରୁ ଦିନ ବାର, ଆଉ ସନ୍ଧ୍ୟା ପାଞ୍ଚରୁ ରାତି ନଅ ।

 

ଚାଲି ଚାଲି ଯିବା କୌଣସି ମତେ ସମ୍ଭବ ନ ଥିଲା । ତେଣୁ ଟ୍ରାମ ଅଥବା ରିକ୍‍ସାରେ ମାସକୁ ତିରିଶ ଟଙ୍କା ଚାଲି ଯାଉଥିଲା । ଯାହା ହେଉ, ଏକ ପ୍ରକାର ଭାଇ ଭଉଣୀମାନଙ୍କର ପଢ଼ାପଢ଼ି ସେତିକିରେ ଚଳିଯିବାକୁ ଲାଗିଲା । ସେଥିରୁ କିଛି କିଛି ରଖି ମୁଁ କୌଣସି ଏକ ସରକାରୀ ଅନୁଷ୍ଠାନରେ ଉତ୍କୋଚ ଦେଇ ଭର୍ତ୍ତି ହେବାକୁ ଚାହୁଁଥିଲି ।

 

କିନ୍ତୁ ସେ ସମୁଦ୍ରକୁ ଶଙ୍ଖେ ପାଣି ଭଳି । ଏ ଆଡ଼େ ଜୁଏଲାରୀ ଦୋକାନର ମାଲିକ ତଥା ତା ପୁଅମାନଙ୍କର ମୋର ଏହି ରୂପ ଲାବଣ୍ୟ ଉପରେ ଯେଉଁ କ୍ଷୁଧିତ ଦୃଷ୍ଟି ଘୂରି ବୁଲୁଥିଲା, ତାହା ସହ୍ୟ କରିବା ମୋ ପକ୍ଷରେ ଅସମ୍ଭବ ହୋଇ ଉଠୁଥିଲା । ଦିନେ ତାହା ଚରମ ସୀମାରେ ଯେତେବେଳେ ପହଞ୍ଚିଲା, ମୁଁ ସେତେବେଳେ ତା ପୁଅ ଗାଲରେ ଏକ ନିର୍ଘାତ ଚାପୁଡ଼ା ଲଗାଇ ଦେଇ ଏକପ୍ରକାର ଟଳି ଟଳି ରାସ୍ତା ଉପରକୁ ଓହ୍ଲାଇ ଆସିଲି । ସେମାନଙ୍କ କ୍ଷୁଧିତ ଆତ୍ମା କବଳରୁ ମୁଁ ସିନା ମୁକ୍ତିଲାଭ କରି ଆସିଲି; କିନ୍ତୁ ମୋର ଭାଇମାନଙ୍କର ଭବିଷ୍ୟତ...

 

ସେଦିନ ଟ୍ରାମ୍‍ ଭଡ଼ା ପାଇଁ ବି ମୋ ନିକଟରେ ପଇସାଟିଏ ନ ଥିଲା । କାରଣ ପ୍ରତିଦିନ ଆସିଲାବେଳେ ମୁଁ ଦୋକାନରୁ ଆଣିଥାଏ, ଆଉ ମାସ ଶେଷରେ ତାହା ସେମାନେ କଟାଇ ନେଇ ଅବଶିଷ୍ଟ ଦେଇଥାଆନ୍ତି ।

 

ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ଚିନ୍ତାରେ ମୁଁ ଯେତେବେଳେ ମହାନଗରୀର ଜନପଥ ଅତିକ୍ରମ କରୁଥିଲି, ହଠାତ୍ ମୋ ପଛରେ ଗାଡ଼ିଟିଏ ବ୍ରେକ୍‍ କରିଯିବାରୁ ମୁଁ ଏକପ୍ରକାର ଚମକିଉଠି ଛିଡ଼ା ହୋଇଗଲି ।

 

ସେହି ଗାଡ଼ି ଚଳାଉଥିଲା କିଏ ଜାଣ ? ତୁଷାରକାନ୍ତିଙ୍କୁ ଏକ ପ୍ରଶ୍ନଭରା ଦୃଷ୍ଟି ନେଇ ସେ ଅନାଇ ରହିଥିଲା ।

 

ତୁଷାରକାନ୍ତି କିନ୍ତୁ ସ୍ପନ୍ଦନହୀନ ଭାବେ ଲୀଳାର କଥାରେ ଏତେ ଅନ୍ୟମନସ୍କ ହୋଇପଡ଼ିଥିଲେ ଯେ, ହଠାତ୍ ଯେ ସେ କଣ ପଚାରିଉଠିଲା, ଚିନ୍ତା କରି ନ ପାରି ନିର୍ବୋଧଙ୍କ ଭଳି ତାକୁ ଅନାଇ ରହି କହିଲେକଣ କହିଲ ଲୀଳା ?

 

ସେହି ଗାଡ଼ିର ଚାଳିକା କିଏ ଥିଲା ଜାଣ ?

 

ମାନେ.... ତମ ପଛରେ ଯେଉଁ ଗାଡ଼ିଟି ବ୍ରେକ୍‍ କରି ରହି ଯାଇଥିଲା ?

 

ହଁ, ତାହାର ଚାଳିକା ନୁରୁ ବେଗମ୍ ।

 

ନୁରୁ ବେଗମ୍ ? ମାନେ, ଜଣେ ମହମ୍ମଡିଆନ ଓମ୍ୟାନ୍ !

 

ହଁ, ସେତେବେଳେ ମୁଁ ତାକୁ ସେହି ନାମରେ ଜାଣିଥିଲି । କେବଳ ମୁଁ କାହିଁକି, ଆମର ପ୍ରତିବେଶୀ ସମସ୍ତେ ଜାଣିଥିଲେ । ଆହୁରି ଜାଣିଥିଲେ, ଆମରି କୋଠାରେ ଭଡ଼ା ନେଇ ରହୁଥିବା ବିଖ୍ୟାତ ଜରୁରୀ ଆଲାମଚାନ୍ଦର ସେ ଏକମାତ୍ର କନ୍ୟା ।

 

ମାନେ, ତୁମେ କହୁଛ ସେତେବେଳେ ତାର ନାମ...

 

ହଁ, କେତେବେଳେ କେଉଁଠି ଯେ ତା ନାମ କଣ, ତାହା ସହଜରେ ଜାଣିବା ମୁସ୍କିଲ ବ୍ୟାପାର ଥିଲା । ଆଉ ଆପାତତଃ ମୁଁ ତାକୁ ସେତେବେଳେ ସେହି ନାମରେ ଜାଣିଥିଲି ।

 

ଆଉ ଏବେ ? ତୁଷାରକାନ୍ତିଙ୍କ ଚକ୍ଷୁରେ ଗଭୀର ପ୍ରଶ୍ନବାଚୀ ଫୁଟିଉଠିଲା ।

 

ତୁଷାରକାନ୍ତିଙ୍କ ପ୍ରଶ୍ନରେ ହଠାତ୍ କିଛି କହିପାରିଲା ନାହି ଲୀଳା । ସେ କିଛି ସମୟ ସେହିପରି ଭାବରେ ରହି କହିଲା—ଆଉ ଏବେ ପ୍ରଖ୍ୟାତ ଜହୁରୀ ଆଲାମଚାନ୍ଦର କନ୍ୟା ପଦରୁ ଓହରି ଆସି ଧନୀରାମର କନ୍ୟା ଭାବରେ ତାର ଆବିର୍ଭାବ ହେଲା ।

 

ଲୀଳା ! ତୁଷାରକାନ୍ତିଙ୍କ କଣ୍ଠସ୍ୱର ତୀକ୍ଷ୍‍ଣ ହୋଇ ଆସିଲା ।

 

କେବଳ ଧନୀରାମର କନ୍ୟା ଭୂମିକାରେ ସେ ଅଭିନୟ କରିଥିଲା—ଫରେନ୍ କ୍ୱାଲିଫାଏଡ୍ ଡକ୍ଟର ତୁଷାରକାନ୍ତିଙ୍କୁ କରଗତ କରିବା ପାଇଁ । ତୁଷାରକାନ୍ତିଙ୍କୁ ଅନାଇ ଟିକିଏ ହସିଲା ଲୀଳା । ତା ପରେ କହିଲା—ପ୍ରେମିକ ନିକଟରେ ନିଜ ପ୍ରିୟାର ଦୁର୍ନାମ ଅତି ଅସହ୍ୟ ଡକ୍ଟର-। ଆଉ ତୁମେ ତ ସାଧାରଣ ମଣିଷ ।

 

ଆଉ ମୁଁ ଯଦି କହେଁ; ତୁମର ଏହି କଳ୍ପିତ ଆତ୍ମଜୀବନୀ ଭିତରେ କୌଣସି ନିଗୂଢ଼ ସ୍ୱାର୍ଥ ଲୁଚାଇ ରଖିଛ ବୋଲି ? ତୁଷାରକାନ୍ତିଙ୍କ କଣ୍ଠସ୍ୱର ଅପେକ୍ଷାକୃତ ଗମ୍ଭୀର ହୋଇ ଉଠୁଥିଲା ।

 

ଅସମ୍ଭବ ଚତୁରତା ଯୋଗୁଁ ସଫଳତାର ପାବଚ୍ଛଶ୍ରେଣୀ ତୁମେ ଅତିକ୍ରମ କରି ଚାଲିଛ; ଡକ୍ଟର । ଆଉ ମୋ କଥାଟା ଯେ ସ୍ୱାର୍ଥହୀନ ଭାବେ ତୁମେ ଗ୍ରହଣ କରିନେବ, ଏ ବିଶ୍ୱାସ ବି ମୋର ନ ଥିଲା ।

 

ମାନେ ? ତୁମେ...

 

ହଁ, ମୋର ସ୍ୱାର୍ଥ ଅଛି । ଆଉ ସେହି ସ୍ୱାର୍ଥ ପାଇଁ ମୋର ଦୃଷ୍ଟି ସଦାବେଳେ ତୁମକୁ ଆଚ୍ଛନ୍ନ କରିରଖିଛି ।

 

ଲୀଳା...

 

ମୁଁ ଜାଣେ, ଆଉ ସେଇଥିପାଇଁ ପ୍ରଥମରୁ ତୁମ ନିକଟରୁ କ୍ଷମା ମାଗି ନେଇଛି; କିନ୍ତୁ ମୋର ଅନୁରୋଧ, ମୋ କଥା ତୁମେ ଶୁଣି ସାର । ପରେ ଯଦି ତୁମର ମୋ ପ୍ରତି ଅବିଶ୍ୱାସ ଜନ୍ମେ, ତା ହେଲେ ମୋର ଅନୁରୋଧ, ଏ ସମ୍ବାଦ ଦଳପତିଙ୍କୁ ଦେବା ଆଗରୁ ମୋର ଜୀବନଟା ନିଜେ ଶେଷ କରିଦେବ ।

 

ତୁଷାରକାନ୍ତି ସ୍ଥିର ଭାବରେ ଲୀଳାର ମୁଖମଣ୍ଡଳକୁ କିଛି ସମୟ ଅନାଇ ରହିଲେ ।

 

ତାଙ୍କ ଉପରୁ ଦୃଷ୍ଟି ଫେରାଇ ଲୀଳା କହିଲା—ଲୁସି ଆସିବାକୁ ଆହୁରି ତିନି ଘଣ୍ଟା ବିଳମ୍ବ ଅଛି ଡକ୍ଟର । ଏହି ତିନି ଘଣ୍ଟା ଭିତରେ ବସଙ୍କର ବି ଆମ ସହିତ ଆଉ ପ୍ରୟୋଜନ ନାହିଁ । ହେଲେ ବି ମୁଁ ଏଇଠି ଥାଇ କିଏ କେଉଁଠୁ ଆସୁଛି ଜାଣି, ଆମ ଦୁହିଙ୍କୁ ରକ୍ଷା କରିନେଇ ପାରିବି ।

 

ପ୍ରକୃତରେ ତୁଷାରକାନ୍ତି ସ୍ତବ୍‍ଧ ହୋଇ ଯାଇଥିଲେ । ତାଙ୍କର ମାନସିକ ପରିସ୍ଥିତି ଉପଲବ୍‍ଧି କରି ଲୀଳା କହିଲା—ଠିକ୍ ତୁମରି ପରି ମୁଁ ବି ଦିନେ ମାୟା ହରିଣୀର ପଛରେ ଧାଇଁଥିଲି; କିନ୍ତୁ ତୁମର ଧାଇଁବା ଆଉ ମୋର ଧାଇଁବା ଭିତରେ ଯଥେଷ୍ଟ ପାର୍ଥକ୍ୟ ଥିଲା ।

 

ଏକା ସାଙ୍ଗରେ ତୁମେ ଚାହିଁଥିଲ କାମିନୀ ଆଉ କାଞ୍ଚନ । ଗୋଟାଏ ବର୍ଷ ଭିତରେ ଲକ୍ଷପତି ହୋଇଯିବାର ପରିକଳ୍ପନା ନେଇ ଲୁସି ତୁମକୁ ଉନ୍ମାଦ କରିଥିଲା ।

 

କିନ୍ତୁ ମୁଁ କେବଳ ପ୍ରଲୁବ୍‍ଧ ହୋଇଥିଲି ଗୋଟିଏ ଦିଗରେ । ତୁମେ ହୁଏ ତ ସେ କଥା କଳ୍ପନା କରି ପାରିବ ନାହିଁ ଡକ୍ଟର । କାରଣ ତୁମର ଯେଉଁ ଇତିହାସ ଆମର ରେକର୍ଡରେ ଲିପିବଦ୍ଧ ହୋଇ ରହିଛି, ତାହାରି ଭିତରୁ ମୁଁ ଜାଣିପାରିଛି, ତୁମେ କେବଳ ଏ ସଂସାର ଦାଣ୍ଡରେ ଏକାକୀ । ଭାଇ ଭଉଣୀର ସ୍ନେହ ତୁମ ନିକଟରେ ଅବିଦିତ । ଆଉ ସେଇଥିପାଇଁ ମୁଁ ଯେ କେଉଁ ଦୁଃଖରେ ମୋର ଭାଇ ଭଉଣୀଙ୍କର ଭବିଷ୍ୟତ ପାଇଁ ପ୍ରଲୁବ୍‍ଧ ହୋଇ କାଞ୍ଚନ ପଛରେ ଧାଇଁଥିଲି, ତାହା ବୁଝିପାରିବ ନାହିଁ । ଯଦି କେବେ ମୋର କାହାଣୀ ଭିତରେ ସତ୍ୟତା ଥାଇପାରେ ବୋଲି ତୁମେ କଳ୍ପନା କର, ତା ହେଲେ ନିଶ୍ଚୟ ମୋ ଅନ୍ତରର ଦୁଃଖର ଗଭୀରତା ଉପଲବ୍‍ଧି କରିପାରିବ ।

 

ଛାଡ଼, ମୁଁ କହୁଥିଲି ମୋର ସେହି ଅସହାୟ ଜୀବନର କାହାଣୀ । ହଁ, ମୋର ପଛରେ ହଠାତ୍ ଗାଡ଼ିଟିଏ ଛିଡ଼ା ହୋଇଥିବାର ଦେଖି ମୁଁ ଚକମିପଡ଼ି ଯେତେବେଳେ ପଛକୁ ଚାହେଁ, ସେତେବେଳେ ଷ୍ଚିଅରିଂ ଧରି ହସ ହସ ମୁଖରେ ମୋତେ ଭିତରକୁ ଯିବା ପାଇଁ ଅନୁରୋଧ ଜଣାଉଥିଲା ନୁରୁ ବେଗମ ।

 

ମୋର ଆଉ କିଛି କହିବାକୁ ନ ଥିଲା । ଚୁପଚାପ୍ ଉଠିଯାଇ ତାହାରି ନିକଟରେ ବସିଲି-। ତା ମୁଖରୁ କିନ୍ତୁ ହସର ଫୁଆରା ଝରୁଥିଲା । ମୋତେ ବିଭିନ୍ନ ପ୍ରଶ୍ନ ପଚାରି ଭାରାକ୍ରାନ୍ତ କରୁଥିଲା-। କିନ୍ତୁ ମୁଁ ସେତେବେଳେ ପ୍ରକୃତିସ୍ଥ ନ ଥିଲି ।

 

ମୋର ସେହି ଅବସ୍ଥା ସେ ଉପଲବ୍‍ଧି କରିନେଲା କି କଣ, ତା ପରେ ଗୋଟିଏ ହାତରେ ଷ୍ଟିଅରିଂ ଧରି, ଅପର ହାତଟି ମୋ କାନ୍ଧ ଉପରେ ପକାଇ କହିଲା—ମୁଁ ବିଜାତୀୟ ବୋଲି ମୋତେ ଘୃଣା କରି କଥା କହୁନା ଭଉଣୀ !

 

ତାର ସେହି ଅଭିନୟ ଜୀବନ୍ତ ଥିଲା । ମୋର ଚତୁଃପାର୍ଶ୍ୱରେ ଯେତେବେଳେ ଛାୟା ଘେରା ଅନ୍ଧକାର ଘେରି ରହିଥିଲା, ସେତେବେଳେ ତା ଭଳି ଜଣେ ଚତୁରୀ ରମଣୀକୁ ଚିହ୍ନିପାରିବା ଭଳି ଶକ୍ତି ମୋର ନ ଥିଲା । ତା ଛଡ଼ା ସେମାନଙ୍କ ବିଷୟରେ ଏତେ ଗଭୀରକୁ ମଥା ଖେଳାଇବା ଭଳି ଅବସର ମୋର ପୂର୍ବରୁ ନ ଥିଲା ।

 

ତାର କଥାର ଅବତାରଣା ଭିତରେ ଯେଉଁ ସସ୍ନେହ ଆବରଣ ମୁକୁଳିତ ହୋଇଥିଲା, ସେଥିରେ ମୁଁ ମୋର ପରିସର ବିଷୟରେ ଅନେକ କିଛି ଜାଣିବାର ସୁଯୋଗ ତାକୁ ଦେଇଥିଲି ।

 

ମୋ କଥା ଶୁଣି ସେ ଗମ୍ଭୀର ହୋଇ ଉଠିଥିଲା । ପରେ କହିଲା—ତୁମର ଅବସ୍ଥା ଏତେ ଦୂରକୁ ଗଲା, ଆଉ ତୁମେ ଏଭଳି ଗୋଟାଏ କଦର୍ଯ୍ୟ ଚରିତ୍ର ଲୋକର ଦୋକାନରେ ଚାକିରି ପର୍ଯ୍ୟନ୍ତ କରିବାକୁ ଗଲ, ହେଲେ ମୋତେ ଟିକିଏ ଜଣାଇ ପାରିଲ ନାହିଁ ? ବିଜାତୀୟ ହେଲେ ବି ଆମ ହୃଦୟରେ କଣ ଦୟା ମାୟା ନାହିଁ ବୋଲି ତୁମେ ଘୃଣା କଲ ?

 

ଛି, ଭଉଣୀ... ମୁଁ ସେତେବେଳେ ଏତେ ବିବ୍ରତ ହୋଇ ପଡ଼ିଥିଲି ଯେ...

 

ବେଶ, ତୁମର ଯଦି ଚାକିରୀ କରିବାର ଏକାନ୍ତ ଇଚ୍ଛା, ତା ହେଲେ ମୋ ଉପରେ ସେ ଦାୟିତ୍ୱ ଦେଇ ଦିଅ ।

 

ମାନେ... ? ମୁଁ ସନ୍ଦେହ ମିଶା ଆଶ୍ଚର୍ଯ୍ୟରେ ତାକୁ ଅନାଇ ରହିଲି ।

 

ସେ କହୁଥିଲା—ମୁଁ ଏଇ ପୁରୁଷ ସମାଜକୁ ଜାଣେ । ଆହୁରି ଜାଣେ, ନାରୀର ରକ୍ତ ମାଂସକୁ ଛିନ୍ନଭିନ୍ନ କରି ଆଘ୍ରାଣ କରିବାରେ ସେମାନେ କେତେ ଆନନ୍ଦ ପାଆନ୍ତି । କିନ୍ତୁ.... ଆଚ୍ଛା, ମୁଁ ଚେଷ୍ଟା କରିବି ଲୀଳା ଦେବୀ । ତୁମରି କୋଠାରେ ଆମେ ଆଶ୍ରୟ ନେଇଚେ, ଆଉ ଆମରି ପାଖରେ କେତେ ଝିଅ ପିଲା ଚାକିରି କରି ପଇସା ନେଇଛନ୍ତି । ତୁମେ ତ ବି. ଏସ୍-ସି. ପାଶ୍ କରିଛ...

 

ମାନେ... ତୁମର...

 

ମୋର ନିର୍ବୋଧତାରେ ନୁରୁ ବେଗମ୍ ହସିଲା । ଏ କଲିକତା ମହାନଗରୀରେ ସ୍ଥାନଟିଏ କିଣି ନିଜ ପାଇଁ ବାସଭବନଟିଏ ତିଆରି କରିବା ସିନା ସମ୍ଭବ ହୋଇପାରୁ ନାହିଁ, ହେଲେ ବିଜିନେସ୍ ତ ଚାଲିଛି ।

 

ବହୁବଜାର ମୋଡ଼ ଉପରେ ସେହି ବିଖ୍ୟାତ ଜହୁରୀ ଦୋକାନଟି ଆମର ! ତୁମରି ଭଳି ପାଞ୍ଚ ଜଣ ଲେଡ଼ି ସେଲସ୍‍ମ୍ୟାନ ସେଠାରେ କାମ କରନ୍ତି । ଆଉ ତୁମେ ଯଦି ମୋ କଥା ଉପରେ ବିଶ୍ୱାସ ରଖ, ତା ହେଲେ ଦଶ ବାର ଦିନ ଭିତରେ ମୁଁ ବାପାଙ୍କୁ ଯେ କୌଣସି ପ୍ରକାରେ ହେଉ ରାଜି କରାଇ ତୁମକୁ ସେହିଠାରେ ରଖାଇ ଦେବି ।

 

ଓଃ, ସେତେବେଳେ ମୋ ମନ ଯେ କିଭଳି ଆନନ୍ଦିତ ହୋଇ ଉଠିଲା, ତୁମେ କଳ୍ପନା କରିପାରିବ ନାହିଁ, ତୁଷାର ବାବୁ । ଅତ୍ୟଧିକ ଆବେଗରେ ମୁଁ ନୁରୁର ହାତଟାକୁ ଖୁବ୍ ଜୋରରେ ଭିଡ଼ି ଧରି କହିଉଠିଥିଲି—ତୁମର ଏ ଋଣ ମୁଁ କେବେ ଶୁଝିପାରିବ ନାହିଁ, ଭଉଣୀ ।

 

ଭଉଣୀ ବୋଲି ଯେତେବେଳେ ଭାବି ସାରିଛ, ସେତେବେଳେ କୃତଜ୍ଞତା ଦେଖାଇ ସେ ଆସନରୁ ମୋତେ କାହିଁକି ଦୂରକୁ ଠେଲି ଦେଉଛ ଲୀଳା ! ଏଥିରେ ମୋର ଆଉ ବାହାଦୁରି ଯେ କଣ ରହିଲା, ମୁଁ ତ କିଛି ଜାଣିପାରୁନି ? ଆମ ଦୋକାନରେ ସେମାନେ କାମ କରି ପଇସା ନେଉଛନ୍ତି, ଆଉ ତମେ ବି ପରିଶ୍ରମ କରି ଟଙ୍କା ପାଇବ । ଆମେ ତ ଆଉ ମୋଫତରେ ତମକୁ ଦଉ ନାହୁଁ ?

 

କିନ୍ତୁ ସେତକ ତ...

 

ଆହା, ପୁଣି ସେହି ଲୌକିକତା ମୋ ପାଖରେ ଆଉ କେଉଁ ଦିନ ଦେଖାଇବ ନାହିଁ, ଲୀଳା । ମୁଁ ବାପାଙ୍କୁ ଯେ କୌଣସି ପ୍ରକାରେ ହେଉ, ତମକୁ ଗୋଟାଏ ଭଲ ପୋଷ୍ଟରେ ରଖାଇ ଦେବି । ଆଉ ସେଠାରେ ଯେଉଁ କେତେ ଜଣ ପୁରୁଷ ଲୋକ କାମ କରୁଛନ୍ତି, ସେମାନେ ତମ ଉପରକୁ ଆଙ୍ଗୁଳି ଟିକିଏ ଉଠାଇବାକୁ ବି ସାହସ କରିପାରିବେ ନାହିଁ ।

 

ତା ପରେ ସେ ଆଣି ଆମ ସଦର ଦ୍ୱାର ପାଖରେ ଗାଡ଼ି ଭିଡ଼ି ମୋତେ ଶୁଭରାତ୍ରି ଜଣାଇ ବିଦାୟ ନେଇଥିଲା ।

 

ଆପଣ ହୁଏ ତ ଅନୁଭବ କରି ପାରିବେ ନାହିଁ, ସେଦିନ ରାତ୍ରିଟି ମୁଁ କିପରି ଆନନ୍ଦରେ ଶୋଇ ପାରିଥିଲି । ପ୍ରକୃତରେ ମୋତେ ଏତେ ଆନନ୍ଦ ଲାଗିଥିଲା ଯେ, ପରଦିନ ସକାଳ ଆଠଟା ପର୍ଯ୍ୟନ୍ତ ମୁଁ ସେମିତି ଶୋଇ ରହିଥିଲି । ରୀତାର ଡାକରେ ମୋର ନିଦ ଭାଙ୍ଗିଲା ।

 

ରୀତା... ! ତୁଷାରକାନ୍ତି ଚମକି ଉଠିଲେ ।

 

ଦୁଃଖପୂର୍ଣ୍ଣ ହସଟିଏ ଖେଳିଉଠିଲା ଲୀଳାର ମୁଖମଣ୍ଡଳରେ । ସେ କହିଲା—ମୁଁ ଜାଣେ ରୀତାର ନାମ ଶୁଣି ଆପଣ ଚମକି ଉଠିବେ ।

 

ତା ହେଲେ ଏଇ ରୀତା କଣ ତୁମର ଭଉଣୀ ? ତୁଷାରକାନ୍ତିଙ୍କ ଚକ୍ଷୁରେ ଗଭୀର ବିସ୍ମୟର ରେଖା ଫୁଟିଉଠିଲା ।

 

ଲୀଳା କହିଲା—ମୁଁ ଜାଣେ, ତମେ ତାହା ଏ ପର୍ଯ୍ୟନ୍ତ ଜାଣି ପାରି ନ ଥିବ । ଆଉ ମୁଁ ନ କହିଥିଲେ ବି ଜାଣିବାର ସୁଯୋଗ ତମେ କେବେ ପାଇ ନ ଥାନ୍ତ ।

 

ତୁଷାରକାନ୍ତିଙ୍କ ଚକ୍ଷୁରେ ଗଭୀର ଆଗ୍ରହ ଦେଖା ଦେଲା । ସେ ଚିନ୍ତିତ ହେଲା ଭଳି କିଛି ସମୟ ନୀରବ ରହିଗଲେ । ତା ପରେ କହିଲେ—ଠିକ୍, ଠିକ୍ କହିଛ ତମେ ଲୀଳା । ରୀତାର ମୁଖର ଗଠନ ପ୍ରଣାଳୀ ସହିତ ତମ ମୁଖର ଗଠନ ପ୍ରଣାଳୀରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । କେବଳ ଦେହର ରଙ୍ଗକୁ ବାଦ୍ ଦେଲେ...

 

ତମେ ତାକୁ ଅକଥନୀୟ ଯନ୍ତ୍ରଣା ଦାଉରୁ ଉଦ୍ଧାର କରିଛ । କର୍ମବ୍ୟସ୍ତ ଜୀବନ ଭିତରେ ନିଜର ଅବସର ସମୟତକ ତାହାରି ସେବାରେ ବିନିଯୋଗ କରି ତାକୁ ରୋଗମୁକ୍ତ କରିବାର ଚେଷ୍ଟା କରିଛ । ମୁଁ ପୂର୍ବରୁ ଶୁଣିଥିଲି ତମର ଚିକିତ୍ସାର ସୁନାମ ଅଛି । ଶହ ଶହ ରୋଗୀ ତମ ଦ୍ୱାରା ରୋଗମୁକ୍ତ ହୋଇଛନ୍ତି । ଆଉ ମୋର ହତଭାଗିନୀ ଭଉଣୀଟି ଯେ ତୁମରି ସେବାରୁ ରୋଗମୁକ୍ତ ହେବ, ସେ ବିଶ୍ୱାସ ମୁଁ କରି ସାରିଥିଲି ।

 

କିନ୍ତୁ ଡକ୍ଟର, ସେ ହତଭାଗୀକୁ ବଞ୍ଚାଇବା ପରିବର୍ତ୍ତେ ମାରି ଦେଇ ପାରନ୍ତି ନାହିଁ ? ଚିରଦିନ ଶାରୀରିକ ଯନ୍ତ୍ରଣା ଭୋଗି ଭୋଗି ଅହରହ ମାନସିକ ଯନ୍ତ୍ରଣାରେ ପ୍ରପୀଡ଼ିତ ହେବା ବ୍ୟତୀତ ତମେ ତାକୁ ଏତକ ଦୟା ଦେଖାଇ ପାରନ୍ତ ନାହିଁ ? ଲୀଳାର କମ୍ପିତ ହସ୍ତ ତୁଷାରକାନ୍ତିଙ୍କ ହସ୍ତରେ ଦୋଳାୟିତ ହେବାରେ ଲାଗିଥିଲା । ଆଉ ତା ଚକ୍ଷୁରେ ଚିକ୍ ଚିକ୍ କରି ଉଠୁଥିଲା ଅଶ୍ରୁର ବିନ୍ଦୁ ।

 

ଡାକ୍ତରର ଧର୍ମ ହେଉଛି ରୋଗୀକୁ ବଞ୍ଚାଇବା ଲୀଳା, ମାରିବା ନୁହେଁ । ମୁଁ ଶେଷସୁଦ୍ଧା ତମ କଥା ଶୁଣିବା ପାଇଁ ଚାହେଁ... ତୁଷାରକାନ୍ତିଙ୍କ ଗମ୍ଭୀର କଣ୍ଠ ସେହି କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ଗୁଞ୍ଜରଣ ତୋଳୁଥିଲା । ତା ପରେ ଲୀଳାକୁ ଆହୁରି ନିଜ ପାଖକୁ ଟାଣି ଆଣି ସେ କହିଲେ—ତମେ ଏହା ଭିତରକୁ କେମିତି ଆସିଲ ?

 

ତୁଷାରକାନ୍ତିଙ୍କ ଚକ୍ଷୁକୁ ନିର୍ନିମେଷ ନୟନରେ ଅନାଇ ରହିଥିଲା ଲୀଳା । ତା ପରେ ନିଜକୁ ସହଜ କରି ଆଣି ସେ କହିଲା—ତା ପରଦିନ ଆଉ ଲୁସିର ସାକ୍ଷାତ ପାଇଲି ନାହିଁ । ହୁଏ ତ ମୋତେ କିଛି ପରିମାଣରେ ସେଦିନ ସାନ୍ତ୍ୱନା ଦେବା ପାଇଁ ଏହିପରି କହି ପାରିଥାଏ ଜାଣି ମୁଁ ନୀରବ ରହିଲି । ଦୁଇ ଦିନ ପରେ ମୁଁ ଯେତେବେଳେ ଶଯ୍ୟା ଛାଡ଼ି ଉଠେ, ସେତେବେଳେ ନୁରୁକୁ ହସ ହସ ମୁହଁରେ ମୋହରି କୋଠରି ଭିତରକୁ ପଶି ଆସୁଥିବାର ଦେଖିଲି ।

 

ସେ ଏକାଥରେ ମୋତେ ଆଲିଙ୍ଗନ କରୁ କରୁ କହିଲା—ସେଦିନ ତମର ଦୁଃଖର କାହାଣୀ ଶୁଣିସାରିବା ପରେ ମୁଁ କେତେଦୂର ଯେ ମୋ କଥା ରକ୍ଷା କରିପାରିବି, ସେଥିରେ ସନ୍ଦିହାନ ହୋଇ ପଡ଼ିଥିଲି । ହେଲେ, ଆଜି ମୁଁ ତମ ଦାୟିତ୍ୱରୁ ମୁକ୍ତ ।

 

ମାନେ ?

 

ମୋ ମୁହଁରୁ ଏହି କଥା ଶୁଣି ସେ ହସିଉଠିଲା । ତା ପରେ ମୋ ହାତ ଧରି ଟାଣି ନେଇ ଖଟ ଉପରେ ବସାଇ ଦେଉ ଦେଉ କହିଲା—ଆମ କମ୍ପାନୀରେ ଏକାଉଣ୍ଟାଣ୍ଟ ଭାବରେ ବାପା ତମକୁ ନିଯୁକ୍ତି ଦେଇଛନ୍ତି, ମାସିକ ଦୁଇ ଶହ ଟଙ୍କା ଦରମାରେ । ତା ପରେ ତମେ ଯଦି ନିଜ କାମରେ ଦକ୍ଷତା ଦେଖାଇପାର, ତା ହେଲେ ମାସକୁ ପାଞ୍ଚ ଶହ ଟଙ୍କା ବେତନରେ ତମକୁ ଆମ କମ୍ପାନୀର ପ୍ରତିନିଧି ଭାବରେ ନିଯୁକ୍ତି ମିଳିବ । ଏତକ କହି ସେ ମୋ ମୁହଁକୁ ଅନାଇଲା ।

 

ପ୍ରକୃତରେ ମୁଁ ସେତେବେଳେ ତା କଥାରେ ଏତେ ବିହଳିତ ହୋଇ ପଡ଼ିଥିଲି ଯେ, ହଠାତ୍ କିପରି ଏକ ଆନନ୍ଦର ଉଚ୍ଛ୍ୱାସ ଭିତରେ ନିଜର ସତ୍ତା ହରାଇ ବସିଥିଲି ।

 

ସେ ମୋତେ ହଲାଇ ଦେଇ କହିଲା—ଆରେ, ଏମିତି ବସିଗଲ କଣ, ଏତେ ବଡ଼ ଶୁଭ ସମ୍ବାଦଟା ଜଣାଇଲି, ମୋର ପୁରସ୍କାର କାହିଁ ?

 

ସତେ ତ, ମୁଁ ଯେମିତି ସଚେତନ ହୋଇଗଲି । ସେମାନେ ଆମ ଘରେ ରହିବାର ଦୀର୍ଘଦିନ ପରେ ଆଜି ଯେତେବେଳେ ସ୍ୱତଃପ୍ରବୃତ୍ତ ଭାବରେ ସେ ଆମ ଘରକୁ ଆସିଛି, ସେତେବେଳେ ଅନ୍ତତଃ ତାକୁ ଚା’ ପିଆଲାଟାଏ ଦେବା କଥା ।

 

ମୁଁ ଉଠିପଡ଼ି ଭିତରକୁ ଗଲି । ରୀତା ତା କୋଠରି ଭିତରେ ପଢ଼ିବା ଆରମ୍ଭ କରି ଦେଇଥିଲା । କାରଣ ଆଉ ଦୁଇ ଦିନ ପରେ ଆଇ. ଏସ୍–ସି. ପରୀକ୍ଷାରେ ସେ ଯୋଗ ଦେବ । ତାକୁ ବିରକ୍ତ ନ କରି ନିଜେ ମୁଁ ରୋଷାଇ ଘର ଭିତରକୁ ପ୍ରବେଶ କଲି । ମୀତା ବାପାଙ୍କ ପାଇଁ ଚା ତିଆରି କରୁଥିଲା । ତାକୁ ଆଉ ଦୁଇ କପ୍ ପାଇଁ ପାଣି ଦେବାକୁ କହି ମୋ କୋଠରିକୁ ଫେରି ଆସିଲି ।

 

ନୁରୁ ଖଣ୍ଡିଏ ମାଗାଜିନର ପୃଷ୍ଠା ଲେଉଟାଉଥିଲା । ତାର ଚକ୍ଷୁ ଲାଗି ରହିଥିଲା ‘ଇଲଷ୍ଟ୍ରେଟେଡ୍ ଉଇକଲି’ ରେ ବାହାରିଥିବା ଏକ ନବ ବିବାହିତ ଦମ୍ପତିଙ୍କ ଛବି ଉପରେ । ମୋର ଆସିବାର ସଂକେତ ପାଇ, ସେ ସେହି ଫଟୋଗ୍ରାଫ୍, ଉପରେ ହାତ ମାରି କହିଲା—ଦେଖିଲ ଲୀଳା, ଏଇ ଯୋଡ଼ିଟିଙ୍କ ମୁଖରେ କେତେ ଆନନ୍ଦରେ ଲହଡ଼ି ଖେଳୁଛି । ପ୍ରକୃତରେ ଏହି ଫଟୋଗ଼ିଡିକ ଦେଖିଲେ ମୋର ଭାରି ଈର୍ଷା ହୁଏ ।

 

କାହିଁକି ?

 

ମୋ ମୁହଁରୁ ‘କାହିଁକି’ ର ପ୍ରଶ୍ନ ସେ ବୋଧହୁଏ ଆଶା କରି ନ ଥିଲା । ତେଣୁ କିଛି ସମୟ ନୀରବ ରହି କହିଲା—ବିବାହିତ ଜୀବନର ମଧୁ ସଂଗ୍ରହ କରି ପରସ୍ପରକୁ ବିତରଣ କରିବା ପାଇଁ ସେମାନେ ଆତ୍ମହରା ହୋଇ ପଡ଼ିଛନ୍ତି ।

 

ଆଉ ତମେ ଚେଷ୍ଟା କରୁନା...

 

ହେତ୍, ମୁଁ ଚେଷ୍ଟା କଲେ କେମିତି ହୋଇଯିବ ଯେ, ସେ ତ ସେଇଆଡ଼େ...

 

ମାନେ, ତମର... ମାନେ, ତୁମେ ବିବାହ କରି ସାରିଛ ?

 

ତୁମ ଭଳି ଓଲୀ ଝିଅ ମୁଁ ଆଉ କେଉଁଠି ଦେଖିନି, ବୁଝିଲ ।

 

ମାନେ ?

 

ମାନେ, ବିବାହ ଆମର ହୋଇ ନାହିଁ । ସେ ଆମେରିକାରେ ଡକ୍ଟରୀ ପଢ଼ୁଛନ୍ତି । ଆସନ୍ତା ବର୍ଷ ଫେରିଲେ ଆମର ବିଭାଘର ହେବ ।

 

ଓଃ..., ମୁଁ ତା କଥାରେ ହସି ହସି କହିଲି—ତମେ ବଡ଼ ଭାଗ୍ୟବତୀ, ନୁରୁ । ଜଣେ ଫରେନ୍ କ୍ୱାଲିଫାଏଡ୍... ଶେଷ ଆଡ଼କୁ କଣ୍ଠର ଭାଷା କେମିତି ଯେ ଦବି ଆସୁଥିଲା, ମୁଁ ନିଜେ ବୁଝିପାରୁ ନ ଥିଲି ।

 

Unknown

ମୋ ହାତଟାକୁ ଚଟ୍‍କିନା ତା ପାଖକୁ ଟାଣି ନେଇ କହିଲା—କଣ ଚେଷ୍ଟା କଲେ ସେହିଭଳି ଗୋଟାଏ ସ୍ୱାମୀ ପାଇ ହବ ନାହିଁ ? ଦେହରେ ତମର ଏତେ ରଙ୍ଗ, ଆଖିରେ କୁହେଳୀ ର ମାୟାର ଇନ୍ଦ୍ରଜାଲ, ଉଚ୍ଚତମ ଶିକ୍ଷାଗତ ଯୋଗ୍ୟତା—କେଉଁ ପୁରୁଷ ନ ଚାହେଁ ତମ ଭଳି ଜଣେ ନାରୀକୁ ନିଜର ପତ୍ନିରୂପେ ପାଇ...

 

ସେତେବେଳେ ତା କଥା ମୋ ଅନ୍ତର ଭିତରେ ଶାଣିଛି ଛୁରୀର ପରାଶ ଭଳି ଲାଗୁଥିଲା-। ପ୍ରକୃତରେ ମୋ ନିଜ ଭିତରେ କେମିତି କମ୍ପନ ଖେଳି ଉଠୁଥିଲା । ଗୋଟାଏ ଦୀର୍ଘଶ୍ୱାସ ନେଇ କହିଲି—ସେ ସବୁ ନିକଟରେ ଗୋଟିଏ ଦୁଃସ୍ୱପ୍ନ ବ୍ୟତୀତ ଆଉ କିଛି ନୁହେଁ, ନୁରୁ-

 

ମୋ କଥାରେ ସେ ଜୋରରେ ହସିଉଠିଲା । ବୋଧହୁଏ ସେ କହିବାର ଭଙ୍ଗୀ ସେ ବୁଝିପାରିଲା ନାହିଁ । ମୋ ଗାଲରେ ଚାପୁଡ଼ା ମାରି କହିଲା—ଏମିତି ଉଦାସଭାବ ସମସ୍ତେ ଦିନ ଦିନେ ଦେଖିଥାଆନ୍ତି, ଲୀଳା । ମୋ ପାଖରେ ଲୁଚାଇଲେ ମୁଁ କଣ ଛାଡ଼ିଦେଲି ବୋଲି ଭାବିଛ ?

 

ସତରେ ନୁରୁ, ଇଏ ମୋ ଭାଗ୍ୟର ନିର୍ମମ ପରିହାସ ବ୍ୟତୀତ ଆଉ କଣ ହୋଇପାରେ-?

 

କିନ୍ତୁ ଏଥିରେ ଭାଗ୍ୟର ପରିହାସ କେଉଁଠି ?

 

କେବଳ ରୂପ, ଗୁଣ, ଯୋଗ୍ୟତାର ପ୍ରାଚୁର୍ଯ୍ୟ ଦେଖାଇ ଆଉ କାଲି କେହି ଜଣେ ଶିକ୍ଷିତ ବ୍ୟକ୍ତିର ସ୍ତ୍ରୀ ହୋଇ ନ ପାରେ । ଶିକ୍ଷିତ ଲୋକର ସ୍ତ୍ରୀ ହେବା ପାଇଁ ଏହା ସହିତ ଦରକାର ପ୍ରଚୁର ଅର୍ଥ ।

 

ନିର୍ବାକ୍ ଭାବରେ ମୋତେ ସେଦିନ ଅନାଇ ରହିଥିଲା ନୁରୁ ତା ଅଭିନୟରେ କୌଣସିଠାରେ ଟିକିଏ ହେଲେ ଦୁର୍ବଳତା ନ ଥିଲା । ଆଉ ଯେଉଁଥିପାଇଁ...

 

ଲୀଳା ଅଟକିଲା । ତାର ଚକ୍ଷୁ ତୁଷାରକାନ୍ତିଙ୍କ ଭାରାତ୍ରୀ ମୁଖମଣ୍ଡଳ ଉପରେ ଘୂରି ଘୂରି ସ୍ଥିର ହୋଇଗଲା । ସେ କହି ପାରୁଥିଲା, ଯେଉଁ ଚକ୍ଷୁରେ ତୁଷାରକାନ୍ତିଙ୍କର ନିଷ୍ଠୁରତା ଫୁଟି ଉଠୁଥିଲା, ସେହି ଚକ୍ଷୁରେ କେମିତି ବିଷଣ୍ଣତା ଆସ୍ତେ ଆସ୍ତେ ଗ୍ରାସ କରି ଆସୁଛି ।

 

କେତେକ ସମୟ ପରେ ସେ ଛିଡ଼ା ହେଲେ । ପକେଟରୁ ଖଣ୍ଡିଏ ସିଗାରେଟ ବାହାର କରି ଟାଣିବାରେ ଲାଗିଲେ । ତା ପରେ ଲକ୍ଷ୍ୟହୀନ ଭାବରେ ସେହି କୋଠରି ଭିତରେ ପଦଚାରଣା କରିବାରେ ଲାଗିଲେ । ପୁଣି ଲୀଳା ନିକଟକୁ ଫେରିଆସି କହିଲେ, ତା ପରେ ?

 

ମୀତା ଆଣି ଦୁଇଟି କପ୍ ଆମ ଆଗରେ ଥୋଇ ଚାଲିଗଲା । ନୁରୁ ଚା’ ପିଉ ପିଉ କହିଲା–ତମ ଅନ୍ତରର କଥା ମୁଁ ଠିକ୍ ବୁଝିପାରୁଛି, ଲୀଳା । ଅସମର୍ଥ ବାପା ଆଉ ଗୁଡ଼ାଏ ଭାଇ ଭଉଣୀଙ୍କର ବୋଝ ଧରି ତମେ ତମର ଭବିଷ୍ୟତ ଆଶାଟାକୁ ଅତି ନିର୍ମମ ଭାବରେ ହତ୍ୟା କରିଛ ।

 

ମୁଁ କେବଳ ତାକୁ ଅନାଇ ରହିଥିଲି ।

 

ସେ କପ୍‍ଟା—ଟିପୟ ଉପରେ ରଖୁ ରଖୁ କହିଲା—ତମ କଥା ମୋ ମନରେ ରହିବ, ଲୀଳା । ତମର ଭବିଷ୍ୟତ ପାଇଁ ମୁଁ ନିଶ୍ଚୟ ପ୍ରତିଶ୍ରୁତି ଦେଉଛି । ଆଚ୍ଛା, ମୁଁ ଆସୁଛି । ତମେ ସାଢ଼େ ଦଶଟା ବେଳକୁ ପ୍ରସ୍ତୁତ ହୋଇଥିବ । ମୁଁ ଗାଡ଼ିରେ ତମକୁ ଆମ କମ୍ପାନୀକୁ ନେଇଯିବି ।

 

ନୁରୁ ଚାଲିଗଲା ପରେ ମୁଁ ନିଜକୁ କେମିତି ଯଥେଷ୍ଟ ପରିମାଣରେ ହାଲୁକା ଅନୁଭବ କରି ପାରୁଥିଲି । ଦୁଇ ଶହ ଟଙ୍କା... ମୋ ସାନ ଭାଇଗୁଡ଼ିକ ଆସି ମୋ ଚାରିପାଖରେ ବେଢ଼ିଗଲେ-। ଦିଦି, ନୂଆ ପେଣ୍ଟ ଜାମା କାହିଁ ?

 

 

ସେମାନଙ୍କୁ ଦେଖି ମୋ ଆଖିରୁ ଧାରେ ଲୋତକ ଗଡ଼ି ଆସିଲା । ତାହା ଦୁଃଖର କି ଆନନ୍ଦର ମୁଁ କହିପାରୁ ନାହିଁ । ସେମାନଙ୍କୁ ମୋ ବାହୁ ଭିତରେ କେତେ ମୁହୂର୍ତ୍ତ ଯାଏ ଯେ ଭିଡ଼ି ଧରି ଛିଡ଼ା ହୋଇଥିଲି, ମୋର ଧାରଣା ନ ଥିଲା ।

 

ମୋ ମଥାରେ କାହାର ସସ୍ନେହ ପରଶ ପାଇ ମୋର ବିହଳତା ଅପସରିଗଲା । ବାପା ମୋତେ ଆଶୀର୍ବାଦ କରୁଥିଲେ—ତୋ ଛୋଟ ଛୋଟ ଭାଇଙ୍କୁ ତୁ ଯେଉଁ ଗଭୀର ସ୍ନେହ ଭିତରେ ବାନ୍ଧି ରଖିଛୁ, ସେଇ ମୋର ଯଥେଷ୍ଟ ଆନନ୍ଦ, ମା । ବାପ ହୋଇ ମୁଁ ତ ତମମାନଙ୍କ ପାଇଁ କିଛି କରିପାରିଲି ନାହିଁ, ଆଉ ତୁ ଯଦି ତୋର ଭାଇମାନଙ୍କୁ ମଣିଷ କରି ଗଢ଼ିତୋଳୁ...

 

ବାବା, ପାଣି ଗରମ ହୋଇଛି, ଗାଧୋଇବ ଆସ ।

 

ମୀତାର ଡାକରାରେ ବାପା ପୁଣି ତାଙ୍କର ଓ୍ୱାକିଂ ଷ୍ଚିକ୍ ସାହାଯ୍ୟରେ ବାହାରକୁ ଚାଲିଗଲେ । ସେମାନଙ୍କୁ ଖେଳିବାକୁ କହି ମୁଁ ପୁଣି ବିଛଣା ଉପରକୁ ଫେରିଆସିଲି ।

 

ତା ପରେ କିଛିଦିନ ବେଶ୍ ସୁଖରେ ମୁଁ ସେହି ଦୋକାନରେ କାମ କରୁଥିଲି । ପୂର୍ବଠାରୁ ମୁଁ ଦେଖିଲି ସମସ୍ତଙ୍କ ମନରେ କି଼ଞ୍ଚିତ୍ ଆନନ୍ଦ ଆସିଛି । ମୋର ଛୋଟ ଛୋଟ ଭାଇମାନେ ଆଉ ନୂଆ ଜାମା ପେଣ୍ଟ ପାଇଁ ଅଳି କରୁନାହାନ୍ତି । ଭଉଣୀମାନେ ପ୍ରତିଦିନ ସ୍କୁଲ, କଲେଜ ଯାଉଛନ୍ତି । କିନ୍ତୁ ବାପା... ସେ ଯେମିତି ସେହି ଦିନଠାରୁ ରୋଗାକ୍ରାନ୍ତ ହୋଇ ଉଠିଲେ । କ୍ରମେ ବାହାରେ ଚାଲବୁଲ କରିବା ଆଉ ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ ।

 

ତା ପରେ ଦିନେ ସେ ଆମକୁ ନିରାଶ୍ରୟ କରି ଛାଡ଼ିଗଲେ । ଓଃ, ତାଙ୍କର ସେ ମୁହୂର୍ତ୍ତର ଅବସ୍ଥା ବର୍ଣ୍ଣନା କରିବା ଭଳି ସାହସ ମୁଁ ପାଇ ପାରୁ ନାହିଁ । ରୀତାର ଟେଲିଫୋନ୍ ପାଇ ମୁଁ ଯେତେବେଳେ ଫେରିଆସେ, ସେତେବେଳକୁ ତାଙ୍କର ବାକଶକ୍ତି ରୁଦ୍ଧ ହୋଇ ଆସିଥିଲା । କଣ କହିବେ ବୋଲି କହି ନ ପାରି ହାତ ଠାରି ମୋତେ ଡାକିଥିଲେ । ତା ପରେ ପିଲାମାନଙ୍କୁ । ସେମାନଙ୍କର ଦାୟିତ୍ୱ ମୋହରି ଉପରେ ଦେଇ ସେ ଆଖି ବନ୍ଦ କରି ଦେଇଥିଲେ ।

 

ତାଙ୍କର ଶୁଦ୍ଧକ୍ରିୟା ସମାପନ କରିବା ପାଇଁ ଉପାୟ ନ ଥିଲା ମୋ ଦରମାରୁ ମାସିକ ପଚାଶ ଟଙ୍କା କାଟିନେବା ସର୍ତ୍ତରେ ନୁରୁ ତାର ତଥାକଥିତ ବାପାଙ୍କ ନିକଟରୁ ହଜାରେ ଟଙ୍କା କରାଇ ଦେଇଥିଲା ।

 

ଠିକ୍ ବାପାଙ୍କ ମୃତ୍ୟୁର ତିନି ମାସ ପରେ ମୁଁ କୋର୍ଟରୁ ଏକ ନିର୍ଦ୍ଦେଶନାମା ପାଇଲି । ସୁନୀତି କୁମାର ମଜୃମଦାର ନାମକ ଜଣେ ଲକ ଆଠ ହଜାର ଟଙ୍କାର ଗୋଟାଏ ନାଲିସ କରିଥିଲେ-। କୋର୍ଟରୁ ଜଣାପଡ଼ିଲା ଯେ, ବାପା ବର୍ଷକ ପୂର୍ବରୁ ରେଜେଷ୍ଟ୍ରି ଏଗ୍ରିମେଣ୍ଟ କରି ତାଙ୍କ ପାଖରୁ ଛ’ ହଜାର ଟଙ୍କା ଆଣିଥିଲେ । ଆଉ ତାର ଏକମାତ୍ର ପରିପୂରକ ଥିଲା ଆମର ବାସସ୍ଥଳୀ-। ମାନେ, ଯାହାର ଅନ୍ୟୂନ ମୂଲ୍ୟ ପଚାଶ ହଜାରରୁ କମ୍ ହେବ ନାହିଁ ।

 

ଆଠ ହଜାର ଟଙ୍କା ଦେଇ ନ ପାରିଲେ, ସେହି କୋଠାଟିକୁ ଆମେ ହରାଇବୁ । ବିଶେଷତଃ ମୋର ତିନୋଟି ଭାଇ—ସେତେବେଳେ ମୋ ଦେହରେ ଆଉ ଜୀବନ ନ ଥିଲା । ଶେଷରେ ଯେ ବାସସ୍ଥଳ ତଥା ସେଥିରୁ ମିଳୁଥିବା ମାସିକ ତିନି ଶହ ଟଙ୍କା ହରାଇ ରାସ୍ତାର ଭିକାରୀ ସାଜିବାକୁ ପଡ଼ିବ, ଏ ଆଶଙ୍କା ମୋର ନ ଥିଲା ।

 

ତମ ବାପା ଯେ ଋଣ କରି ଯାଇଥିଲେ, ମାନେ ବର୍ଷକ ପୂର୍ବରୁ ଏ କଥା ତମେ ଜାଣିଥିଲ-?

 

ତୁଷାରକାନ୍ତିଙ୍କ ପ୍ରଶ୍ନରେ ଚମକିଉଠିଲା ଲୀଳା । ତା ପରେ କହିଲା—ନା, ସେ ଏ କଥା କେବେ ମୋତେ କହି ନ ଥିଲେ କିମ୍ବା କୌଣସି କାଗଜପତ୍ରରେ ସେ ସମ୍ବନ୍ଧୀୟ କୌଣସି ଲେଖା ନ ଥିଲା । ଆଉ ସେହି ଟଙ୍କା ସେ ଯେ ଆଣି କଣ କଲେ, ତାହା ମଧ୍ୟ ମୁଁ ଜାଣି ନ ଥିଲି ।

 

କୋର୍ଟରେ କିନ୍ତୁ ତାଙ୍କର ସିଗନେଚର ଦେଖି ମୁଁ ବିଶ୍ୱାସ କରିଥିଲି ।

 

ତା ପରେ ?

 

ବର୍ତ୍ତମାନ ଉପରେ ଛିଡ଼ା ହୋଇ ଭବିଷ୍ୟତର ଯେଉଁ ସ୍ୱପ୍ନ ମୁଁ ଦେଖୁଥିଲି; ଅର୍ଥାତ୍ ବାପାଙ୍କର ଯେଉଁ ଶେଷ ଆଶା ମୋ ଉପରେ ରହିଥିଲା, ତାହା ଯେ ଏତେ ଶୀଘ୍ର ନିରାଶାରେ ପରିଣତ ହେବ, ମୋର ଏ ଆଶଙ୍କା ଘନୀଭୂତ ହେଲା ।

 

ଚତୁର୍ଦ୍ଦିଗ ଅନ୍ଧକାର ଭିତରେ ପଥ ଖୋଜି ଚାଲିବା ମୋ ପକ୍ଷରେ ଅସମ୍ଭବ ହୋଇ ପଡ଼ୁଥିଲା । ଆମ ଦୁଃଖ ସୁଖରେ କେହି ସମବେଦନା ଜଣାଇବାର ଲୋକ ନ ଥିଲେ । ବରଂ ଆମ ଭଉଣୀମାନଙ୍କ ଚରିତ୍ରରେ ମିଥ୍ୟା କଳଙ୍କ ବୋଳି ଲୋକେ ଆନନ୍ଦଲାଭ କରିବାକୁ ଚେଷ୍ଟା କରୁଥିଲେ-। ସର୍ବୋପରି ମୋର ଚତୁର୍ଦ୍ଦିଗରେ ଯେଉଁ ପ୍ରଲୁବ୍‍ଧ ଦୃଷ୍ଟି ସବୁ କ୍ଷୁଧାତୁର ଭାବରେ ଘୂରି ବୁଲୁଥିଲା, ବାସଭବନଟି ହରାଇ ସାରିବା ପରେ ସେମାନେ ଯେ ସେଥିରୁ କେଉଁ ପ୍ରକାର ଲାଭବାନ ହୋଇ ପାରିବେ, ତାହା ଚିନ୍ତା କରି ମୁଁ ବିଚଳିତ ହୋଇ ପଡ଼ୁଥିଲି ।

 

ସେହି ଚିନ୍ତାରେ ତିନି ଦିନ ଧରି ମୁଁ କୁଆଡ଼େ ବାହାରକୁ ବାହାରି ପାରୁ ନ ଥିଲି କି ଖାଇପିଇ ପାରୁ ନ ଥିଲି । ରୀତା କିନ୍ତୁ ଖୁବ୍ ଭାଙ୍ଗିଥିଲା । ଆମ ଦୁଇ ଜଣଙ୍କ ବ୍ୟତୀତ ଆଉ କେହି; ଅର୍ଥାତ୍, ଭଉଣୀ ଭାଇମାନେ ଯେମିତି ଏ ଦୁଃସମ୍ବାଦ ନ ଶୁଣନ୍ତୁ, ସେଥିପାଇଁ ମୁଁ ତାକୁ ତାଗିଦ୍ କରି ଦେଇଥିଲି ।

 

ତୃତୀୟ ଦିବସର ଖୁବ୍ ପ୍ରତ୍ୟୁଷରୁ ମୀରାର ଡାକରେ ମୋର ନିଦ ଭାଙ୍ଗିଲା । ମୁଁ ଉଠିପଡ଼ି ଦେଖେ ତ ନୁରୁ ଆସି ବସିଛି । ପ୍ରକୃତରେ ସେଦିନ ତାକୁ ଦେଖି ମୋର ଯେମିତି ସାହସ ଟିକିଏ ଫେରି ଆସିଲା ।

 

କିଛି କହିବା ପୂର୍ବରୁ ମୁଁ କାହିଁକି ତିନି ଦିନ ହେଲା ଯାଇ ନାହିଁ, ତାର କୈଫିୟତ ସେ ପଚାରି ବସିଲା । ଅଗତ୍ୟା ମୁଁ ତାକୁ ସବୁ ଖୋଲି କହିବାକୁ ବାଧ୍ୟ ହେଲି ।

 

ମୋ କଥା ଶୁଣି ସେ ଖୁବ୍ ଚିନ୍ତିତ ହୋଇ ଉଠିଲା । ମୋର ମନେ ହେଲା, ସେ ଯେଉଁ ପରିମାଣରେ ଆନନ୍ଦ ନେଇ ଆମ ଘର ଭିତରକୁ ଆସିଥିଲା, ମୋ ମୁହଁରୁ କଥା ଶୁଣି ସାରିବା ପରେ ତାର ଆନନ୍ଦ ଯେମିତି କୁଆଡ଼େ ଉଭେଇ ଯାଇଥିଲା ।

 

ରୀତା ଚା’ ଆଣି ଆମ ସାମନାରେ ରଖି ବାହାରକୁ ଚାଲିଗଲା । ଚା’ କପରେ ଓଷ୍ଠ ସଂଯୋଗ କରୁ କରୁ ସେ କହିଲା—ତମେ ଖୁବ୍ ବିଳମ୍ବ କରିଦେଲ, ଲୀଳା । ହୁଏ ତ ମୋ ଉପରେ ତୁମର ବିଶ୍ୱାସ ଆସି ନ ଥିଲା । ଯେଉଁଥିପାଇଁ ତୁମର ଏପରି ଦୁର୍ଦ୍ଦିନରେ ମୋତେ ବି ଟିକିଏ ଅଂଶ ଗ୍ରହଣ କରିବାକୁ କହିପାରିଲ ନାହିଁ ।

 

ନୁରୁ ଉପରେ ସେତେବେଳେ ମୋର ସେହି ବିଶ୍ୱାସ ଥିଲା । କାରଣ ତାଙ୍କ ବାପାଙ୍କର ଲକ୍ଷ ଲକ୍ଷ ଟଙ୍କାର କାରବାର ଚାଲିଥିଲା, ଆଉ ଏକମାତ୍ର ଝିଅ ଭାବରେ ସେ ଯେ ଏତକ କରି ପାରିବ, ଏ ଆଶା ମୋର ଥିଲେ ହେଁ ଅଳ୍ପଦିନ ତଳେ ଯେଉଁ ଋଣ ମୁଁ ଆଣିଥିଲି, ତାହା ପରିଶୋଧ ହୋଇ ନ ଥିଲା । ପୁଣି ଏତେଗୁଡ଼ାଏ ଟଙ୍କା...

 

କୋଠରି ଭିତରେ ନୀରବତା ଭରି ରହିଥିଲା ।

 

ସେ ନୀରବତା ଭଙ୍ଗ କରି ଗମ୍ଭୀର ସ୍ୱରରେ କହିଲା—ତା ହେଲେ ତୁମର ଇଚ୍ଛା, ସେ ସେତକ ଟଙ୍କା ବିନିମୟରେ ଏ କୋଠାର ମାଲିକାନା ସ୍ୱତ୍ୱ ପାଉ, ଆଉ ତୁମେ ତୁମର ଭାଇ ଭଉଣୀମାନଙ୍କୁ ଧରି ଫୁଟପାଥ୍ ଉପରକୁ ଓହ୍ଲାଇପଡ଼ ?

 

କିନ୍ତୁ ମୋର କଣ ଆଉ ଉପାୟ ଅଛି ତୁମେ କୁହ ନୁରୁ ! ଏଭଳି ଅବସ୍ଥାରେ ମୁଁ କଣ କରିପାରେ ? ଆଉ କିଏ ବା ମୋତେ ହଠାତ୍ ଏତେଗୁଡ଼ାଏ ଟଙ୍କା ଦେଇ ପାରିବ ?

 

ତା ହେଲେ ଯେଉଁ ସାହସ ଧରି ତୁମ ଭାଇମାନଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରୁଥିଲ, ଏତିକିରେ ତାର ପୂର୍ଣ୍ଣଚ୍ଛେଦ ପଡ଼ିବ ? ସେମାନେ ରାସ୍ତା ଘାଟରେ, ଅଗଣିତ ବୁଭୁକ୍ଷୁ କଙ୍ଗାଳଙ୍କ ପରି ହାତ ପତାଇ ଘୂରି ବୁଲିବେ... ସର୍ବୋପରି ତୁମ ବଂଶର ଐତିହ୍ୟ ଏହିଭଳି ଭାବରେ ଲୋପ ପାଇଯିବ ?

 

ନୁରୁ ବେଗମ୍ ! ମୁଁ ଚିତ୍କାର କରି ଉଠିଥିଲି । ତା କଥାରେ ଯେଉଁ ନଗ୍ନସତ୍ୟ ଫୁଟିଉଠୁଥିଲା, ତାର ଏକ କାଳ୍ପନିକ ଚିତ୍ର ମୋର ଚକ୍ଷୁର ସମକ୍ଷରେ ଉଦ୍ଭାସିତ ହୋଇ ଉଠୁଥିଲା । ଭୀତତ୍ରସ୍ତ ଭାବରେ ମୁଁ ତାକୁ ଭିଡ଼ି ଧରିଥିଲି ।

 

ସେ ଆସ୍ତେ ଆସ୍ତେ ମୋ ହାତକୁ ତା ଦେହରୁ ଖସାଇ ନେଇ କହିଲା—ଦୁନିଆର ଗତି ବଡ଼ ବିଚିତ୍ର, ଲୀଳା । ଲୋକେ ସରଳ ଭାବରେ ଜୀବନ ଯାପନ କରିବାକୁ ଚେଷ୍ଟା କଲେ, କଦାପି ତିଷ୍ଠି ପାରିବେ ନାହିଁ । କିନ୍ତୁ ଠକାମୀ, ବିଶ୍ୱାସଘାତକତା, ନୃଶଂସତା ବଳରେ ମଣିଷ ସମାଜର ମୁଖ୍ୟସ୍ଥାନ ଅଗ୍ରାଧିକାର କରିପାରିବ ।

 

କିନ୍ତୁ ଏଭଳି କ୍ଷେତ୍ରରେ ମୋର ଆଉ ଉପାୟ କଣ, ନୁରୁ ? ମୁଁ କଣ ମୋ ଭାଇମାନଙ୍କୁ ମଣିଷ କରିବାକୁ ଚେଷ୍ଟା କରି ନାହିଁ ?

 

ନୁରୁ ଚେୟାର ଛାଡ଼ି ମୋ ପାଖକୁ ଆସିଲା । ତା ପରେ ମୋ ମୁହଁକୁ କିଛି ସମୟ ଅନାଇ ରହି କହିଲା—“ତୁମେ ଆହୁରି ଦୃଢ଼ ହୋଇ ପାରିବ, ଆହୁରି କଠିନ ହୋଇ ପାରିବ ? ଜୀବନ ସଂଗ୍ରାମରେ ଜୟଯୁକ୍ତ ହେବା ପାଇଁ, ତୁମର ଭାଇମାନଙ୍କୁ ମଣିଷ କରିବା ପାଇଁ ନିଜକୁ ଶକ୍ତ ରଖିପାରିବ ?”

 

ନୁରୁର କଣ୍ଠ ଉତ୍ତେଜିତ ହୋଇ ଉଠୁଥିଲା । କିନ୍ତୁ ମୁଁ ତା କଥାରୁ କିଛି ବୁଝିପାରୁ ନ ଥିଲି-। ସେ ମୋତେ ଜୋରରେ ହଲାଇ ଦେଇ କହିଲା—ଯେଉଁ ପୁରୁଷ ସମାଜ ତୁମକୁ କ୍ଷୁଧିତ ଚାହାଣୀରେ ଜର୍ଜ୍ଜରିତ କରୁଛନ୍ତି, ଯେଉଁମାନେ ତୁମକୁ ବିପଦ ଭିତରେ ପକାଇ ସେମାନଙ୍କର ସ୍ୱାର୍ଥ ହାସଲ କରି ନେବାକୁ ଚାହାନ୍ତି—ସେମାନଙ୍କ ଉପରେ ତୁମେ ପ୍ରତିଶୋଧ ନେଇ ପାରିବ ?

 

ନୁରୁ !

 

ତୁମେ ମୋ ନିକଟରେ ତୁମର ଏହି ଦୁର୍ଦ୍ଦଶାର କାହାଣୀ ଲୁଚାଇ ରଖିଥିଲେ ବି ମୋ ଆଗରେ ଛପି ରହି ପାରି ନ ଥାନ୍ତା । ତୁମ ପଛେ ପଛେ ସେଦିନ ମୁଁ କୋର୍ଟକୁ ଯାଇଥିଲି । ଆଉ ଦେଖିଥିଲି ସୁନୀତି ତୁମାର ମଦଜୁମାରଙ୍କୁ । ତୁମ ଅଲକ୍ଷ୍ୟରେ ତାଙ୍କ କାରକୁ ଫଲୋ କରି ମୁଁ ଯାଇ ପହଞ୍ଚିଲି ତାଙ୍କର ସୁରମ୍ୟ ଅଟ୍ଟାଳିକାରେ । ସୁରମ୍ୟ ଅଟ୍ଟାଳିକା ତ ନୁହେଁ, ବିଳାସ ଭବନ କହିପାର । ଏତେ ବଡ଼ ଅଟ୍ଟାଳିକା, ମୁଲ୍ୟବାନ୍ ଗାଡ଼ି, ଚାକର, ପୂଜାରୀଙ୍କ ଗହଳରେ ଗୋଟିଏ ମାତ୍ର ସ୍ତ୍ରୀଲୋକ ନ ଦେଖି ମୋର ସନ୍ଦେହ ଉପୁଜିଲା । ମୁଁ କୌଶଳରେ ତାଙ୍କର ଜଣେ ପରିଚାରକକୁ ଏ ବିଷୟରେ ପଚାରିବାରୁ ସେ ମୋତେ ଏକ ରହସ୍ୟମୟ ଦୃଷ୍ଟି ନେଇ ଅନାଇଲା ।

 

ବାବୁଙ୍କ ସହ ସାକ୍ଷାତ ପାଇଁ ବନ୍ଦୋବସ୍ତ କରିବି ?

 

ମୋର ପ୍ରଶ୍ନରେ ତାର ହଠାତ୍ ଏଭଳି ଉତ୍ତର ପାଇ ମୁଁ ସ୍ତବ୍‍ଧ ହୋଇଗଲି । ତା ହାତରେ ପାଞ୍ଚଟି ଟଙ୍କା ଧରାଇ ଦେଇ କହିଲି—ମୁଁ ଯାହା ପଚାରୁଛି, ମୋତେ ଉତ୍ତର ଦିଅ ।

 

ସେ ମୋ ମୁହଁକୁ ଅନାଇ ହସିଲା । ତା ପରେ କହିଲା—ବାବୁଙ୍କ ପାଖକୁ ପ୍ରତିଦିନ ତ ଜଣେ ଜଣେ ଘରଣୀ ଆସି ସକାଳୁ ଚାଲି ଯାଉଛନ୍ତି, ଆଉ ତାଙ୍କର ସ୍ଥାୟୀ ଘରଣୀର ଦରକାର କଣ-? ସେ ବି ସେଭଳି ପରିସ୍ଥିତିରେ ନାହାନ୍ତି ।

 

ସତ କହୁଛି, ସେତେବେଳେ ତା କଥାଟାର ମର୍ମ ମୁଁ ଏତେ ହଠାତ୍ ବୁଝିପାରି ନ ଥିଲି । କାରଣ ଠିକ୍ ସେତିକିବେଳେ ପୁଣି କୁଆଡ଼େ ବୋଧହୁଏ ସୁନୀତି ମଜୁମଦାର ବାହାରିଥିଲା । ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ସେହି ଲୋକଟିକୁ ଚାହିଁଲା ।

 

ଲୋକଟି ହସି କହିଲା—ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି ।

 

ତା ପରେ ସେହି ଲୋକଟି ମୋତେ ଭିତରକୁ ନିମନ୍ତ୍ରଣ କଲା । ବିନା ପ୍ରତିବାଦରେ ମୁଁ ଭିତରକୁ ଆଗେଇ ଗଲି ।

 

ଏକ ସୁସଜ୍ଜିତ ଡ୍ରଇଁ ରୁମରେ ମୋତେ ବସିବାକୁ ନିର୍ଦ୍ଦେଶ ଦେଇ ସୁନୀତି ମଜୁମଦାର ଅପେକ୍ଷା କରିଥିବା ଲୋକଟିକୁ ଦୁଇ କପ୍ କଫି ଆଣିବାକୁ ନିର୍ଦ୍ଦେଶ ଦେଲା ।

 

ସେ ବାହାରିଯିବା ସଙ୍ଗେ ସଙ୍ଗେ କୋଠରିରେ ଥିବା ଏୟାର୍ କୁଲର୍ ଯନ୍ତ୍ରଟିକୁ ଚାଳିତ କରି ବିନାଭୂମିକାରେ ସେ ଆରମ୍ଭ କଲା, ମୁଁ ଜାଣେ ବିନା ଅର୍ଥର ଲାଳସାରେ କେହି ତରୁଣୀ କେବେ ଏଠାକୁ ଆସେ ନାହିଁ । ଆଉ ତୁମର କେତେ ଦରକାର ?

 

ମାନେ ? ମୁଁ ଚମକି ଉଠିଲି ।

 

ସେ ହସି ହସି କହିଲା–—ଏହି ଗେଟର ସୀମା ଯେଉଁମାନେ ପାର ହୁଅନ୍ତି, ସେମାନେ ଭଲ ଭାବରେ ଜାଣନ୍ତି ଏଠାକୁ ସେମାନେ କଣ ପାଇଁ ଆସନ୍ତି, ଆଉ କଣ ନେଇ ଫେରନ୍ତି । ଆଉ ମୋର ମନେହୁଏ ତୁମ କଥା ସ୍ୱତନ୍ତ୍ର । କଥା କହିବାର ଚାତୁରୀ ଅଛି, ରୂପ ବି ଅଛି ।

 

ସତ କହୁଛି ଲୀଳା, ମୋର ସେହିକ୍ଷଣି ଇଚ୍ଛା ହେଉଥିଲା, ଗୋଡ଼ରୁ ଚପଲ ଖୋଲି ତାକୁ ପିଟି ଥାଆନ୍ତି । କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ମୁଁ ନରମ ହୋଇ କହିଲି—ସମସ୍ତଙ୍କୁ ସେହିମାନଙ୍କ ଭଳି ଭାବି ତୁମେ ଭୁଲି କରୁଛ ସୁନୀତି ମଜୁମଦାର । ମୁଁ ଆସିଛି ଏକ ସ୍ୱତନ୍ତ୍ର କାରଣ ନେଇ ।

 

ମାନେ ?

 

ମାନେ, ଲୀଳା ସାନ୍ନ୍ୟାଲର ଏ ଅସମୟରେ ତୁମର ସାହାଯ୍ୟ ଲୋଡ଼ି । ମାନେ, ମାସିକ କିସ୍ତିରେ...

 

ହଠାତ୍ ମୋ କଥା ଶୁଣି ସେ ହୋ ହୋ ହୋଇ ହସିଉଠିଲା । ତା ପରେ କହିଲା—ମୋର ବ୍ୟବସାୟ କିନ୍ତୁ ଅନ୍ୟ ଧରଣର । ଆଉ ଏବେ ମୋ ନିକଟରେ ସମୟ ଖୁବ୍ କମ୍ । ବିନାସ୍ୱାର୍ଥରେ ମୁଁ କାହାରିକୁ ସାହାଯ୍ୟ କରେ ନାହିଁ । ଆହୁରି ବି ମୁଁ ଜାଣେ, ସେ ମୋ ଟଙ୍କା କେବେ ଦେଇପାରିବ ନାହିଁ ।

 

ମାନେ ?

 

ମୁଁ କଣ ମିଛ କହୁଛି ବୋଲି ତୁମେ ଭାବୁଛ ? ଅବଶ୍ୟ ଏ କଥା ମୁଁ ସ୍ୱୀକାର କରୁଛି ଯେ, ମାସକୁ କିଛି କିଛି ଟଙ୍କା ଦେଇ ଲଙ୍ଗ୍ ଟର୍ମରେ ସେ ପରିଶୋଧ କରିପାରେ । ମୁଁ କିନ୍ତୁ ସେଥିପାଇଁ ପ୍ରସ୍ତୁତ ନୁହେଁ ।

 

ତା ହେଲେ ?

 

ତାର ବୀଭତ୍ସ ହସରେ ସେହି କୋଠରିଟି ପୂରିଉଠିଲା । ସେ ଏକ ତୀର୍ଯ୍ୟକ୍ ଚାହାଣୀରେ ମୋତେ ଅନାଇ କହିଲା—ଏକ ପାଖରେ ନଗଦ ଆଠ ହଜାର ଟଙ୍କା; ନଚେତ୍ ଅପର ପକ୍ଷରେ...

 

ଅପର ପକ୍ଷରେ ?

 

ମୋର ଶଯ୍ୟାସଙ୍ଗିନୀ ଭାବରେ ମୁଁ ଗୋଟାଏ ମାସ ଲୀଳା ସାନ୍ନ୍ୟାଲକୁ ଚାହେଁ ।

 

ବ୍ରୁଟ... ମୁଁ ଚିତ୍କାର କରିଉଠି କ୍ଷୀପ୍ର ଭାବରେ ସେଠାରୁ ଚାଲି ଆସିଲି । ପଛରୁ ତାର କଣ୍ଠସ୍ୱର ଶୁଣାଯାଉଥିଲା—ଆହୁରି ବି ଏ କଥା ତାକୁ ଜଣାଇଦେବ, ଯଦି ଏ ଦୁଇଟା ପ୍ରସ୍ତାବରୁ ଗୋଟିକରେ ବି ସେ ରାଜି ନ ହୁଏ, ତା ହେଲେ ତାକୁ ଯେ କୌଣସି ଉପାୟରେ...

 

ନୁରୁ ବେଗମ... ! ମୁଁ ଅସହ୍ୟ ଉତ୍ତାପରେ ନୁରୁ ବେଗମକୁ ଭିଡ଼ି ଧରିଲି । ମୋର ଚକ୍ଷୁରୁ ଲୋତକର ଧାରା ଅବାରିତ ଭାବରେ ବହି ଚାଲିଥିଲା ।

 

ସେ ମୋତେ ସାନ୍ତ୍ୱନା ଦେଇ କହିଲା—ତୁମକୁ କୌଣସି ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ, ଲୀଳା । ନ ହେଲେ ଏ କୋଠା ତ ତୁମେ ହରାଇବ ଏଥିରେ ସନ୍ଦେହ ନାହିଁ, ଶେଷରେ ତୁମରି ଭଉଣୀମାନଙ୍କ ସହିତ ତୁମେ ଯେ ସୁନୀତି ମଜୁମଦାରର ଶରବ୍ୟ ନ ହେବ...

 

ନୁରୁ ବେଗମ... ! ତୁମେ, ତୁମେ ବି କଣ ଚାହଁ...

 

ମୋତେ ଭୁଲି ବୁଝନା ଲୀଳା । ମୁଁ ଚାହେଁ ସେହି ଉଦ୍ଧତ ପୁରୁଷ ସିଂହକୁ ତୁମରି ଜରିଆରେ ଏମିତି ଶାସ୍ତି ଦେବି ଯେ, ସେ ଜୀବନରେ ଯେମିତି ଆଉ କେଉଁ ଅସହାୟା ଯୁବତୀ ଉପରେ ଲାଳସାସିକ୍ତ ହୋଇଉଠିବ ନାହିଁ ।

 

ମାନେ ?

 

ସେଥିପାଇଁ ତୁମର ଧୈର୍ଯ୍ୟ ଆଉ ସାହସ ଦରକାର ଲୀଳା । ଆଉ ତୁମେ ଯଦି ସେହି ଧୈର୍ଯ୍ୟ ଆଉ ସାହସ ଉପରେ ଛିଡ଼ା ହୁଅ, ଅଳ୍ପ କେଇଦିନ ଭିତରେ ବି ଉଦ୍ଧତ ସୁନୀତି ମଜୁମଦାରର ସମସ୍ତ ସମ୍ପତ୍ତି କ୍ରୟ କରିବାକୁ ସମର୍ଥ ହୋଇପାରିବ ।

 

ମୁଁ ହଠାତ୍ ନୁରୁ ବେଗମକୁ ବୁଝିବା ଭଳି ସାହସ ପାଇ ପାରିଲି ନାହିଁ । ସେ କିନ୍ତୁ ମୋ କଥା ବୁଝିପାରିବା ଭଳି ଭାବ ଦେଖାଇ କହିଲା—ମୁଁ ଜାଣେ, ମୋ କଥା ତୁମର ଅବିଶ୍ୱାସ ହେଉଥିବ । ଆଉ ମୋର ଏଇ କଥା ଶୁଣି ତୁମେ ମୋତେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିବ; କିନ୍ତୁ ଦିନ ଥିଲା, ମୁଁ ବି ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି । ବାପର ହାତ ଧରି ରାସ୍ତା ଘାଟରେ ଘୂରି ବୁଲିବା ବେଳେ କେତେକ କ୍ଷୁଧିତ ଚକ୍ଷୁ ମୋ ଉପରେ ବି ଘୂରି ବୁଲୁଥିଲା ।

 

ହେଲେ, ଆଜି ଦେଖୁଛ... ମୁଁ କୋଟିପତି, ବାପ ମୋର ଲକ୍ଷ ଲକ୍ଷ ଟଙ୍କାର ଅଧିକାରୀ । ସେଦିନର ଗୋଟିଏ ଅସହାୟା ଯୁବତୀକୁ ବିବାହ କରିବା ପାଇଁ ଆଜି କେତେ ଫରେନ୍ କ୍ୱାଲିଫାଏଡମାନଙ୍କଆଡ଼ୁ ପ୍ରସ୍ତାବ ଆସୁଛି; କିନ୍ତୁ ଏଥିପାଇଁ ଦୀର୍ଘ ତିନି ବର୍ଷ ମୋତେ କମ୍ ପରିଶ୍ରମ କରିବାକୁ ପଡ଼ି ନାହିଁ । ମୋର ରୂପରେ ଜାଲରେ ସମସ୍ତଙ୍କୁ ଉତ୍ତପ୍ତ କରି, ସେମାନଙ୍କୁ ମୋର ଲାଳସାର ପରିଧି ଭିତରେ ଘୂରାଇ ଘୂରାଇ ମୁଁ ହୋଇଛି ବିଜୟିନୀ । ମୋ ଦେହରେ ଆଙ୍ଗୁଳି ଟିପ ଛୁଇଁବାକୁ ଅଗ୍ରସର ହେବା ପୂର୍ବରୁ ସେମାନଙ୍କୁ ନର୍କ କୁଣ୍ଡକୁ ଠେଲିଦେଇ ମୁଁ ମୋର ପାରିଶ୍ରମିକ ପାଇଛି ।

 

ମାନେ, ତୁମେ ମୋତେ...

 

ମୁଁ ଜାଣେ ଲୀଳା... ତୁମେ ଆସି ଯେଉଁ ହତାଶାର ଚରମ ଶିଖରରେ ପହଞ୍ଚିଛ, ସେଠାରୁ କୌଣସିମତେ ରକ୍ଷା ପାଇବାର ଉପାୟ ତୁମର ନାହିଁ । ମାନେ, ନିଜକୁ ରକ୍ଷା କରିବାରେ କେହି ତ ତୁମକୁ ସାହାଯ୍ୟ କରିବେ ନାହିଁ; ବରଂ ତୁମକୁ ଟିକିଏ ସହାନୁଭୂତି ଦେବା ପ୍ରତିବଦଳରେ ଚାହିଁବେ ତୁମର ଦେହ । ଶେଷରେ ତୁମେ ତ ଜଳିପୋଡ଼ି ପାଉଁଶ ହୋଇଯିବ; ହେଲେ, ତା ପଛକୁ ଆସିବେ ତୁମର ଭଉଣୀ...

 

ନା, ନା... ବନ୍ଦ କର ନୁରୁ ।

 

ନିଜ ଦେହରେ ଶକ୍ତି ସଞ୍ଚାର କରିବାକୁ ପଡ଼ିବ, ଲୀଳା । ତୁମେ ଯଦି ଏହି ବିପତ୍ତିରେ ନ ପଡ଼ିଥାଆନ୍ତ, ତା ହେଲେ ମୁଁ ତୁମକୁ କେବେ ଏ କଥା କହି ନ ଥାନ୍ତି । କାରଣ, ପୂର୍ବରୁ ବେଶ୍ ସରଳ ଥିଲା ତୁମର ଜୀବନଯାତ୍ରା । କାରଣ ନିଜ ଦେହର କ୍ଷୟାଂଶ ଉପରେ ତୁମେ ଠିକ୍ ଗଢ଼ିନେଇ ପାରିଥାଆନ୍ତି ତୁମର ଭାଇ ଭଉଣୀମାନଙ୍କୁ । ହେଲେ ଏହି ଅବସ୍ଥାରେ...

 

ତୁମେ ଚିନ୍ତାକର ଡାକ୍ଟର, ଏହି ପରିସ୍ଥିତିରେ ପଡ଼ି ମୋ ପରି ଜଣେ ଅସହାୟା ତରୁଣୀ କେଉଁଭଳି ଦିଗନିର୍ଣ୍ଣୟ କରିପାରେ ? କାରଣ ନୁରୁ ବେଗମର କଥାରେ ପ୍ରକୃତରେ ଅବିଶ୍ୱାସ୍ୟ କିଛି ନ ଥିଲା । ମୁଁ ବି ମୋର ସଙ୍ଗିନୀମାନଙ୍କ ନିକଟରୁ ବେଳେ ବେଳେ ସେହି ନରାଧମ ସୁନୀତି ମଜୁମଦାରର ଇତିହାସ ଅଳ୍ପ ବହୁତେ ଜାଣି ପାରିଥିଲି । ଆଉ ତା ନିକଟରୁ କୌଣସିମତେ ଯେ ନିଜକୁ ରକ୍ଷା କରିପାରିବି, ଏ ବିଶ୍ୱାସ ମୋର ନ ଥିଲା । କାରଣ, ମୁଁ ମୋ ପରିସ୍ଥିତି ସମସ୍ତ ତୁମ ପାଖରେ ବର୍ଣ୍ଣନା କରିଯାଇଛି ।

 

ତା ଛଡ଼ା ସୁନୀତି ମଜୁମଦାର ଥିଲା ପ୍ରଖ୍ୟାତ କୋଟିପତି । ପୋଲିସ, ବିଚାରପତିମାନଙ୍କଠାରୁ ଆରମ୍ଭ କରି, ଆଜିକାଲି ଗଣତାନ୍ତ୍ରିକ ମନ୍ତ୍ରିମଣ୍ଡଳଙ୍କ ପର୍ଯ୍ୟନ୍ତ ସମସ୍ତେ ତାର ଥିଲେ ଜଣେ ଜଣେ ସ୍ତାବକ । କାରଣ ସେମାନେ ବି ବେଳେ ବେଳେ ତାର ଶରଣ ନିଅନ୍ତି ଅର୍ଥ ପାଇଁ ।

 

ସେମାନଙ୍କ ତୁଳନାରେ ମୁଁ ଗୋଟାଏ ତୁଚ୍ଛ ଜୀବ ।

 

ମୋର ଅବସ୍ଥା ବୁଝିପାରି ନୁରୁ ବେଗମ କହିଲା—ଆଉ ମୋ କଥା ଉପରେ ତୁମେ ଯଦି ବିଶ୍ୱାସ ରଖ, ତା ହେଲେ ମୁଁ ଏ କଥା ଜୋର ଦେଇ କହିପାରେ, ମୁଁ ଯେଉଁଠାକୁ ତୁମକୁ ନେଇଯିବି, ସେଠାରେ ତୁମ ପ୍ରତି ତିଳେ ହେଲେ ଅସମ୍ମାନ କିମ୍ବା ଆତ୍ମମର୍ଯ୍ୟାଦାହୀନ କାର୍ଯ୍ୟ କେହି କରିବେ ନାହିଁ । ଆଉ ଠିକ୍ ତିନିଟା ବର୍ଷ । ତା ପରେ ତୁମେ ତୁମର ଭାଇ, ଭଉଣୀମାନଙ୍କ ପାଇଁ ଖୁବ୍ ସୁନ୍ଦର ବ୍ୟବସ୍ଥା କରି, ନିଜ ଇଚ୍ଛାନୁସାରେ, ନିଜର ଅର୍ଥବଳରେ ଯେ କୌଣସି ଲୋକକୁ ବିବାହ କରି ଆନନ୍ଦରେ କାଳାତିପାତ କରିପାରିବ ।

 

କିନ୍ତୁ କାମ କଣ ?

 

ବିଶେଷ କିଛି କଷ୍ଟ ନୁହେଁ । ପୋଲିସ ଦୃଷ୍ଟିରେ ପଡ଼ିବାରବି ଆଦୌ ସମ୍ଭାବନା ନାହିଁ । ମାନେ, ମୁକ୍ତ ଭାବରେ ତୁମେ ଗୋଟିଏ ଏଜେଣ୍ଟ ଭଳି କାମ କରିବ । ଆଉ ସେତେବେଳେ ଶତ ଶତ ସୁନୀତି ମଜୁମଦାର ବି ତୁମର ଛାୟା ସୁଦ୍ଧା ସ୍ପର୍ଶ କରିବାକୁ ସାହସ କରିପାରିବେ ନାହିଁ ।

 

ତେବେ ଏ କାମ ପାଇଁ ମୁଁ ତୁମକୁ ବାଧ୍ୟ କରୁ ନାହିଁ । ତୁମେ ଯଦି ଇଚ୍ଛା କର, ମୋ ସହିତ ସେଠାକୁ ଯାଇ ପାରିବ । ଆଉସମସ୍ତ ବିବରଣୀ ଜାଣିସାରିବା ପରେ ଯଦି ସେହିସବୁ କାମ କରିବାକୁ ଇଚ୍ଛା ହୁଏ, ତା ହେଲେ ମୁଁ ତୁମକୁ ମୋ ମାରଫତରେ ଟଙ୍କା କରାଇ ଦେବି । ଯେଉଁ ଟଙ୍କା ବଳରେ ତୁମେ ନିଜର ଭାଇ, ଭଉଣୀମାନଙ୍କର ଭବିଷ୍ୟତ ପାଇଁ ଏକ ଯୋଜନା ଅନୁସାରେ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ସେହି ନରରାକ୍ଷସ ସୁନୀତିର ଋଣ ପରିଶୋଧ କରିପାରିବ ।

 

କିନ୍ତୁ ଏଇଟା ମନେ ରଖିବ, ସେମାନଙ୍କ ସର୍ତ୍ତରେ ରାଜି ହୋଇ ଟଙ୍କା ଆଣି ସାରିବା ପରେ କୌଣସିମତେ ତମେ ବିଶ୍ୱାସଘାତକତା କରିପାରିବ ନାହିଁ । କାରଣ, ସେମାନଙ୍କର ସନ୍ଦେହୀ ଚକ୍ଷୁ ବରାବର ତମ ଉପରେ ଘୂରି ବୁଲୁଥିବ ।

 

ମୋର ଆଉ କହିବାକୁ କିଛି ନ ଥିଲା । ଭାଇମାନଙ୍କ ଭବିଷ୍ୟତ ପାଇଁ ମୁଁ ନିଜ ଜୀବନ ବିସର୍ଜ୍ଜନ ଦେବାକୁ ପ୍ରସ୍ତୁତ ଥିଲି । ତା ପରେ ସେଦିନ ସନ୍ଧ୍ୟାରେ ନିଜ ଗାଡ଼ିରେ ମୋତେ ବସାଇ ନୁରୁ ନେଇଗଲା ‘ହାପି ଭିଲ୍ଲା’କୁ । ତାହା ଏକ ଆନ୍ତର୍ଜାତିକ ବନ୍ଧୁତ୍ୱ ସଂସ୍ଥା ।

 

ଅତି ଭଦ୍ର ଭାବରେ ସେମାନେ ମୋତେ ସ୍ୱାଗତ ଜଣାଇଥିଲେ । ମୁଁ ରାଜି ହେଲେ ମୋର କାମ କଣ, ଆଉ ମୋର ନିରାପତ୍ତାର ବ୍ୟବସ୍ଥା କିପରି, ସେମାନେ ମୋତେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଦେଇଥିଲେ । ଆହୁରି ମଧ୍ୟ କହିଥିଲେ, ଆମର ସଦସ୍ୟମାନଙ୍କ ନିକଟରୁ ତମେ ଯଦି କୌଣସି ଅସଦ୍ ଆଚରଣ ଲକ୍ଷ୍ୟ କର, ତା ହେଲେ ତମର ଅଭିଯୋଗ ଅନୁଯାୟୀ ସେମାନଙ୍କୁ କଠୋର ଦଣ୍ଡବିଧାନ କରିଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଆଉ ତମେ ଯଦି କେବେ ବିଶ୍ୱାସଘାତକତା ନ କର, ତା ହେଲେ ଠିକ୍ ତିନି ବର୍ଷ ଏହା ଅଧୀନରେ କାର୍ଯ୍ୟ କଲାପରେ ତମେ ସ୍ୱାଧୀନ ହୋଇଯିବ । ଆଉ ପରେ ଯଦି ଇଚ୍ଛା କର, ତା ହେଲେ କାର୍ଯ୍ୟକାଳ ବଢ଼ାଇ ଦେଇ ପାରିବ; କିନ୍ତୁ ସେତେବେଳେ ତମକୁ ବାଧ୍ୟ କରାଯିବ ନାହିଁ ।

 

ସେମାନଙ୍କ ପ୍ଲାନ୍ ମଧ୍ୟ ଚମତ୍କାର ଥିଲା । ଯେଉଁମାନେ ଅର୍ଥର ମୋହରେ ମଣିଷକୁ ମଣିଷ ପରି ଦେଖନ୍ତି ନାହିଁ, ଯେଉଁମାନଙ୍କ ପାଶବିକତାରେ ଶହ ଶହ ତରୁଣୀ ଭ୍ରଷ୍ଟା, କଳଙ୍କିତା ହୋଇ ପ୍ରତିଦିନ ତିଳ ତିଳ କରି ଜୀବନ ବିସର୍ଜ୍ଜନ କରନ୍ତି, ଆଉ ଯେଉଁମାନେ ପ୍ରକାଶ୍ୟ ଦିବାଲୋକରେ ଡକାୟତି କରି ସାଧୁ, ସନ୍ଥ ଜନନେତା ବୋଲାନ୍ତି, ସେହିମାନଙ୍କୁ କବଳିତ କରିବା । ଅର୍ଥାତ୍ ନିଜର ମାୟାଜାଲ ତାଙ୍କ ଉପରେ ବିସ୍ତାର କରି ସେମାନଙ୍କୁ ଆଣି ଏହି ଦଳ ହାତରେ ସମର୍ପଣ କରିବା ।

 

ଅବଶ୍ୟ ସେମାନେ ବି ଏ କଥା କହିଥିଲେ, ସେମାନଙ୍କ ଶରୀର ବିନିମୟରେ ଏହି ସଂସ୍ଥା କୋଡ଼ିଏ ହଜାର ଟଙ୍କା ଲାଭ କରିବ । କେଉଁଭଳି ଭାବରେ ଏ ସଂସ୍ଥା ସେ ଟଙ୍କା ଲାଭ କରିବ, ଏ କଥା ଜାଣିବାକୁ କୌଣସି ସଦସ୍ୟା ଇଚ୍ଛା କରିବେ ନାହିଁ ବା ଏହି ଦଳର କଥା ଗୋପନରେ କାହାରି ଆଗରେ ପ୍ରକାଶ କଲେ ସେ ରକ୍ଷା ପାଇପାରିବେ ନାହିଁ ।

 

ପ୍ରକୃତରେ ମୁଁ ବି ସେତେବେଳେ ଏହି ସମାଜ ଉପରେ ଖଡଗହସ୍ତ ହୋଇ ଉଠିଥିଲି । କାରଣ, ସୁନୀତି ମଜୁମଦାର ପରି ଅସଂଖ୍ୟ ନରପଶୁ କଲିକତାର ଗଳିକନ୍ଦିରେ ଯେ ଘୂରି ବୁଲୁଛନ୍ତି, ଏହା ମୁଁ ଜାଣି ସାରିଥିଲି । ଆଉ ସେହିମାନଙ୍କୁ ସଂଗ୍ରହ କରି ଏହି ଦଳ ହାତରେ ଅର୍ପଣ କରି ମୁଁ ଯେ କୌଣସି ଅନ୍ୟାୟ କାର୍ଯ୍ୟ କରିବି, ଏହା ଭାବି ନ ଥିଲି ।

 

ମୁଁ ସ୍ୱୀକୃତି ଦେଲି । ସେମାନେ ମୋ ଭାଇମାନଙ୍କର ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କ ନାମରେ ଦଶ ହଜାର କରି ଟଙ୍କା ବ୍ୟାଙ୍କରେ ଜମା ରଖିବାର ପ୍ରତିଶ୍ରୁତି ଦେଲେ । ଆଉ ଭଉଣୀମାନଙ୍କ ପାଇଁ ମଧ୍ୟ । ଆଉ ଦଶ ହଜାର ଟଙ୍କା ବର୍ତ୍ତମାନ ଋଣରୁ ମୁକ୍ତି ପାଇଁ ସେମାନେ ମୋତେ ଦେଇଥିଲେ ।

 

ଏହିସବୁ ବ୍ୟବସ୍ଥା ସଂପୂର୍ଣ୍ଣ ହେବାକୁ ତିନି ଦିନରୁ ବେଶି ସମୟ ଲାଗି ନ ଥିଲା । ପ୍ରତ୍ୟେକ ଭାଇଙ୍କ ନାମରେ ଦଶ ଦଶ ହଜାର ଟଙ୍କା ଡିପୋଜିଟ୍ କରାଯାଇଥିଲା । ଆଉ ସେଥିରୁ ସେମାନଙ୍କ ପାଇଁ ମାସିକ ଖର୍ଚ୍ଚ ମିଳିବାର ବ୍ୟବସ୍ଥା କରାଯାଇଥିଲା ।

 

ଆଉ ମୁଁ ଲକ୍ଷ୍ୟ କରୁଥିଲି, ଠିକ୍ ସେହିଦିନଠାରୁ ଯେମିତି ଗୋଟିଏ ଛାୟା ମୋ ପଛରେ ଘୂରି ବୁଲୁଛି । ଗୋଟାଏ ବର୍ଷ ମୁଁ ନିର୍ବିବାଦରେ ମୋ କାମ କରି ଚାଲିଲି । କୌଣସି ଆଡ଼ୁ କୌଣସି ପ୍ରତିବନ୍ଧକ ନ ଥିଲା କି ବାହାରର କାହାର ଦୃଷ୍ଟି ମୋ କାର୍ଯ୍ୟକଳାପ ଉପରକୁ ଆକର୍ଷିତ ହୋଇ ନ ଥିଲା ।

 

କିନ୍ତୁ ଦ୍ୱିତୀୟ ବର୍ଷ ଆଦ୍ୟରେ ମୋ କାମରେ ସମସ୍ତେ ସନ୍ତୁଷ୍ଟ ହୋଇ ଯାଇଥିଲେ । କାରଣ ମୁଁ ଯାହା ମନେକଲି, ମୋ ଦ୍ୱାରା ସେମାନେ ବହୁତ ଲାଭବାନ୍ ହୋଇ ପାରିଛନ୍ତି । ମୋତେ ମଧ୍ୟ ମୋର ପାରିଶ୍ରମିକ ବାବଦ ଆହୁରି ପଚାଶ ହଜାର ଟଙ୍କା ମିଳିଲା ।

 

ମୋତେ ଆହୁରି ବଡ଼ ବଡ଼ ଚାନ୍‍ସ ସେମାନେ ଦେବାକୁ ଲାଗିଲେ । କାରଣ, ପ୍ରକୃତରେ ମୁଁ ଯେଉଁମାନଙ୍କୁ ସଂଗ୍ରହ କରୁଥିଲି, ସେମାନେ ଗୋଟାଏ ଗୋଟାଏ ସମାଜର କଳଙ୍କ । ତାଙ୍କ ପାଇଁ କାହାରି ଦୁଃଖ କରିବାର କିଛି ନ ଥିଲା ।

 

ଦ୍ୱିତୀୟ ବର୍ଷ ମୋର ଦାୟିତ୍ୱରେ ଆସିଲେ ସୁନୀତି ମଜୁମଦାର । ମୋ ଅପମାନର ପ୍ରତିଶୋଧ ତାହାରିଠାରୁ ଆଦାୟ କରାଯିବାକୁ ଦଳ ମୋହରି ପରାମର୍ଶ ଚାହିଁଲା । ଆଉ ମୁଁ ଯଦି ଇଚ୍ଛା ନ କରେ, ସେମାନେ ଅନ୍ୟକୁ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।

 

କିନ୍ତୁ ତା ପରେ ଗୋଟିଏ ଜାନୁଆରକୁ, ଯିଏ ମୋତେ ଏହି ପଥର ପଥୁକୀ କରିବାକୁ ବାଧ୍ୟ କରିଛି, ନିଜ ହାତରେ ତାକୁ ଶାସ୍ତି ଦେବାକୁ ପ୍ରସ୍ତୁତ ଥିଲି । କାରଣ ଲୁସି ହିଁ ମୋତେ ବାରମ୍ବାର ତାହାରି ଉପରେ ପ୍ରତିଶୋଧ ନେବାକୁ ପ୍ରେରଣା ଦେଉଥିଲା ।

 

କିନ୍ତୁ ସେହିଠାରେ ମୁଁ ମୋର ସମାଧିର ବାଟ ଖୋଲିଦେଲି । ମୋର ଇଚ୍ଛା ପୂର୍ଣ୍ଣ ହେଲା ସତ; କିନ୍ତୁ ପୋଲିସବାଲାଙ୍କର ସନ୍ଦେହ ଦୃଷ୍ଟି ମୋ ଉପରେ ଘୂରି ବୁଲିଲା । ମାନେ, ମୁକ୍ତ ଭାବରେ ଆଉ ଘୂରି ବୁଲିବାର ସୁବିଧା ମୁଁ ପାଇପାରିଲି ନାହିଁ ।

 

ଏପରି ବି ନିଜ ଘର ଭିତରେ ରହିବାକୁ ମୋତେ ମଧ୍ୟ ଭୟ ଲାଗିଲା । ଅବଶ୍ୟ ଏହି ଦଳର ତତ୍ପରତାରୁ ସେମାନେ ମୋର ପରିଚୟ ପାଇ ପାରି ନ ଥିଲେ । ତଥାପି ମୋତେ ଅନେକଥର ସେମାନେ ଦେଖିଥିଲେ ।

 

ଯାହା ହେଉ, ସେ ବର୍ଷ ମୋତେ ଆଉ ବାହାର କାମ ଦିଆଗଲା ନାହିଁ । ମାନେ, ଅଫିସ ଭିତରେ ମୁଁ ରହିଲି । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଲି, ଏତେଗୁଡ଼ାଏ ପୁରୁଷ ମେଳରେ ରହି ବି କାହାରି ଗୋଟାଏ ଲାଳସାସିକ୍ତ ଦୃଷ୍ଟିର ଗନ୍ଧ ମୁଁ ପାଇ ପାରିଲି ନାହିଁ । ଏପରି କି ଭାଇ ଭଉଣୀର ସ୍ନେହଠାରୁ ସେମାନଙ୍କର ସ୍ନେହ ଥିଲା ଅତି ପବିତ୍ର ।

 

ତା ପରେ ମୋ ବିରୁଦ୍ଧରେ ସେଠାରେ ପୋଲିସ ସତର୍କ ଦେଖି, ସେମାନେ ମୋତେ ଓଡ଼ିଶା ପଠାଇ ଦେବା ପାଇଁ ମୋ ସହିତ ପରାମର୍ଶ କଲେ । ସେତେବେଳେ ମୋ ପରିବାରରେ ଉନ୍ନତି ହୋଇଥିଲା । ମୋର ଭାଇ, ଭଉଣୀମାନେ ଅପେକ୍ଷାକୃତ ସ୍ୱଚ୍ଛନ୍ଦରେ ରହି ପଢ଼ାପଢ଼ି କରୁଥିଲେ । ମୁଁ ବି ଆଉ ଗୋଟାଏ ବର୍ଷ ଏମିତି ଗୋପନରେ ରହି ସମୟ ଅତିବାହିତ କରିବାକୁ ଚାହୁଁଥିଲି ।

 

ମୋ ଉପରେ ସେମାନଙ୍କର ଯଥେଷ୍ଟ ବିଶ୍ୱାସ ଥିଲା । ଏଠାରେ ମୋ କାମ ପରିବର୍ତ୍ତନ କରି ସମ୍ବାଦ ସଂଗ୍ରହ ବିଭାଗରେ ରହିଥିଲି । ତାହା ପୁଣି ଛଦ୍ମବେଶରେ । ମାନେ, କୌଣସି ପ୍ରକାରେ ଏଠାକାର ସଂସ୍ଥା ସହିତ ଯୋଗଯୋଗ ସ୍ଥାପନ କରି, ଏଠାରେ ନୂଆ ହୋଇ ଗଢ଼ି ଉଠୁଥିବା ମଣିରାମ ଇଣ୍ଡଷ୍ଟ୍ରିଜରେ ଷ୍ଟେନୋଗ୍ରାଫର୍ ଭାବରେ ନିଯୁକ୍ତି ଦିଆଗଲା ।

 

ମୋର ସେଠାକାର ପରିବେଶ ତୁମେ ନିଶ୍ଚୟ ଜାଣିଥିବ । ହେଲେ, ସେତେବେଳେ ମୁଁ ପୋଲିସର ଘୋର ସନ୍ଦେହ ଘେର ଭିତରକୁ ଆସିଗଲି । କାରଣ ମୋତେ ଅନୁରୋଧ କରାଯାଇଥିଲା ଜଣେ ଡାକ୍ଟରଙ୍କୁ କରଗତ କରିବା ପାଇଁ । ଆହୁରି ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଥିଲେ—ତୁମେ ଯଦି ସଫଳତାର ସହ ଆମ ଦଳ ବିଷୟରେ ତାଙ୍କୁ ଆକର୍ଷିତ କରାଇପାର, ତା ହେଲେ ତୁମ ଭବିଷ୍ୟତର ବାଟ ପରିଷ୍କାର ହୋଇଯିବ । ମାନେ, ତୁମେ ତାଙ୍କୁ ବିବାହ କରି ଭଦ୍ର ଭାବରେ ପରବର୍ତ୍ତୀ ଜୀବନ ଆମେରିକାରେ ଅତିବାହିତ କରିପାରିବ । ମାନେ, ତାଙ୍କୁ ଏଠାରେ ମାତ୍ର ପାଞ୍ଚ ବର୍ଷ ପାଇଁ ରଖାଯିବ । ତା ପରେ ସେ ମୁକ୍ତ ।

 

କିନ୍ତୁ ମୁଁ ହାରିଗଲି । ଏଠାକାର ପୋଲିସ ମୋ ବିଷୟରେ ବହୁତ ସମ୍ବାଦ ସଂଗ୍ରହ କରି ନେଇଥିବାର ମୁଁ ଜାଣିପାରି ହତାଶ ହୋଇଗଲି । କିନ୍ତୁ ମୁଁ ସେତେବେଳେ ସୁଦ୍ଧା ଜାଣିପାରି ନ ଥିଲି ଏମାନଙ୍କର ଭିତରି ଷଡ଼ଯନ୍ତ୍ର ।

 

ମାନେ... ? ତୁଷାରକାନ୍ତି କହିଉଠିଲେ ।

 

ଲୀଳା ଦୀର୍ଘନିଶ୍ୱାସ ନେଇ କହିଲା—ଏବେ ମୁଁ ଦେଖିଲି; ମୋର ଚାରିଆଡ଼େ ଦ୍ୱାର ରୁଦ୍ଧ-। ଅସମ୍ଭବ ପ୍ରବଞ୍ଚନା ଭିତରେ ମୁଁ ପଡ଼ିଯାଇଛି । ମାନେ, ମୋର ଭାଇମାନଙ୍କ ପାଇଁ ଏମାନେ ଉପଯୁକ୍ତ ବନ୍ଦୋବସ୍ତ କରି ଦେଇଛନ୍ତି ସତ; କିନ୍ତୁ ମୋ ଗୋଡ଼ରେ ଶୃଙ୍ଖଳର ଏକ ଦୃଢ଼ ରଜ୍ଜୁଛନ୍ଦା ହୋଇ ରହିଯାଇଛି । କେବଳ ସେତିକି ନୁହେଁ, ମୋରି କାର୍ଯ୍ୟକ୍ଷେତ୍ର ଭିତରେ ମୁଁ ମୀରାକୁ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲି ନାହିଁ । ତାକୁ ସେ ବିଷୟରେ କିଛି ପ୍ରଶ୍ନ କରିବା ଅର୍ଥ ନିଜ ଜୀବନକୁ ବିସର୍ଜ୍ଜନ ଦେବା ।

 

ଆଉ ମୁଁ ଏଠାକୁ ଆସିବାର ଦୀର୍ଘ ଦିନ ପରେ ନୁରୁ ବେଗମକୁ ଲୁସି ରୂପରେ ଦେଖିପାରିଲି । ଆହୁରି ଜାଣିଲି, ମାନେ, ଏଠାକାର ଦାୟିତ୍ୱରେ ମୁଁ ଯେତେବେଳେ ରହିଗଲି, ସେତେବେଳେ ଲୁସିର ଇତିହାସ ମୋ ନିକଟରେ ଉନ୍ମୋଚନ ହୋଇଗଲା ।

 

ମାନେ ?

 

ଆମରି ଘରେ ଭଡ଼ା ନେଇ ସେ ଯାହାକୁ ବାପା ବୋଲି କହୁଥିଲା, ସେ ତାର ନିଜର ବାପ ନୁହେଁ । କଳଙ୍କିତ ଶେଷ ସୋପାନରୁ ଏମାନେ ଲୁସିକୁ ଆବିଷ୍କାର କରିଥିଲେ । ଆଉ ସରଳ ବିଶ୍ୱାସର ସୁଯୋଗ ନେଇ ଏ ଦଳକୁ ମୋତେ ଯେଉଁପରି ଭାବରେ ସେ ନେଇ ଆସିଥିଲା, ମୋ ପରେ ମୀରା ମଧ୍ୟ ସେହିପରି ତାହାର ଶିକାର ହୋଇଥିଲା ।

 

ମାନେ, ଆମ ଉଭୟଙ୍କ ପାଇଁ ଭବିଷ୍ୟତରେ ଦ୍ୱାର ଏକାଥରେ ରୁଦ୍ଧ ହୋଇଯାଇଛି । ମୀରା ବିରୁଦ୍ଧରେ ଏଠାକାର ପୋଲିସ ରେକର୍ଡ଼ ସୃଷ୍ଟି ହୋଇଛି ।

 

କିନ୍ତୁ ତୁଷାର ବାବୁ, ଆପଣ ମୋତେ ଯାହା ଭାବନ୍ତୁ ନା କାହିଁକି, ଏହା ପରେ ମୋତେ ଯେଉଁ ଦଣ୍ଡ ଦେବାକୁ ଚାହାନ୍ତୁ ବରଂ; ତଥାପି ମୁଁ କହିବି...

 

କିନ୍ତୁ ତୁମ କଥାରେ ମୁଁ କିପରି ଭାବରେ ବିଶ୍ୱାସ କରିବି ଲୀଳା, ତୁମେ ବି. ଏସ୍–ସି. ଡିଗ୍ରୀଧାରୀ, ତୁମ ଭାଇମାନଙ୍କ ପାଇଁ ତୁମେ ଏତେ ତ୍ୟାଗ ସ୍ୱୀକାର କରିଛ, ଆଉ ସର୍ବୋପରି ଲୁସି ।

 

ମୁଁ ଜାଣେ ତୁଷାର ବାବୁ, ଲୁସି ଯେଉଁ ଜାଲ ଆପଣଙ୍କ ଉପରେ ବିସ୍ତାର କରିଛି, ସେ ଜାଲରୁ ମୁକୁଳିବାର ଉପାୟ ଯେତେ ସହଜ ବୋଲି ଆପଣ ବିବେଚନା କରିଛନ୍ତି, ତାହା ଏତେ ସହଜ ବ୍ୟାପାର ନୁହେଁ ।

 

ପାଞ୍ଚ ବର୍ଷ ପରେ ଆପଣଙ୍କୁ ଆମେରିକାରେ ନାଗରିକତ୍ୱ ଦେବା ସଙ୍ଗେ ସଙ୍ଗେ ଲୁସିକୁ ପତ୍ନୀ ଭାବରେ ପାଇ ତଥା ଅଜସ୍ର ବ୍ୟାଙ୍କ ବାଲାନ୍‍ସର ଅଧିକାରୀ ହେବା କେବଳ ଗୋଟିଏ ଦୁଃସ୍ୱପ୍ନ । ମୋହରି ଆଖି ଆଗରେ ସେ ଏମିତି କେତେ ଲୋକଙ୍କର ପ୍ରଣୟିନୀ ସାଜିଛି । ଦେହ, ମନ ସବୁ ଦେଇ ଆପଣାର କରିଛି । ଆଉ ଠିକ୍ ଆପଣ ସେହିଭଳି ଭାବରେ ଲୁସିର ପ୍ରେମ-ସାଗରରେ ଭବିଷ୍ୟତର ଯେଉଁ ରଙ୍ଗୀନ୍ ସ୍ୱପ୍ନ ଦେଖୁଛନ୍ତି, ଆଉ କିଛିଦିନ ପରେ ଯେତେବେଳେ ପୋଲିସର ରେକର୍ଡ଼ ଆପଣଙ୍କ ବିରୁଦ୍ଧରେ ବିଶ୍ୱବ୍ୟାପୀ ଖେଲିଯିବ, ସେତେବେଳେ ଆପଣ ନିରୁପାୟ ହୋଇଯିବେ, ଆଉ ଲୁସି ଚାଲିଯିବ ପୁଣି କେଉଁ ସୁଦୁର କୋଣକୁ ଆଉ ଜଣେ ପ୍ରେମିକର ସନ୍ଧାନରେ ।

 

ଲୀଳା

 

ଅବଶ୍ୟ ପୋଲିସ ରେକର୍ଡ଼ ଉପରେ ଆମେ ପୂର୍ବରୁ ଏଠାରେ ସେତେ ଗୁରୁତ୍ୱ ଦେଉ ନ ଥିଲୁ । କାରଣ ପୋଲିସର ଉଚ୍ଚପଦସ୍ଥ ଅଫିସର ଯେତେବେଳେ ଏହାର ଜଣେ କର୍ମକର୍ତ୍ତା ଥିଲେ, ସେତେବେଳେ ଏ ବିଷୟରେ ସୁବିଧା ଥିଲା, ଅବଶ୍ୟ ଦଳର ଉଚ୍ଚପଦସ୍ଥ ଅଫିସରମାନଙ୍କ ପାଇଁ । କିନ୍ତୁ ଠିକ୍ ଆମମାନଙ୍କ ପରି ହତଭାଗିନୀମାନଙ୍କ ପାଇଁ ସେହି ପୋଲିସ ଅଫିସର ଏମିତି ରେକର୍ଡ଼ ସୃଷ୍ଟି କରି ରଖି ଦେଉଥିଲେ ଯେ, ଯାହାଦ୍ୱାରା ଆମେ ସହଜରେ ଆଉ ଏଠାରୁ ଯିବାକୁ ଇଚ୍ଛା କରିବୁ ନାହିଁ ।

 

ତୁମ ମନରେ ଯେତେବେଳେ ଏହି କଥାର ଦୃଢ଼ ଧାରଣା ଆସିଗଲା, ସେତେବେଳେ ତ ତୁମେ ପୋଲିସ କିମ୍ବା ସି. ଆଇ. ଡି. ଙ୍କ ନିକଟରେ...

 

ତୁମେ ମୋତେ ହସାଇଲ, ଡକ୍ଟର । ପୋଲିସ, ସି. ଆଇ. ଡି ମାନଙ୍କ ନିକଟରେ ଆପତ୍ତି କରିବା ତୁ ଦୂରର କଥା, ଯେଉଁ ଭଦ୍ରବ୍ୟକ୍ତିଟିକୁ ଶିକାର କରିବା ପାଇଁ ଏହି ଦଳ ତରଫରୁ ନିର୍ଦ୍ଦେଶନାମା ଦିଆଯାଇଥାଏ, ତା ନିକଟରେ ଅତି ବିଶ୍ୱାସରେ ଏ କଥା କହି ମଧ୍ୟ ମୁକ୍ତି ମିଳିବା ଅସମ୍ଭବ । କାରଣ ଏ ଦଳର ଗୁପ୍ତଚର ଅତି ସାଙ୍ଘାତିକ ।

 

ଆଉ ବାହାରର ଲୋକ କିଏ ଯେ ଏହି ଦଳର ଅଥବା ଏହି ଦଳର ନୁହେଁ, ତାହା ଜାଣିବା ମଧ୍ୟ ଅତ୍ୟନ୍ତ ଦୁଃସାଧ । ଆଉ ଏହା ଭିତରକୁ ଯେଉଁମାନେ ଆସନ୍ତି, ସେମାନଙ୍କୁ କହିବା ଅର୍ଥ ନିଜେ ବିପଦ ବରଣ କରିବା ।

 

ଆଉ ମୁଁ କଣ ଏ ଦେଶରୁ ଏକ ବ୍ୟତିକ୍ରମ ବୋଲି ତୁମର ଧାରଣା ? ଗମ୍ଭୀର ଭାବରେ କହିଲେ ତୁଷାରକାନ୍ତି ।

 

ନା, ସେହି ଧାରଣା ନାହିଁ ବୋଲି ତ ମୁଁ ତୁମକୁ ଏତିକି କଥା ଜଣାଇ ଦେଲି । କିନ୍ତୁ ଡକ୍ଟର ତୁଷାରକାନ୍ତି, ଲୁସିର ଆଲୋଚନା ଭିତରେ ବୁଡ଼ି ରହିବା ବେଳେ ତୁମର କଣ ରୀତା କଥା ମନେ ପଡ଼େନା ?

 

ଲୀଳା !

 

ମୁଁ ଜାଣେ, ତୁମେ ମୋତେ ଦଣ୍ଡ ଦେବ । ଯେଉଁ ଦଣ୍ଡର ନାଁ ଶୁଣିଲେ ଆମର ପ୍ରତ୍ୟେକ ସଦସ୍ୟ ଭୟରେ ଥରହର ହୋଇଉଠନ୍ତି । ହେଲେ ମୁଁ ସେ ଦଣ୍ଡ ନେବାକୁ ପ୍ରସ୍ତୁତ ହେବି ପଛେ, ହେଲେ ତୁମକୁ ଏ ଧ୍ୱଂସ ବାଟରେ ଯିବାକୁ ଦେଇପାରିବି ନାହିଁ ।

 

ଲୀଳା... ! ତୁଷାରକାନ୍ତି ଗର୍ଜି ଉଠୁଥିଲେ ।

 

ମୋର ବର୍ତ୍ତମାନ ସନ୍ଦିହାନ, ଆଉ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ । ପରିଷ୍କାର ମୁଁ ଜାଣିପାରୁଛି, ଯେଉଁ କୁହୁକ ବଳରେ ମୋର ଭାଇ, ଭଉଣୀମାନଙ୍କ ଅବସ୍ଥାର ହଠାତ୍ ପରିବର୍ତ୍ତନ କରିଦେବି ବୋଲି ଆଶା କରିଥିଲି, ସେହି କୁହୁକ ଏବେ ଜଣକ ପରେ ଜଣକୁ ଆମ ଘରୁ ଓଟାରି ଆଣୁଛି । ମୁଁ, ମୋ ପରେ ମୀରା, ଆଉ ମୀରା ପରେ ଲୀଳା, ତା ପରେ ଭାଇ । କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଆସି ଏହି ଦଳରେ ସାମିଲ ହୋଇ ନିଜର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ କରିଦେବେ ।

 

ଆଉ ତୁମେ... ମୁଁ ରୀତାକୁ ଦେଖିଛି ତୁଷାରକାନ୍ତି । କେବଳ ତୁମରି ପାଇଁ ସେ ମୋହରି ପଛରେ ଘୂରି ବୁଲୁଥିଲା । ତୁମରି ସ୍ମୃତିର ଫୁଲମାଳା ଗୁନ୍ଥି ରାତି ପରେ ରାତି ସେ ବିନିଦ୍ର ଭାବରେ କଟାଉଥିଲା । ତାହାରି ପାଇଁ ତୁମେ ଜଣେ ବିଦେଶ ଫେରନ୍ତା ଡାକ୍ତରର ସମ୍ମାନ ପାଇଲ । ତାର କ’ଣ ନ ଥିଲା, ଡାକ୍ତର ! ତା ବଂଶର ମାନସମ୍ମାନ, ଆଭିଜାତ୍ୟ ତୁମକୁ କଣ ଏତେ ଖରାପ ଲାଗିଲା-? ତାର ଶିକ୍ଷା, ସୌନ୍ଦର୍ଯ୍ୟ ଅପେକ୍ଷା ଲୁସିର...

 

ଲୀଳା !

 

ଆଉ ତୁମେ ବିଶ୍ୱାସଘାତକ ଭାବରେ ତାକୁ ଅପହରଣ କରିବାକୁ ପ୍ରବର୍ତ୍ତାଇଲ । ତାର ବାପା ଯିଏ ତୁମକୁ ନିଜର ପୁଅଠାରୁ ଅଧିକ ସ୍ନେହ କରୁଥିଲେ । ଶେଷରେ ତାଙ୍କୁ ହତ୍ୟା କରି ତୁମ ବାଟରୁ ଦୂରେଇ ଦେବା ପାଇଁ ସ୍କିମ୍ ପ୍ରସ୍ତୁତ କଲ ।

 

ୟୁ ଡେଭିଲ୍... ରାଗରେ ଉତ୍‍କ୍ଷିପ୍ତ ହୋଇ ତୁଷାରକାନ୍ତି ଏକ ନିର୍ଘାତ ଚାପୁଡ଼ା ଲଗାଇଲେ ଲୀଳାର ଗାଲରେ । ମୁଁ ଜାଣେ, ଲୁସି ତୁମ ପକ୍ଷରେ ଅସହ୍ୟ । ତାର ସୁଖ୍ୟାତି, ଗୌରବ, ତୁମ ପକ୍ଷରେ ଈର୍ଷା ସୃଷ୍ଟି କରିଛି ।

 

ମାର... ଯେତେ ଇଚ୍ଛା ସେତେ ମାର ପଛେ ଡକ୍ଟର, ହେଲେ... ଶେଷ କଥା ଉଚ୍ଚାରଣ କରିପାରିଲା ନାହିଁ ଲୀଳା । ତୁଷାରକାନ୍ତିଙ୍କର ସେହି ବ୍ରହ୍ମଚାପୁଡ଼ା ତାକୁ ଅଜ୍ଞାନ କରିଦେଲା ।

 

ତାର ଭୂଲୁଣ୍ଠିତ ଶରୀର ଆଡ଼େ ଚାହିଁ ଉଚ୍ଚସ୍ୱରରେ ହସିଉଠିଲେ ତୁଷାରକାନ୍ତି । ତା ପରେ ତାକୁ କାନ୍ଧରେ ପକାଇ କ୍ଷୀପ୍ର ବେଗରେ ସେହି କକ୍ଷରୁ ଅନ୍ତର ହୋଇଗଲେ ।

 

ମାଡ୍ରାସ–ହାଓଡା ମେଲ୍ ଅଧଘଣ୍ଟାଏ ବିଳମ୍ବରେ ଆସି ଷ୍ଟେସନରେ ଛିଡ଼ା ହେଲା । ଲୋକମାନଙ୍କ ପାଟିତୁଣ୍ଡରେ ପୂରିଉଠିଲା ଷ୍ଟେସନର ବାତାବରଣ । ଅସମ୍ଭବ ଭିଡ଼ ଭିତରେ ବି ଠେଲିପେଲି ଆଗକୁ ଯିବାକୁ ସମସ୍ତେ ତତ୍ପର ହୋଇ ଉଠୁଥିଲେ ।

 

ଏକ ଜୀର୍ଣ୍ଣଶୀର୍ଣ୍ଣ ପୋଷାକ ପରିହିତ ଲୋକଟିଏ ସେହି ଭିଡ଼ରୁ ରକ୍ଷା ପାଇବା ପାଇଁ ଚିତ୍କାର କରୁଥିଲା; କିନ୍ତୁ ତା ଚିତ୍କାରକୁ ଭ୍ରୂକ୍ଷେପ କରିବା ଭଳି କାହାରି ଟିକିଏ ମାତ୍ର ଦୟାର ବି ଉଦ୍ରେକ ହେଉ ନ ଥିଲା । ସମସ୍ତଙ୍କର ଲକ୍ଷ୍ୟ ଆଗକୁ ମାଡ଼ି ଚାଲିଥିଲା ।

 

ସେହି ଭିଡ଼ ଅତିକ୍ରମ କରି ଯେତେବେଳେ ସେହି ଲୋକଟି ବାହାରକୁ ଆସିଲା, ସେତେବେଳେ ତାର ଛିନ୍ନ କାମିଜଟିର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିଲା । ସେ ଆସି ବିକଳ ଭାବରେ ପ୍ଲାଟଫର୍ମ ଉପରେ ବସିପଡ଼ିଲା ।

 

ଠିକ୍ ସେହି ମୁହୂର୍ତ୍ତରେ ଏସ୍. ପି. ଙ୍କ ସହିତ ଶତ୍ରୁଜିତ ଆସି ଗୋଟିଏ ଫାଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟ ଆଗରେ ଛିଡ଼ା ହେଲେ । ତାହା ବନ୍ଦ ହୋଇ ରହିଥିଲା । ଟୁକନ୍ ଉପରେ ଦୃଷ୍ଟି ବୁଲାଇ ଆଣି ଏସ୍. ପି. କହିଲେ—ମି: ଇଡମ୍ବିଏନ୍ ବୋଧହୁଏ ଶୋଇ ଯାଇଛନ୍ତି ।

 

ତାଙ୍କ ଉତ୍ତରକୁ ଅପେକ୍ଷା ନ କରି ଶତ୍ରୁଜିତ ଦ୍ୱାର ଖୋଲି ଭିତରେ ପ୍ରବେଶ କଲେ; କିନ୍ତୁ ଭିତରେ କେହି ନ ଥିଲେ । କେବଳ ଗୋଟିଏ ବେଡିଂ ସିଟ୍ ଉପରେ ପରା ଯାଇଥିଲା । କେତେଗୁଡ଼ିଏ କାଗଜପତ୍ର ଏ ପାଖ ସେ ପାଖ ହୋଇ ପଡ଼ିରହି, ଫ୍ୟାନ୍ ସାହାଯ୍ୟରେ ଘୂର୍ଣ୍ଣିବାୟୁର ମାୟା ସୃଷ୍ଟି କରୁଥିଲା ।

 

ସେ ଚକିତ ହୋଇ ଲାଭେଟରୀର ଦ୍ୱାର ଖୋଲି ଭିତରକୁ ଅନାଇଲେ । ସେଠାରେ ବି ଶୂନ୍ୟତାର ରାଜତ୍ୱ ବିରାଜମାନ କରୁଥିଲା ।

 

ସେ ପୁଣି ଫେରି ଆସୁଥିଲେ; କିନ୍ତୁ ଠିକ୍ ଲାଭେଟରୀ ଅତିକ୍ରମ କରିବା ସମୟରେ କେତେଗୁଡ଼ିଏ କାଚଖଣ୍ଡ ପଡ଼ିଥିବାର ଜାଣିପାରି ତାକୁ ଉଠାଇ ଆଣିଲେ ।

 

ସେଗୁଡ଼ିକ ପରୀକ୍ଷା କରୁ କରୁ ସେ ଜାଣିପାରିଲେ ଯେ; ତାହା କୌଣସି ହାତଘଣ୍ଟାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ଗ୍ଲାସ । ହୁଏ ତ କୌଣସିଥିରେ ବାଧାପ୍ରାପ୍ତ ହୋଇ ସେଗୁଡ଼ିକ ଭାଙ୍ଗି ଯାଇଛି ।

 

ଭିତରୁ ଶୂନ୍ୟ ବେଡିଂ, ବିକ୍ଷିପ୍ତ କାଗଜପତ୍ର ଆଉ ଲାଭେଟରୀ ଭିତରେ ଘଣ୍ଟାର ଭଗ୍ନ କାଚ ତାଙ୍କୁ ଗଭୀର ବିସ୍ମୟରେ ପକାଉଥିଲା ।

 

କଣ ହେଲା... ?

 

ମି: ଇଡମ୍ବିଏନ୍ ଅପହୃତ ।

 

ହାଟ୍... ? ଚିତ୍କାର କରି ଉଠିଲେ ଏସ୍. ପି. ।

 

ହଁ, ଆଜ୍ଞା । ତେବେ ସଠିକ ଭାବରେ କିଛି କହି ହେଉ ନାହିଁ । ତା ପରେ ସେହି ଭଗ୍ନ କାଚଗୁଡ଼ିକ ଦେଖାଇ ଶତ୍ରୁଜିତ କହିଲେ—ଏଇଥିରୁ ମୋର ଅନୁମାନ, ଏହି କମ୍ପାର୍ଟମେଣ୍ଟ ଭିତରେ ନିଶ୍ଚୟ କୌଣସି ଅଘଟଣ ଘଟିଛି ।

 

ତା ପରେ ସେ ସିଧା ଚାଲି ଆସିଲେ ସେହି ବେଡ଼ିଂ ନିକଟକୁ । ବେଡ଼ିଂଟି ସିଟ୍ ଉପରେ ପରାହେବା ଅବସ୍ଥାରେ ରହିଛି। ସେଗୁଡ଼ିକ ଖେଳାଇ ଦେଖିଲେ । ଗୋଟାଏ ମଶାରୀ, ଦରୀ ଆଉ ବେଡ୍-ସିଟ୍‍କୁ ବାଦ ଦେଲେ ଆଉ କିଛି ନ ଥିଲା । ଉପର ବର୍ଥରେ ଗୋଟାଏ ଆଟାଚି କେଶ୍ ।

 

ଏସ୍. ପି. ସେଇଟିକୁ ଟାଣି ଆଣିଲେ । ତାହା ସେମିତି ଚାବି ବନ୍ଦ ଥିବା ଅବସ୍ଥାରେ ରହିଥିଲା । ତାଙ୍କ ମୁଖମଣ୍ଡଳରେ ନିରାଶାର ଭାବ ପ୍ରତିଫଳିତ ହେଉଥିଲା । ସେ ଶତ୍ରୁଜିତଙ୍କୁ ସେହିଠାରେ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇ କ୍ଷୀପ୍ର ବେଗରେ ତଳକୁ ଓହ୍ଲାଇଗଲେ ।

 

ତାଙ୍କର ଗତିପଥରୁ ଦୃଷ୍ଟି ଫେରାଇ ଆଣୁ ଆଣୁ ପାର୍ଶ୍ୱସ୍ଥ ଅନ୍ୟ ଏକ କମ୍ପାର୍ଟମେଣ୍ଟରୁ ଓହ୍ଲାଉଥିବା ଜଣେ ସୁଦର୍ଶନ ଯୁବକଙ୍କ ଉପରେ ଚକ୍ଷୁ ତାଙ୍କର ଅଟକିଗଲା । ଏକ ବିରାଟ ପ୍ୟାକିଂ କେଶ୍‍କୁ ଦୁଇ ଜଣ କୁଲି ନେଇ ଆଗରେ ଚାଲିଥିଲେ । ଆଉ ତାଙ୍କ ପଛେ ପଛେ ସେହି ଯୁବକଟି ଗୋଟାଏ ଆଟାଚି କେଶ୍ ଧରି ଅଗ୍ରସର ହେଉଥିଲା ।

 

ଆଉ ଠିକ୍ ତାଙ୍କରି ପଛରେ ଏକ ଶତଛିନ୍ନ ପୋଷାକ ପରିହିତ ବ୍ୟକ୍ତିଟି ଅଗ୍ରସର ହେଉଥିବାର ଦେଖି ସେ ବିସ୍ମିତ ହେଲେ । ଗାଡ଼ି ପହଞ୍ଚିବା ପୂର୍ବରୁ ସେ ଏହି ଭିକ୍ଷୁକଟିକୁ ପ୍ଲାଟଫର୍ମରେ ପଇସା ମାଗୁଥିବାର ଦେଖିଥିଲେ । ଆଉ ଏବେ ସେ ଯେତେବେଳେ ଏହି କମ୍ପାର୍ଟମେଣ୍ଟ ଭିତରକୁ ଆସୁଥିଲେ, ସେତେବେଳେ ସେହି କମ୍ପାର୍ଟମେଣ୍ଟଠାରୁ କିଛି ଦୂରରେ ବସିଥିବାର ତାକୁ ଦେଖିଥିଲେ ।

 

ଭିକାରୀଟି ପଇସାଟିଏ ମାଗିବା ପାଇଁ ସେହି ଲୋକଟିକୁ ଯେ ଅନୁସରଣ କରୁଛି, ଏହା ହିଁ ତାଙ୍କ ମନରେ ଭାବାନ୍ତର ସୃଷ୍ଟି କରୁଥିଲା । ସେ ସ୍ଥିରଦୃଷ୍ଟିରେ ତାକୁ ଅନାଇ ରହିଥିଲେ ।

 

ସେ ଯେ ସେହି ଯୁବକଟିକୁ କିଛି ପଇସା ମାଗୁଛି, ଏହା ସେ ଜାଣିପାରୁ ନ ଥିଲେ । କାରଣ, ଭିକ୍ଷୁକଟି ନିଜକୁ ସନ୍ଦେହ ଦୃଷ୍ଟିରେ ଆଣିବା ପାଇଁ ଯଥେଷ୍ଟ କିଛି ସଂକେତ ଶତ୍ରୁଜିତଙ୍କ ନିକଟରେ ଛାଡ଼ିଗଲା ପରି ମନେ ହେଉଥିଲା ।

 

ଏ ଆଡ଼େ ମି: ଇଡମ୍ବିଏମଙ୍କ ଅନ୍ତର୍ଦ୍ଧାନ ବିଷୟରେ ତାଙ୍କ ଭିତରେ ତୀବ୍ର ଆଲୋଡ଼ନ ସୃଷ୍ଟି ହେଉଥିଲା । ପୁଣି ସେହି ଭିକ୍ଷୁକ । କେଉଁଟା ଆଗ, ଆଉ କେଉଁଟା ଜରୁରୀ ସେ ଭାବିପାରୁ ନ ଥିଲେ ।

 

ସେମାନେ କ୍ରମଶଃ ଆଗେଇ ଚାଲିଥିଲେ । ଏ ଥର ଭିକାରୀଟି ବିଷୟରେ ତାଙ୍କର ଏକ ପରିଷ୍କାର ଧାରଣା ଆସିଗଲା। ଭିକାରୀଟି ଯେ ଅନ୍ୟ କେହି, ଏହି ସନ୍ଦେହ ତାଙ୍କର ଦୃଢ଼ୀଭୂତ ହୋଇଗଲା । କାରଣ କମ୍ପାର୍ଟମେଣ୍ଟ ନିକଟରୁ ଚେକ୍ ଗେଟ୍ ପର୍ଯ୍ୟନ୍ତ ସେ କେବଳ ସେହି ଯୁବକଟିକୁ ଲକ୍ଷ୍ୟ କରି ଚାଲିଛି । ତା ଠାରୁ ଆହୁରି ଆଡ଼ମ୍ବରପୂର୍ଣ୍ଣ, ଧନାଢ଼୍ୟ ବ୍ୟକ୍ତିମାନେ ତାକୁ ଅତିକ୍ରମ କରି ଯାତାୟାତ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଭିକାରୀଟିର ଦୃଷ୍ଟି ଆକର୍ଷିତ ହେଉ ନାହିଁ ।

 

ଚିନ୍ତିତ ମନରେ ଏସ୍. ପି. ଙ୍କୁ ଫେରି ଆସୁଥିବାର ଦେଖି, ଶତ୍ରୁଜିତ କମ୍ପାର୍ଟମେଣ୍ଟ ତଳକୁ ଓହ୍ଲାଇ ଆସିଲେ । ଆଉ ତାଙ୍କୁ ଇଙ୍ଗିତରେ କଣ କହି ସେହି ଭିକାରୀଟିର ପଶ୍ଚାଦ୍ଧାବନ କଲେ ।

 

ଚେକ୍ ଗେଟ୍ ପାର ହୋଇ ସେମାନେ ଅଗ୍ରସର ହେଉଥିଲେ । ବାହାରେ ନିଶାରାଣୀର ରାଜତ୍ୱକୁ କିଞ୍ଚିତ୍ ପରିମାଣରେ ଅପସାରିତ କରୁଥିଲା କେତୋଟି ଫ୍ଲୁରୋସେଣ୍ଟ୍ ଟିଉବ୍ ଲାଇଟ । ଅଗଣିତ ଯାତ୍ରୀ ତଥା ରିକ୍‍ସା, କାରର ବହୁଳତାରେ ଷ୍ଟେସନର ବାହାର ରାସ୍ତାଟି ପରିପୂର୍ଣ୍ଣ ହୋଇ ଉଠିଥିଲା ।

 

ସେହି ଲୋକଗହଳି ଭିତରେ କିନ୍ତୁ ଭିକାରୀଟିକୁ ଆଉ ଦେଖିବାକୁ ପାଇଲେ ନାହିଁ ଶତ୍ରୁଜିତ । ତାଙ୍କର ସତର୍କ ଦୃଷ୍ଟି ଆଗରୁ ସେ ଯେମିତି ହଠାତ୍ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା; କିନ୍ତୁ ସେହି ଯୁବକଟି...

 

ଗୋଟାଏ ଟ୍ୟାକ୍‍ସିରେ ସେହି ବିରାଟ କାଠ ବାକସକୁ ଲୋଡ଼୍ କରାଯାଉଥିଲା । ଶତ୍ରୁଜିତ ମନରେ କଣ ଭାବିଲେ କେଜାଣି, ସାଇକେଲ ଷ୍ଟାଣ୍ଡରେ ଥିବା ତାଙ୍କର ମୋଟର ବାଇକଟିକୁ ନେଇ ଆସି ଯେତେବେଳେ ରାସ୍ତା ନିକଟରେ ପହଞ୍ଚିଲେ, ସେତେବେଳେ ଟ୍ୟାକ୍‍ସିଟି ଷ୍ଟେସନ ମୋଡ଼ରୁ ସିଧା ରାସ୍ତାରେ ଗତି କରୁଥିଲା । ଆଉ ଅପେକ୍ଷା ନ କରି ଗତିଶୀଳ ରିକ୍‍ସା ଅଥବା ଟ୍ୟାକ୍‍ସି ଉପରେ ଦୃଷ୍ଟି ସଞ୍ଚାଳନ କରି ସେ ସେହି ଟ୍ୟାକ୍‍ସିର ଅନୁଗମନ କରିବାରେ ଲାଗିଲେ ।

 

ଆଗ ଟ୍ୟାକ୍‍ସି ତାଙ୍କୁ ସନ୍ଦେହ କରିବାର କୌଣସି କାରଣ ନ ଥିଲା । ଷ୍ଟେସନ ଫେରନ୍ତି ବହୁ ଟ୍ୟାକ୍‍ସି ଅଥବା ବାଇକର ଶବ୍ଦରେ ସେହି ନିର୍ଜ୍ଜନ ରାସ୍ତାଟି ମୁଖରିତ ହୋଇ ଉଠୁଥିଲା ।

 

କ୍ରମଶଃ ଆଗରୁ ଆଗକୁ ଉଭୟେ ବଢ଼ି ଚାଲିଥିଲେ । ଟ୍ୟାକ୍‍ସିଟି ମେନରୋଡ଼ ଅତିକ୍ରମ କରି ଏଥର ଯେଉଁ ରାସ୍ତାରେ ଅଗ୍ରସର ହେବାରେ ଲାଗିଲା, ସେହି ରାସ୍ତାଟି ଶତ୍ରୁଜିତଙ୍କ ମନରେ ଗଭୀର ସନ୍ଦେହ ଉଦ୍ରେକ କରୁଥିଲା ।

 

ପୁଣି ଯେତେବେଳେ ସେହି ଟ୍ୟାକ୍‍ସିଟି ଆଉ ଗୋଟିଏ ମୋଡ଼ ଅତିକ୍ରମ କରିଗଲା, ସେତେବେଳେ ସନ୍ଦେହ ତାଙ୍କର ସତ୍ୟରେ ପରିଣତ ହୋଇଉଠିଲା । ବହୁଦିନର ଅବରୁଦ୍ଧ ସନ୍ଦେହ ଯେମିତି ତାଙ୍କର ସୀମା ଲଙ୍ଘନ କରୁଥିଲା ।

 

ବାଇକ୍‍ଟାର ଗତି ସେହି ମୋଡ଼ରେ ପରିବର୍ତ୍ତନ କରୁ କରୁ ହଠାତ୍ ବ୍ୟାକ୍ ଟାୟାରରୁ ବାୟୁ ନିର୍ଗତ ହୋଇଯିବାରୁ ସେ ଅତି ଆଶ୍ଚର୍ଯ୍ୟଜନକ ଭାବରେ ଚମକିଉଠିଲେ । କାରଣ ଆଜି ସକାଳେ ସେ ଟାୟାର ତଥା ଟିଉବ୍ ଲଗାଇଥିଲେ ।

 

ବାଇକ୍‍ଟାର ଗତି ବନ୍ଦ କରି ଦେଇ ସେ ଯେତେବେଳେ ଘଟଣାଟି ଅନୁଧ୍ୟାନ କରିବାକୁ ଯାଉଥିଲେ, ଠିକ୍ ସେତିକିବେଳେ ତାଙ୍କ ଆଗରେ ଜଣେ କିଏ ଦୌଡ଼ି ଦୌଡ଼ି ଅଗ୍ରସର ହେଉଥିବାର ସେ ଲକ୍ଷ୍ୟ କରୁ ଅନତିବିଳମ୍ବେ ତାହାରି ପଦାଙ୍କ ଅନୁସରଣ କଲେ ।

 

ରାସ୍ତାଟି ଅନ୍ଧକାରାଚ୍ଛନ୍ନ ହୋଇ ଯାଇଥିଲେ ମଧ୍ୟ ସେ ତାର ଦୌଡ଼ିବା ଶବ୍ଦ ପରିଷ୍କାର ଭାବରେ ଶୁଣି ପାରୁଥିଲେ । ଗତିଶୀଳ ଟ୍ୟାକ୍‍ସିର ବ୍ୟାକ୍ ଲାଇଟ୍ ତାଙ୍କ ଚକ୍ଷୁର ସୀମାରେଖା ଆଗରୁ ଲିଭି ଲିଭି ଆସୁଥିଲା ।

 

ସେ ଦ୍ରୂତ ବେଗରେ ଧାଇଁବାରେ ଲାଗିଥିଲେ । ସମ୍ମୁଖସ୍ଥ ରାସ୍ତା କ୍ରମଶଃ ଆଲୋକିତ ଥିଲା । କାରଣ ଅନତିଦୂରରେ ଥିବା ମଣିରାମ ଇଣ୍ଡଷ୍ଟ୍ରିଜର ଆଲୋକସଜ୍ଜା ରାସ୍ତାରେ ଛାୟା ଆଲୋକର ମାୟା ସୃଷ୍ଟି କରୁଥିଲା ।

 

ଏ ଥର ସମ୍ମୁଖରେ ଦୌଡ଼ୁଥିବା ଲୋକଟିକୁ ସେ ଦେଖି ପାରୁଥିଲେ । ତାଙ୍କ ନିକଟରୁ ଯଥେଷ୍ଟ ଦୂରତ୍ୱରେ ସେ ପୂର୍ବ ଭଳି ଦୌଡ଼ି ଚାଲିଥିଲା ।

 

ଆଲୋକର ସୀମାରେଖା ଭିତରେ ସେହି ଲୋକଟି ପହଞ୍ଚ ଯାଇଥିବାରୁ ତାର ପୃଷ୍ଠଦେଶର ପରିଚ୍ଛଦ ପରିଷ୍କାର ଭାବରେ ସୂଚାଇ ଦେଉଥିଲା ଯେ, ସେହି ଲୋକଟି ଭିକାରୀ ବ୍ୟତୀତ ଆଉ କେହି ନୁହେଁ ।

 

ତା ହେଲ କଣ...

 

ପୁଣି ଥରେ ଶତ୍ରୁଜିତ ଗଭୀର ବିସ୍ମୟରେ ଚମକି ଉଠିଲେ । ତାଙ୍କର ଅଗ୍ରଗତି ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଗଲା । ଉଦ୍ଧାର ହେବାର ରାସ୍ତା ତାଙ୍କର ଅବରୁଦ୍ଧ ହୋଇ ସାରିଥିଲା । କାରଣ ସେ ସେଇ ଭିକାରୀଟିକୁ ଲକ୍ଷ୍ୟ କରି ଦୌଡ଼ିବା ଭିତରେ ବାହାର ପରିବେଶ ବିଷୟରେ କୌଣସି ଧାରଣା କରିପାରି ନ ଥିଲେ । ଆଉ ସେହି ସୁଯୋଗ ନେଇ ନିକଟରେ ଛପି ରହିଥିବା ତାର ଅନୁଚରଗଣ ତାଙ୍କୁ ଅବରୋଧ କରି ସାରିଥିଲେ ।

 

ଚତୁର୍ଦ୍ଦିଗରେ କଳା ପୋଷାକ ପରିହିତ ବ୍ୟକ୍ତିଙ୍କର ହାତରେ ଗୋଟିଏ ଗୋଟିଏ ଶକ୍ତିଶାଳୀ ମାରଣାସ୍ତ୍ର ତାଙ୍କୁ ଲକ୍ଷ୍ୟ କରି ପ୍ରସ୍ତୁତ ରହି ସାରିଥିଲା ।

 

ପ୍ରକୃତରେ ମୂକ ହୋଇ ଯାଇଥିଲେ ଶତ୍ରୁଜିତ । ଅପରାଧୀକୁ ଧରିବାକୁ ଆସି ନିଜେ ସେ ସେହିମାନଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ । ଯେଉଁ ଜାଲରୁ ଉଦ୍ଧାର ପାଇବାର ଆଶା ତାଙ୍କର ଆଦୌ ନ ଥିଲା ।

 

ସେମାନଙ୍କର ଅଟ୍ଟହାସ ତାଙ୍କ ପ୍ରାଣରେ ତୀକ୍ଷ୍‍ଣ ବର୍ଚ୍ଛା ଭେଦ କରିଗଲା ଭଳି ଲାଗୁଥିଲା-। ପ୍ରତିରୋଧ କରିବାର ଶକ୍ତି ସେ ହରାଇ ସାରିଥିଲେ । କାରଣ ଚତୁଃପାର୍ଶ୍ୱ ପରିବେଷ୍ଟିତ ଅପରାଧୀଗଣ ତାଙ୍କୁ ଦୃଢ଼ଭାବରେ ବନ୍ଧନ କରି କାନ୍ଧି ଉପରକୁ ଉଠାଇ ନେଇ ଅଗ୍ରସର ହେବାରେ ଲାଗିଥିଲେ ।

 

କେଉଁ ଦିଗକୁ ସେ ଯାଉଛନ୍ତି, ତାହା ମଧ୍ୟ ଜାଣିବାର ସୁଯୋଗ ତାଙ୍କ ନିକଟରେ ନ ଥିଲା-। କାରଣ ଏକ ଦୃଢ଼ ପଟି ତାଙ୍କର ଦୃଷ୍ଟିଶକ୍ତିକୁ ଅବରୁଦ୍ଧ କରି ସାରିଥିଲା ।

 

ଦଳପତିଙ୍କର ପ୍ରାଣଖୋଲା ହସରେ ପ୍ରାଙ୍ଗଣଟି ମୁଖରିତ ହୋଉ ଉଠୁଥିଲା । ଭୂତଳରେ ଲୁଣ୍ଠିତ ଜୟନ୍ତର ଛଦ୍ମବେଶରେ ଶତ୍ରୁଜିତଙ୍କ ଉପରେ ବିଦ୍ରୂପାତ୍ମକ ଦୃଷ୍ଟି ନିକ୍ଷେପ କରି ସେ କହିଉଠିଲେ—ତୁମର ଏହି ଅଭିନବ ଚାଲ୍ ମୁଁ ଖୁବ୍ ବିଳମ୍ବରେ ବୁଝିପାରିଲି ମି: ଶତ୍ରୁଜିତ ।

ତୁମର ସହକାରୀ ଜୟନ୍ତଙ୍କୁ ତୁମରି ଛଦ୍ମବେଶରେ ପଠାଇ ତୁମ ଉପରୁ ମୋର ଦୃଷ୍ଟି କିଛିଦିନ ପାଇଁ ଦୂରେଇ ରଖି କାର୍ଯ୍ୟ ହାସଲ କରିନେବାର ଯେଉଁଭଳି ଚାଲ୍ ତୁମେ ଖେଳି ଆସିଥିଲ, ସେହିଭଳି ପ୍ରତାରଣାରେ ତୁମକୁ ମୁଁ ଗିରଫ କରି ଆଣିଛି।

ଆଉ ମି: ଇଡମ୍ବିଏନ୍... ଏଥର ଆହୁରି ଜୋରରେ ହସ ଉଠି ଦଳପତି କହିଉଠିଲେ—ଶୁଣିଥିଲି ଅସମ୍ଭବ ଭାବରେ ସେ ଧୂର୍ତ୍ତ ଥିଲେ । ଆଉ ସେହି ଧୂର୍ତ୍ତତା ହିଁ ତାଙ୍କୁ ସଫଳତାର ଜୟମାଲ୍ୟ ପିନ୍ଧାଇବାରେ ସକ୍ଷମ ହୋଇଥିଲା । ଆଉ ସେହି ଜୟମାଲ୍ୟ ପିନ୍ଧି ସେ ଏତେ ଗର୍ବୀ ହୋଇ ଉଠିଥିଲେ ଯେ, ଆମର ଏହି ଦଳକୁ ସଂପୂର୍ଣ୍ଣରୂପେ ବିଲୋପ କରିବାକୁ ସେ ଦୃଢ଼କଣ୍ଠରେ ଘୋଷଣା କରିଥିଲେ ।

ତାଙ୍କ ଆଉ ତୁମ ଉପରେ ଆସ୍ଥା ରଖି ମାନ୍ୟବର କଲେକ୍ଟର ମହୋଦୟ ଆମମାନଙ୍କ ବିରୁଦ୍ଧରେ ଯେଉଁ ସଂଗ୍ରାମ ଘୋଷଣା କରିଥିଲେ, ସେଥିରେ ଆମେମାନେ ଅତିଶୟ ଭୟଭୀତ ହୋଇ ପଡ଼ିଥିଲୁ ।

କାରଣ, ତୁମର ଶକ୍ତି ଉପରେ ମୋର ଭରସା ଥିଲା । ଆଉ ତୁମ ସହିତ ମି: ଇଡମ୍ବିଏନ୍‍ଙ୍କ ମିଳନ ଫଳରେ ଆମର ଆତ୍ମରକ୍ଷାର ଉପାୟ ଯେ ଚିରଦିନ ପାଇଁ ଲୋପ ହୋଇ ଯାଇଥାଆନ୍ତା, ଏହା ମୁଁ ଆଜି ମୁକ୍ତକଣ୍ଠରେ ସ୍ୱୀକାର କରୁଛି ।

ହେଲେ, ଆଜିଠାରୁ ଏହି ଦଳ ସଂପୂର୍ଣ୍ଣରୂପେ ନିରାପଦ । କାରଣ ତୁମମାନଙ୍କ ନିକଟରୁ ରକ୍ଷା ପାଇବାର ଉପାୟ ଚିନ୍ତା କରି କରି ଦସ୍ୟୁ ଅଜୟକୁ ତାର ରାସ୍ତାରେ ନିର୍ବିଘ୍ନରେ ଅଗ୍ରସର ହେବା ପାଇଁ ଯେଉଁ ସୁବିଧା ଦିଆଯାଉଥିଲା, ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

 

ମାନେ, ଆମର ଜଣେ ଦୂରଦର୍ଶୀ ବନ୍ଧୁ–ଯାହାଙ୍କ ପ୍ରଖର ବୁଦ୍ଧି ତୁମ ଭଳି ଓସ୍ତାଦଙ୍କୁ ଏତେ ସହଜରେ ଆହିଷ୍କାର କରି ସାରିବା ସଙ୍ଗେ ସଙ୍ଗେ କବଳିତ କରି ପାରିଲା, ତାଙ୍କ ନିକଟରୁ ଦସ୍ୟୁ ଅଜୟ ଯେ କୌଣସିମତେ ଅନାବିଷ୍କୃତ ହୋଇ ରହିଯିବ, ଏହା ମୁଁ ଆଉ ଆଶା କରୁ ନାହିଁ ।

 

ମି: ଶତ୍ରୁଜିତ ! ତୁମେ ଅସମ୍ଭବ ଭାବରେ ଚତୁର ଆଉ ବୁଦ୍ଧିମାନ । କେବଳ ସେଇଥିପାଇଁ ଆମ ଦଳର ସମସ୍ତଙ୍କ ମୁଖରୁ ତୁମକୁ ଏହି ମୁହୂର୍ତ୍ତରେ ହତ୍ୟା କରିବା ପାଇଁ ଦାବୀ ହେଉଥିଲେ ମଧ୍ୟ ମୁଁ ନୀରବ ରହିଛି ।

 

ତା ମାନେ ନୁହେଁ ଯେ ତୁମକୁ ଏଠାରେ ସସମ୍ମାନରେ ଚିରଦିନ ପାଇଁ ପ୍ରତିପାଳନର ବ୍ୟବସ୍ଥା କରାଯିବ । ଏହି ଦଳର ନିରାପତ୍ତା ପାଇଁ ତୁମକୁ ମୁଁ ସମ୍ମାନ କରୁଥିଲେ ମଧ୍ୟ ବଞ୍ଚାଇ ରଖିବାକୁ ଚାହେଁ ନା ।

 

ତଥାପି ତୁମର ଆହୁରି ଦଶ ଦିନ ବଞ୍ଚି ରହିବାର ସୁଯୋଗ ରହିଛି । ଏହି ଦଶ ଦିନ ଭିତରେ ଆମେ ଏପରି ନିରାପତ୍ତା ଭିତରେ ଆତ୍ମଗୋପନ କରି ସାରିଥିବୁ, ଯାହା ଫଳରେ ଏତେ ସହଜରେ ଆମର ସନ୍ଧାନ ନେଇ ପାରିବା କାହାର ଦ୍ୱାରା ସମ୍ଭବ ହୋଇ ପାରିବ ନାହିଁ ।

 

ସେହି ପବିତ୍ର ଶୁଭ ଦିବସରେ ଆମ ଏହି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକଙ୍କ ସମ୍ମୁଖରେ ତୁମ ଭଳି ଯେତେ ଜଣଙ୍କୁ ଗିରଫ କରାଯାଇଛି, ସମସ୍ତଙ୍କୁ ହତ୍ୟା କରାଯିବ । ତାହା ପୂର୍ବରୁ ଏଠାକାର ନିର୍ମାଣ କୌଶଳ ତୁମମାନଙ୍କ ଆତ୍ମାର ସଦ୍‍ଗତି ପାଇଁ ତୁମମାନଙ୍କ ଆଗରେ ପ୍ରଦର୍ଶିତ କରାଯିବ ।

 

ମି: ଇଡମ୍ବିଏନ୍‍ଙ୍କ ଚେତନା ଏ ପର୍ଯ୍ୟନ୍ତ ଫେରି ନାହିଁ । ତୁମକୁ ମଧ୍ୟ ତାଙ୍କରି କୋଠରିରେ ରହିବାର ସୁବିଧା ଦିଆଯିବ। କେବଳ ସିଏ କାହିଁକି, ତୁମର ଅନ୍ତରଙ୍ଗ ବନ୍ଧୁ ଜୟନ୍ତଙ୍କୁ ମଧ୍ୟ ।

 

ଆମର ପରିକଳ୍ପନା ଖୁବ୍ ଚମତ୍କାର ମି: ଶତ୍ରୁଜିତ । ଯାହାଙ୍କର ପ୍ରେରଣାରେ ତୁମେମାନେ ଏ ଭଳି ଅଗ୍ନିକୁଣ୍ଡକୁ ଡେଇଁବାକୁ ପ୍ରସ୍ତୁତ ହୋଇଥିଲ, ଆଉ ଯିଏ ନିଜର ସମସ୍ତ ଶକ୍ତି ଦେଇ ଆମ ଦଳର କାର୍ଯ୍ୟକଳାପ ବାହାରେ ପ୍ରକାଶ କରିବା ସଙ୍ଗେ ସଙ୍ଗେ କଠୋର ଭାବରେ ଏହି ଦଳର ସର୍ବନାଶର ସୋପାନ ଶ୍ରେଣୀ ନିର୍ମାଣ କରିଆସିଥିଲେ, ଆମର ଉଦ୍ଦେଶ୍ୟ ତାଙ୍କରି ପୌରୋହିତ୍ୟରେ ତୁମମାନଙ୍କର ମୃତ୍ୟୁପର୍ବ ଉଦ୍‍ଯାପିତ ହେବ ।

 

ଆଉ ସେହି ମୃତ୍ୟୁ...

 

ବନ୍ଧୁକର ଗୁଳିରେ ଅଥବା ଫାଶୀମଞ୍ଚରେ ସଂଘଟିତ ହେବ ନାହିଁ ଶତ୍ରୁଜିତ । ଏହି ବିରାଟ ଅନୁଷ୍ଠାନ ଯେଉଁ କାରଣ ପାଇଁ ସଂଗଠିତ ହୋଇଛି, ତାହା ଏ ପର୍ଯ୍ୟନ୍ତ ତୁମେ ମଧ୍ୟ ଜାଣିବାର ସୁଯୋଗ ପାଇ ନାହିଁ ।

 

କେବଳ ତୁମେ ସନ୍ଦେହ କରିଥିଲ, ଏହି ଅଞ୍ଚଳରେ ଯେଉଁ ଯେଉଁ ଲୋକମାନେ ଅପହୃତ ହେଉଥିଲେ, ତାହାର କାରଣ ନିର୍ଣ୍ଣୟ କରିବା ପାଇଁ ।

 

ମୃତ୍ୟୁ ପୂର୍ବରୁ ସେହି ଇଚ୍ଛା ତୁମର ପୂରଣ କରି ଦିଆଯିବ । ମାନେ, ତୁମରି ଜରିଆରେ ତୁମ ବିଭାଗର କର୍ମକର୍ତ୍ତା ଏସ୍. ପି. ସାହେବ ଆଉ ମହାମାନ୍ୟ କଲେକ୍ଟରଙ୍କୁ ଜଣାଇ ଦିଆଯିବ ଯେ, ଆମ୍ଭମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗଲେ ତାର ପରିଣାମ କିପରି ଭୟାବହତାରେ ପରିଣତ ହେବ । ତାହାର ଉଦାହରଣ ସେମାନେ ତୁମରି ନିକଟରୁ ପାଇବେ । ବେଶ୍, ଏହି କେତେ ଦିନ ତୁମେ ଯେ କୌଣସି ଆନନ୍ଦ ଭିତରେ ଶାନ୍ତି ପାଇବାକୁ ଇଚ୍ଛାକର, ତାହା ଆମକୁ ଜଣାଇଦେଲେ ଆମେ ଯତ୍‍ପରୋନାସ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବୁ ।

 

ତା ପରେ କିଛି ସମୟ ନୀରବ ରହିଗଲେ ଦଳପତି । ସେ ହୁଏ ତ କୌଣସି ବାକ୍ୟ ଶତ୍ରୁଜିତଙ୍କ ନିକଟରୁ ଆଶା କରୁଥିଲେ । ହେଲେ, ଶତ୍ରୁଜିତ ନୀରବ ଥିଲେ । ତାଙ୍କ ମନର ଭାବନା ଜାଣିବାର ଶକ୍ତି ନ ଥିଲା ।

 

ତା ପରେ କଲିଂବେଲରେ ହାତ ଦେବା ମାତ୍ରେ ଦୁଇ ଜଣ ଦୀର୍ଘକାୟ ଲୋକ ପ୍ରବେଶ କଲେ ।

 

ବେଶ୍, ଏଥର ଏହାଙ୍କୁ ମି: ଇଡମ୍ବିଏନ୍‍ଙ୍କ କକ୍ଷରେ ପହଞ୍ଚାଇ ଦିଅ । ଦୀର୍ଘ ସମୟ ଧରି ବନ୍ଦୀ ଅବସ୍ଥାରେ ରହିବା ଫଳରେ ବିଚରା କଷ୍ଟ ପାଉଥିବେ । ତାଙ୍କ ମୁଖରୁ ବିଦ୍ରୂପର ହସ ଲିଭିବା ପୂର୍ବରୁ ସେମାନେ ଶତ୍ରୁଜିତଙ୍କୁ ସ୍ଥାନାନ୍ତର କରି ସାରିଥିଲେ ।

 

ସେ ଆଡ଼ୁ ଦୃଷ୍ଟି ଫେରାଇ ଆଣି ଦଳପତି କହିଲେ—ତୁମେ ତୁମର ଉନ୍ନତ ଭବିଷ୍ୟତର ସୂଚନା ଦେଇ ସାରିଛ, ଡକ୍ଟର ତୁଷାରକାନ୍ତି । ଏହି ଦଳର ନିରାପତ୍ତା ପାଇଁ ତୁମେ ବିଜ୍ଞ ଭାବରେ ଯେଉଁଭଳି ମସ୍ତିଷ୍କ ଚାଳନା କରି ଜୟନ୍ତର ଆବରଣ ଭିତରେ ଛଦ୍ମବେଶୀ ଶତ୍ରୁଜିତଙ୍କର ଅବସ୍ଥିତି କଳ୍ପନା କରି ପାରିଲ, ବାସ୍ତବିକ୍ ସେଥିପାଇଁ ଏହି ଦଳ ତୁମ ପ୍ରତି କୃତଜ୍ଞ ରହିବ ।

 

ପ୍ରକୃତରେ ତୁମେ ଯେତେବେଳେ ଭିକାରୀର ଛଦ୍ମବେଶରେ ରହିଥିଲ, ମୋର ଧାରଣା ନ ଥିଲା ଶତ୍ରୁଜିତକୁ ଜାଲ ଭିତରକୁ ଟାଣି ଆଣିବା ପାଇଁ ଏତେ ବଡ଼ ଷଡ଼ଯନ୍ତ୍ର ତୁମେ ରଚନା କରି ସାରିଛ ।

 

ସେ ସବୁ କହି ମୋତେ ଆଉ ଅପମାନିତ କରାନ୍ତୁ ନାହିଁ, ବସ । ଆପଣଙ୍କର ଆଶୀର୍ବାଦ ବଳରେ ସବୁ କିଛି ମୁଁ କରିବାକୁ ସକ୍ଷମ ହୋଇ ପାରିଛି । ମୋର ଯେତେ ଯାହା କିଛି ସୁନାମ, ସେ ସବୁ ତ କେବଳ ଆପଣଙ୍କ ପାଇଁ ।

 

ଏ ସବୁ କେବଳ ଆତ୍ମପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ, ଡକ୍ଟର ତୁଷାରକାନ୍ତି । ତମକୁ ପାଇ ମୁଁ କେବଳ ଏତିକି ଗର୍ବ କରେ, ମୋ ଅପେକ୍ଷା ତମେ ଯଥେଷ୍ଟ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି-। ଯାହାର ତୀକ୍ଷ୍‍ଣ ବୁଦ୍ଧି ବଳରେ ଏହିଭଳି ଅନେକ ଅନୁଷ୍ଠାନ ନିରାପଦ ଭାବରେ ଆଗେଇ ଚାଲିବ-

 

ମୁଁ ବି କଳ୍ପନା କରିପାରୁ ନାହିଁ । ଆଜି ତମ ବିଷୟରେ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ଓୟାରଲେସ୍ କରି କିଭଳି ଶୁଭ ସମ୍ବାଦ ତମ ପାଇଁ ଆଣିବି । କାରଣ ଏଠାକାର ଏହିଭଳି ଦୁର୍ଯୋଗ ସବୁର ସମ୍ବାଦ ପାଇ ସେ ଯେପରି ତ୍ରସ୍ତ ହୋଇ ପଡ଼ିଥିଲେ, ମୋର ବିଶ୍ୱାସ ଥିଲା ଆମର ଏହି ନୂଆ ଅନୁଷ୍ଠାନର ଉଦ୍‍ଘାଟନ ଦିବସରେ ସେ ସହଯୋଗ କରିପାରିବେ କି ନା । ହେଲେ, ମିଃ ଇଡମ୍ବିଏନ୍ ଆଉ ଶତ୍ରୁଜିତ ଆମ ହାତକୁ ଆସିଗଲା ପରେ ସେ ଦୁର୍ଭାବନା ଯେ ତାଙ୍କର ଦୂର ହୋଇଯିବ, ଏ ବିଶ୍ୱାସ ମୋର ଅଛି ।

 

ତଥାପି ଡ: ତୁଷାରକାନ୍ତି ! ଆମ ଉପରୁ ବିପଦର ପାହାଡ଼ ଏ ପର୍ଯ୍ୟନ୍ତ ଓହ୍ଲାଇ ଯାଇ ନାହିଁ । ଆମର ଅନେକ ସହକର୍ମୀ ଏ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି ।

 

ସେ କଥା ମୁଁ ଜାଣେ ବସ । ଆହୁରି ବି ଜାଣେ, ସେମାନେ ଅଜୟ ଦସ୍ୟୁର କବଳିତ ହୋଇଛନ୍ତି । ଆଉ ସେମାନଙ୍କୁ ପାଇବା ପରେ ପରେ ଅଜୟ ଦସ୍ୟୁ ଏବେ ଯେଉଁଭଳି ଭାବରେ ନୀରବରେ ବସିରହିଛି, ତାହା ହିଁ ମୋ ପକ୍ଷରେ ଘୋର ସନ୍ଦେହ ସୃଷ୍ଟି କରିଛି ।

 

ମାନେ ?

 

ତାର ନୀରବତା ଭିତରେ ଯେ ନିଶ୍ଚୟ କୌଣସି ଦୁରଭିସନ୍ଧି ରହିଛି, ଏହା ଆପଣ ନିଶ୍ଚୟ ବୁଝିପାରୁଥିବେ । ଆଜି ମି: ଇଡମ୍ବିଏନଙ୍କୁ ଆଣିବା ସମୟରେ ଶତ୍ରୁଜିତ ଅପେକ୍ଷା ତାକୁ ମୁଁ ବିଶେଷ ପରିମାଣରେ ଆବଶ୍ୟକ କରୁଥିଲି । କାରଣ ମୋର ବିଶ୍ୱାସ ଥିଲା, ସେ ନିଶ୍ଚୟ ସେହିଠାକୁ ଯିବ । ହେଲେ, ସେ ଭଳି କୌଣସି ସନ୍ଦେହଜନକ ବ୍ୟକ୍ତି ମୋ ଦୃଷ୍ଟିପଥକୁ ଆସିଲା ନାହିଁ। ଏ ଆଡ଼େ ଶତ୍ରୁଜିତ ଯେ ମୋତେ ଗଭୀର ସନ୍ଦେହ ଭିତରେ ଦେଖିବାରେ ଲାଗିଥିଲା, ମୁଁ ଜାଣିପାରି ଏହି ସୁଯୋଗରେ ତାକୁ କବଳିତ କରିବା ପାଇଁ ଚେଷ୍ଟା କଲି ।

 

ତା ହେଲେ...

 

ଆପଣଙ୍କର ଆଶୀର୍ବାଦ ନେଇ ମୁଁ ଥରେ ଦସ୍ୟୁ ଅଜୟର ମୁକାବିଲା କରିବାକୁ ଚାହେଁ ।

 

ଡ: ତୁଷାରକାନ୍ତିଙ୍କ ପ୍ରଶ୍ନରେ କିଛି ସମୟ ପାଇଁ ନୀରବ ହୋଇଗଲେ ଦଳପତି । ତା ପରେ କହିଲେ—କିନ୍ତୁ ଏ ଆଡ଼େ ତମ ଉପରେ ଯେଉଁ ଦାୟିତ୍ୱ ରହିଛି, ତା ସାଙ୍ଗରେ ଦସ୍ୟୁ ଅଜୟକୁ ଅନୁଧ୍ୟାନ କରିବା ପାଇଁ ସମୟ ତମେ ପାଇ ପାରିବ ତ ?

 

ମାନେ, ଏଇ କେତେ ଦିନ ଭିତରେ ତମେ ଯେଉଁଭଳି ଭାବରେ ଅକ୍ଳାନ୍ତ ପରିଶ୍ରମ କରୁଛ, ତମର ଅବଶତାର ସୁଯୋଗ ନେଇ ଯଦି ଦସ୍ୟୁ ଅଜୟ କୌଣସି ଫାଇଦା ନେବାକୁ ଚେଷ୍ଟା କରେ...

 

ଯେଉଁ ଅପ୍ରିୟ ସତ୍ୟଟି ଦଳପତିଙ୍କ କଣ୍ଠରୁ ନିଃସୃତ ହେଲା, ତାହା କେତେକ ମୁହୂର୍ତ୍ତ ପାଇଁ ତୁଷାରକାନ୍ତିଙ୍କୁ ସ୍ତବ୍‍ଧ କରିଦେଲା । ହୁଏ ତ ଏହି ମହାସତ୍ୟଟି ସେ ଯେମିତି ସଫଳତାର ଉଦ୍ଦୀପନା ଭିତରେ ଭାବିବାକୁ ସମୟ ପାଇ ନ ଥିଲେ ।

 

ତାଙ୍କ ମୁଖମଣ୍ଡଳରୁ ଦୃଷ୍ଟି ଫେରାଇ ନେଇ ଦଳପତି ଚିନ୍ତିତ ମନରେ କହିଲେ—ସେଥିପାଇଁ ଭୟ କରିବା ଉଚିତ ନୁହେଁ, ଡକ୍ଟର । ମୁଁ ତମର ମାନସିକ ପରିସ୍ଥିତି ଠିକ୍ ଭାବରେ ବୁଝି ପାରୁଛି । କିନ୍ତୁ ଏ ଭଳି କ୍ଷେତ୍ରରେ ତମର ସାହସ ଏକାନ୍ତ ପ୍ରୟୋଜନ । ଦସ୍ୟୁ ଅଜୟ ହିଁ ବର୍ତ୍ତମାନ ଆମର ଏକମାତ୍ର ଲକ୍ଷ୍ୟ ।

 

ତେଣୁ ଅନ୍ତତଃ ପରିଚାଳନା–ନିର୍ଦ୍ଦେଶକ ଆସିବା ପର୍ଯ୍ୟନ୍ତ ତମକୁ ଦସ୍ୟୁ ଅଜୟ ପାଇଁ ସମସ୍ତ ସମୟ ବ୍ୟୟ କରିବାକୁ ଅନୁମତି ଦେଲି । ମାନେ, ଏହା ଭିତରେ ଆଠ ଦିନ । ଅବଶ୍ୟ ଏ ଆଠ ଦିନ ଯଥେଷ୍ଟ ନୁହେଁ; ତଥାପି ମୁଁ ନିରୁପାୟ । ତାଙ୍କ ସମ୍ମୁଖରେ ଆମର ପ୍ରଥମ ଅପରେସନ୍ ହେବ । ଯେଉଁ ଶତ୍ରୁଜିତକୁ ତୁମେ ଚତୁରତାର ସହିତ କବଳିତ କରିପାରିଛ, ତାହାରି ଅପରେସନ ତୁମେ ହିଁ କରିବ ।

 

ହସିଉଠି ତୁଷାରକାନ୍ତି କହିଲେ—ମୁଁ ବି ଠିକ୍ ସେହି କଥା ଚିନ୍ତା କରୁଥିଲି, ବସ । ତା ପରେ ଟିକିଏ ନୀରବ ରହି କହିଲେ—ଶତ୍ରୁଜିତ ଏବେ ଆମର କରଗତ ହୋଇଥିଲେ ମଧ୍ୟ ଏହି ଦଶ ଦିନ ତା ପ୍ରତି ବିଶେଷ ଧ୍ୟାନ ରଖିବା ଆମର ଉଚିତ ହେବ, ବସ । ଏହି ପୁରୀ ଯେତେ ସୁରକ୍ଷିତ ହେଲେ ମି: ଇଡମ୍ବିଏନ୍‍ଙ୍କ ସଙ୍ଗେ ସେ ଯେ କେଉଁଭଳି ଭାବରେ ପରାମର୍ଶ କରି ଏଠାରୁ ଚାଲି ନ ଯିବ...

 

ତମର ଯୁକ୍ତିରେ ମୁଁ ସଦାବେଳ ପରାଜୟ ସ୍ୱୀକାର କରିଛି, ଡ: ତୁଷାରକାନ୍ତି । ଆଉ ତମର ଆଶଙ୍କା ମଧ୍ୟ ଅମୂଳକ ନୁହେଁ । ତେଣୁ ତମେ ଯଦି ଆଉ ଟିକିଏ ଶ୍ରମ ସ୍ୱୀକାର କରି...

 

ମୋ ଉପରେ ଏବେ ଯେଉଁ କାମର ଦାୟିତ୍ୱ ଦେଇଛନ୍ତି, ତା ଭିତରେ ସେମାନଙ୍କ ପ୍ରତି ଦୃଷ୍ଟି ରଖିବା କୌଣସିମତେ ସମ୍ଭବ ହୋଇ ପାରିବ ନାହିଁ, ବସ । ମାନେ, ଅଧିକାଂଶ ସମୟ ମୋତେ ବାହାରେ ରହିବାକୁ ପଡ଼ିବ । ବରଂ ଆପଣ...

 

ମୋର ଦାୟିତ୍ୱ ବି କମ୍ ନୁହେଁ, ଡକ୍ଟର । ଏ ପର୍ଯ୍ୟନ୍ତ ତମେ ବି ମୋର କାର୍ଯ୍ୟକଳାପ ବିଷୟରେ ଅଜ୍ଞ ରହିଛ । ଅବଶ୍ୟ ତମେ ଆସିବା ପରଠାରୁ ମୁଁ ଅନେକଟା ଆଶ୍ୱସ୍ତି ପାଇଛି; ତଥାପି ଏହି କାମ ପାଇଁ ଲୀଳାକୁ ସହଯୋଗୀ ଭାବରେ ତମେ ନେଇପାର । ତାର ବିଚକ୍ଷଣ କାର୍ଯ୍ୟକଳାପ ନିଶ୍ଚୟ ତମ ନିକଟରେ ଅବିଦିତ ନ ଥିବ । ତା ଛଡ଼ା ସେ ଏ ଦଳର ଅତ୍ୟନ୍ତ ବିଶ୍ୱସ୍ତ । କାରଣ ତାର ବାହାରର ରାସ୍ତା ସଂପୂର୍ଣ୍ଣରୂପେ ବନ୍ଦ ହୋଇ ଯାଇଛି । ତମର ସାହଚର୍ଯ୍ୟ ପାଇ ସେ ନିଶ୍ଚୟ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ତମର ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରିବ ।

 

ଦଳପତିଙ୍କ ଅନୁରୋଧରେ ଯେଉଁ ଅଂଶଗୁଡ଼ିକ ଊହ୍ୟ ରହିଯାଉଥିଲା, ତାହା ଠିକ୍ ଭାବରେ ବୁଝିପାରୁଥିଲେ ତୁଷାରକାନ୍ତି ।

 

ତୁଷାରକାନ୍ତିଙ୍କ ଚିନ୍ତିତ ମୁଖମଣ୍ଡଳରୁ ଦୃଷ୍ଟି ଫେରାଇ ଆଣି ଦଳପତି କହିଲେ—ଆମ ଦଳରେ ଯେତେ ଜଣ ଅନ୍ତର୍ଭୂକ୍ତ ହୋଇଛନ୍ତି, ସମସ୍ତଙ୍କଠାରୁ ତାର ଇତିହାସ ଅତି କରୁଣ । ମୋର ମନ ସମୟ ସମୟରେ ତା ପାଇଁ ବ୍ୟଥିତ ହେଲେ ବି ତା ଭଳି ଜଣେ ଦକ୍ଷ କର୍ମୀକୁ ହରାଇବା ପାଇଁ ଏ ଦଳ ତରଫରୁ ମୋର ଇଚ୍ଛା ନୁହେଁ । ସେ ଭଳି ଶିକ୍ଷିତ, ସୁନ୍ଦରୀ...

 

ଅବଶ୍ୟ ମୋ କଥାକୁ ତମେ ଅନ୍ୟ ଭାବରେ ବୁଝିନେଇପାର । ତେବେ ମୋର ଅନୁରୋଧ, ଲୁସି ଆଉ ତାକୁ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କର, ଡକ୍ଟର । ଅନ୍ତତଃ ଏହି ଦଳ ପାଇଁ ଏହି ତ୍ୟାଗ ତମର ଯଥେଷ୍ଟ ହେବ । ମାନେ, ତମର ସାହଚର୍ଯ୍ୟ ପାଇ ଲୀଳା ଅନ୍ତତଃ କିଛି ପରିମାଣରେ ତୃପ୍ତ ହେବ । ବଶ୍‍; ଏବେ ତମେ ତମର କାର୍ଯ୍ୟକଳାପ ପାଇଁ ନିଜକୁ ପ୍ରସ୍ତୁତ କରିନିଅ । ଦରକାର ହେଲେ ମୋର ପରାମର୍ଶ ନେବ । ମୁଁ ଆସୁଛି ।

 

ତାଙ୍କର ପ୍ରସ୍ଥାନ ପଥକୁ ଅନାଇ ରହିଥିଲେ ତୁଷାରକାନ୍ତି । ଲୀଳାର କଥା ତାଙ୍କ ମାନସପଟରେ ଉଦବେଳିତ ହେବାରେ ଲାଗିଥିଲା ।

 

ଭିତରକୁ ଆସିପାରେଁ, ଫାଷ୍ଟ ଚିପ୍...

 

ବାହାରେ ଲୁସିର କଣ୍ଠସ୍ୱର ।

 

ତୁଷାରକାନ୍ତି ଟିକିଏ ଇତସ୍ତତଃ ହୋଇପଡ଼ିଲେ । ତା ପରେ ହସ ହସ କଣ୍ଠରେ କହିଲେ–ମୋ ନିକଟକୁ ଆସିବାରେ କୌଣସି ପରମିଶନ୍ କଣ ତମ ପାଇଁ ଲୋଡ଼ା...

 

ତାଙ୍କ କଥାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପୂର୍ବରୁ ଲୁସି ଆସିଯାଇଥିଲା । ପୂର୍ବଭଳି ସରସତା ତାର ମୁଖମଣ୍ଡଳରେ ନ ଥିଲା ।

 

ତାକୁ ଆହୁରି ନିକଟକୁ ନେଇଆସି ତୁଷାରକାନ୍ତି କହିଲେ—ତମର କଣ ହେଲା, ଲୁସି ?

 

ନିଜକୁ ସଂଯତ କରିନେଇ ଲୁସି କହିଲା—ମୋର କିଛି ହୋଇଛି ବୋଲି ତମେ କଣ ଅନୁମାନ କରିପାରୁଛ ?

 

ନିଶ୍ଚୟ ।

 

ନା, ଏବେ ତମେ ମୋର ସର୍ବସ୍ୱ ହୋଇ ରହିନାହଁ, ଡକ୍ଟର । ମୋର ଆଦେଶଦାତା ଚିଫ୍-

 

ଲୁସି !

 

ତୁଷାରକାନ୍ତିଙ୍କ ଚକ୍ଷୁ ସହିତ ନିଜର ଚକ୍ଷୁ ମିଶାଇ କିଛିକ୍ଷଣ ଛିଡ଼ା ହେଲା ଲୁସି । ତା ପରେ ତାଙ୍କର ହାତ ଧରି ଧୀରେ ଧୀରେ ଅଗ୍ରସର ହୋଇ ଯେଉଁ କୋଠରିରେ ପହଞ୍ଚିଲା, ସେହି କୋଠରିଟି ଥିଲା ‘ନିରାପଦ କୋଠରି’ । ଯାହାର ସ୍ୱରୂପ ସେଦିନ ଲୀଳା ବର୍ଣ୍ଣନା କରିଥିଲା ।

 

ଭିତରୁ କବାଟକୁ ବନ୍ଦ କରି ଲୁସି କହିଲା—ମୋର କଣ ହୋଇଛି ବୋଲି ତୁମେ ଅନୁମାନ କରି ପାରୁଛ ?

 

ସ୍ଥିର ଦୃଷ୍ଟିରେ ତାକୁ ଲକ୍ଷ୍ୟ କରି ତୁଷାରକାନ୍ତି କହିଲେ—ଏଥିରେ କଣ ତମର କିଛି ସନ୍ଦେହ ଅଛି ? କିନ୍ତୁ କାହିଁକି ଲୁସି, ତମର କଣ ହୋଇଛି ?

 

ଅଧରରେ ଶୁଷ୍କ ହସ ଖେଳାଇ ଲୁସି କହିଲା—ତମେ କଣ ବୁଝି ପାରୁନାହିଁ, ଡକ୍ଟର ! ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସହିତ ତମେ ତ ଅନେକ ଏକସପେରିମେଣ୍ଟ କରି ଆସିଛ, ଆଉ ମୋ ଭଳି ଜଣେ ସାମାନ୍ୟ ତରୁଣୀର ମନ ଭିତରଟା ଷ୍ଟଡି କରିବା ତମ ପକ୍ଷରେ କଣ ଦୁଃସାଧ୍ୟ ହୋଇଉଠିଛି ?

 

ଲୁସିକୁ ଆହୁରି ନିଜ ନିକଟକୁ ନେଇଆସି ତାର ଚୂର୍ଣ୍ଣକୁନ୍ତଳଗୁଡ଼ିକ ଉପରେ ହସ୍ତସଞ୍ଚାଳନ କରୁ କରୁ ତୁଷାରକାନ୍ତି କହିଲେ—କିନ୍ତୁ ତମର ଏଇ ବିମର୍ଷତା ମୋ ମନରେ ଯେ କେତେ ଆଘାତ ଦେଉଛି, ତାହା ତମେ କଣ ବୁଝି ପାରୁନାହିଁ, ଲୁସି ! ଅନ୍ୟମାନଙ୍କ ନିକଟରେ ମୁଁ ଫାଷ୍ଟ ଚିଫ୍ ହୋଇପାରେ, ହେଲେ ତମ ନିକଟରେ—ଲୁସିର ଆନତ ଅଧରରେ ନିବିଡ଼ ଭାବରେ ସ୍ପର୍ଶ ଦେଇ କହିଉଠିଲେ ତୁଷାରକାନ୍ତି ।

 

ଲୁସି ନିଜର ବାହୁଯୁଗଳରେ ତୁଷାରକାନ୍ତିଙ୍କୁ ବେଷ୍ଟନ କରି କହିଲା—ତମକୁ ନେଇ ମୁଁ ଯେଉଁ କଳ୍ପନାର ମିନାର ଗଢ଼ିବାକୁ ପାଉଥିଲି, ତାହା କଣ ଲୀଳାର ଆବିର୍ଭାବ ପରେ ଧୂଳିସାତ୍ ହୋଇଯିବ, ଡକ୍ଟର !

 

ମାନେ ? ଚମକିଉଠିଲେ ତୁଷାରକାନ୍ତି ।

 

ଲୀଳା ମୋ ଠାରୁ ସୁନ୍ଦରୀ... ଲୁସିର କଣ୍ଠ ଭାରି ହୋଇ ଆସିଲା । ଚକ୍ଷୁକୋଣରେ ବି ଅଶ୍ରୁର ସୂଚନା ଫୁଟିଉଠିଲା ।

 

କିନ୍ତୁ ତମ ଭଳି ସେ ତ ମୋତେ ଏଭଳି ସମ୍ମାନରେ ଅଧିଷ୍ଠିତ କରିପାରି ନାହିଁ, ଲୁସି ! ତମରି ପାଇଁ ତ ମୋର ଏ ସବୁ କିଛି । ତୁଷାରକାନ୍ତି ଧନଲୋଭରେ ଏଭଳି ସ୍ତରକୁ ଆସିଯାଇଥିଲେ ବି ବିଶ୍ୱାସଘାତକ ନୁହେଁ । ତୁମେ ତ ମୋର ପ୍ରେମିକା ନୁହଁ ଲୁସି, ଭବିଷ୍ୟତ ଜୀବନ ଯାହା ସହିତ ସୁଖ ଦୁଃଖ ଭିତରେ ଅତିବାହିତ କରିବାକୁ ପଡ଼ିବ ...

 

ଡକ୍ଟର... ତୁମେ ଏତେ ମହାନ୍ !

 

ମହାନ୍ ନୁହେଁ ଲୁସି, ମୁଁ ତ ତୁମର । ମୋ ନିକଟରେ ଲୀଳାର ଛାଇ ଦେଖି ଚମକିବା ତୁମ ପକ୍ଷରେ ଉଚିତ ନୁହେଁ । ଯେତେବେଳେ ସେ ମୋର ଅଧସ୍ତନ କର୍ମଚାରୀ । ତା ପ୍ରତି ଦୁର୍ବଳତା ପ୍ରକାଶ କରିବା ଅର୍ଥ ନିଜର ବ୍ୟକ୍ତିତ୍ୱ ଅପଚୟ କରିବା ।

 

କିନ୍ତୁ ମହାସାଙ୍ଘାତିକ ସେ ତୁଷାରକାନ୍ତି ।

 

ମୋର ନିଜର ଆତ୍ମବିଶ୍ୱାସ ଯଥେଷ୍ଟ ଅଛି, ଲୁସି । ଆଉ ତୁମ ଉପରେ ବି ପ୍ରଖର ବିଶ୍ୱାସ ରହିଛି । ସେଇଥିପାଇଁ ତ ତୁମକୁ କବଳିତ କରିବା ଲାଗି ଶତ୍ରୁଜିତ ଯେଉଁ ଜାଲ ବିସ୍ତାର କରିଥିଲା, ସେହି ଜାଲରେ ତାକୁ ଛନ୍ଦି ଏହିଠାକୁ ନେଇ ଆସିଛି ।

 

ଏଥର ଲୁସିର ମୁଖମଣ୍ଡଳ ପ୍ରସନ୍ନତାର ଆଭାରେ ପୁଲକିତ ହୋଇଉଠିଲା । ସେ ତୁଷାରକାନ୍ତିଙ୍କୁ ଏକ ନିବିଡ଼ ଚୁମ୍ବନ ଦେଇ କହିଲା—ସତରେ ଡକ୍ଟର, ତୁମକୁ କୌଣସି ମୁହୂର୍ତ୍ତରେ ମୋ ପାଖରୁ ଛାଡ଼ିବାକୁ ଇଚ୍ଛା ନାହିଁ ।

 

ଆଉ ମୋର... ତୁମେ ବୁଝିପାରିବନି ରାଣୀ...

 

ହଠାତ୍ ହାତଘଣ୍ଟାକୁ ଚାହିଁ ଚଞ୍ଚଳ ହୋଇପଡ଼ି ଲୁସି କହିଲା—ଏବେ ବସଙ୍କ ପାଖକୁ ଯିବାକୁ ପଡ଼ିବ, ଡକ୍ଟର । ରାତିରେ ପୁଣି ସାକ୍ଷାତ । ମୁଁ ଆସୁଛି ।

 

କ୍ଷୀପ୍ର ବେଗରେ ଲୁସି ସେହି କକ୍ଷରୁ ଅନ୍ତର ହୋଇଗଲା । କେତେକ ମୁହୂର୍ତ୍ତ ସେଠାରେ ଛିଡ଼ା ହେବା ପରେ ପୁଣି ଆଉ ଗୋଟିଏ କକ୍ଷକୁ ଚାଲିଆସିଲେ ତୁଷାରକାନ୍ତି ।

 

ଏ କକ୍ଷଟି ଅପେକ୍ଷାକୃତ ମନୋରମ ଥିଲା । ଏକ ଟିକ୍ ଉଡ୍‍ର ଟେବୁଲ ଚତୁଃପାର୍ଶ୍ୱରେ କେତେଗୁଡ଼ିଏ ସୁଶୋଭିତ ଚେୟାର ପଡ଼ିଥିଲା । ତା ଠାରୁ କିଛିଦୂରରେ ଏକ ଷ୍ଟିଲ୍ ଆଲମିରା । ପକେଟରୁ କେତେଗୁଡ଼ିଏ ଚାବି ବାହାର କରି ତାହାରି ସାହାଯ୍ୟରେ ଆଲମିରା ଖୋଲି କେତେଗୁଡ଼ିଏ ଫାଇଲ୍ ବାହାର କରି ଆଣିଲେ ।

ଦୀର୍ଘ ସମୟ ଫାଇଲର ପୃଷ୍ଠାଗୁଡ଼ିକ ଉପରେ ମନୋନିବେଶ କରିବା ପରେ, ଟେବୁଲ ଉପରେ ଥିବା କେତେଗୁଡ଼ିଏ ସୁଇଚ୍ ଭିତରୁ ଗୋଟିଏ କିଛି ସମୟ ଅନ୍ କରି ଧରିଲେ । ତା ପରେ ପୁଣି କଣ ଲେଖିବାରେ ବ୍ୟସ୍ତ ରହିଲେ ।

ବାହାରେ ପାଦଶବ୍ଦ ଶୁଣାଗଲା । ଶୁଣି ନ ଶୁଣିଲା ପରି ତୁଷାରକାନ୍ତି ସେହି ଫାଇଲ୍ ଉପରେ ପୂର୍ବ ପରି ମନୋନିବେଶ କରି ରହିଥିଲେ ।

ସତ୍ରସ୍ତ ବଦନରେ ଭିତରକୁ ପ୍ରବେଶ କଲା ଲୀଳା । ତାର ଚେହେରାରେ ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଆସିଯାଇଥିଲା । ମନେ ହେଉଥିଲା, ଏହି କେତେ ଦିନ ଭିତରେ ତାର ବୟସର ସୀମା–ରେଖା ଯେମିତି ଯଥେଷ୍ଟ ଆଗେଇ ଯାଇଛି ।

ତଥାପି ତୁଷାରକାନ୍ତି ନୀରବ ଥିଲେ ।

ତାଙ୍କର ଧ୍ୟାନଭଙ୍ଗ କରିବା ପାଇଁ କୌଣସି କଥା କହିବା ଲାଗି ଚେଷ୍ଟା କରି ସେ ନିରୁତ୍ସାହିତ ହୋଇପଡ଼ିଲା । ତୁଷାରକାନ୍ତିଙ୍କ ଗମ୍ଭୀର ମୁଖମଣ୍ଡଳ ତା ନିକଟରେ ଆହୁରି ଭୀତିପ୍ରଦ ମନେ ହେଉଥିଲା ।

ଦୀର୍ଘ ସମୟ ଧରି ତୁଷାରକାନ୍ତି ସେହିପରି ଫାଇଲରେ କଣ ସବୁ ଲେଖି ଚାଲିଥିଲେ ।

ମୋତେ ଡାକିଲେ ? —ସାହସ ସଞ୍ଚୟ କରି ଲୀଳା କହିଲା ।

ହଁ, ବସ । ତୁମ ସହିତ କେତେକ କଥାବାର୍ତ୍ତା ଅଛି ।

ବାଧ୍ୟ ଶିଶୁ ପରି ଲୀଳା ବସିପଡ଼ିଲା । ଆଜି କାହିଁକି ତୁଷାରକାନ୍ତିଙ୍କର କଥାଗୁଡ଼ାକ ତାର ମାନସପଟରେ ମୃତ୍ୟୁର ପଦଧ୍ୱନି ଶୁଣାଇବାରେ ଲାଗିଥିଲା । ହୃତପିଣ୍ଡର ସ୍ପନ୍ଦନ ଅପେକ୍ଷାକୃତ ତୀବ୍ରତର ହେଉଥିଲା ତାର ।

ଫାଇଲ ବନ୍ଦ କରି ଲୀଳା ହାତକୁ ଫାଇଲଟା ଦେଇ କହିଲେ—ଏଗୁଡ଼ିକ ସବୁ ଆଲମିରାରେ ରଖ ।

ସ୍ୱୟଂଚାଳିତ ମେସିନ୍ ଭଳି ଲୀଳା ଫାଇଲ ନେଇ ଆଲମିରାରେ ବନ୍ଦ କଲା । ତୁଷାରକାନ୍ତିଙ୍କର ଦୃଷ୍ଟି ତା ଉପରେ ନିବିଡ଼ ଭାବରେ ପ୍ରତିଫଳିତ ହୋଇ ରହିଥିଲା ।

ଟେବୁଲ ଡ୍ରୟର ଭିତରୁ ଖଣ୍ଡିଏ ସିଗାରେଟ ବାହାର କରି ସେଥିରେ ଅଗ୍ନିସଂଯୋଗ କରୁ କରୁ ତୁଷାରକାନ୍ତି କହିଲେ—ତୁମେ ଜଣେ ବିଶ୍ୱସ୍ତ କର୍ମଚାରୀ ହୋଇଥିବା ଯୋଗୁଁ ଗତଦିନର ଘଟଣାବଳୀ ମୁଁ ଦଳପତିଙ୍କ କାନକୁ ନେଇ ନାହିଁ, ଲୀଳା ସାନ୍ନ୍ୟାଲ । ଏଇ ପ୍ରଥମ ଥର ପାଇଁ ତୁମର ଏଭଳି ଅପରାଧକୁ ମୁଁ କ୍ଷମା ଦେଇଛି ।

ଫେରି ଆସୁ ଆସୁ ଲୀଳାର ପଦଦ୍ୱୟ ସ୍ଥିର ହୋଇଗଲା । କେତେକ ସମୟ ପାଇଁ ତା ମୁଖରୁ କୌଣସି ବାକ୍ୟ ନିଃସୃତ ହେଲା ନାହିଁ ।

ତା ଆଡ଼ୁ ଦୃଷ୍ଟି ଫେରାଇ ଆଣି ତୁଷାରକାନ୍ତି ପୁଣି କହିଲେ—ତମେ ଯେଉଁ ଅପରାଧ କରିଛ, ସେହି ଅପରାଧର ଶାସ୍ତି ସ୍ୱରୂପ ତମକୁ ଦଣ୍ଡ ଗ୍ରହଣ କରିବାକୁ ପଡ଼ିବ । ଆଉ ତାହା ଯେ କଣ....

ଏଥର ଲୀଳାର ଦୃଷ୍ଟି ତୀର୍ଯ୍ୟକ୍ ଭାବରେ ପ୍ରତିଫଳିତ ହେଲା ତୁଷାରକାନ୍ତିଙ୍କ ମୁଖମଣ୍ଡଳ ଉପରେ । କାରଣ ଗମ୍ଭୀରତା ଅପସରି ଯାଇ ତାଙ୍କ ମୁଖମଣ୍ଡଳରେ ହାସ୍ୟରେଖା ଫୁଟି ଉଠିଥିଲା ।

 

ସେହି ହସରେ ଶିହରି ଉଠିଲା ଲୀଳା । କାରଣ ତୁଷାରକାନ୍ତିଙ୍କ ନିକଟରୁ ବିଫଳ ହେଲା ପରେ ସେ ଜାଣି ନେଇଥିଲା—ତୁଷାରକାନ୍ତି ଏବେ ମାନବ ଆସନରୁ ଦାନବ ଆସନରେ ଅଧିଷ୍ଠିତ ହୋଇଛନ୍ତି । ଆଉ ତାଙ୍କ କ୍ଷମା କରିବାର ସର୍ତ୍ତ ଯେ କଣ ହୋଇପାରେ, ତାହା ତା ନିକଟରେ ବୁଝିବାକୁ ବିଳମ୍ବ ଲାଗି ନ ଥିଲା ।

 

ତୁଷାରକାନ୍ତିଙ୍କର ଲୁବ୍‍ଧ ଦୃଷ୍ଟି ଲୀଳାର ସର୍ବାଙ୍ଗରେ ପ୍ରତିଫଳିତ ହେଉଥିଲା । ଏକ ବନ୍ଦୀ ହରିଣୀ ପରି ବିଚଳିତ ହୋଇ ପଡ଼ୁଥିଲା ସେ ।

 

ତାର ଏ ଅବସ୍ଥା ଦେଖି ଆହୁରି ଜୋରରେ ହସିଉଠିଲେ ତୁଷାରକାନ୍ତି । ତା ପରେ ଚେୟାର ଛାଡ଼ି ଧୀରେ ଧୀରେ ତା ନିକଟକୁ ଅଗ୍ରସର ହେବାକୁ ଲାଗିଲେ ।

 

ଫାଷ୍ଟ ଚିଫ୍... ଘୃଣାରେ ପଛକୁ ଫେରିଯାଇ ଚିତ୍କାର କରିଉଠିଲା ଲୀଳା । ତୁମେ ମନେକରନା ଯେ ଜୀବନ ଭୟରେ ମୁଁ ତୁମକୁ ମୋର ସମସ୍ତ କିଛି ଦେଇଦେବି ।

 

ଲୀଳା ! ଚିତ୍କାର କରି ଉଠିଲେ ତୁଷାରକାନ୍ତି ।

 

ଜାଣେ, କିନ୍ତୁ ମୁଁ ଜାଣିଥିଲି ତୁମ ହୃଦୟ ଭିତରେ ବି ମୁଁ ଦେବତାର ଆସନ ସୃଷ୍ଟି କରି ପାରିବି । ହେଲେ ତମେ... ତମ ଭଳି ଜଣେ ସୈତାନ ହାତରୁ ଭଗବାନ ରୀତାକୁ ରକ୍ଷା କରିଛନ୍ତି ।

 

ଲୀଳା !

 

ଲୀଳା ଏ ଦୁନିଆରେ କାହାରିକୁ ଭୟ କରେ ନାହିଁ । ମୃତ୍ୟୁକୁ ବି ନୁହେଁ । କାରଣ ଏବେ ଯେଉଁ ସୋପାନରେ ମୁଁ ଆସି ପହଞ୍ଚିଛି, ସେହି ସୋପାନରେ ବଞ୍ଚିରହି ଜୀବନ୍ତ ଦଗ୍‍ଧ ହେବା ଅପେକ୍ଷା ମୃତ୍ୟୁ ମୋର ସବୁଠାରୁ ହିଁ କାମ୍ୟ । ଆଉ ଯେଉଁମାନଙ୍କର ଅନ୍ତର୍ଦାହରେ ଏ ପୁରୀର ବାୟୁମଣ୍ଡଳ ଅଭିଶପ୍ତ ହୋଇଉଠିଛି, ସେହିମାନଙ୍କର ପ୍ରେତାତ୍ମା ହିଁ...

 

ତୁଷାରକାନ୍ତିଙ୍କ ସକଳ ଅବୟବ ଯେମିତି ଲୀଳାର କଥାରେ ପ୍ରକମ୍ପିତ ହୋଇଗଲା । ସେ ଖୁବ୍ ଜୋରରେ ଲୀଳାର ହାତକୁ ଭିଡ଼ି ଧରି କହିଲେ—ତୁମ ଭଳି ଜଣେ ବିଦ୍ରୋହୀଣୀକୁ କିଭଳି ଭାବରେ ଶାସ୍ତି ଦିଆଯାଇ ପାରିବ, ତାହା ଏହି ମୁହୂର୍ତ୍ତରେ ମୁଁ ସିଦ୍ଧାନ୍ତ କରି ସାରିଛି । ଆସ...

 

ତା ପରେ କ୍ଷୀପ୍ରବେଗରେ ଲୀଳାକୁ ପ୍ରାୟ ଘୋଷାରି ଘୋଷାରି ସେ କକ୍ଷରୁ ଅନ୍ତର ହୋଇଗଲେ ତୁଷାରକାନ୍ତି ।

 

ପ୍ରତ୍ୟେକ ପ୍ରାଣରେ ଆଶା ଆଉ ଉଦ୍ଦୀପନାର ଢେଉ ଖେଳାଇ ଆରମ୍ଭ ହୋଇଥିଲା ଉଦ୍‍ଘାଟନ ଉତ୍ସବ । ଦଳର ପ୍ରତ୍ୟେକ ସଦସ୍ୟ କର୍ମତତ୍ପର ହୋଇ ଉଠିଥିଲେ । ଆଜି ଦୀର୍ଘ ଦୁଇ ଦିନର ଉତ୍ସବର ଉଦ୍‍ଯାପନ ଦିବସ ।

 

ପୌରୋହିତ୍ୟ କରିବେ ସ୍ୱୟଂ ପରିଚାଳନା—ନିର୍ଦ୍ଦେଶକ । ଆଉ ଯେଉଁ ପୋଲିସ କର୍ମଚାରୀଗଣ ଏହି ଦଳର ସଦସ୍ୟବୃନ୍ଦଙ୍କୁ କଳେ ବଳେ ଅଥବା କୌଶଳ ସହକାରେ ଗିରଫ କରି ଏହି ଦଳର ଧ୍ୱଂସ ସାଧନ ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ, ସେହିମାନଙ୍କ ଉପସ୍ଥିତିରେ ତାଙ୍କର ଅତି ଦକ୍ଷ ସୁଚତୁର ଗୋଏନ୍ଦାଦ୍ୱୟଙ୍କ ସହିତ ସହକାରୀ ଜୟନ୍ତ—ଗୋଟିକ ପରେ ଗୋଟିଏ ଅପରେସନ ଟେବୁଲ ଉପରେ ଜୀବନ ବିସର୍ଜ୍ଜନ କରିବେ ।

 

କିନ୍ତୁ ଅପରେସନ ଟେବୁଲ ଯେ କଣ ଆଉ ପ୍ରକୃତରେ ଏହି ଦଳର ଉଦ୍ଦେଶ୍ୟ କଣ, ତାହା ସହଜରେ କାହାରି ଜାଣିବାର ଉପାୟ ନ ଥିଲା । କାରଣ ପ୍ରତ୍ୟେକ ସଦସ୍ୟ ସେମାନଙ୍କ ଉପରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା, ତାହା ବ୍ୟତୀତ ଅନ୍ୟ କଥା ଜାଣିବାର ସୁଯୋଗ ପାଇ ନ ଥିଲେ ।

 

ଜାଣିବାକୁ ଚେଷ୍ଟା କଲେ ନିର୍ମମ ଦଣ୍ଡ ମିଳିବା ଭୟରେ ସେଭଳି ଦୁଃସାହସ କୌଣସି ସଦସ୍ୟ କରୁ ନ ଥିଲେ । କିନ୍ତୁ ଆଜି ଦଳପତିଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ସଦସ୍ୟ ଅପରେସନ ଟେବୁଲ ନିକଟରେ ଉପସ୍ଥିତ ରହିବାର ଅନୁମତି ପାଇଥିଲେ । ତେଣୁ ସେମାନଙ୍କ ମନ ଭିତରେ ଦୀର୍ଘ ଦିନ ଧରି ରହି ଆସିଥିବା ଉତ୍କଣ୍ଠା ଆଜି ଯେ ସଫଳ ହୋଇପାରିବ, ଏହି କଥା ଚିନ୍ତା କରି ସମସ୍ତେ ଆନନ୍ଦିତ ଥିଲେ ।

 

ଦଳପତି ତାଙ୍କର ବକ୍ତବ୍ୟ ଶେଷ କରି ସାରିଥିଲେ । ପୁଣି ସନ୍ଧ୍ୟା ସାତଟାରେ ଅପରେସନ ହଲରେ ସମସ୍ତଙ୍କୁ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇ ବର୍ତ୍ତମାନ ପାଇଁ ବିଶ୍ରାମ ନେବାକୁ ଜଣାଇ ଦେଲେ ।

 

ସେମାନଙ୍କ ପ୍ରସ୍ଥାନ ପରେ ଲୁସି ଆସି ଛିଡ଼ା ହେଲା ।

 

ତୁଷାରକାନ୍ତି ଫେରିଲେ ?

 

Unknown

ନା ।

 

ବନ୍ଦୀମାନେ... ?

 

ସେମାନଙ୍କ ପାଇଁ ସେ ଯେଉଁ ଭଳି ବନ୍ଦୋବସ୍ତ କରି ଯାଇଛନ୍ତି,

 

ସେଥିରେ ଆଉ ଚାରି ଘଣ୍ଟା ଭିତରେ ସେମାନେ ଯେ କୌଣସି ପ୍ରକାର ମୁକ୍ତ ହୋଇ ଯାଇପାରିବେ ନାହିଁ, ଏହା ନିଃସନ୍ଦେହ ଭାବରେ କୁହାଯାଇପାରେ ।

 

ଆଉ ବାହାରର ବ୍ୟବସ୍ଥା ?

 

ଆପଣଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଳନ କରାଯାଇଛି । ପ୍ରଧାନ ପ୍ରବେଶ ପଥର ଅନତିଦୂରରେ ଦଶ ଜଣ ଲେଖାଏଁ ସଶସ୍ତ୍ର ସହକର୍ମୀ ରହିଛନ୍ତି । ସେମାନଙ୍କ ନିକଟରେ ଜରୁରୀ ସମ୍ବାଦ ଜଣାଇ ଦେବା ପାଇଁ ଶକ୍ତିଶାଳୀ ଟେଲି–କମ୍ୟୁନିକେସନ୍ ଯୋଗାଇ ଦିଆଯାଇଛି ।

 

ଆଉ ପ୍ରତ୍ୟେକ ସୁଇଚ ସେଣ୍ଟରରେ ଜଣେ ଜଣେ ଦକ୍ଷ ସଦସ୍ୟଙ୍କୁ ଜଗାଇ ଦିଆଯାଇଛି-

 

ଆଜିକାର ପ୍ରତି ରକ୍ଷା ପାଇଁ ଡ: ତୁଷାରକାନ୍ତି ଯେଉଁଭଳି ଭାବରେ ଯୋଜନା କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ ।

 

କିନ୍ତୁ ବାହାରର ସମ୍ବାଦ କିଛି ପାଇଛ ।

 

ବାହାରୁ ସେଭଳି କୌଣସି ସୂଚନା ମିଳି ନାହିଁ । ଆମର ସ୍ୱତନ୍ତ୍ର ସଦସ୍ୟ ସେ ବିଷୟରେ ଗଭୀର ଅନୁସନ୍ଧାନ କରି ଜାଣି ପାରିଛନ୍ତି ଯେ, ଏ ଦଳର ଏଠାକାର ଅବସ୍ଥିତି ବିଷୟରେ କେନ୍ଦ୍ର ପୋଲିସ ସଂସ୍ଥା କିଛିଟା ଅନୁମାନ କରୁଥିଲେ ମଧ୍ୟ କୌଣସି ସଠିକ ବିବରଣୀ ପାଇଁ ନାହାନ୍ତି । କାରଣ ଅନୁମାନ କରି ଯେଉଁ ସ୍କେଚ ସେମାନଙ୍କ ନିକଟକୁ ପଠାଇବାକୁ ଶତ୍ରୁଜିତ ଚେଷ୍ଟା କରିଥିଲେ ତାହା ତୁଷାରକାନ୍ତି ଉଦ୍ଧାର କରି ଆଣିବା ଫଳରେ ସେ ଦିଗରୁ ଆମେ ନିରାପଦ ହୋଇ ପାରିଛୁ ।

 

ଆଉ ସର୍ବୋପରି କଲେକ୍ଟର ତଥା ଏସ୍.ପି. ଙ୍କୁ କୌଶଳରେ ତୁଷାରକାନ୍ତି ଅପହରଣ କରି ଆଣିବା ଫଳରେ ସରକାରଙ୍କ ତରଫରୁ ତୀବ୍ର ଉଦବେଗ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରୁ ବଛା ବଛା ସୁଦକ୍ଷ କର୍ମଚାରୀମାନଙ୍କୁ ଅଣାଯାଇଛି ସତ, କିନ୍ତୁ ସେମାନେ ଏ ବିଷୟରେ ପୁରାପୁରି ଅଜ୍ଞ । ଅନ୍ତତଃ ପରିଚାଳନା ନିର୍ଦ୍ଦେଶକ ଏଠାରୁ ପ୍ରସ୍ଥାନ କରି ଗଲା ପର୍ଯ୍ୟନ୍ତ ବାହାରୁ କୌଣସି ବିପଦର ସୂଚନା ନାହିଁ । ଆଉ ସେଭଳି ଯଦି କୌଣସି ଆକସ୍ମିକ ଦୁର୍ଯୋଗ ଆସେ, ତା ହେଲେ ତାର ଦାୟିତ୍ୱରେ ରହିଥିବା ଧନୀରାମ ନିଶ୍ଚୟ ପ୍ରତିକାର କରିବେ ।

 

କିନ୍ତୁ ଦସ୍ୟୁ ଅଜୟ.....

 

ସେ ଯେମିତି ପବନରେ ମିଶିଯାଇଛି । ମାନେ, ଏଇ ଦୀର୍ଘ ଆଠ ଦିନ କାଳ ଆମେ ତିନି ଜଣ ତାର ସନ୍ଧାନ ନେଉଥିଲେ ମଧ୍ୟ କୌଣସି ବିଷୟ ଜଣାଯାଇ ନାହିଁ ।

 

କେବଳ ତାର ଯେଉଁ ଦୁଇ ଜଣ ଅନୁଚରଙ୍କୁ ଧରାଯାଇଥିଲା, ନିର୍ମମ ଅତ୍ୟାଚାର ଫଳରେ ହୁଏ ତ କୌଣସି ସନ୍ଧାନ ତୁଷାରକାନ୍ତି ପାଇ ଯାଇଛନ୍ତି । ଆଉ ଯାହା ଫଳରେ ସେ ସକାଳ ଠାରୁ ଏ ପର୍ଯ୍ୟନ୍ତ ଫେରି ଆସି ନାହାନ୍ତି ।

 

ବାହାରେ ତାଙ୍କର ପ୍ରତିରକ୍ଷାର ବ୍ୟବସ୍ଥା.....

 

ଲୀଳା ସାନ୍ନ୍ୟାଲ ନେଇଛି ।

 

ପୁଣି ଥରେ ହାତଘାଣ୍ଟକୁ ଅନାଇ ଯେମିତି ବିଚଳିତ ହୋଇ ଉଠିଲେ ଦଳପତି । ତା ପରେ ଅଧିରତା ସହକାରେ କହିଲେ—ତମେ ଏ ପର୍ଯ୍ୟନ୍ତ ଇନ୍‍ଫରମେଶନରେ ଥିଲ ତ ?

 

ହଁ, ବସ । ହେଲେ ତାଙ୍କ ଉପରେ ବିପଦ ଆସିବାର କୌଣସି ମିଳି ନାହିଁ । ଏଇ ପାଞ୍ଚ ମିନିଟ ତଳେ ତାଙ୍କରି ଡିସ୍‍ପେନ୍‍ସନାରୀ ସମ୍ମୁଖ ଦେଇ ଯାଉଥିବାର ଆମର ସଦସ୍ୟ ସମ୍ବାଦ ଦେଇଛନ୍ତି ।

 

କିନ୍ତୁ ଏବେ ସାଢ଼େ ପାଞ୍ଚଟା ବାଜିଲା । ସାତଟା ବେଳେ ତାଙ୍କର ଉପସ୍ଥିତି ନିହାତି ଦରକାର ।

 

ମୋର ବିଶ୍ୱାସ, ସେ ଛ’ଟା ବେଳେ ନିଶ୍ଚୟ ଫେରି ଆସିବେ ଆଜ୍ଞା ।

 

ଲୁସିର ଉତ୍ତରରେ ଟିକିଏ ଚିନ୍ତିତ ହୋଇ ପଡ଼ିଲେ ଦଳପତି । ତା ପରେ କହିଲେ—ତୁମେ ଆସ ଲୁସି । ପୁଣି ଥରେ ଭଲ ଭାବରେ ପ୍ରତିରକ୍ଷାର ବିଭିନ୍ନ ଦାୟିତ୍ୱରେ ରହିଥିବା ସଦସ୍ୟ ମାନଙ୍କର କାର୍ଯ୍ୟକଳାପ ଉପରେ ଧ୍ୟାନ ରଖି ଆସିବା ଉଚିତ ହେବ । କାରଣ ଡ: ତୁଷାରକାନ୍ତି ଫେରି ଆସିବା ପରଠାରୁ ଆଉ ବାହାରକୁ ଯାଇ ପାରିବେ ନାହିଁ ।

 

ସର୍ବୋପରି ଦସ୍ୟୁ ଅଜୟ । ତା ପାଇଁ ଅବହେଳା କରିବା ଆମର ଆଦୌ ଉଚିତ ହେବ ନାହିଁ ।

 

ଦଳପତିଙ୍କ ପଛେ ପଛେ ଦିନପ୍ରତିବାଦରେ ଲୁସି ଅଗ୍ରସର ହେବାରେ ଲାଗିଲା । ପ୍ରତ୍ୟେକ ଗୁପ୍ତକକ୍ଷ ଆଉ ତତ୍ସଂଲଗ୍ନ ସୁଇଚ୍ ବୋର୍ଡ଼ ପ୍ରତ୍ୟେକଟି ଗଭୀର ଭାବେ ପରୀକ୍ଷା କରି ସେମାନେ କଣ୍ଟ୍ରୋଲ ରୁମରେ ପ୍ରବେଶ କଲେ ।

 

ବାହାରେ ସାଙ୍କେତିକ ଶବ୍ଦ ହେବା ମାତ୍ରେ କଣ୍ଟ୍ରୋଲ ରୁମ୍‍ର ଦ୍ୱାର ଉନ୍ମୁକ୍ତ ହୋଇଗଲା । ସେଠାରେ ପ୍ରହରାରତ ଦୁଇ ଜଣ କଳା ପୋଷାକ ପରିହିତ ବ୍ୟକ୍ତି ଅଭିବାଦନ ଜଣାଇଲେ ।

 

ତୁମ ମାନଙ୍କ କାର୍ଯ୍ୟରେ ମୁଁ ବିଶେଷ ସନ୍ତୁଷ୍ଟ ରମେଶ । ଆଜିକାର ବିଶେଷ ଗୁରୁତ୍ୱର ବ୍ୟବସ୍ଥା ଫାଷ୍ଟ ଚିଫ୍ ତମ ମାନଙ୍କୁ ଜଣାଇ ଦେଇଛନ୍ତି ।

 

ଅତି ବିଶ୍ୱସ୍ତ କର୍ମଚାରୀ ଭାବରେ ଆଜି ସ୍ୱୟଂ ପରିଚାଳନା ନିର୍ଦ୍ଦେଶକ ତମ ମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବେ । ଅବଶ୍ୟ ନିରାପତ୍ତା ରକ୍ଷାର ବ୍ୟବସ୍ଥାରେ ତମେ ମାନେ ଆଜି ରହିଥିବା ଯୋଗୁ ସେହି ପୁରସ୍କାର ତମକୁ ପରେ ଦିଆଯିବ ।

 

ଏହି କଣ୍ଟ୍ରୋଲ ରୁମ୍‍ର ଗୁରୁତ୍ୱ ତମ ମାନଙ୍କୁ ଅଜଣା ନାହିଁ । ଯାହା ଉପରେ ଆମ ସମସ୍ତଙ୍କର ନିରାପତ୍ତାର ବ୍ୟବସ୍ଥା ନିର୍ଭର କରେ । ବିଶେଷତଃ ପରିଚାଳନା ନିର୍ଦ୍ଦେଶକ.....

 

ଆମେ ମାନେ ଜୀବନ ବିନିମୟରେ ବି ନିୟମ ପାଳନ କରିବାକୁ ପ୍ରସ୍ତୁତ ରହିଛୁ, ବସ ।

 

ଧନ୍ୟବାଦ । ଏହି କଣ୍ଟ୍ରୋଲ ରୁମ୍ ର ବିଶ୍ଵସତ୍ୱ ସମ୍ପୂର୍ଣ୍ଣ ଅଭିନବ । କେବଳ ତୁମ ଦୁଇ ଜଣଙ୍କ ବ୍ୟତୀତ ଆମର ଆଉ କୌଣସି କାର୍ଯ୍ୟକାରୀ ସଦସ୍ୟ ଏହାର ଅବସ୍ଥିତି ତଥା ରହସ୍ୟ ବିଷୟରେ କୌଣସି ସୂଚନା ପାଇ ନାହାନ୍ତି । ବାହାରର କୌଣସି ଶତ୍ରୁ ପକ୍ଷ ମଧ୍ୟ ଏ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ । ତେଣୁ ବାହାରର କୌଣସି ଭୟ ନ ଥିଲେ ବି ତୁମେ ମାନେ ରାତ୍ରି ନ ଟା ପର୍ଯ୍ୟନ୍ତ ଜାଗ୍ରତ ରହିବ ଉଚିତ ।

 

ବିଶେଷତଃ ଇଣ୍ଡିଗେସନ୍ ନଂ–୫ ଆଉ ନଂ–୭ ଦୁଇଟି ଆଜି ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ନିହାତି ଜରୁରୀ ନମ୍ବର ସାତ ସିଧା ଏରୋଡ୍ରମକୁ ରାସ୍ତା ଆଉ ନମ୍ବର ପାଞ୍ଚ— ନମ୍ବର ଏକ ହଲ୍ କୁ ଯିବା ରାସ୍ତା । ଅର୍ଥାତ ଯେ କୌଣସି ଶତ୍ରୁ ପକ୍ଷରେ ଲୋକ ଯଦି ଏହା ଭିତରେ ପ୍ରବେଶ କରେ, ତାହାର ସୂଚନା ତୁମେ ପାଇବା ମାତ୍ରେ ପ୍ରତ୍ୟେକର ପ୍ରବେଶ ଆଉ ପ୍ରସ୍ଥାନ ପଥ ରୁଦ୍ଧ କରିଦେବ ।

 

ସର୍ବୋପରି ନମ୍ବର ସାତ ଅନ୍ କରିବା ସଙ୍ଗେ ସଙ୍ଗେ କ୍ରେନ୍ ସୁଇଚ୍‍ ଅନ୍ କରିଦେବ; ଯାହା ଫଳରେ ଆମେ ସମସ୍ତେ ନିର୍ବିଘ୍ନରେ ଉଦ୍ଧାର ହୋଇଯିବୁ ।

 

ଆମେ ମାନେ ଯେ କୌଣସି ଜରୁରୀ କାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇ ରହିଛୁ, ବସ ।

 

ଧନ୍ୟବାଦ । ତା ପରେ କଣ୍ଟ୍ରୋଲ ରୁମ୍ ର ପ୍ରତ୍ୟେକ ସୁଇଚ୍ ଭଲ ଭାବରେ ପରୀକ୍ଷା କରି ଫେରି ଆସୁ ଆସୁ ପୁଣି ସେମାନଙ୍କୁ ସମ୍ବୋଧନ କରି କହିଲେ—ଯଦି ସେଭଳି କୌଣସି ଦୁର୍ଘଟଣା ଘଟେ, ତା ହେଲେ ମୋ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପାଇବା ମାତ୍ରେ ବିଷାକ୍ତ ବାଷ୍ପ ପ୍ରତ୍ୟେକ କୋଠରିରେ ଖେଳାଇ ଦେବ । ଯେପରି କୌଣସି ଶତ୍ରୁ ଜୀବନ ଘେନି ଫେରି ନ ପାରେ-

 

ତା ପରେ ଲୁସିକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇ ସେ ପୁଣି ଗୋଟିଏ କକ୍ଷରେ ପ୍ରବେଶ କଲେ । ସେହି କୋଠରିର ଚତୁଃପାର୍ଶ୍ଵ ଅନେକ ଗୁଡ଼ିଏ ଦର୍ପଣ ଦ୍ୱାରା ସଜ୍ଜିତ ହୋଇଥିଲେ ।

 

ଏକ ବିରାଟ ଟେବୁଲ ନିକଟରେ ପଡ଼ିଥବା ଗୋଟାଏ ରିଭଲଭିଂ ଚେୟାର ଉପରେ ବସି ଗୋଟାଏ ସୁଇଚ୍ ଖୁବ୍ ଜୋରରେ ସେ ଭିଡ଼ି ଧରିଲେ ।

 

କେତେକ ମୁହୂର୍ତ୍ତ ପରେ ଏକ ସାଙ୍କେତିକ ଶବ୍ଦ ନିର୍ଗତ ହେବା ମାତ୍ରେ ସାମ୍ନାରେ ଥିବା ଗୋଟିଏ ବିରାଟ ଦର୍ପଣରେ କେତେଗୁଡ଼ିଏ ଛବି ଫୁଟି ଉଠିଲା ।

 

ତା ଉପରେ ଦୃଷ୍ଟି ପକାଇ ହସି ହସି ଲୁସି କହିଲା—ଦେଖୁଛନ୍ତି ବସ, କେତେ ଦୁର୍ଦ୍ଦାନ୍ତ ଥିଲେ ଏହି ଦୁଇ ଜଣ ! ଆମ ମାନଙ୍କୁ ଧରାଇ ଦେଇ ସୁନାମ ଅର୍ଜନ କରିବା ପାଇଁ ମନ ଭିତରେ ସେମାନେ ଯେଉଁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ, ତାକୁଇ ଭୁଲିଯିବା ପାଇଁ ମି: ଇଡମ୍ବିଏନ୍ ତଥା ଶତ୍ରୁଜିତ କେମିତି ସୁରାପାନ କରି ଚାଲିଛନ୍ତି !

 

ଉଚ୍ଛ୍ୱସିତ ହସର ତରଙ୍ଗରେ ସେହି କୋଠରିର ବାୟୁମଣ୍ଡଳ ପରିପୂର୍ଣ୍ଣ କରି ଦଳପତି କହିଲେ—ଆଉ ଗୋଟାଏ ଘଣ୍ଟା ପରେ ସେମାନଙ୍କର ସମସ୍ତ ସଂକଳ୍ପ ହିଁ ଅପରେସନ୍ ଟେବୁଲ ଉପରେ ନିଶ୍ଚିହ୍ନ ହୋଇଯିବ ।

 

ତା ପରେ ଆଉ ଗୋଟାଏ ସୁଇଚ୍ ଅନ କରି ଲୁସିକୁ କହିଲେ—ଏଇ ଆମର ମହାମାନ୍ୟ କଲେକ୍ଟର ଆଉ ଏସ୍.ପି । କେତେ ପ୍ରତାପଶାଳୀ ସେମାନେ; ଅଥଚ.....

 

ଦାରୁଣ ନିରାଶା ଭିତରେ ସେମାନେ ଅର୍ଦ୍ଧଭଗ୍ନ ହୋଇ ପଡ଼ିଛନ୍ତି, ବସ ।

 

ଇଚ୍ଛା କରିଥିଲେ ଏଇମାନଙ୍କୁ ହିଁ ନିଶ୍ଚିହ୍ନ କରି ଦିଆଯାଇ ଥାଆନ୍ତା; କିନ୍ତୁ ସ୍ଥବିର ଏସ୍. ପି. ଝିଅକୁ ହରାଇବା ପରେ ପରେ ଯେଉଁ ପରିମାଣରେ ଭାଙ୍ଗି ପଡ଼ିଥିଲେ, ଆଜିର ଘଟଣା ପରେ ସେ ଯେ ଉନ୍ମାଦ ହୋଇଯିବେ, ଏଥିରେ ମୋର ସନ୍ଦେହ ନାହିଁ ।

 

ତା ପରେ ରିଭଲ୍‍ଭିଂ ଚେୟାର ତ୍ୟାଗ କରି ସେ ଯାଇ ସେହି କୋଠରିର ଏକ ଦର୍ପଣ ନିକଟରେ ଛିଡ଼ା ହେଲେ । ତା ପରେ ତାକୁ ଅପସାରିତ କରାଇ ଭିତରେ ଥିବା ଅନ୍ୟ ଗୋଟିଏ ସୁଇଚ୍ ଅନ୍ କରିବା ମାତ୍ରେ ବିପରୀତ ପାର୍ଶ୍ୱରେ କାନ୍ଥ ଅଲଗା ହୋଇଗଲା ।

 

ସମ୍ମୁଖରେ ଏକ ଉଚ୍ଚ ଶକ୍ତିସମ୍ପନ୍ନ ଟ୍ରାନ୍‍ସମିଟର ସେଟ୍ । ସେଠାରେ ଡିଉଟିରତ ଜଣେ ସଦସ୍ୟ ମିଲିଟାରୀ ଠାଣିରେ ସଲ୍ୟୁତ ଦେଇ ଆଦେଶ ପ୍ରତିକ୍ଷାରେ ରହିଲା ।

 

କୌଣସି ନିଉଜ୍.....

 

ନା ।

 

ଆମେରିକାକୁ ଏଠାକାର ସମସ୍ତ ସମ୍ବାଦ ଟ୍ରାନ୍‍ସମିଟ୍ କରି ସାରିଛ ?

 

ଆଜ୍ଞା ।

 

ଧନ୍ୟବାଦ । ତା ପରେ ସେ କକ୍ଷରୁ ଅନ୍ତର ହୋଇ ଆସି ଅନ୍ୟ ଗୋଟିଏ କ୍ଷୁଦ୍ର କୋଠରିରେ ପ୍ରବେଶ କରି କହିଲେ—ବାହାରର ସମସ୍ତ ଗାର୍ଡ଼ ଠିକ ରୂପେ କାମ କରୁଛନ୍ତି, ମୀରା-?

 

ହଁ, ବସ ।

 

ଦେଖ, ସେମାନଙ୍କ ଭିତରେ କୌଣସି ବ୍ୟତିକ୍ରମ ଦେଖି ପାରିଲେ, ସଙ୍ଗେ ସଙ୍ଗେ ଇନଫର୍‍ମେଶନକୁ ସମ୍ବାଦ ପଠାଇବ । ନଅଟା ପର୍ଯ୍ୟନ୍ତ ତୁମେ ଏ କୋଠରି ପରିତ୍ୟାଗ କରିବ ନାହିଁ ।

 

ୟେସ୍, ବସ ।

 

ଥ୍ୟାଙ୍କ୍‍ସ ।

 

ସେ କୋଠରି ପରିତ୍ୟାଗ କରୁ କରୁ ହାତ ଘଣ୍ଟା ଉପରେ ଦୃଷ୍ଟି ନିକ୍ଷେପ କରି ଅସମ୍ଭବ ଭାବରେ ଚମକି ଉଠିଲେ ଦଳପତି । ଛଅଟା ପାଞ୍ଚ.....କାହିଁ ଡକ୍ଟର ତୁଷାରକାନ୍ତି ?

 

ଦଳପତିଙ୍କ ସ୍ୱରରେ ଚମକି ଉଠିଲା ଲୁସି । ତାର ସର୍ବାଙ୍ଗରେ କିପରି ଏକ ଭୟର ଲକ୍ଷଣ ପରିସ୍ଫୁଟ ହୋଇ ଉଠିଲା । କାରଣ ସାଢ଼େ ପାଞ୍ଚଟା ଭିତରେ ଫେରି ଆସିବାର ନିର୍ଭର ଜବାବ ଦେଇ ଯାଇଥିଲେ ତୁଷାରକାନ୍ତି । ଅଥଚ.....ତା ହେଲେ...

 

ଅଥଚ ସବୁ କ୍ଷେତ୍ରରୁ ନିରାପତ୍ତାର ଆଭାସ ମିଳୁଛି; କିନ୍ତୁ ତାଙ୍କ ପରି ଜଣେ ଦାୟିତ୍ୱସମ୍ପନ୍ନ କର୍ମଚାରୀ.....

 

ମେ ଆଇ କମ୍ ଇନ୍ ?

 

ହଠାତ୍ ଯେମିତି ଅନ୍ଧକାର ଆକାଶ ପ୍ରଚଣ୍ଡ ଉଲ୍‍କାର କକ୍ଷଚ୍ୟୁତିରେ ଆଲୋକିତ ହୋଇ ଉଠିଲା ।

 

ଘର୍ମାକ୍ତ ବଦନରେ ଭିତରକୁ ପଶି ଆସିଲା ଲୀଳା ।

 

ଡ: ତୁଷାରକାନ୍ତି କାହାନ୍ତି ଲୀଳା ?

 

ଫାଷ୍ଟ-ଏଡ଼୍ ଚେମ୍ବରରେ ।

 

ମାନେ ?

 

ଦସ୍ୟୁ ଅଜୟର ବୁଲେଟ୍‍ରୁ ଅଳ୍ପକେ ସେ ରକ୍ଷା ପାଇ ଯାଇଛନ୍ତି, ବସ । ତାଙ୍କର ଡାହାଣ ହାତରେ ସାମାନ୍ୟ ଆଘାତ ଲାଗିଛି ।

 

ଦସ୍ୟୁ ଅଜୟ । ଯେମିତି ଥରିଉଠିଲେ ଦଳପତି ।

 

ହଁ, ବସ । ତାଙ୍କର ଦୁଇ ଜଣ ସହକର୍ମୀଙ୍କ ନିକଟରୁ ଅକଥନୀୟ ଅତ୍ୟାଚାର ଫଳରେ ଯେଉଁ କେତେକ ସିକ୍ରେଟ ନିଉଜ୍ ସେ ସଂଗ୍ରହ କରିଥିଲେ, ତାକୁଇ ବେଶ୍ କରି ଆଜି ସକାଳଠାରୁ ସେ ଅନୁସନ୍ଧାନ ଆରମ୍ଭ କରିଥିଲେ ।

 

କେମିତି ?

 

ଆପଣ ପୋଲିସ ଏ.ଏସ୍‍. ଆଇ. ରମେଶ ମହାନ୍ତିର ନାମ ଶୁଣିଥିବେ । ଯିଏ ଆମର ପ୍ରଥମ କନଫରେନ୍‍ସ ଅର୍ଥାତ୍ ପ୍ରଥମ ପ୍ରବେଶ ପଥ, ଯେଉଁଟା ଏବେ ବନ୍ଦ କରି ଦିଆଯାଇଛି, ତାହାରି ଦାୟିତ୍ୱରେ ରହିଥିଲେ ।

 

କୌଶଳକ୍ରମେ ତାଙ୍କୁ ଅଚେତ କରାଇ ତାଙ୍କରି ମେକ୍‍ଅପରେ ସେ ବାହାରିଥିଲେ । ଆଉ ମୁଁ ଯାଇଥିଲି ରୀତାର ମେକ୍‍ଅପରେ । କାରଣ ସେ ଯାଣି ନେଇଥିଲେ ଯେ, ରୀତା ଏ ପର୍ଯ୍ୟନ୍ତ ଦସ୍ୟୁ ଅଜୟ ନିକଟରେ ରହିଛି । ଆଉ ତାଙ୍କୁ ଧରିବା ପାଇଁ ଅଜୟ ଦସ୍ୟୁ ସହିତ ମିଳିତ ହୋଇ ସେ କାମ କରୁଛି । କେବଳ ସେତିକି ନୁହେଁ, ଆଜିକାର ଏଠିକା ପରିବେଶ ବିଷୟରେ ଦସ୍ୟୁ ଅଜୟ କେତେକ ଅସମର୍ଥିତ ସମ୍ବାଦ ପାଇଯାଇଛି ।

 

ତା ପରେ ଲୀଳା ଟିକିଏ ଅଟକିଯାଇ କହିଲା—ଏହି ସମ୍ବାଦ ଯଦି ସେ ପାଇ ନ ଥାନ୍ତେ, ଆଉ ଏଠାକାର ପ୍ରତ୍ୟେକ ସଦସ୍ୟଙ୍କୁ ଯଦି ଏହି ଫାଷ୍ଟ ଟାୱାରର ନିର୍ମାଣ ବିଶେଷତ୍ୱ ଜାଣିପାରି ଥାନ୍ତେ, ତା ହେଲେ ଏତେବେଳକୁ ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ଆମେ ସମସ୍ତେ ଜେଲ୍‍ର ବପୁ ପୂର୍ଣ୍ଣକରି ସାରି ଥାଆନ୍ତେ ।

 

ମାନେ, ତମେ କହୁଛ ଆମର ଏହି ସଦସ୍ୟଙ୍କ ଭିତରୁ କେହି ଜଣେ ବିଶ୍ଵାସଘାତକତା କରିଛି ? ଦଳପତିଙ୍କ କଣ୍ଠସ୍ୱରରେ ଯଥେଷ୍ଟ ଗମ୍ଭୀରତା ଆସି ଯାଇଥିଲା ।

 

ନିଶ୍ଚୟ ।

 

ଲୀଳା.... !

 

ଆପଣଙ୍କର ଏହି ଦଳ ପାଇଁ ମୁଁ ମୋର ସମସ୍ତ କିଛି ହରାଇ ସାରିଛି, ବସ । ତଥାପି ମୋ ମନରେ ଅନୁଶୋଚନା ନାହିଁ । କାରଣ ଯେଉଁ ଉଦ୍ଦେଶ୍ୟ ନେଇ ମୁଁ ଏଠାକୁ ଆସିଥିଲି, ତାହା ମୋର ପୂର୍ଣ୍ଣ ହୋଇଛି । ଆପଣଙ୍କ ଦୟାରୁ ମୋର ଭାଇମାନେ ଶିକ୍ଷାର ସୁଯୋଗ ପାଉଛନ୍ତି । ଆଉ ଏହି ଦଳର ବିନାଶ ହେଲେ ମୋର ଯେ କି ପରିମାଣରେ କ୍ଷତି ହେବ, ତାହା ଆପଣ ନିଶ୍ଚୟ ଅନୁମାନ କରି ପାରୁଥିବେ ।

 

ତୁମେ ଉପରେ ମୋର ସେହି ଭରସା ରହିଛି, ଲୀଳା । ତୁଷାରକାନ୍ତିଙ୍କ ଉପରେ ଯେଉଁଭଳି ପରୀକ୍ଷାତ୍ମକ ଗବେଷଣା ତୁମେ କରିଥିଲ ମୁ ସେଥିରେ ବିଶେଷ ଆନନ୍ଦିତ । ଏହି ଦଳ ପାଇଁ ତୁମେ ବହୁତ ଅଭିନୟ କରି ଆସିଛି । ଆଉ ତୁମର ଅଭିନୟ ଫଳରେ ଏହି ଦଳର ଡକ୍ଟର ତୁଷାରକାନ୍ତି ଜଣେ ଯେ ନିଃସନ୍ଦେହ ବ୍ୟକ୍ତି, ତାହା ପ୍ରମାଣିତ ହୋଇଯାଇଛି ।

 

ଲୁସି ଆଶ୍ଚର୍ଯ୍ୟରେ ଲୀଳାର ମୁହଁକୁ ଅନାଇ ରହିଥିଲା ।

 

ତା ଉପରୁ ଦୃଷ୍ଟି ଫେରାଇ ନେଇ ଲୀଳା କହିଲା—ତୁମେ ବଡ଼ ସୌଭାଗ୍ୟବତୀ, ଲୁସି ।

 

ମୋ ପ୍ରଶ୍ନର ଉତ୍ତର ଦେଲ ନାହିଁ, ଲୀଳା ! ମୁଁ ଜାଣିବାକୁ ଚାହେଁ ଏହି ଦଳର ଏମିତି କିଏ ସଦସ୍ୟ ରହିଛି, ଯିଏ...

 

ସେଥିପାଇଁ ଆପଣଙ୍କ ନିକଟରେ ମୁ କ୍ଷମା ଚାହୁଁଛି, ବସ । ମୋ କଥାର ସତ୍ୟାସତ୍ୟ ଆପଣ ନିଜେ ବିବେଚନା କରିବେ । ଆଉ ମୁଁ ଯଦି କୌଣସି ଧୃଷ୍ଟତା କରୁଥାଏ ବୋଲି ଆପଣ ବିବେଚନା କରନ୍ତି, ତା ହେଲେ ଯେ କୌଣସି ଦଣ୍ଡ ଦେଲେ ମୁ ଆନନ୍ଦରେ ଗ୍ରହଣ କରିନେବି ।

 

ଦଳପତି ଏଥର ଆହୁରି ଗମ୍ଭୀର ହୋଇଗଲେ । ଦଳର ନିରାପତ୍ତା ଦୃଷ୍ଟିରେ ସେହି ବିଶ୍ଵାସଘାତକ ସଭ୍ୟ ଯେତେ ଉଚ୍ଚପଦସ୍ଥ କର୍ମଚାରୀ ହେଲେ ବି ଉପଯୁକ୍ତ ପ୍ରମାଣ ପାଇବା ସଙ୍ଗେ ସଙ୍ଗେ ମୁଁ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ କରିବି ।

 

ଆଉ ସେହି ବିଶ୍ଵାସଘାତକ ସଦସ୍ୟ ଯଦି ଧନୀରାମ ହୋଇଥାଏ ?

 

ଲୀଳା ! ଉଭୟେ ଦଳପତି ତଥା ଲୁସି ଏତେ ଜୋରରେ ଚମକିଉଠିଲେ ଯେ, ସେମାନଙ୍କ ଚିତ୍କାରରେ ସେହି କୋଠରି ଭିତରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହେଲା ଭଳି ଜଣାଗଲା ।

 

କମ୍ପିତ କଣ୍ଠରେ ଦଳପତି କହିଲେ—ତୁମେ ଯାହା ବିରୁଦ୍ଧରେ ଏହି ଅଭିଯୋଗ ଆଣୁଛ, ଜାଣିଛ ତ ସେ ଏହି ଦଳର....

 

ଏକ ପ୍ରଧାନ କର୍ମଚାରୀ । ଆଉ ସେଥିପାଇଁ ମୁଁ ଆପଣଙ୍କ ନିକଟରେ କ୍ଷମା ଚାହିଁଥିଲି, ବସ । ଆଉ ଡକ୍ଟର ତୁଷାରକାନ୍ତି ଯେତେବେଳେ ଏହି କଥା ଅଜୟ ଦସ୍ୟୁର ସେହି ସଦସ୍ୟ ଦୁଇ ଜଣଙ୍କ ନିକଟରୁ ଜାଣି ପାରିଥିଲେ, ସେତେବେଳେ ସେ ମଧ୍ୟ ବିସ୍ମିତ ହୋଇ ପଡ଼ିଥିଲେ । ଏଭଳି ଏକ ସମ୍ବାଦ ସେ ଆପଣଙ୍କୁ ଦେବେ କି ନାହିଁ, ଚିନ୍ତା କରିବା ପରେ ଥରେ ଘଟଣାଟି ଭଲ ଭାବରେ ପରୀକ୍ଷା କରିବା ପାଇଁ ଆଜି ଯାଇଥିଲେ ।

 

ମାନେ ? ଦଳପତିଙ୍କ କଣ୍ଠରେ ବିସ୍ମୟ ଫୁଟିଉଠିଲା । ତାଙ୍କୁ ଆହୁରି ବିସ୍ମିତ କରି ଲୀଳା କହିଲା—ସ୍ୱୟଂ ଧ୍ୱନିରାମ ଯେ ଦସ୍ୟୁ ଅଜୟ...

 

ଲୀଳା ! ଥରି ଉଠିଲା ଦଳପତିଙ୍କର କଣ୍ଠ ।

 

ଆପଣ ଘଟଣାଟିକୁ ଭଲ ଭାବରେ ଚିନ୍ତା କଲେ ମୋ କଥାର ସତ୍ୟତା ଜାଣିପାରିବେ, ବସ । ପ୍ରଥମରେ ଆପଣଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ମହୋଦୟଙ୍କୁ ବଶ କରିବା ପାଇଁ ଯେଉଁ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ଧନୀରାମ ହାତରେ ପ୍ରଦାନ କରିଥିଲେ, ତାହା ଏତେ ଗୋପନରେ ହୋଇଥିଲା ଯେ ବାହାରେ କୌଣସି ଲୋକ ଜାଣିବାର ଉପାୟ ନ ଥିଲା । ସେପରି ସ୍ଥଳେ ଉଭୟଙ୍କର ଫଟୋଗ୍ରାଫ୍ ଉଠିଲା କେମିତି ? ଆଉ ଏ ସମ୍ବାଦ ପୋଲିସ ଜାଣିଲା କିପରି ?

 

ଏହି କଥା ଆପଣ ବିଶ୍ଳେଷଣ କଲେ ଆହୁରି ଜାଣିପାରିବେ ଯେ, ସେ ସମୟ ପର୍ଯ୍ୟନ୍ତ ଡ: ତୁଷାରକାନ୍ତିଙ୍କୁ ଆମ ଦଳକୁ ଆଣିବାର କୌଣସି ପ୍ରସ୍ତାବ ନ ଥିଲା । ତାଙ୍କ ନିକଟରେ ଧନୀରାମ *ମି: ମହାପାତ୍ରଙ୍କ ଛଦ୍ମବେଶରେ ଅଭିନୟ କରି ସେହି ଫୋଟୋଗ୍ରାଫ ଖଣ୍ଡିକ ଏସ୍.ପି ଙ୍କ ଗୋଚରାର୍ଥେ ଜଣାଇଥିଲେ ।

 

ଏସ୍‍ବୁ କରିବା ମୂଳରେ ତାଙ୍କ ମନରେ ଯେଉଁ ଉଦ୍ଦେଶ୍ୟ ଲୁକ୍‍କାୟିତ ହୋଇ ରହିଥିଲା, ତାହାର ବିବରଣୀ ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ ।

 

*ମି: ମହାପାତ୍ର—‘ସତର୍କ ଘଣ୍ଟି’ ରେ ଦେଖନ୍ତୁ ଆଉ ମନେ ମନେ ଏ ଘଟଣାଟିକୁ ବିଶ୍ଳେଷଣ କରନ୍ତୁ ।

 

ଉଭୟ ଦଳପତି ତଥା ଲୁସି ଗଭୀର ବିସ୍ମୟ ସହକାରେ ଲୀଳାକୁ ଅନାଇ ରହିଥିଲେ ।

 

ଲୀଳା କହି ଚାଲିଥିଲା—ଏସ୍.ପି ମାନସ ମୋହନଙ୍କର କନ୍ୟା ରୀତା ତାଙ୍କ ଚକ୍ଷୁରେ କାମନାର ଅନଳ ଜଳାଇ ଦେଇଥିଲା । ସେ ଜାଣିଥିଲେ, ରୀତା ତୁଷାରକାନ୍ତିଙ୍କୁ ଅତିଶୟ ଭଲ ପାଏ । ଆଉ ତୁଷାରକାନ୍ତି ତାଙ୍କ ନିକଟରେ ଥାଉଁ ଥାଉଁ ତାଙ୍କର କାର୍ଯ୍ୟ ସେ ହାସଲ କରିପାରିବେ ନାହିଁ । ଆଉ ରୀତାକୁ ପାଇବାକୁ ହେଲେ ତାଙ୍କୁ ସେହିଭଳି ଭାବରେ ପଦକ୍ଷେପ ନେବାକୁ ପଡ଼ିବ-

 

ସେଇଥିପାଇଁ ସେ ତୁଷାରକାନ୍ତିଙ୍କର ସନ୍ଧାନ ଆପଣଙ୍କୁ ଦେଇଥିଲେ । ତା ପୂର୍ବରୁ ସେ କୌଶଳକ୍ରମେ ଜାଣି ନେଇଥିଲେ ଯେ ମୋଟା ଅର୍ଥଲୋଭରେ ତୁଷାରକାନ୍ତି ଯେ କୌଣସି କାମ କରି ପାରିବେ । ତା ପରେ ଏହି ଦଳ ତରଫରୁ ତାଙ୍କ ନାମରେ ଯଥେଷ୍ଟ ଟଙ୍କା ଗଚ୍ଛିତ ହୋଇ ଯାଇଥିଲା । ଯାହାକୁ ନେଇ ସେ ଏକ ସମ୍ଭ୍ରାନ୍ତ ଧନଶାଳୀ ନାଗରିକ ଭାବରେ ଜୀବନ ଅତିବାହିତ କରି ପାରିବେ ।

 

ଏହି କାରଣ ନେଇ ସେ ଅତି ଗୋପନରେ ଏହି ଦଳର ବିନାଶ ପାଇଁ ଏସ୍.ପି ଙ୍କ ସହିତ ହାତ ମିଳାଇଥିଲେ; କିନ୍ତୁ ତାଙ୍କର ଚକ୍ରାନ୍ତ ପୂର୍ଣ୍ଣତା ଲାଭ କରିବା ପୂର୍ବରୁ କାଳେ ଏହି ଦଳ ତରଫରୁ କୌଣସି ସନ୍ଦେହ ତାଙ୍କ ଉପରକୁ ଆସିପାରେ, ଏହି କାରଣ ନେଇ ସେ ଦସ୍ୟୁ ଅଜୟର ଛଦ୍ମନାମ ସୃଷ୍ଟି କରିଥିଲେ । ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ଖୁବ୍ ଗୋପନରେ କେତେକ ପ୍ରବୀଣ ପୋଲିସ ଅଫିସରଙ୍କୁ ନିଜର ସହକାରୀ ଭାବରେ ନିଯୁକ୍ତ କରିଥିଲେ । ଏ ସମ୍ବାଦ ଆମ ସପକ୍ଷରେ ଥିବା ଆଇ, ଜି. ତଥା ଅନ୍ୟ କେତେ ଜଣ ଇନିସପେକ୍ଟରଙ୍କ ଅଜ୍ଞାତରେ କରାଯାଇଥିଲା-। କାରଣ ଧନୀରାମ ସେତେବେଳେ ସେହି ବିଭାଗରେ ଥିବାରୁ ଏମାନଙ୍କର ନାମ ଜାଣିବାରେ ବ୍ୟର୍ଥ ହୋଇ ନ ଥିଲେ ।

 

ତା ପରେ ଆପଣଙ୍କ ନିର୍ଦ୍ଦେଶରେ ଲୁସି ଡ: ତୁଷାରକାନ୍ତିଙ୍କୁ ଅପହରଣ କରିବାର ପ୍ଲାନ୍ ପ୍ରସ୍ତୁତ କଲେ । କିନ୍ତୁ ଯେତେବେଳେ ଦେଖିଲେ ରୀତା ଉପରେ ତୁଷାରକାନ୍ତିଙ୍କର ଗଭୀର ସ୍ନେହ ରହିଛି, ସେତେବେଳେ ଆଉ ଏକ ଉପାୟ ଉଦ୍ଭାବନ କଲେ । ଦିନେ କୌଶଳରେ ରୀତା ନିକଟକୁ ଗୋଟାଏ ଜାଲ୍ ଚିଠି ଲେଖି ତୁଷାରକାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କଲେ । ସେହି ଚିଠି ପାଇ ତୁଷାରକାନ୍ତିଙ୍କର ରୀତା ଉପରେ ସନ୍ଦେହ ଜନ୍ମିଲା । ତା ପରେ ଏ ଆଡ଼େ ଲୁସିଙ୍କର ଆକର୍ଷଣ ଥିଲା । ଫଳରେ ରୀତାକୁ ପରିତ୍ୟାଗ କରି ଲୁସି ସହିତ ସେ ଏଠାକୁ ଚାଲିଆସିଲେ ।

 

ସେତେବେଳେ ଧନୀରାମ ଙ୍କ ଆଶା ଫଳବତୀ ହେବାର ସମ୍ଭାବନା ଦେଖାଗଲା । କାରଣ ଦଳର ଗୋପନୀୟ ସମ୍ବାଦ ସମସ୍ତ ଜଣାଇ ସେ ଏସ୍.ପି ଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ-। ତା ପରେ ରୀତା....

 

ସେ ଜାଣିଥିଲେ, ରୀତାକୁ କୌଣସି ମତେ ଭୁଲାଇ ଆଣିପାରିବା ସମ୍ଭବ ନୁହେଁ । ତେଣୁ ତୁଷାରକାନ୍ତିଙ୍କ ନାମରେ ସେ ରୀତା ନିକଟରେ ଆହୁରି ଏକ ଜାଲର ସୃଷ୍ଟି କରିଥିଲେ । ସେ ଜାଣିଥିଲେ ମୁଁ ଏ ଦଳର ସମ୍ବାଦ ସଂଗ୍ରହ କର୍ତ୍ତା । ମୋର ଦକ୍ଷତା ବିଷୟରେ ସେ ଅଭିଜ୍ଞ ଥିଲେ । ତେଣୁ ବାହାର ଜଗତ ସହିତ ମୋର ସମସ୍ତ ସମ୍ପର୍କ ଛିନ୍ନ କରାଇ ଦେବା ପାଇଁ ସେ ଇଚ୍ଛା କରି ରୀତାକୁ ମୋ ପଛରେ ଦେଇଥିଲେ, ଯାହା ଆପଣ ଭଲ ଭାବରେ ଜାଣନ୍ତି । ସେତେବେଳକୁ ତାଳପଦା ସମୁଦ୍ରରେ ଆମର ଯେଉଁ ଦୁର୍ଭାଗ୍ୟ ହୋଇଥିଲା, ତାହାର ତୀବ୍ର ଅନୁସନ୍ଧାନ ପାଇଁ ଆପଣ ଜୋର ଦେଇଥିଲେ । ଧନୀରାମଙ୍କ ନିକଟରେ ଏ ସମ୍ବାଦ ଅବିଦିତ ନ ଥିଲା । ସେ ସେଥିପାଇଁ ଆଉ ଏକ ପ୍ରହସନ ସୃଷ୍ଟି କରିଥିଲେ ।

 

ମାନେ, ତାଙ୍କ ଘର ଘେରାଉ କରି ସେମାନଙ୍କୁ ଗିରଫ କରି ନେବା ପାଇଁ ଏସ୍.ପି ଙ୍କୁ ଅନୁରୋଧ କରିଥିଲେ । ଆଉ କେଉଁଭଳି ଭାବରେ ପୋଲିସ ବାହିନୀ ତା ଭିତରେ ପ୍ରବେଶ କରିବେ, ତାର ଏକ ମୋଟାମୋଟି ସ୍କେଚ୍ ଦେଇଥିଲେ ।

 

ଯାହା ଫଳରେ ସେ ଗିରଫ ହେଲେ । ପୁଣି ଜେଲରୁ ଆସିଲେ । ଫଳରେ ତାଙ୍କୁ ଏ ଦଳ ତରଫରୁ ଅବିଶ୍ୱାସ କରିବାର ଆଉ କୌଣସି କାରଣ ନ ଥିଲା । ଆଉ ସୁବିଧା ହେଲା ସେ ଏଥର ପୋଲିସର ଦୃଷ୍ଟିରୁ ନିଜକୁ ବଞ୍ଚାଇ ନେବା ପାଇଁ ଗୋପନରେ ରହିବାର ନିର୍ଦ୍ଦେଶ ଆପଣଙ୍କ ନିକଟରୁ ପାଇଲେ ।

 

ତା ପରେ ଏହି ଦଳର ବିନାଶ ସାଧନ ପାଇଁ ଲାଗିପଡ଼ିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଏହି ଦଳକୁ ସମ୍ପୂର୍ଣ୍ଣ ରୂପେ ବିନାଶ ନ କଲେ ତାଙ୍କର ଉଦ୍ଦେଶ୍ୟ ସିଦ୍ଧ ହେବ ନାହିଁ । ସର୍ବୋପରି ଆପଣ । କାରଣ ସେ ଜାଣିଥିଲେ ପ୍ରଥମ ଟାୱାରର ନିର୍ମାଣ ବିଷୟରେ ସେ ଅନଭିଜ୍ଞ । ତେଣୁ ସେ ସେହି ସମୟରୁ ଯଦି ଏଭଳି ଆକ୍ରମଣ କରିଥାଆନ୍ତେ, ଆମ ଦଳର ଅନେକ ସଦସ୍ୟ ଜେଲ ଅଥବା ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥାଆନ୍ତେ; ସତ ମାତ୍ର ଆପଣ ରହି ଯାଇ ଥାଆନ୍ତେ । ଆଉ ତାର କୌଶଳ ଆପଣ ଜାଣିନେଇ ଥାଆନ୍ତେ । ଫଳରେ ତା ଜୀବନ ବିପନ୍ନ ହୋଇ ପଡ଼ିଥାଆନ୍ତା ।

 

ଓଃ, କି ସାଙ୍ଘାତିକ ଲୋକ ସେଇଟା....

 

ତେଣୁ ସେ ପ୍ରଥମରୁ ସେଥିପ୍ରତି ସଚେତନ ହୋଇଗଲେ । ସେ ଜାଣିଥିଲେ, ଆଇ.ଜି. ଇତ୍ୟାଦିଙ୍କୁ ଅପହରଣ ନ କଲେ ସେ ଏ ଦଳର ବିନାଶ କରିପାରିବେ ନାହିଁ । ପୁଣି ରୀତାର ଅପହରଣ ପାଇଁ ସେହି ଯୋଜନା ଆମର ସଦସ୍ୟମାନଙ୍କୁ ଛଦ୍ମବେଶରେ ଅକସ୍ମାତ୍ ଆକ୍ରମଣ କରି ରୀତାକୁ ନେଇ ଚାଲିଗଲା ।

 

ସେହି ଦିନର ଘଟଣା ଆପଣ ଚିନ୍ତା କରନ୍ତୁ । ଏହିଠାରେ ସେ, ମୁଁ ଆଉ ତୁଷାରକାନ୍ତି ତଥା ଲୁସି ଥିଲୁ । ସେ ଯଦି ଦସ୍ୟୁ ଅଜୟ ହୋଇ ନ ଥାଏ, ତା ହେଲେ ଏ ସମ୍ବାଦ ଏତେ ଶୀଘ୍ର ଲିକ୍ ଆଉଟ୍ ହେଲା କେମିତି ? ସର୍ବୋପରି ଆମର ଆମେରିକାର ପ୍ରତିନିଧିଙ୍କ ଏରୋପ୍ଲେନ୍ ଆରୋହଣ କରି ଫେରିଯିବା ଦିନର ଘଟଣା ଆପଣ ମନେ ପକାନ୍ତୁ । ଏଠାରେ ମଧ୍ୟ ଆମେ ଏହି କେତେ ଜଣ ଉପସ୍ଥିତ ଥିଲୁ । ଯଦି ସେଦିନ ଡ: ତୁଷାରକାନ୍ତି ସେଭଳି ପଦକ୍ଷେପ ନେଇ ନ ଥାନ୍ତେ, ତା ହେଲେ ଅବସ୍ଥା କେମିତି ସାଙ୍ଘାତିକ ହୋଇଥାନ୍ତା ?

 

ତା ପରେ ରୀତାକୁ ତାର ଗୁପ୍ତ କୋଠରିକୁ ନେଇଗଲା ପରେ ତୁଷାରକାନ୍ତି କିପରି ଏକ ସାଙ୍ଘାତିକ ନରଘାତକ ପାଲଟିଛି, ଆଉ ସିଏ କିପରି ଦେଶର ଉପକାର କରି ପାରୁଛି, ଏହି କଥାର ଯଥାର୍ଥତା ଦେଖାଇବା ପାଇଁ ଆଇ.ଜି. ଇତ୍ୟାଦିଙ୍କୁ ନେଇ ବନ୍ଦୀ କଲା । ଏ ବିଷୟରେ ଆପଣ ମୀରାକୁ ପଚାରି ପାରନ୍ତି । କାରଣ ତା ଉପରେ ଅତ୍ୟାଚାର କରି ସେ ଏହି ଟାୱାର ନିର୍ମାଣ କୌଶଳ ବିଷୟରେ କଣ କଣ ଜାଣିବାକୁ ଚାହୁଁଥିଲା, ତାହା ଆପଣ ନିଶ୍ଚୟ ଜାଣିପାରିବେ । ତୁଷାରକାନ୍ତି ମୀରାର ସେଠାକାର ଅବସ୍ଥା କଥା ଯେତେବେଳେ ପଚାରି ବୁଝିଲେ, ମୀରା ଧନୀରାମ ର କଣ୍ଠସ୍ୱର ଭଳି ସନ୍ଦେହଜନକ ଭାବରେ କହିଥିଲା ।

 

ଇଜ୍ ଇଟ୍ ! ତୁମେ ଏ ପର୍ଯ୍ୟନ୍ତ ଏସ୍‍ବୁ କଥା ଗୋପନ କରିଥିଲ କାହିଁକି ?

 

ଦଳର ସେ ଜଣେ ଏତେ ବଡ଼ କର୍ମୀ । ହଠାତ୍ ଲୋକଙ୍କ କଥାରେ ତାଙ୍କୁ ଅବିଶ୍ୱାସ କରିବା ଭଳି ଶକ୍ତି କାହାରି ନ ଥିଲା । ସ୍ୱୟଂ ଆପଣ ବି ସେତେବେଳେ ଏ କଥାର ଅନ୍ୟ ଅର୍ଥ ବାହାର କରିଥାନ୍ତେ ।

 

ମୁଁ ବି ଜାଣିପାରି ନ ଥିଲି । ଆପଣଙ୍କ ନିର୍ଦ୍ଦେଶରେ ତୁଷାରକାନ୍ତିଙ୍କ କାର୍ଯ୍ୟକଳାପ ଉପରେ ଯେତେବେଳେ ଗଭୀର ଧ୍ୟାନ ଦେବାର ନିର୍ଦ୍ଦେଶ ପାଇଲି, ସେତେବେଳେ ମୁଁ ତାଙ୍କର ପ୍ରତ୍ୟେକ ରିପୋର୍ଟ ଯାଞ୍ଚ କରିବାରେ ଲାଗିଲି । ସେତେବେଳେ ସେ ଦସ୍ୟୁ ଅଜୟ ବିଷୟରେ ଗବେଷଣା କରୁଥିଲେ । ମାନେ, ସେ କିଏ ହୋଇପାରେ ଆଉ କେଉଁଭଳି ଭାବରେ ଏଠାକାର ସମ୍ବାଦ ସେ ସଂଗ୍ରହ କରି ପାରୁଛି ।

 

ଏହି ଗବେଷଣାତ୍ମକ ଲେଖା ମୁଁ ପଢ଼ିଥିଲି । ଆଉ ତାଙ୍କର ଏହି ଲେଖାର ତାତ୍ପର୍ଯ୍ୟ ବିଷୟରେ ଅନୁସନ୍ଧାନ କରୁଥିଲି । ତା ପରେ ଦେଖିଲି, ସେ ସେହି ଲେଖା ଉପରେ ତାଙ୍କର ଅଭିଯାନ ଆରମ୍ଭ କରି କ୍ରମେ କ୍ରମେ ଅନେକଗୁଡ଼ିଏ ପ୍ରମାଣ ପାଉଥିଲେ, ଯେଉଁଗୁଡ଼ିକ ସେ ଗୁପ୍ତ ଭାବରେ ଲେଖି ରଖିଛନ୍ତି ।

 

ଧନୀରାମ ଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା । ରୀତା ନିକଟରେ ତାଙ୍କର କାମଗୁଡ଼ିକ ଦେଖାଇ ଆକୃଷ୍ଟ କରିବାରେ ସେ ଲାଗିଥିଲେ । ଆଉ ଏ ଆଡ଼େ ଦଳର ଧ୍ୱଂସ ସାଧନ । ଆଜିକାର ପରିବେଶରେ ସମସ୍ତେ ଏଠାରେ ଏକତ୍ରିତ ହେବେ । ଏଇଟା ହିଁ ତାଙ୍କ ପକ୍ଷରେ ଏକ ସୁବର୍ଣ୍ଣ ସୁଯୋଗ । ପୁଣି ପ୍ରତିରକ୍ଷା ତଥା ବାହାର ଜଗତର ସମସ୍ତ ଦାୟିତ୍ୱରେ ଧନୀରାମ ଆଜି ରହିଛନ୍ତି । ଆକସ୍ମିକ ବିପଦରେ ଆମର ପ୍ରତିରକ୍ଷାକାରୀ ଶକ୍ତିମାନଙ୍କୁ ସେ ନିଶ୍ଚେଷ୍ଟ କରିଦେଇ ପାରିବେ ।

 

ଯଦିଓ ସେ ଏଠାକାର କୌଶଳ ବିଷୟରେ ଅନଭିଜ୍ଞ, ତଥାପି ଆମର ଲୁପ୍ତ ପ୍ରଥମ ବୈଠକ ଗୃହ ଏବଂ ପ୍ରବେଶ ପଥର ଟେକନିକ୍ ତାଙ୍କ ନିକଟରେ ଅଜଣା ନୁହେଁ । ଆଉ ସେହି ସୂତ୍ର ଧରି ସେ ନିଶ୍ଚୟ.....

 

ଦଳପତିଙ୍କ ଚକ୍ଷୁରୁ ସତେ ଯେପରି ଅଗ୍ନି ବର୍ଷା ହେବାର ଉପକ୍ରମ ହେଉଥିଲା; ତଥାପି ସେ ନିଜକୁ ସଂଯତ କରି ନେଇ କହିଲେ—ଆଉ ଆଜି କଣ ସବୁ ଘଟିଗଲା ?

 

ଦଳପତିଙ୍କ ପ୍ରଶ୍ନର ଉତ୍ତରରେ ଲୀଳା କହିଲା—ତଥାପି ତାଙ୍କ ଉପରେ ମୋର ଏ ଧାରଣା ଆସି ନ ଥିଲା । ଆଉ ଆଜି ସକାଳେ ତୁଷାରକାନ୍ତି ଯେ ଏପରି ବେଶରେ କେଉଁଠିକି ଯିବେ, ମୋତେ ସୂଚନା ଦେଇ ନ ଥିଲେ । କିନ୍ତୁ ହଠାତ୍ ପୋଲିସ ଷ୍ଟେସନ ନିକଟରେ ଗାଡ଼ିବ୍ରେକ୍‍ କରିବାରୁ ମୁଁ ଚମକି ଉଠିଲି । ତୁଷାରକାନ୍ତି ମୋ ହାତକୁ ଟିକିଏ ହଲାଇଦେଇ କହିଲେ—ତୁମକୁ ଏବେ ରୀତା ବ୍ୟତୀତ ଲୀଳା ବୋଲି ଜାଣିବାର କାହାରି ସାଧ୍ୟ ନାହିଁ । ଆଉ ଏବେ ଏଠାରେ ଯେଉଁ ତଦନ୍ତକାରୀ ଅଫିସର ରହିଛନ୍ତି, ସେ ରୀତାକୁ କେବଳ ଫଟୋ ମାଧ୍ୟମରେ ହିଁ ଜାଣିଛନ୍ତି । ତା କଣ୍ଠସ୍ୱର ସହିତ ଆଦୌ ପରିଚିତ ନୁହନ୍ତି । ତେଣୁ ମୋ କଥାରେ ତୁମେ କେବଳ ସମ୍ମତି ଜଣାଇବ ।

 

ପ୍ରକୃତରେ ତାଙ୍କରି କଥା ଠିକ୍ ହେଲା । କାରଣ ସେ ରମେଶ ବାବୁଙ୍କର ଛଦ୍ମବେଶରେ ଯାଇଥିଲେ । ତାଙ୍କ ସହ ମୋତେ ଦେଖି ତଦନ୍ତକାରୀ ଅଫିସର ଆଶ୍ଚର୍ଯ୍ୟରେ ମୋତେ ଅନାଇ ରହିବାରୁ ତୁଷାରକାନ୍ତି କହିଲେ—ବହୁତ କଷ୍ଟରେ ମୁଁ ରୀତା ଦେବୀଙ୍କୁ ଉଦ୍ଧାର କରି ଆଣିଲି, ସାର୍-

 

ଏହି କଥା ଶୁଣିବା ମାତ୍ରେ ତଦନ୍ତକାରୀ ଅଫିସରଙ୍କର ମୁଖଭଙ୍ଗୀରେ ହତାଶଭାବ ଫୁଟି ଉଠିଲା । ସେ କହିଲେ—ତମେ ନିହାତି ମୁର୍ଖାମୀର ପରିଚୟ ଦେଇଛ, ରମେଶ । ତୁମେ କଣ ଜାଣି ନାହଁ ଆଜି ସେହି ଦଳକୁ ଧରିବା ପାଇଁ ଦସ୍ୟୁ ଅଜୟ କେମିତି ତତ୍ପର ହୋଇପଡିଛି ? ଏବେ ସେ ବାହାରେ ରହିଛି । ଯେତେବେଳେ ସେ ତାର ଆଡ଼୍‍ଡାକୁ ଫେରିଯାଇ ରୀତାକୁ ନ ପାଇବ, ସେତେବେଳେ....

 

ମାନେ ?

 

ଦସ୍ୟୁ ଅଜୟ ସେହି ଦଳର ଅନେକ ଲୋକଙ୍କୁ ହାତ କରି ନେଇଛି ।

 

କିନ୍ତୁ ମୁ ଶୁଣୁଥିଲି ସେହି ଦଳର ଅଭେଦ୍ୟ ଦୁର୍ଗ ଭିତରେ ଏଭଳି ବୈଜ୍ଞାନିକ ଯନ୍ତ୍ରପାତି ଖଞ୍ଜା ଯାଇଛି ଯେ; ଆମର ଯେତେ ପୋଲିସ ଫୋର୍ସ ସେମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ପାରିବେ ନାହିଁ । ତୁଷାରକାନ୍ତି କହିଲେ ।

 

ତାଙ୍କ ଉତ୍ତର ଶୁଣି ବେପରୁଆ ଭାବରେ ହସିଉଠି ଅଫିସର ଜଣକ କହିଲେ—ତୁମେ ନିହାତି ମୁର୍ଖ, ଉମେଶ । ପୋଲିସ ବିଭାଗରେ ତୁମର ଅତି ଚତୁର ତଥା ବିଶ୍ୱସ୍ତ ଭାବର ଯେଉଁ ରେକର୍ଡ଼ ରହିଛି, ମୋ ଧାରଣାରେ ତୁମେ ସେଥିପାଇଁ ଉପଯୁକ୍ତ ନୁହଁ ।

 

ତା ପରେ ନିମ୍ନ ସ୍ୱରରେ କହିଲେ—ସେହି ଦଳରୁ ଜଣେ ଲୋକ ଯେ ଦସ୍ୟୁ ଅଜୟ, ଏହା ଆମେ ନିର୍ଭୁଲ ଭାବରେ ଜାଣି ନେଇଛୁ । ଆଉ ସେଠାକାର କଣ୍ଟ୍ରୋଲ ରୁମରେ ତାହାରି ବିଶ୍ୱସ୍ତ କେତେ ଜଣ ଲୋକ ଆଜି ରହୁଛନ୍ତି ।

 

ଲୀଳା ! ଉଭୟ ଦଳପତି ତଥା ଲୁସି ଚମକି ଉଠିଲେ ।

 

ମୋ କଥା ଶେଷ ହେବାକୁ ଦିଅନ୍ତୁ ବସ । ତା ପରେ ଆପଣ ଚିନ୍ତା କରି ଯାହା ଉଚିତ ମନେ କରିବେ କରି ପାରନ୍ତି । ଏତକ କହି ଲୀଳା ପୁଣି କହିଲା—ସେହି ଅଫିସର ଜଣକ କହିଲେ–ସେଥିପାଇଁ ବାହାରୁ ଯଥେଷ୍ଟ ଫୋର୍ସ ଆସୁଛନ୍ତି । ସନ୍ଧ୍ୟା ସାତଟା ପରେ ସେମାନେ ତାହାରି ନିର୍ଦ୍ଦେଶ ମତେ କାମ କରିବେ । ଆଉ ଏ ଭିତରେ ସେ ଯଦି ଜାଣେ ରୀତା ଅପହୃତ ହୋଇଛି, ତାହାର ଧାରଣା ହେବ ଦସ୍ୟୁଦଳ ତାର ଚକ୍ରାନ୍ତ ଜାଣିପାରିଛନ୍ତି ଆଉ ସେଥିପାଇଁ ସେ ସତର୍କ ହୋଇଯିବେ । ଏହି ଧାରଣା କରି ସେ ଯଦି ଏ ସହରରୁ ପଳାୟନ କରେ, ତା ହେଲେ ଏତେ ବଡ଼ ଗୋଟାଏ ସୁଯୋଗ ଆମେ ନିଶ୍ଚୟ ହରାଇ ବସିବା ।

 

ତା ପରେ ମୋ ଆଡ଼େ ଲକ୍ଷ୍ୟ କରି କହିଲେ—ମୋ କଥା ପାଇଁ କ୍ଷମା ଦେବେ, ରୀତା ଦେବୀ । ଦୀର୍ଘଦିନ ଧରି ଆପଣ ଯେତେବେଳେ ସେଠାରେ ରହି ଆସିଛନ୍ତି, ତା ହେଲେ ଆଉ କେଇ ଘଣ୍ଟା ପାଇଁ ସେହିଠାକୁ ଆପଣ ଫେରି ଯାଆନ୍ତୁ । ମାନେ ସନ୍ଧ୍ୟା ପାଞ୍ଚଟା ପୂର୍ବରୁ ।

 

ତାଙ୍କ କଥାରେ ତୁଷାରକାନ୍ତି କଣ ଭାବିଲେ କେଜାଣି, ସାଙ୍ଗେ ସାଙ୍ଗେ କହି ଉଠିଲେ—କିନ୍ତୁ ଏବେ ସେଠାକୁ କିଭଳି ଭାବରେ ଯାଇ ପାରିବେ, ସାର୍

 

ମାନେ ?

 

ରୀତା ଦେବୀ ସେଠାରେ ଏତେ ଦିନ ରହିଥିଲେ ମଧ୍ୟ ସ୍ଥାନଟା ଠିକ୍ ରୂପେ ଜାଣିପାରୁ ନାହାନ୍ତି । କାରଣ କୌଣସି ସୁଯୋଗ ନେଇ ସେ ଥରେ ଯେତେବେଳେ ବାହାରି ଆସିଛନ୍ତି, ସେତେବେଳେ ଜୀବନମୂର୍ଚ୍ଛା । ନିଜକୁ ବଞ୍ଚାଇବା ପାଇଁ ଦୌଡ଼ି ଦୌଡ଼ି ଆସିଛନ୍ତି ।

 

ଓଃ, ତା ହେଲେ ରାସ୍ତାରୁ ତୁମେ ତାଙ୍କୁ ନେଇ ସିଧା ଏଠାକୁ ଆସିଛ ? ତା ପରେ ମୋ ଆଡ଼କୁ ଲକ୍ଷ୍ୟ କରି କହିଲେ—ଆପଣଙ୍କୁ ମୋର ଅନୁରୋଧ ରୀତା ଦେବୀ, ଆପଣ ସେଠାକୁ ଫେରି ଯାଆନ୍ତୁ । ସେଠାରେ ଆପଣ ଆପଣଙ୍କ ଉପରେ ଆଉ କୌଣସି ଅନିଷ୍ଟ ଆଶଙ୍କା କରି ନ ପାରନ୍ତି । କାରଣ ସେହି ଅଟ୍ଟାଳିକା ବିଷୟରେ ମୋତେ ବିଶେଷ ଭାବେ ଜଣା ଅଛି । ଆହୁରି ବି ସେଠାରେ ଅପରାଧୀ ଦଳ ସଂଶ୍ଳିଷ୍ଟ ଆମର ଏଇ.ଜି. ଆଉ କେତେ ଜଣ ସହକର୍ମୀଙ୍କୁ ସେ ବନ୍ଦୀ କରି ରଖିଛି । ଦସ୍ୟୁ ଦଳ ଗିରଫ ହୋଇ ସାରିଲା ପରେ ସେମାନଙ୍କୁ ଗିରଫ କରାଯିବ ।

 

ଆଇ.ଜି. ଇତ୍ୟାଦିଙ୍କୁ ସେ ଯେ କାହିଁକି ବନ୍ଦୀ କରି ରଖିଛି ସେ କଥା ଆମକୁ ଜଣାଇଥିଲେ; ଯାହା ମୁଁ ଆପଣଙ୍କୁ ପରିବାରୁ କହିଛି ।

 

ତା ପରେ ?

 

ସେହି ଅଟ୍ଟାଳିକାର ଗୋଟିଏ ସ୍କେଚ୍ ତୁଷାରକାନ୍ତିଙ୍କ ହାତକୁ ଦେଇ ତଦନ୍ତକାରୀ ଅଫିସର କହିଲେ—ଏହି ସ୍କେଚ୍‍ର ‘B’ ଚିହ୍ନିତ ରାସ୍ତାରେ ତୁମେମାନେ ଭିତରକୁ ଯିବ । ଯେପରି ବାହାରର କୌଣସି ଲୋକ ସେଠାରେ ତୁମକୁ ଦେଖି ନ ପାରନ୍ତି । କାରଣ ଏ ପର୍ଯ୍ୟନ୍ତ ବି ଅପରାଧୀ ଦଳର ଅନୁଚରମାନେ ରୀତା ଦେବୀଙ୍କ ସନ୍ଧାନରେ ଘୁରି ବୁଲୁଛନ୍ତି ।

 

ତା ପରେ ସେହି ରାସ୍ତାରେ କୌଣସି ପ୍ରତିବନ୍ଧକର ଆଶା ରଖିବ ନାହିଁ । କାରଣ ଏହି କେତେଦିନ ତଳେ ନିଜେ ଦସ୍ୟୁ ଅଜୟ ଆମକୁ ସେହି ରାସ୍ତାର ନକ୍‍ସା ଦେଇଛି । କାରଣ ଆମେ ଶେଷ ମୁହୂର୍ତ୍ତରେ ତାକୁ ଯେମିତି ଅବିଶ୍ୱାସ ନ କରୁ ।

 

ଏତକ ସମାପ୍ତ କରି ଲୀଳା ଗୋଟାଏ ସ୍କେଚ୍ ଦଳପତିଙ୍କ ହାତକୁ ବଢ଼ାଇ ଦେଇ କହିଲା–ଏହି ସ୍କେଚ୍ ନେଇ ଆମେ ସେଠାକୁ ଯାଇଥିଲୁ । ଆଉ ସେଠାରେ, ମାନେ ଆମେ ଯେଉଁ ରାସ୍ତାରେ ଯାଇଥିଲୁ, ଠିକ୍ ରୀତା ଦେବୀ ଯେଉଁ ଘରେ ଅଛନ୍ତି ସେଠାରେ ପହଞ୍ଚିଲୁ-। ମାନେ, ଭିତରକୁ କେଉଁଭଳି ପ୍ରବେଶ କରିବାକୁ ହେବ ଆଉ ସେହି ସ୍ଥାନର ବିଶେଷତ୍ୱ କଣ, ଏହା ଆମକୁ ତଦନ୍ତକାରୀ ଅଫିସର ଜଣକ ବିଶେଷ ଭାବରେ ଜଣାଇ ଦେଇଥିଲେ । ସେହି ସୂତ୍ର ଅନୁଯାୟୀ ଆମେ ଯେଉଁ କୋଠରିରେ ପ୍ରବେଶ କଲୁ, ତାହାର ବିପରୀତ ପାର୍ଶ୍ୱସ୍ଥ କୋଠରିରେ କେତେ ଜଣ ଲୋକଙ୍କର ପାଟିତୁଣ୍ଡ ଶୁଣିବାକୁ ପାଇ ମୋତେ ନିରବ ରହିବାକୁ ତୁଷାରକାନ୍ତି ନିର୍ଦ୍ଦେଶ ଦେଲେ ।

 

ସେମାନେ ଆଜି ସନ୍ଧ୍ୟାରେ, ମାନେ ପାଞ୍ଚଟା ପରେ ସେଠାରେ ଏକତ୍ରିତ ହୋଇ କେମିତି କେଉଁଭଳି ଭାବରେ ଆମମାନଙ୍କୁ ଆକ୍ରମଣ କରିବେ, ତାହାରି ଯୋଜନା କରିବେ ବୋଲି ଶୁଣି ପାରିଲୁ । କାରଣ ଯେଉଁ ବ୍ୟକ୍ତିଟି ଏହା ଶୁଣାଉଥିଲା, ସେହି ବ୍ୟକ୍ତିର କଣ୍ଠସ୍ୱରରେ ମୋର କେମିତି ସନ୍ଦେହ ଆସିଲା । ମାନେ ସେ ଯେତେ ତାର ସ୍ୱର ଛପାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଯେ ଧନୀରାମ ର କଣ୍ଠସ୍ୱର, ଏଥିରେ ମୋର ଆଉ ସନ୍ଦେହ ନ ଥିଲା ।

 

ତା ପରେ ତୁଷାରକାନ୍ତିଙ୍କ ନିର୍ଦ୍ଦେଶରେ ଫେରି ଆସିଲୁ ।

 

କିନ୍ତୁ ସେତେବେଳେ ତୁମେ ଏ ସମ୍ବାଦ ଜଣାଇଲ ନାହିଁ କାହିଁକି ?

 

ଆପଣ ସେତେବେଳେ ଏଠାରେ ନ ଥିବାର ସମ୍ବାଦ ଆମେ ଜାଣିପାରିଥିଲୁ । ଟେଲି–କମ୍ୟୁନିକେସନ୍ ଯୋଗେ ଏ ସମ୍ବାଦ ଜଣାଇବାର ସାହସ ଆମର ନ ଥିଲା । କାରଣ ଯିଏ ଏହି ସମ୍ବାଦ ରିସିଭ୍ କରିବ, ସେ ଯେ ଧନୀରାମର ଗୁପ୍ତ ଅନୁଚର ହୋଇ ନ ଥିବ......

 

ତୁମେ ଠିକ୍ କରିଛ, ଲୀଳା ।

 

ତା ପରେ.....

 

ଆମର ସିକ୍ରେଟ୍ ସେଣ୍ଟର ଦୁଇକୁ ଫେରିଆସି ସେ ବିଷୟରେ ଆଲୋଚନା କଲୁ । ଆମର ଧାରଣା ହେଲା ସେମାନେ ଯାହା କରିବେ, ସାତଟାବେଳେ ଅଥବା ତାର କିଛି ସମୟ ପୂର୍ବରୁ ତେଣୁ ପାଞ୍ଚଟା ବେଳେ ଆଉ ଥରେ ସେହି ଗୁପ୍ତଦ୍ୱାର ଦେଇ ତା ଭିତରେ ପ୍ରବେଶ କରି ଘଟଣା କଣ ଅନୁଧ୍ୟାନ କରି ଆସିବା ପରେ ଆମେ ଏଠାକୁ ଫେରିବୁ । କାରଣ ପରିଚାଳନା—ନିର୍ଦ୍ଦେଶକଙ୍କ ବିଷୟରେ ଡ: ତୁଷାରକାନ୍ତି ଗଭୀର ସନ୍ଦିହୀନ ହୋଇ ପଡ଼ିଥିଲେ ।

 

ସେ ବିଷୟରେ ଏରୋଡ୍ରମରେ କୌଣସି ରେଜିଷ୍ଟ୍ରେସନ ଅଛି କି ନାହିଁ, ତାହା ଜାଣିପାରି ନ ଥିଲୁ ।

 

ସେଥିପାଇଁ ପୁଣି ପାଞ୍ଚଟା ପରେ ଆମେ ଯାଇଥିଲୁ । କିନ୍ତୁ ସତର୍କ ଭାବରେ ଆମକୁ ଯିବାକୁ ପଡ଼ୁଥିବାରୁ ସେଠାରେ ପହଞ୍ଚୁ ପହଞ୍ଚୁ ଆମର ଯଥେଷ୍ଟ ବିଳମ୍ବ ହୋଇ ଯାଇଥିଲା ସେତେବେଳେ ସେମାନଙ୍କର ସମସ୍ତ ସଦସ୍ୟ ବୋଧହୁଏ ଉପସ୍ଥିତ ହୋଇ ଉପସ୍ଥିତ ହୋଇ ଯାଇଥିଲେ ।

 

କେବଳ ଏତିକି ଜାଣିପାରିଲୁ, ଧନୀରାମ କହୁଥିଲା—ଆମର କର୍ମଚାରୀଗଣ କଣ୍ଟ୍ରୋଲରୁମ ତରଫରୁ କୌଣସି ବାଧା ପାଇବେ ନାହିଁ । ଆଉ ସେହି ଦଳର ସଦସ୍ୟମାନେ ଯେମିତି ପଳାଇ ଯାଇ ନ ପାରିବେ, ତାର ବ୍ୟବସ୍ଥା ସେ କରିଦେବେ । ଭିତରେ ବିପଦର ଆଶଙ୍କା କିଛି ନାହିଁ । କାରଣ ବାହାରୁ ଏଭଳି ଷଡ଼ଯନ୍ତ୍ରର ସମ୍ବାଦ ସେମାନେ ଅର୍ଥାତ୍ ଆମେମାନେ କୌଣସି ମତେ ପାଇପାରିବୁ ନାହିଁ । ସର୍ବୋପରି ଆମର ପ୍ରତିରକ୍ଷାକରି ସଦସ୍ୟଗଣ ବାହାରେ ରହିଯାଇଥିବେ । ତେଣୁ ବିନା ପ୍ରତିରୋଧରେ ଆମମାନଙ୍କୁ ସେମାନେ ଗିରଫ କରି ପାରିବେ ।

 

ଏହି ସିଦ୍ଧାନ୍ତ ଶୁଣି ଆମେମାନେ ବିଚଳିତ ହୋଇପଡ଼ିଲୁ । ତୁରନ୍ତ କୌଣସି ପଦକ୍ଷେପ ନ ନେଲେ ଆମ୍ଭମାନଙ୍କର ଭବିଷ୍ୟତର ସ୍ୱପ୍ନ ଯେ ନିଷ୍ଫଳ ହୋଇଯିବ, ଏହି କଥା ଭାବି ଆମେ ଶୀଘ୍ର ଆପଣଙ୍କୁ ସମ୍ବାଦ ଜଣାଇବା ପାଇଁ ଫେରି ଆସୁଥିଲୁ । କୌଣସି କାରଣରୁ ସେମାନେ ବୋଧହୁଏ ଆମର ଉପସ୍ଥିତି ଜାଣି ନେଇ ଥିଲେ । ସେଥିପାଇଁ ଆମେ ଯେତେବେଳେ ଆମର ଗାଡ଼ି ଉପରକୁ ଉଠିଲୁ, ସେତେବେଳେ ଭିତରେ ପାଟି ତୁଣ୍ଡ ଶୁଣାଗଲା । ଆଉ ପରମୁହୂର୍ତ୍ତରେ ଗୋଟିଏ ଗାଡ଼ି ଆମ ଗାଡ଼ିକୁ ଲକ୍ଷ୍ୟ କରି ଉଲ୍‍କା ବେଗରେ ଛୁଟି ଆସୁଥିବାର ଆମେ ଜାଣିପାରିଲୁ ।

 

ତା ପରେ ଗୋଟିଏ ମୋଡ଼ ଜାଗାରେ ପଛରୁ ଫାୟାରିଂ ହେବାର ଶବ୍ଦ ଶୁଣାଗଲା । ମାନେ, ସେହି ଗାଡ଼ିଟି ଆମକୁ ଲକ୍ଷ୍ୟ କରି ଫାୟାର କରୁଥିଲା । ସେମାନଙ୍କ ନିକଟରୁ ଉଦ୍ଧାର ପାଇବା ପାଇଁ ଡ୍ରାଇଭର ଯଥେଷ୍ଟ ସ୍ପୀଡ଼୍ ଦେଇଥିଲେ ମଧ୍ୟ ତାଙ୍କର ଗାଡ଼ିଟି ଖୁବ୍ ନିକଟରେ ଆସି ପହଞ୍ଚି ଯାଇଥିଲା । ସେମାନଙ୍କର ଅବ୍ୟର୍ଥ ଲକ୍ଷ୍ୟରେ ଆମ ଗାଡ଼ିର ବ୍ୟାକ୍ ଟାୟାର ଫାଟିଗଲା । ଅନ୍ୟ ଉପାୟ ନ ପାଇ ଆମେ ଗାଡ଼ିରୁ ଡେଇଁପଡ଼ି ଦୌଡ଼ିବାରେ ଲାଗିଲୁ । କିନ୍ତୁ ସେମାନେ ମଧ୍ୟ ଆମକୁ ଲକ୍ଷ୍ୟ କରି ଦୌଡ଼ିବାରେ ଲାଗିଲେ । କାହାର ଏକ ଫାୟାରିଂରେ ତୁଷାରକାନ୍ତିଙ୍କର ହାତ ଜଖମ ହୋଇଗଲା । ଆମେ ସେତେବେଳେ ଏକ ଅନ୍ଧକାର ଗଳି ଭିତରକୁ ଆସି ଯାଇଥିଲୁ । ଡ୍ରାଇଭର ଆଉ ମୁଁ ତୁଷାରକାନ୍ତିଙ୍କୁ କାନ୍ଧରେ ନେଇ ଯେତେବେଳେ ଆମର ପ୍ରତିରକ୍ଷା ସେକ୍ଟରରେ ପହଞ୍ଚିଲୁ, ସେତେବେଳେ ଧନୀରାମ ସେଠାରେ ନ ଥିଲେ । ତା ପରେ ତାଙ୍କୁ ଆମର ମେଡିକାଲ ୟୁନିଟରେ ଛାଡ଼ି ଏଇଠିକି ଆସୁଛି ।

 

ଲୀଳାର ସମ୍ବାଦ ଶେଷ ହେବ ପରେ କେତେକ ମୁହୂର୍ତ୍ତ ପାଇଁ ଦଳପତି ସ୍ତବ୍‍ଧ ହୋଇଗଲେ । ସେ ସ୍ୱପ୍ନ ଦେଖୁଛନ୍ତି ଅଥବା ଜାଗ୍ରତ ଅବସ୍ଥାରେ ଶୁଣୁଛନ୍ତି, ତାହା ମଧ୍ୟ ସ୍ଥିର କରି ପାରୁ ନ ଥିଲେ । ତାଙ୍କର ପରିଷ୍କାର ଧାରଣା ହୋଇ ଯାଇଥିଲା, ଧନୀରାମ ସ୍ୱୟଂ ହିଁ ଦସ୍ୟୁ ଅଜୟ-। ତା ନ ହୋଇଥିଲେ ଦସ୍ୟୁ ଅଜୟ ନିଶ୍ଚୟ ସର୍ବଜ୍ଞ ନୁହେଁ ଯେ, ଏମାନଙ୍କର ଗୋପନୀୟ କଥା ଜାଣି ନେଇ ପାରିବ ।

 

କିନ୍ତୁ ଏବେ କେଉଁଭଳି ଭାବରେ ଏ ଘଟଣାର ସମ୍ମୁଖୀନ ହେବେ, ସେ ନିଜେ ତାହା ଚିନ୍ତା କରି ପାରୁ ନ ଥିଲେ । କାରଣ ଧନୀରାମ ଯେପରି ଛଦ୍ମବେଶରେ ଏ ଦଳର ବିନାଶ ସାଧନ ପାଇଁ ଚେଷ୍ଟା କରୁଛି, ତାର ଏହି ଦଳ ଭିତରୁ ନିଶ୍ଚୟ ଯେ ସହାୟକ ଥିବେ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏତେ ଶୀଘ୍ର ସେମାନଙ୍କୁ ବାହାର କରିବା ସହଜସାଧ୍ୟ ନୁହେଁ । ତା ପରେ ଆଜିକାର ପ୍ରୋଗ୍ରାମ୍ ଆଉ ବନ୍ଦ କରିବାର କୌଣସି ଉପାୟ ନାହିଁ । କାରଣ ପରିଚାଳନା–ନିର୍ଦ୍ଦେଶକ ଉପସ୍ଥିତ ନ ଥିଲେ, ସେ ଏହି ମୁହୂର୍ତ୍ତରେ ଇଚ୍ଛା କରି ବନ୍ଦ କରି ଦେଇ ପାରିଥାଆନ୍ତେ । ତା ଛଡ଼ା ବାହାରୁ ଅନେକ ସଦସ୍ୟ ଆସି ସାରିଲେଣି । ଏଭଳି ଅବସ୍ଥାରେ ପରିଚାଳନା–ନିର୍ଦ୍ଦେଶକଙ୍କୁ ଏ ସମ୍ବାଦ ଜଣାଇବା ଅର୍ଥ ନିଜର ଦୁର୍ବଳତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ଯେ ତାଙ୍କର କେଉଁଭଳି ଅବସ୍ଥା ଧାରଣ କରିବ....

 

ତା ହେଲେ ଏବେ କଣ କରାଯାଇ ପାରିବ, ବସ ? ଉତ୍କଣ୍ଠିତ ହୋଇ ଲୁସି ପ୍ରଶ୍ନ କଲା ।

 

କେତେକ ମୁହୂର୍ତ୍ତ ଚିନ୍ତା କରି ଦଳପତି କହିଲେ—ବର୍ତ୍ତମାନ ଆମ ହାତରେ ସମୟ ଖୁବ୍ କମ୍ । ଏହି ଅଳ୍ପ ସମୟ ଭିତରେ କଣ ଯେ କରାଯାଇ ପାରିବ, ମୁଁ ନିଜେ ସ୍ଥିର କରି ପାରୁ ନାହିଁ । ତେବେ ବାହାରୁ ଧନୀରାମକୁ କୌଶଳରେ ଏଠାକୁ ନେଇ ଆସି ବନ୍ଦୀ କରିବାକୁ ପଡ଼ିବ । ଆଉ ଲୀଳା, ତୁମେ ସ୍ୱୟଂ ହିଁ କଣ୍ଟ୍ରୋଲ ରୁମ୍ ରେ ଦାୟିତ୍ୱ ନିଅ । କାରଣ ବୁଦ୍ଧି ବଳରେ ଆମେ ଆଜିର ବିପଦରୁ ଉଦ୍ଧାର ହେବା ବ୍ୟତୀତ ସଂଗ୍ରାମ ବଳରେ ଜୟଯୁକ୍ତ ହୋଇ ପାରିବା ନାହିଁ । କାରଣ ମୋର ମନେହୁଏ, କେବଳ ତାହାରି ନିର୍ଦ୍ଦେଶରେ ଅସଂଖ୍ୟ ପୋଲିସ ଫୌଜ ଆଜି ଏଠାରେ ଏକତ୍ରିତ ହୋଇଛନ୍ତି । ଆଉ ଏଠାକାର କେତେକ ବିବରଣୀ କେବଳ କଣ୍ଟ୍ରୋଲ ରୁମ୍‍ର ବିଶେଷତ୍ୱ ବ୍ୟତୀତ ସମସ୍ତ ସେ ସେମାନଙ୍କୁ ଦେଇ ଯାଇଛି ।

 

ତେଣୁ ତୁମର କାମ ହେବ—ଯେତେବେଳେ ସମସ୍ତ ପୋଲିସ ଫୌଜ ନିର୍ବିବାଦରେ ଏଠାରେ ପ୍ରବେଶ କରିବେ, ତୁମେ କଣ୍ଟ୍ରୋଲ ରୁମ୍ ସାହାଯ୍ୟରେ ସେମାନଙ୍କୁ ଅବରୁଦ୍ଧ କରିଦେବ । କାରଣ ଧନୀରାମ ଜାଣେ ଯେ, ଏ ପର୍ଯ୍ୟନ୍ତ ଆମେ ଏହି ସମ୍ବାଦ ପାଇ ପାରି ନାହୁଁ । ତାର ବିଶ୍ୱସ୍ତ ଲୋକ କଣ୍ଟ୍ରୋଲ ରୁମରେ ରହିଛନ୍ତି । ତେଣୁ ପୋଲିସ ଫୌଜ ନିର୍ବିବାଦରେ ଆସିଲା ପରେ ତୁମେ ସେମାନଙ୍କୁ ବନ୍ଦ କରି ବିଷ ବାଷ୍ପ ପ୍ରୟୋଗରେ ନିଶ୍ଚିହ୍ନ କରିଦେବ । ତା ପରର ବ୍ୟବସ୍ଥା କଣ ହେବ ଆମେ ସ୍ଥିର କରିବା ।

 

କଣ୍ଟ୍ରୋଲ ରୁମ୍‍ର ସେହି ଦୁଇ ଜଣଙ୍କୁ ଲୁସି ଅପସାରଣ କରାଇ ଆଣିବେ । ତା ପରେ ପ୍ରତ୍ୟେକ ସୁଇଚ ରୁମରେ ଥିବା ସଦସ୍ୟମାନଙ୍କୁ ବାହାର କରି ଆଣି ତୁମ ସେକ୍‍ସନର ସଦସ୍ୟମାନଙ୍କୁ ସେଠାରେ ମୁତୟନ କରି ତୁମେ ଚଞ୍ଚଳ କଣ୍ଟ୍ରୋଲ ରୁମ୍‍ର ଦାୟିତ୍ୱ ନିଅ । ଆମ ହାତରେ ଆଉ ମାତ୍ର ଅଧଘଣ୍ଟାଏ ସମୟ । ପନ୍ଦର ମିନିଟ ପରେ ମୋତେ ଅପରେସନ ରୁମ୍‍କୁ ଯିବାକୁ ପଡ଼ିବ । ଏହା ପୂର୍ବରୁ ସମସ୍ତ ବ୍ୟବସ୍ଥା ମୁଁ ନିଜେ ଦେଖିଯିବି ।

 

ତୁଷାରକାନ୍ତିଙ୍କ ନିକଟକୁ ମୋ ସହିତ ତୁମେମାନେ ଆସ ।

 

ସେହି ପ୍ରକାଣ୍ଡ ହଲ୍ ଭିତରେ ଏକ ମେଡ଼ିକାଲ ୟୁନିଟ । ଦଳପତିଙ୍କ ସହିତ ସେମାନେ ସେହି କକ୍ଷ ଭିତରେ ଯେତେବେଳେ ପ୍ରବେଶ କଲେ, ଠିକ୍ ସେହି ମୁହୂର୍ତ୍ତରେ ବାହାରକୁ ବାହାରୁଥିଲେ ଡ: ତୁଷାରକାନ୍ତି । ବାମ ହାତ ବ୍ୟାଣ୍ଡେଜ କରାଯାଇଥିଲା । ତାଙ୍କୁ ଏକ ପ୍ରକାର କୋଳାଗ୍ରତ କରି ନେଇ ଦଳପତି କହିଲେ । ତୁମ ଭଳି ଜଣେ ସହକର୍ମୀ ନ ପାଇଥିଲେ ଆଜି ଯେ ଆମର ଅବସ୍ଥା କଣ ହୋଇଥାନ୍ତା ମୁଁ ସ୍ଥିର କରିପାରୁ ନାହିଁ, ଡକ୍ଟର ।

 

ସବୁ ଆପଣଙ୍କର ଆଶୀର୍ବାଦ ଆଜ୍ଞା ।

 

ତା ହୋଇ ନ ଥିଲେ ମୁଁ ସେମାନଙ୍କ ଗୁଳିଚୋଟରୁ ଅଳ୍ପକେ ରକ୍ଷା ପାଇ ଯାଇ ନ ଥାନ୍ତି ।

 

ତୁଷାରକାନ୍ତିଙ୍କର ବାମ ହାତ ପରୀକ୍ଷା କରୁ କରୁ ଦଳପତି କହିଲେ—ଏବେ ଟିକିଏ ଭଲ ଲାଗୁଛି ?

 

ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ମୋ ଉପରେ ଆଜିକାର ଦାୟିତ୍ୱ ରହିଛି, ମୁଁ ତାକୁ ନିଶ୍ଚୟ ପରିଚାଳନା କରି ପାରିବି; କିନ୍ତୁ ବାହାରର.....

 

ସେ ସମସ୍ତ ମୁଁ ଲୀଳା ନିକଟରୁ ଶୁଣିନେଇଛି, ଡକ୍ଟର । ଆଉ ତାର ପ୍ରତିକାରର ବ୍ୟବସ୍ଥା ମଧ୍ୟ କରି ସାରିଛି । ଅନ୍ତତଃ ବାହାରୁ ଯଦି କୌଣସି ଆକ୍ରମଣ ହୁଏ, ଆଜି ଆମେ ସେ ଦିଗରୁ ନିରାପଦ । କାରଣ ଧନୀରାମକୁ ଅପସାରିତ କରାଯାଉଛି । କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଅଗତ୍ୟା ଲୀଳା ରହୁଛନ୍ତି । ଆଉ ଅନ୍ୟାନ୍ୟ ବିଷୟ ପରେ ଚିନ୍ତା କଲେ ମଧ୍ୟ ଚଳିବ ।

 

ଏବେ ଆମ ଦୁଇ ଜଣଙ୍କୁ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ଯିବାକୁ ପଡ଼ିବ । ତା ପରେ ଲୀଳା ତଥା ଲୁସିଙ୍କ ଉପରେ ଧ୍ୟାନ ଦେଇ କହିଲେ—ତୁମେମାନେ ଯଥା ଶୀଘ୍ର ତୁମମାନଙ୍କର ଦାୟିତ୍ୱ ସଂପନ୍ନ କର । କିନ୍ତୁ ଖୁବ୍ ସାବଧାନ ସେମାନେ ଯେମିତି କୌଣସି ମତେ ଜାଣି ନ ପାରନ୍ତି, କୌଣସି ଦୁର୍ଭିସନ୍ଧି ରଖି ଆମେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରୁଛୁ ।

 

ସେ ବିଶ୍ୱାସ ଆମ ଉପରେ ରଖନ୍ତୁ, ବସ ।

 

ତା ପରେ ତୁଷାରକାନ୍ତିଙ୍କ ସହିତ ଦଳପତି ସେ କକ୍ଷ ପରିତ୍ୟାଗ କଲେ ।

 

ଅପରେସନ୍‍ କକ୍ଷର ସାଜସଜ୍ଜା ଗଭୀର ମନୋଯୋଗ ସହକାରେ ତୁଷାରକାନ୍ତି ନିରୀକ୍ଷଣ କରୁଥିଲେ । ଏହି ପୁରୀରେ ଦୀର୍ଘଦିନ ରହି ମଧ୍ୟ ଖୁବ୍‍ ନିକଟରେ ଏହିଭଳି ଯେ ଏକ ମାରାତ୍ମକ କକ୍ଷ ରହିଛି, ଏହା ସେ ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରି ପାରି ନ ଥିଲେ ।

 

ସେ ପ୍ରଥମେ ଯେତେବେଳେ ଏହି କକ୍ଷ ଭିତରକୁ ପ୍ରବେଶ କରିଥିଲେ, ସେତେବେଳେ ଏହି କକ୍ଷଟି ଖୁବ୍‍ କ୍ଷୁଦ୍ର ମନେ ହେଉଥିଲା । କେବଳ ଗୋଟିଏ ଅପରେସନ୍ ଟେବୁଲ ଆଉ ତାର ସମସ୍ତ ଯନ୍ତ୍ରପାତି । ଆଉ କେତେଗୁଡ଼ିଏ ବଡ଼ ବଡ଼ କାଚ ଜାର୍, ରବର ଟିଉବ୍, ଇଞ୍ଜେକ୍‍ସନ୍‍ ନିଡିଲରେ ସେହି କକ୍ଷଟି ପୂର୍ଣ୍ଣ ହୋଇ ରହିଥିଲା ।

 

କିନ୍ତୁ ଏବେ ସେହି କକ୍ଷଟିର ସୀମା ଯେମିତି ଅନେକ ଗୁଣରେ ବଢ଼ି ଯାଇଥିଲା । ଭିତରେ ଶହେ ଜଣ ଲୋକ ବସି ପାରିବା ଭଳି ପ୍ରଶସ୍ତ ପରିବେଶ । ଆଉ ସେହି ପ୍ରଶସ୍ତ ପରିବେଶ ମୂଲ୍ୟବାନ ସୋଫା ସେଟ୍ ଇତ୍ୟାଦିରେ ସୁସଜ୍ଜିତ ହୋଇ ରହିଥିଲା । ଆଉ ସେଠାକାର ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି କଳା ପୋଷାକରେ ଆଚ୍ଛାଦିତ ହୋଇଥିଲେ । ସେମାନଙ୍କଠାରୁ କିଞ୍ଚିତ ଆଗକୁ ଆଉ କେତେଗୁଡ଼ିଏ ସୁସଜ୍ଜିତ ଚେୟାର ପଡ଼ିଥିଲା । ତା ଠାରୁ କିଛି ଦୂରରେ ଗୋଲାକାର ଟେବୁଲ-। ଟେବୁଲ ନିକଟରେ ଦୁଇଖଣ୍ଡି ମାତ୍ର ଚେୟାର ।

 

ଏହାର ନିର୍ମାଣ ପ୍ରଣାଳୀ ଖୁବ୍ ଅଳ୍ପ ସମୟ ପୂର୍ବରୁ ଦଳପତି ତାଙ୍କୁ ଜଣାଇ ଦେଇଥିଲେ-। ଇଚ୍ଛା କଲେ ଏହି ହଲ୍‍ଟି ଅନେକଗୁଡ଼ିଏ କୋଠରିରେ ବିଭକ୍ତ ହୋଇ ପାରିବ । କାରଣ ମୋଟ ଲୁହର ପାତଗୁଡ଼ିକ ଏମିତି ଭାବରେ ରଖାଯାଇଛି ଯେ, ଇଲେକଟ୍ରିକ ମୋଟର ସାହାଯ୍ୟରେ ଚଳପ୍ରଚଳ କରି କାନ୍ଥ ସୃଷ୍ଟି କରି ସ୍ୱତନ୍ତ୍ର ଗୋଟାଏ ଗୋଟାଏ କକ୍ଷରେ ପରିଣତ କରିଦେଇ ପାରିବ-। ଏଗୁଡ଼ିକ ସମ୍ଭବ ହେବ କଣ୍ଟ୍ରୋଲ୍ ରୁମ୍ ଦ୍ୱାରା ।

 

ଅପରେସନ୍‍ ଟେବୁଲ ଆଉ ଯନ୍ତ୍ରପାତିଗୁଡ଼ିକ ଭଲ ଭାବରେ ପରୀକ୍ଷା କରି ନେଇ, ନିଜର ଛିଡ଼ା ହେବା ସ୍ଥାନଟି ଭଲ ଭାବରେ ଲକ୍ଷ୍ୟ କରିନେଲେ । ତା ତଳେ ଯେଉଁଭଳି ସଂକେତ ସେ ଦଳପତିଙ୍କ ନିକଟରୁ ପାଇଥିଲେ, ସେହି ସଂକେତ ରହିଥିବାର ଜାଣିପାରିଲେ । ମାନେ, କୌଣସି ବିପଦର ସମ୍ଭାବନା ଦେଖିବା ମାତ୍ରେ ସେହି ସଂକେତ ଉପରେ ପ୍ରେସ କଲେ ତାହା କଣ୍ଟ୍ରୋଲ ରୁମ୍‍ ଖୁବ୍‍ ଶୀଘ୍ର ଜାଣିପାରିବ ଆଉ ସଙ୍ଗେ ସଙ୍ଗେ ସେଠାରୁ ପ୍ରତିରକ୍ଷାର ଉପାୟ ମିଳିଯିବ; ଅର୍ଥାତ୍ତାହାରି ତଳେ ରହିଥିବା ଆଉ ଗୋଟିଏ କକ୍ଷକୁ ନିରାପଦରେ ସେ ଯାଇପାରିବେ ।

 

ହାତଘଣ୍ଟାକୁ ଅନାଇଲେ–ଆଉ ପାଞ୍ଚ ମିନିଟ । ପାଞ୍ଚ ମିନିଟ ପରେ ଦଳପତିଙ୍କ ସହିତ ପରିଚାଳନା–ନିର୍ଦ୍ଦେଶକ ଆସିବେ । ତା ପରେ ତାଙ୍କର କାର୍ଯ୍ୟସୂଚୀ ଆରମ୍ଭ ହେବ ।

 

ସ୍ୱସ୍ତିର ଏକ ନିଶ୍ଵାସ ନେଇ ଉପସ୍ଥିତ ସଦସ୍ୟ ବର୍ଗଙ୍କ ଉପରେ ଚକ୍ଷୁ ବୁଲାଇଲେ । ମନେ ମନେ ଅନୁମାନ କରିନେଲେ ପଚାଶ ଜଣ ସଦସ୍ୟ ଉପସ୍ଥିତ ହୋଇଛନ୍ତି; କିନ୍ତୁ ତାଙ୍କର ଅନୁମାନ ଅନୁସାରେ ଆହୁରି ଦଶ ଜଣ ଆସିବାର କଥା ।

 

ସେ ଟିକିଏ ଚିନ୍ତିତ ହୋଇପଡ଼ିଲେ । ଦଳପତିଙ୍କ ନିର୍ଦ୍ଦେଶ ଯାହା ନିକଟକୁ ଯାଇଛି, ସେ ଅନୁପସ୍ଥିତ ରହିବାର କଥା ନୁହେଁ; ଅର୍ଥାତ ସେ ନିଜେ ଷାଠିଏ ଜଣଙ୍କ ନିକଟକୁ ସମ୍ବାଦ ପଠାଇଛନ୍ତି-

 

ତା ହେଲେ.....

 

ଲୁସି ଏ ପର୍ଯ୍ୟନ୍ତ ଆସି ନ ଥିଲା; ଅର୍ଥାତ ଆଜି ତାଙ୍କର ଏକମାତ୍ର ସହକର୍ମୀଣି ସେ । ମନେ ମନେ ଆତଙ୍କିତ ହୋଇ ଉଠୁଥିଲେ ତୁଷାରକାନ୍ତି । ତାଙ୍କର ଭୟ କେନ୍ଦ୍ରୀଭୂତ ହେଉଥିଲା ଧନୀରାମ ଉପରେ । ଆଉ ତାକୁ ସ୍ଥାନାନ୍ତରିତ କରିବାର ଦାୟିତ୍ୱ ଥିଲା ତାହାରି ଉପରେ ।

 

ନିର୍ଦ୍ଧାରିତ ସମୟ ନିକଟ ହୋଇ ଆସୁଥିଲା । ସେ ମଣିବନ୍ଧ ଉପରେ ଥିବା ଘଣ୍ଟାରେ ଘନ ଘନ ଦୃଷ୍ଟିନିକ୍ଷେପ କରୁଥିଲେ । ଦଳପତିଙ୍କ ଉପରେ ସେ ମନେ ମନେ ବିରକ୍ତ ହୋଇ ଉଠୁଥିଲେ । ଧନୀରାମଙ୍କ ପରି ଜଣେ ଦୁର୍ଦ୍ଦାନ୍ତ ଲୋକର ଲୁସି ହାତରେ ଛାଡ଼ିଦେବା ତାଙ୍କର ଉଚିତ ହେଲା ନାହିଁ । ଆଉ ମାତ୍ର ମିନିଟିଏ ।

 

ଉଦ୍‍ବିଗ୍ନ ହୋଇ ଉଠିଲେ ସେ । ଆଉ ବାହାରକୁ ଯିବାର ଉପାୟ ନାହିଁ; ଅଥଚ ଲୁସି ଏ ପର୍ଯ୍ୟନ୍ତ ଫେରିଲା ନାହିଁ । ପୁଣି ଥରେ ତାଙ୍କର ଦୃଷ୍ଟି ସଦସ୍ୟମାନଙ୍କ ଉପରେ ଘୁରି ଆସିଲା ।

 

ଅବଶେଷରେ ବାହାରେ କି ଭଳି ଏକ ଶବ୍ଦ ହେଲା । ସମସ୍ତଙ୍କ ଦୃଷ୍ଟି ସେହି ଦିଗକୁ ଆକର୍ଷିତ ହେଲା । କାରଣ ନିବୁଜ କୋଠରିର ସେହି ଅଂଶ ଉନ୍ମୁକ୍ତ ହୋଇ ଯାଇଥିଲା, ଆଉ ଜଣେ କଳା ମୂର୍ତ୍ତି ଭିତରକୁ ପ୍ରବେଶ କରିବା ମାତ୍ରେ କାନ୍ଥଟି ପୂର୍ବ ପରି ତାର ଶୂନ୍ୟସ୍ଥାନ ପୂରଣ କରିଗଲା-

 

ଛାୟାମୂର୍ତ୍ତିଟି ସିଧା ଆସି ତୁଷାରକାନ୍ତିଙ୍କୁ ଅଭିବାଦନ କରି ଛିଡ଼ା ହେଲା ।

 

ଏ ଥର ତୁଷାରକାନ୍ତିଙ୍କ ଉଦ୍ବେଗ ଅପସରି ଗଲା । ଆଗନ୍ତୁକକୁ ଲକ୍ଷ୍ୟ କରି ସେ କହିଲେ–ବାହାରର ବ୍ୟବସ୍ଥା ଠିକ୍ ହୋଇଛି ?

 

ହଁ, ଫାଷ୍ଟ ଚିଫ୍ ।

 

ତା ପରମୁହୂର୍ତ୍ତରେ ପୁଣି ଥରେ ସେହିପରି ଶବ୍ଦ ହେଲା । ଏଥର ଭିତରକୁ ଯିଏ ପ୍ରବେଶ କଲେ, ଅନ୍ୟମାନଙ୍କ ପରି ତାଙ୍କର ସର୍ବାଙ୍ଗ କଳା ପୋଷାକ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ସେଥିରେ ସ୍ୱତନ୍ତ୍ରତା ଯଥେଷ୍ଟ ରହିଥିଲା । ତାଙ୍କର ପ୍ରବେଶରେ ଉପସ୍ଥିତ ସମସ୍ତ ସଦସ୍ୟ ଛିଡ଼ା ହୋଇଗଲେ । ତୁଷାରକାନ୍ତି ତଥା ଆଗନ୍ତୁକଟି ତାଙ୍କ ନିକଟକୁ ଆଗେଇ ଗଲେ ।

 

ଅନ୍ୟମାନଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇ ଦଳପତି ଆସନ ଗ୍ରହଣ କରୁ କରୁ କହିଲେ—ମୋର ବିଶ୍ୱାସ, ଆଜି ଏଠାରେ ଯେତେକ ସଦସ୍ୟଙ୍କୁ ଉପସ୍ଥିତ ହେବାର ନିର୍ଦ୍ଦେଶ ଦିଆଯାଇଥିଲା, ସେ ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି ।

 

ନା, ବସ । —ଅନୁଚ୍ଚ ସ୍ୱରରେ ତୁଷାରକାନ୍ତି କହିଲେ ।

 

ମାନେ ?

 

ପ୍ରତ୍ୟେକଙ୍କୁ ନିର୍ଦ୍ଧାରିତ ସମୟ ଭତରେ ନିର୍ଦ୍ଦେଶନାମା ଦିଆଯାଇଥିଲା; ଅଥଚ ଏ ପର୍ଯ୍ୟନ୍ତ ଦଶ ଜଣ ସଦସ୍ୟ ଅନୁପସ୍ଥିତ ରହିଛନ୍ତି ।

 

ଦଳପତି କିଛି ସମୟ କଣ ଚିନ୍ତା କରି କହିଲେ—ତୁମର ପୂର୍ବ ଅନୁମାନରେ କିଛି ବ୍ୟତିକ୍ରମ ନାହିଁ, ଫାଷ୍ଟ ଚିଫ୍ । ମୁ କିନ୍ତୁ ଆଜିର ବୈଠକକୁ ଯେଉଁମାନେ ଅବହେଳା କରିଛନ୍ତି, ସେମାନଙ୍କୁ କଦାପି କ୍ଷମା ଦେଇପାରିବି ନାହିଁ । ପ୍ରତ୍ୟେକ ସଦସ୍ୟଙ୍କୁ ଏହାର ଲାଭ ଯଥେଷ୍ଟ ପରିମାଣରେ ଦିଆଯାଉଛି; ଅଥଚ ଏ ଭଳି ବିଶୃଙ୍ଖଳା ସେମାନଙ୍କ ନିକଟରୁ ଆଶା କରିବା କୌଣସିମତେ ନିୟମର ଅନ୍ତର୍ଭୁକ୍ତ ନୁହେଁ । ନମ୍ବର ଦଶ.... !

 

ଦଳପତିଙ୍କର ବଜ୍ରନିର୍ଘୋଷ ଶବ୍ଦରେ ଉପସ୍ଥିତ ସଦସ୍ୟ ମାନଙ୍କ ଭିତରୁ ଜଣେ ଛିଡ଼ା ହୋଇପଡ଼ିଲା ।

 

ନମ୍ବର ଆଠ, ଆଜି ଏଠାରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ଚିହ୍ନଟ କରାଯାଇଛି ?

 

ତୁଷାରକାନ୍ତିଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକଟି କହି ଉଠିଲା—ହଁ, ବସ । ଯଥାରୀତି ସମସ୍ତଙ୍କୁ ଚିହ୍ନଟ କରାଯାଇଛି, ଆଉ ଯେଉଁମାନେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କର ଲିଷ୍ଟ ଆପଣଙ୍କର ଟେବୁଲ ଉପରେ ରହିଛି ।

 

ତାର କଥା ଶେଷ ହେବ ମାତ୍ରେ ଦଳପତି ଟେବୁଲ ଉପରେ ରହିଥିବା ଲିଷ୍ଟ ଉପରେ ଚକ୍ଷୁ ବୁଲାଇବାରେ ଲାଗିପଡ଼ିଲେ । ତା ପରେ ଗମ୍ଭୀର କଣ୍ଠରେ କହିଲେ—‘‘ମୁଁ ଚାହେଁ ଆସନ୍ତା କାଲି ସକାଳ ପୂର୍ବରୁ ଏହି ଦଶ ଜଣ ସଦସ୍ୟଙ୍କୁ ଯେ କୌଣସି ପ୍ରକାରେ ଯେମିତି ମୋ ନିକଟରେ ଉପସ୍ଥିତ କରାଇ ଦିଆଯାଏ, ନମ୍ବର ଦଶ । ଏପରିକି ସେମାନଙ୍କ ଭିତରୁ ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ସେମିତି କିଛି ଅପରାଧର ସୂଚନା ତୁମକୁ ମିଳିଯାଏ, ତା ହେଲେ ସେହି ମୁହୁର୍ତ୍ତରେ ତାକୁ ଶେଷ କରି ଦେବାକୁ ଯେମିତି କୁଣ୍ଠାବୋଧ ନ କର ।

 

‘‘ସେ ସମ୍ବନ୍ଧରେ ଆଜି ରାତ୍ରି ଦଶଟାବେଳେ ତୁମେ ଫାଷ୍ଟ ଚିଫ୍‍ଙ୍କ ନିର୍ଦ୍ଦେଶ ନେଇପାର । ମୁଁ ଚାହେଁନା ମୋର କୌଣସି ସଦସ୍ୟ ବିପଦରେ ପଡ଼ନ୍ତୁ । ସେମାନଙ୍କୁ ବିପଦରୁ ଉଦ୍ଧାର କରାଯିବା ପାଇଁ ମୁଁ ଯେଉଁଭଳି ପଦକ୍ଷେପ ନିଏ, ସମସ୍ତେ ନିଶ୍ଚୟ ଅବଗତ ହୋଇ ସାରିଛ । ତେଣୁ ଯେଉଁ ସଦସ୍ୟମାନେ ମୋର ଅତି ପ୍ରିୟ, ସେମାନଙ୍କର ମୋର ନିର୍ଦ୍ଦେଶ ଅବମାନନାରେ ନିଶ୍ଚୟ କୌଣସି ଦୁରଭିସନ୍ଧି ରହିଛି, ଯାହା ଏ ଦଳ ପକ୍ଷରେ ଗଭୀର କ୍ଷତିକାରକ ।’’

 

ମୁଁ ଆପଣଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରସ୍ତୁତ ଅଛି, ବସ ।

 

ଠିକ୍ ଏହି ମୁହୂର୍ତ୍ତରେ ଏକ ସାଇରନର ଶବ୍ଦରେ କୋଠରିଟି କମ୍ପି ଉଠିଲା । ସେହି ଶବ୍ଦ ଶୁଣି ଦଳପତି ଚଞ୍ଚଳ ହୋଇଉଠି କହିଲେ—ଏବେ ତୁମ ୟମାନଙ୍କ ସମ୍ମୁଖରେ ସ୍ୱୟଂ ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ହେବେ । ଆଉ ଆମର ଏଠାକାର ସମସ୍ତ କାର୍ଯ୍ୟକ୍ରମ ତୁମମାନଙ୍କୁ ସେ ବିଶଦ ଭାବରେ ବୁଝାଇ ସାରିଲା ପରେ ଆମ ମାନଙ୍କର ପ୍ରଧାନ ପ୍ରତିଦ୍ୱନ୍ଦୀ ଶତ୍ରୁଜିତ, ଏଡ଼ମ୍ବିଏନ୍ ଇତ୍ୟାଦିଙ୍କୁ ଗୋଟିକ ପରେ ଗୋଟିଏ ଅପରେସନ ଥିଏଟରରେ ବସାଇ ଦିଆଯିବ । ଏହା କେବଳ ସେହି ମାନଙ୍କ ପାଇଁ ନୁହେଁ, ତୁମମାନଙ୍କ ପାଇଁ । ମାନେ, ଯେଉଁମାନେ ଭବିଷ୍ୟତରେ ଏ ଦଳର ବିରୁଦ୍ଧାଚରଣ କରିବେ, ସେମାନଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯିବ । ହଠାତ୍ ତାଙ୍କର କଥା ତାଙ୍କରି ମୁହଁରେ ଅଟକିଗଲା । ଭିତରକୁ ପଶିଆସିଲେ ପରିଚାଳନା–ନିର୍ଦ୍ଦେଶକ । ଉପସ୍ଥିତ ସଦସ୍ୟଗଣ ସମ୍ଭ୍ରମ ସହକାରେ ତାଙ୍କୁ ଅଭିବାଦନ ଜଣାଇଲେ ।

 

ସମସ୍ତଙ୍କୁ ପ୍ରତି ନମସ୍କାର ଜଣାଇ ସେ କହିଲେ—ମୁଁ ମୋ ତରଫରୁ ତଥା ଆମର ଏହି ଅନୁଷ୍ଠାନ ତରଫରୁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । କାରଣ ଆପଣମାନେ ଯେଉଁଭଳି ସାହସିକତା ସହକାରେ ବିପଦ ପରେ ବିପଦ ଅତିକ୍ରମ କରି ନିର୍ବିଘ୍ନରେ ଆଗେଇ ଚାଲିଛନ୍ତି, ସେଥିପାଇଁ ମୁଁ ବେଶେଷ କୃତଜ୍ଞତା ଆପଣମାନଙ୍କୁ ଜଣାଉଛି ।

 

ତା’ ପରେ କରତାଳି ଧ୍ୱନିରେ ସେହି ବିରାଟ କକ୍ଷଟି ପୂର୍ଣ୍ଣ ହୋଇ ଉଠିଲା ।

 

ମୋର ଆଉ ଆପଣମାନଙ୍କୁ ବିଶେଷ କିଛି କହିବାର ନାହିଁ । କାରଣ ମୋ ତରଫରୁ ଆପଣମାନଙ୍କର ବସ ସମସ୍ତ କିଛି ଜଣାଇ ସାରିଛନ୍ତି । ସର୍ବୋପରି ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଏହି ଯେଉଁ ପ୍ରତିରକ୍ଷା ପୁରୀ ଆଇନ କାନୁନର ସତର୍କ ଦୃଷ୍ଟିରୁ ଆପଣମାନଙ୍କୁ ବଞ୍ଚାଇ ରଖି ଆମମାନଙ୍କର କାମ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ନିର୍ମାଣ କରାଯାଇଛି, ଆଉ ଯେଉଁ ବାବଦରେ ଏତେଗୁଡାଏ ଟଙ୍କା ପାଣି ପରି ଖର୍ଚ ଚାଲିଛି, ତାହାର ଉଦ୍ଦେଶ୍ୟ କଣ, ଆପଣମାନଙ୍କୁ ମୁଁ ବୁଝାଇ ଦେବି । ଆଉ ସେ ସମ୍ବନ୍ଧରେ ଆପଣମାନଙ୍କର ମୂଲ୍ୟବାନ ପରାମର୍ଶ ମୁଁ ମଧ୍ୟ ଗ୍ରହଣ କରିବି । ଏତଦ୍‍ବ୍ୟତୀତ ଏହି ପରିଚାଳନା ବିଷୟରେ ଯଦି ଆପଣମାନଙ୍କର କୌଣସି ପ୍ରତିବାଦ କରିବାର ଥାଏ ବା ଅଭିଯୋଗ କରିବାର ଥାଏ, ତା ହେଲେ ନିର୍ଭିକ ଭାବରେ ଆପଣମାନେ କହିପାରିବେ । ଏହିପାଇଁ କୌଣସି ଶୃଙ୍ଖଳାଗତ ଶାସ୍ତିବିଧାନ ହେବ ନାହିଁ ।

 

ତା ପରେ ଦଳପତିଙ୍କ ଆଡ଼କୁ ଲକ୍ଷ୍ୟ କରି କହିଲେ—ଆପଣଙ୍କର ବନ୍ଦୀମାନଙ୍କୁ ଏଠାକୁ ଅଣାଯାଉ । ଏତକ ସମାପ୍ତ କରି ସେ ପୁଣି ଆସନ ଗ୍ରହଣ କଲେ ।

 

କେତେକ ମୁହୂର୍ତ୍ତ ପରେ ଶୃଙ୍ଖଳିତ ଅବସ୍ଥାରେ ପୂର୍ବୋକ୍ତ ବନ୍ଦୀମାନଙ୍କୁ ଅଣାଯାଇ ସେମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ଆସନରେ ବସାଇ ଦିଆଯିବ ପରେ ସେମାନଙ୍କ ଉପରେ ଥରେ ବିଦ୍ରୁପ ଦୃଷ୍ଟି ଫେରାଇ ନେଇ କହିଲେ—ଦଳପତିଙ୍କ ପ୍ରୋଗ୍ରାମ ଅନୁସାରେ ଏମାନଙ୍କୁ ପ୍ରତ୍ୟେକ ଗୋଟିକ ପରେ ଗୋଟିଏ ଅପରେସନ୍ ଥିଏଟରରେ ବସାଇ ଦିଆଯିବ । କାରଣ ଏମାନଙ୍କୁ ଆମ ରାସ୍ତାରୁ ଦୂରେଇ ଦେବା ପାଇଁ ହତ୍ୟା କରାଯାଇ ପାରିଥାଆନ୍ତା, କିନ୍ତୁ ସେଭଳି ହତ୍ୟାରେ ଯେଉଁ ପରିମାଣରେ ଆର୍ଥିକ କ୍ଷତି ଘଟାଇଛନ୍ତି, ଏମାନଙ୍କ ନିକଟରୁ ସେହି ଅର୍ଥର କିଞ୍ଚିତ ଅଂଶ ଯଦି ଆମେ ଆଦାୟ ନ କରୁ, ତାହା ହେଲେ ଶାନ୍ତି ମିଳିପାରିବ ନାହିଁ ।

 

ତା ପରେ ଏସ୍‍.ପି. ଙ୍କ ଉଦ୍ଦେଶ୍ୟରେ ତୀବ୍ର ଦୃଷ୍ଟି ସଞ୍ଚାଳନ କରି ସେ କହିଲେ—ମୃତ୍ୟୁ ପୂର୍ବରୁ ଆମର ଏହି ଅନୁଷ୍ଠାନର ବିଶେଷତ୍ୱ ଆଉ କାରଣ ଜଣାଇ ଦେବାକୁ ମୁଁ କୁଣ୍ଠାବୋଧ କରୁନାହିଁ । କାରଣ ସେ ଜୀବଦ୍ଦଶାରେ ବ୍ୟାପକ ମନୁଷ୍ୟ ହରଣର କାରଣ ଜାଣିବାକୁ ବିଶେଷ ଭାବରେ ଚେଷ୍ଟା କରି ସଫଳ ହୋଇ ପାରି ନାହାନ୍ତି । ଆଉ ସେହି ଆଶା ଯଦି ତାଙ୍କର ଅପୂର୍ଣ୍ଣ ରହିଯାଏ, ତା ହେଲେ ତାଙ୍କର ଆତ୍ମା ମୁକ୍ତିଲାଭ କରି ପାରିବ ନାହିଁ ।

 

ଏତକ ସମାପ୍ତ କରି ସେ ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କଲେ । ତା ପରେ ବେପରୁଆ ଭାବରେ ଧୂଆଁ ତ୍ୟାଗ କରୁ କରୁ କହିଲେ—ଆପଣମାନେ ଜାଣିଥିବେ, ଆଜି ବିଜ୍ଞାନ ଦ୍ରୁତତର ଭାବରେ ଅଗ୍ରଗତି କରିବାରେ ଲାଗିଛି । ଯାହା ଫଳରେ ସେ ଦେବତା ବୋଲି କୌଣସି ଶକ୍ତିକୁ ଆଉ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ । ଏ ଆଡ଼େ ପୃଥିବୀର ଜନସଂଖ୍ୟା ହୁ ହୁ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ତା ତୁଳନାରେ ଖାଦ୍ୟଶସ୍ୟ ଆମର ଯଥେଷ୍ଟ ନାହିଁ । ପୁଣି ମୃତ୍ୟୁର ହାର ଦିନକୁ ଦିନ କମି କମି ଆସୁଛି । ମାନେ, ମୃତ୍ୟୁଠାରୁ ଜନ୍ମ ଶହେଗୁଣରେ ବଢ଼ି ଚାଲିଛି ।

 

ଏହା ଫଳରେ ଖାଇବାକୁ ନ ପାଇ, ମଣିଷ ପରି ମଣିଷ ଭାବରେ ବଞ୍ଚି ରହିବାକୁ ସାମର୍ଥ୍ୟ ନ ପାଇ, ଶିକ୍ଷା ପାଇଁ ସୁବିଧା ନ ପାଇ, ରୋଗ ବୈରାଗରେ ଔଷଧ ପାଇଁ ପଇସା ନ ପାଇ ଯେପରି ସୁସ୍ଥ, ଶାନ୍ତ ସମାଜ ଜୀବନକୁ କଳୁଷିତ ତଥା ବିକଳାଙ୍ଗ କରି ତୋଳୁଛନ୍ତି, ଆମମାନଙ୍କ ମତରେ ସେମାନଙ୍କର ବଞ୍ଚି ରହିବାର କୌଣସି ଅଧିକାର ନାହିଁ । କାରଣ ନିଜର ଦାୟିତ୍ୱହୀନତାରୁ ପିତା ମାତାମାନେ ଏକରୁ ଅନେକ ସନ୍ତାନ ଜନ୍ମ ଦେଇ, ସେମାନଙ୍କୁ ମଣିଷ ଭାବରେ ଚଳିବାର ଅଧିକାର ନିଜର ଅର୍ଥ ହୀନତାରୁ ଦେଇ ନ ପାରି, ସମାଜର ଏତେଗୁଡ଼ିଏ କ୍ଷତି ସାଧନ କରିବାକୁ ଆଗେଇ ଯାଉ ଯାଉ ନିଜର ସୁଖ ଶାନ୍ତି ଜଳାଞ୍ଜଳି ଦେଇ ହା–ହତାଶ ଭିତରେ ଜୀବନ ଅତିବାହିତ କରିବାରେ ଲାଗିଛନ୍ତି; ଅଥଚ କୌଣସି ପ୍ରତିକାର କରିବା ପାଇଁ ଉପାୟ ପାଉ ନାହାନ୍ତି । ଠିକ୍ ଏହି କଥାକୁ ଭିତ୍ତି କରି ଆମର ଏହି ଅନୁଷ୍ଠାନ ସୃଷ୍ଟି ହୋଇଛି ।

 

ଆମର ଲକ୍ଷ୍ୟ—ଦାୟିତ୍ୱହୀନ ପିତାମାତାମାନେ ଯେପରି କୌଣସି ହିତ ଉପଦେଶ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି, କୌଣସି ପ୍ରତିକାର କରିବାକୁ ସକ୍ଷମ ନ ହୋଇ ସମାଜର କ୍ଷତି ଘଟାଉଛନ୍ତି, ଆମେ ତାକୁ କୌଶଳରେ ସମାଧାନ କରିବାର ଏହି ପନ୍ଥା ଅବଲମ୍ବନ କରିଛୁଁ ।

 

ଅନ୍ୟ ଦିଗରେ ଯେଉଁମାନଙ୍କ ନିକଟରୁ ଏ ଦେଶ, ଏ ଜାତି କିଛି ଆଶା କରେ, ଯେଉଁମାନେ ମାନବ ସମାଜର କଲ୍ୟାଣ ସାଧନ କରିବା ପାଇଁ ଶକ୍ତି ପାଇ ପାରିଛନ୍ତି; ଅଥଚ ନାହିଁ ନ ଥିବା ରୋଗର ଶିକାର ହୋଇ ପ୍ରକୃତ ଚିକିତ୍ସାର ଉପାଦାନ ନ ପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ସେମାନଙ୍କୁ ରକ୍ଷା କରିବା ପାଇଁ ଏ ଅନୁଷ୍ଠାନ ପ୍ରଚେଷ୍ଟା ଚଳାଇଛି । ଅବଶ୍ୟ ତାହା ଆଇନସମ୍ମତ ନୁହେଁ ବୋଲି ଆମମାନଙ୍କର ଏହି ମହାନ୍ ପ୍ରଚେଷ୍ଟାକୁ ଏହି ବନ୍ଦୀମାନଙ୍କ ପରି ଅନେକ କର୍ମଚାରୀ କୁତ୍ସିତ ଚିତ୍ରଣ କରୁଛନ୍ତି । ଆମମାନଙ୍କୁ ସାହାଯ୍ୟ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଜେଲ୍ ତଥା ଫାଶୀର ଶିକାର କରାଉଛନ୍ତି । ସେମାନେ ଯେତେବେଳେ ଏହି କଥା ସ୍ୱୀକାର କରିବେ, ସେତେବେଳେ ଆମର ଏହି ଅନୁଷ୍ଠାନକୁ ନିଶ୍ଟୟ ସାହାଯ୍ୟ କରିବେ ।

 

କିନ୍ତୁ ସେମାନେ ତାହା କରିବେ ନାହିଁ । ଏ ଆଡ଼େ ନିର୍ଦ୍ଦୋଷକୁ ଦୋଷୀ, ଦୋଷୀକୁ ନିର୍ଦ୍ଦୋଷ ସଜାଇ ତାଙ୍କରି ଅର୍ଥରେ ନିଜକୁ ପରିପୁଷ୍ଟ କରିବାରେ ଲାଗୁଛନ୍ତି । ଆଗ ସେହିମାନଙ୍କୁ ହଟାଇବା ଆମର ଲକ୍ଷ୍ୟ ।

 

ଛାଡ଼ନ୍ତୁ, ମୋର କହିବାର ଉଦ୍ଦେଶ୍ୟ ହେଉଛି, ନାନା ପ୍ରକାର ଅସାଧ୍ୟ ରୋଗର ଆକ୍ରମଣରେ ଚିକିତ୍ସାବିତ୍‍ମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ବି ମହାଜ୍ଞାନୀ, ବୈଜ୍ଞାନିକ, ରାଜନୀତିଜ୍ଞମାନେ ପ୍ରାଣ ହରାଉଛନ୍ତି । କାରଣ ସେମାନଙ୍କର ହୃତପିଣ୍ଡ ବ୍ୟାଧିଗ୍ରସ୍ତ ହୋଇ ନଷ୍ଟ ହୋଇ ଯାଉଛି । ଦୃଷ୍ଟିଶକ୍ତି ହରାଇ ସେମାନେ ନିଶ୍ଚେଷ୍ଟ ହୋଇ ପଡ଼ୁଛନ୍ତି । ରକ୍ତର ଅଭାବ ଡାକ୍ତର ପୂରଣ କରି ପାରୁ ନାହିଁ । କାରଣ ସ୍ୱତଃପ୍ରବୃତ୍ତ ଭାବରେ କେତେ ଜଣ ତାହା ଦାନ କରୁଥିଲେ ବି ତାହା ଯଥେଷ୍ଟ ହେଉ ନାହିଁ; ଅର୍ଥାତ୍ ପଇସା ଖର୍ଚ୍ଚ କରି ବି ସେମାନେ ତାହା ପାଉ ନାହାନ୍ତି ।

କିନ୍ତୁ ଯେଉଁମାନଙ୍କର କୌଣସି ଆର୍ଥିକ ସମ୍ବଳ ନାହିଁ, ସମାଜର ଦୟା ଉପରେ ନିର୍ଭର କରି ସେମାନଙ୍କୁ ଅଯଥା ଭାରାକ୍ରାନ୍ତ କରି ତୋଳୁଛନ୍ତି, ସେମାନଙ୍କ ନିକଟରୁ ତାହା ନିଆଯାଇ ଯଦି ଅନ୍ୟମାନଙ୍କ ପାଇଁ ବିନିଯୋଗ କରାଯାଏ, ମୋ ମତରେ ତାହା କୌଣସି ଅପରାଧରେ ଗଣ୍ୟ ହେବ ନାହିଁ ।

ବରଂ ସମାଜର ଆମେ ଏତେ ବଡ଼ ଉପକାର କରୁଛୁ ବୋଲି ଆମେ ସମ୍ମାନର ହକଦାର ହେବୁଁ ।

ଆଉ ଏହି ହେଉଛି ଆମର ପ୍ରଧାନ ଲକ୍ଷ୍ୟ; ମାନ୍ୟବର ଏସ୍‍. ପି. ମହୋଦୟ । ଆପଣ ପ୍ରତିଦିନ ସମ୍ବାଦପତ୍ରମାନଙ୍କରେ ଦେଖିୁଥିବେ କେହି ଜଣେ ବିଖ୍ୟାତ ମନୀଷୀ ହୃଦରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛି; କିନ୍ତୁ ତାଙ୍କ ଦେହରେ ଯଦି ଅନ୍ୟ ହୃତପିଣ୍ଡ ଯୋଗ କରାଯାଇ ପାରନ୍ତା, ସେମାନେ ନିଶ୍ଚୟ ବଞ୍ଚିଯାଇ ପାରନ୍ତେ । ସେହିପରି କୌଣସି ବିୈଜ୍ଞାନିକ ନିଜର ଦୃଷ୍ଟି ଶକ୍ତି ଅଭାବରୁ ନୂତନ ଉଦ୍ଭାବନ ବିଷୟରେ ନିଶ୍ଚେଷ୍ଟ ହୋଇ ପଡ଼ୁଛି । ଦୃଷ୍ଟିଶକ୍ତି ଅଭାବରେ ତାଙ୍କର ଯାହା କ୍ଷତି ହେଉଛି ତ ହେଉଛି, କିନ୍ତୁ ସମାଜ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛି ।

ଚିକିତ୍ସା ବିଜ୍ଞାନ ଯଥେଷ୍ଟ ଉନ୍ନତ ହୋଇଛି, ଯାହା ଫଳରେ ଅନ୍ୟ ଜଣକର ହୃତପିଣ୍ଡ, ଚକ୍ଷୁ ଅପର ଜଣକ ଦେହରେ ପ୍ରତିଷ୍ଠିତ କରିବାକୁ ଆବଶ୍ୟକ ପାଇ ପାରିଛି । ଆମେ ମତରେ ଯେଉଁମାନେ ପରାଙ୍ଗପୁଷ୍ଟ ଭାବରେ ଏ ସମାଜର କୌଣସି ଉପକାର କରିବା ତ ଦୁରର କଥା ବରଂ ଅପକାର କରି ଚାଲିଛନ୍ତି, ସେହିମାନଙ୍କ ଦେହରୁ ହୃତପିଣ୍ଡ, ଚକ୍ଷୁ ଆଉ ରକ୍ତ ସଂଗ୍ରହ ହେଲା ଆମର କର୍ତ୍ତବ୍ୟ ।

ଏ ସମ୍ବାଦ ଶୁଣି ଆପଣମାନେ ଶିହରି ଉଠୁଛନ୍ତି । କିନ୍ତୁ ଦେଖୁଛନ୍ତି ତ ରାସ୍ତା ଘାଟରେ, ଗଛ ମୂଳରେ ଅଥବା ଅନ୍ଧକାର ଘର କୋଣରେ ଖାଇବାକୁ ନ ପାଇ ଶହ ଶହ ଲୋକ କିପରି ଟଳି ପଡ଼ୁଛନ୍ତି । ସେଥିପାଇଁ ଆପଣମାନଙ୍କ ଅନ୍ତରରେ ଭୀତିର ସଞ୍ଚାର ହେଉ ନାହିଁ, ଦୟାର ଉଦ୍ରେକ ହେଉ ନାହିଁ । ମାନ୍ୟବର ଏସ୍. ପି. ମହାଶୟ, ଯେଉଁ କେତେକ କଳାମୁଖାଧାରୀ ସଦସ୍ୟଙ୍କୁ ଏଠାରେ ଆପଣ ଦେଖି ପାରୁଛନ୍ତି, ସେମାନଙ୍କର ଅତୀତ ଇତିହାସ ବଡ କରୁଣ । ଏ ଅନୁଷ୍ଠାନ ସେମାନଙ୍କୁ ସଂଗ୍ରହ କରି ବଞ୍ଚିବାର ରାହା ଯୋଗାଇଛି ।

ଛାଡ଼ନ୍ତୁ, ଏ ସବୁ ଆଲୋଚନାରୁ ଆପଣମାନେ ନିଶ୍ଚୟ ଆମର ମହତ୍ ଉଦ୍ଦେଶ୍ୟ ଭଲ ଭାବରେ ବୁଝି ପାରୁଥିବେ । ଅବଶ୍ୟ ଆପଣମାନେ ଯଦି ପୂର୍ବରୁ ଏହି ତତ୍ତ୍ୱର ସମ୍ବାଦ ପାଇଥାଆନ୍ତେ, ତା ହେଲେ ଆପଣମାନଙ୍କର ପ୍ରତିରୋଧ ଶକ୍ତିଶାଳୀ ହୋଇ ଥାଆନ୍ତା । କିନ୍ତୁ ଏବେ ଆପଣମାନଙ୍କଠାରୁ ଆଉ ସେ ଭୟର ଆଶା ନାହିଁ । କାରଣ ଆଉ କେତେକ ମୁହୂର୍ତ୍ତ ପରେ ଆପଣମାନଙ୍କ ଶରୀର ବିନିମୟରେ ଆମର ପ୍ରାୟ ୮୦/୯୦ ହଜାର ଟଙ୍କା ଲାଭ ହେବ ।

ପରିଚାଳନା–ନିର୍ଦ୍ଦେଶକଙ୍କ କଥା ଶେଷ ହେବା ମାତ୍ରେ ଖୁବ୍ ଜୋରରେ ହସିଉଠିଲେ ଏସ୍. ପି. । ଆଉ ହସର ତରଙ୍ଗ ବନ୍ଦ କରିଦେଇ ସେ କହିଲେ–ପ୍ରକୃତରେ ତୁମର ଏହି ତଥ୍ୟ ଆମ ପକ୍ଷରେ ଖୁବ୍ ଲାଭଜନକ ହୋଇପାରିଛି, ମିଷ୍ଟର । ଏହି ଅନୁଷ୍ଠାନଗୁଡ଼ିକ ଦୀର୍ଘ ବାଇଶି ବର୍ଷ ନିରାପଦରେ ପରିଚାଳନା କରି ତୁମେ ଭାବି ନାହିଁ ଯେ, ଏବେ ତୁମେ ସଂପୂର୍ଣ୍ଣ ନିରାପଦ ବୋଲି ।

ତୁମେ ତୁମର ଯେଉଁ ତଥ୍ୟ ଆମ ଆଗରେ ପରିବେଷଣ କରି ନିର୍ମମ ଜଘନ୍ୟତାକୁ ଢାଙ୍କିବାକୁ ଅପଚେଷ୍ଟା କରିଛି, ତାହା କଣ ଆମ ଆଗରେ ଉନ୍ମୋଚନ ହୋଇ ନାହିଁ ବୋଲି ଚିନ୍ତା କରୁଛ ? ତୁମଠାରୁ ବି ଅସମ୍ବବ ଚତୁର ଲୋକ ଏହି ଭାରତବର୍ଷ ଭିତରେ ଭରି ରହିଛନ୍ତି । ସେମାନେ ଇଚ୍ଛା କଲେ ତୁମଠାରୁ ଆହୁରି ଚତୁରତା ସହିତ ଅଭିନୟ କରିବେ ।

ତାହାର ପ୍ରମାଣ ଦେଉଛ ତୁମେ ତ ନିଜେ । ନିଜେ ଯେମିତି ଅସମ୍ବବ ଚତୁରତା ସହକାରେ ଏ ଦଳକୁ ନିର୍ମୂଳ କରିବାକୁ ଚେଷ୍ଚା କରଥିଲେ, ସେହି ଚତୁରତାର ଶେଷଫଳ କଣ ହେଲା ଏବେ ନିଶ୍ଚୟ ଅନୁମାନ କରୁଥିବ ।

ତଥାପି ଏ ଦଳର ଶକ୍ତି ଆଉ ସାମର୍ଥ୍ୟ ବିଷୟରେ ତୁମେ ଅନଭିଜ୍ଞ ରିହିଛ, ଏସ୍. ପି. ସାହେବ । ଏହି ଦଳ ଅସମ୍ବବ ଚତୁରତା ସହଜାରେ ତୁମ ଭଳି ଜଣେ ପ୍ରତିଦ୍ୱନ୍ଦୀଙ୍କୁ କବଳିତ କରିପାରିଛି । ତୁମର ସମଗ୍ର ପୋଲିସ ବାହିନୀକୁ ପରାସ୍ତ କଥା ଲାଞ୍ଛିତ କରି ଏକ ପ୍ରକାରର ଅରାଜକତା ସୃଷ୍ଟି କରିପାରିଛି । ଏହାଠାରୁ ବଳି ଆଉ କଣ ଚତୁରତା ତୁମେ ଆଶା କରୁଥିଲ, ମିଷ୍ଟର ।

ପୁଣି ହସିଉଠିଲେ ଏସ୍. ପି । ଆମମାନଙ୍କୁ ଠକେଇବାକୁ ଯାଇ ତୁମେ ଅସମ୍ବବ ଭାବରେ ଠକିଯାଇଛ, ମିଷ୍ଟର । ଏ ପବିତ୍ର ଭାରତ ଭୂଇଁରୁ ତୁମର ଅପବିତ୍ର ଦେହ ନେଇ ଆଉ ବାହୁଡ଼ି ଯିବାର ଆଶା କରିବା ତୁମ ପକ୍ଷରେ ସଂପୂର୍ଣ୍ଣ ଅସମ୍ବବ ।

ଏସ୍. ପି. ଙ୍କ କଥାରେ ହସିଉଠି ସେ ପୁଣି କହିବାରେ ଲାଗିଲେ—ତଥାପି ମୁଁ କହୁଛି ବନ୍ଧୁ, ଏ ଦଳର ଚକ୍ଷୁକୁ ନିର୍ବିଘ୍ନରେ ଏଡ଼ାଇ କାର୍ଯ୍ୟ ହାସଲ କରି ନେବାର ସାହସ କାହାରି ଏ ପର୍ଯ୍ୟନ୍ତ ହୋଇ ନାହିଁ । ବିଶ୍ୱାସଘାତକ ଧନୀରାମ ତୁମରି ରୂପବତୀ କନ୍ୟା ରୀତାର ମୋହରେ ଯେଉଁ ସ୍ୱପ୍ନ ଦେଖୁଥିଲା, ଆଉ ସତ୍ପାହକୁ ତୁମେ ଶେଷ ସୁଦ୍ଧା ତୁମର ଅବ୍ୟର୍ଥ ଲକ୍ଷ୍ୟ ବୋଲି ଭାବିଶେଷ ମୁହୂର୍ତ୍ତରେ ଉଦ୍ଧାର ପାଇଯିବାକୁ ଚେଷ୍ଟା କରୁଥିଲ, ସେ ମଧ୍ୟ ତୁମରି ସହଯାତ୍ରୀ ହେବାକୁ ଯାଉଛି ଆଜି ।

ଏହି ପ୍ରତିରକ୍ଷାପୁରୀ ଭିତରୁ ତୁମମାନଙ୍କୁ ଉଦ୍ଧାର କରିବାକୁ ଆଉ କାହାରି ସାହସ ନାହିଁ ଲକ୍ଷ ଲକ୍ଷ ଟଙ୍କା ଏହାର ନିର୍ମାଣ ପାଇଁ ମୋଫତରେ ଫିଙ୍ଗି ଦିଆଯାଇ ନାହିଁ ଏସ୍. ପି. ସାହେବ । ଏହାର ନିର୍ମାଣ କୌଶଳ ଅତ୍ୟନ୍ତ ଚତୁରତାର ସହିତ ହୋଇଛି । ସର୍ବୋପରି ଏ ପୁରୀର ଅବସ୍ଥିତି ଯେ କେଉଁଠି କୌଣସି ବାହାରର ଶକ୍ତି ତାହା ଜାଣିବାର ସୁଯୋଗ ପାଇବା ଅସମ୍ବବ ।

ଆଉ ମି: ଶତ୍ରୁଜିତ..... । ବହୁ ଦିନ ଧରି ତୁମ ପ୍ରତି ଏ ଦଳର ଯଥେଷ୍ଟ ଭୟ ଥିଲା । ତୁମର ଅସମ୍ବବ ଡିଟେକସନ୍ ପ୍ରଣାଳୀକୁ ମୁଁ ମଧ୍ୟ ସମ୍ମାନ ଜଣାଉଥିଲି । ଜେଲ୍ ଦୁର୍ଘଟଣାର ଯେଉଁ କେତେକ ଗୁପ୍ତ ସମ୍ବାଦ ତୁମେ ପାଇ ଯାଇଥିଲ, ଆଉ ତାକୁଇ ଅନୁସନ୍ଧାନ କରି ଆମର ଜଣେ ପ୍ରିୟବନ୍ଧୁଙ୍କୁ ଯେ ଶୃଙ୍ଖଳିତ କରି ପାରି ଥାଆନ୍ତ, ସେ ବିଶ୍ୱାସ ଆମର ଥିଲା । ତୁମ ଭଳି ଧୂର୍ତ୍ତ ଶତ୍ରୁକୁ ବଞ୍ଚାଇ ରଖିବା କୌଣସିମତେ ଆମ ପକ୍ଷରେ ସମ୍ବବ ହୋଇ ପାରୁ ନାହିଁ ।

ଆମର ଅନେକ ଟାୱାର ତୁମେ ନଷ୍ଟ କରି ଦେଇଛି । ଅନେକ କ୍ଷେତ୍ରରେ ଆମର ପ୍ରତିଦ୍ୱନ୍ଦିତା କରି ଯଥେଷ୍ଟ କ୍ଷତି ସାଧନ କରିଛ । ତୁମେ ଭଳି ଜଣେ ମହାଶତ୍ରୁକୁ ଆମର ଏହି ଅନୁଷ୍ଠାନର ଉଦ୍‍ଘାଟନ ଦିବସରେ ପ୍ରାଣଦଣ୍ଡ ଦେଇ ଏ ଦଳ ଆହୁରି ଶକ୍ତିଶାଳୀ ହେବ ।

 

ତୁମମାନଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ, ତାହା ପୂର୍ବରୁ ଜଣାଇ ଦିଆଯାଇଛି । ହେଲେ, ସେହି ଦଣ୍ଡ କେଉଁଭଳି ତାହା ମୁଁ ଜଣାଇ ଦେଉଛି ।

 

ସମ୍ମୁଖରେ ତୁମେ ଅପରେସନ ଟେବୁଲ ଦେଖିପାରୁଛ । ଆଉ ତାର ଚତୁଃପାର୍ଶ୍ୱରେ ରହିଥିବା ଯନ୍ତ୍ରପାତି ତଥା ରବର ଟିଉବଗୁଡ଼ିକ ନିଶ୍ଚୟ ଦେଖିପାରୁଛ । ଏବେ ତୁମକୁ ତାହାରି ଉପରେ ଶୁଆଇ ଦିଆଯାବ । କ୍ଲାମ୍ପ ସାହାଯ୍ୟରେ ସେହି ଟେବୁଲ ସହିତ ତୁମ ଦେହକୁ ଏପରି ଭାବରେ ଭିଡ଼ି ଦିଆଯିବ ଯେ, କୌଣସିମତେ ହଲଚଲ ହେବାର ଶକ୍ତି ତୁମେ ପାଇପାରିବ ନାହିଁ ।

 

ତା ପରେ ସେହି ରବର ଟିଉବ୍ ସାହାଯ୍ୟରେ ତୁମ ଦେହରୁ ରକ୍ତ ନିଷ୍କାସନ କରାଯାଇ ବଡ଼ ବଡ଼ ଗ୍ଲାସ୍ ଜାରମାନଙ୍କରେ ରହିବ । ଯେଉଁ ଜାର୍ ରୀତାକୁ ଅପହରଣ କରିବାକୁ ଚେଷ୍ଟା କରିବା ଦିନ ତୁମେ ଏସ୍. ପି. ଙ୍କ କୋଠରି ନିକଟରୁ ଆବିଷ୍କାର କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛି ବୋଲି ତୁମ ରିପୋର୍ଟରେ ଲେଖିଥିଲ, ସେହି ଜାରରେ ତୁମର ରକ୍ତ ସଞ୍ଚିତ ହୋଇ ରହିବ-

 

ତା ପରେ ତୁମର ଚକ୍ଷୁକୁ ଅପରେସନ କରି ବାହାର କରି ନିଆଯାଇ ସୁରକ୍ଷିତ ଭାବରେ ରଖାଯିବ । ତା ପରେ ହୃତପିଣ୍ଡ । ବୁଝିପାରୁଛ ତ ବନ୍ଧୁ, କେଉଁଭଳି ଯନ୍ତ୍ରଣା ସ୍ୱୀକାର କରି ଆମର ପାଣ୍ଠି ତୁମେ ବୃଦ୍ଧି କରିବ ?

 

ତା ପରେ ହାତଘଣ୍ଟାକୁ ଅନାଇ ସେ କହିଲେ—ଏବେ ତୁମେ ଭଗବାନଙ୍କୁ ପ୍ରାର୍ଥନା କରିପାର । ଫାଷ୍ଟ ଚିଫ୍ । ଅପରେସନ୍ ଟେବୁଲ ପ୍ରସ୍ତୁତ କର ।

 

ପରିଚାଳନା-ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ତୁଷାରକାନ୍ତି ଅପରେସନ ଟେବୁଲ ଦିଗକୁ ଅଗ୍ରସର ହେବାରେ ଲାଗିଲେ । କିନ୍ତୁ ଏସ୍‍. ପି. ଙ୍କର ଅଟ୍ଟହାସ୍ୟରେ ସେ କୋଠରି ପୂରିଉଠିଲା । ସେ କହିବାକୁ ଲାଗିଲେ—ତଥାପି ତୁମେ ଭୁଲ କରିବାକୁ ଯାଉଛ ମିଷ୍ଟର । ଅଗଣିତ ଦେଶବାସୀଙ୍କର ମଙ୍ଗଳ ପାଇଁ ଯେଉଁ ଶତ୍ରୁଜିତ ନିଜର ଜୀବନ ବିପନ୍ନ କରିପାରେ, ତମ ଭଳି ଜଣେ ନୃଶଂସ ସୈତାନର ହାତରେ ସେ ଜୀବନ ଦେବାକୁ ଜନ୍ମି ନାହିଁ ।

 

ବଞ୍ଚି ରହିବାର ଇଚ୍ଛା ତୁମର ପ୍ରବଳ ମୁଁ ଜାଣେ । ଆଉ ଏହିପରି ଭାବରେ ବାକ୍ୟ ବିନିମୟ କରି ଆମ ନିର୍ଦ୍ଦେଶକୁ କୋହଳ କରିବାର ଚେଷ୍ଟା ତୁମର ବୃଥା । ଫାଷ୍ଟ ଚିଫ୍....

 

ତୁମର ନିର୍ଦ୍ଦେଶନାମାର ସ୍ଥିରତା ମୁଁ ଜାଣେ । କାରଣ ତୁମ ଦଳର କାହାରି ଏଭଳି ନିର୍ଦ୍ଦେଶନାମାରେ ଅବହେଳା କରିବାର କ୍ଷମତା ନାହିଁ । ଆଉ ସେଇଥିପାଇଁ ମୁଁ କହୁଛି, ଶତ୍ରୁଜିତ ଅଥବା ଯେଉଁ କେତେ ଜଣଙ୍କୁ ତୁମେ ଏବେ ବନ୍ଦୀ କରି ଆତ୍ମସନ୍ତୋଷରେ ହସିଉଠୁଛ, ସେମାନଙ୍କୁ ହତ୍ୟା କରିବା ଭଳି ଶକ୍ତି ତୁମର ନାହିଁ ।

 

ଏସ୍‍. ପି. ଙ୍କ ମୁଖକୁ ଚାହିଁ କିଛି ସମୟ ସ୍ଥିର ହୋଇଗଲେ ପରିଚାଳନା–ନିର୍ଦ୍ଦେଶକ । ତା ପରେ ହସ ହସ ମୁଖରେ କହିଲେ, ତୁମ ଆସ୍‍ଫାଳନର କାରଣ ଏବେ ମୁଁ ବୁଝିଲି । ତୁମକୁ କହିସାରିଛି ଧନୀରାମ୍ ଏବେ ଆମ ହାତରେ ବନ୍ଦୀ । ଫୀଷ୍ଟ ଚିଫ୍.....

 

ଫାଷ୍ଟ ଚିଫ୍‍ଙ୍କ ନିର୍ଦ୍ଦେଶରେ ଦୁଇ ଜଣ ଶତ୍ରୁଜିତଙ୍କ ନିକଟକୁ ଆଗେଇ ଆସିଲେ । ଉଚ୍ଚସ୍ୱରରେ ହସିଉଠ ପରିଚାଳନା–ନିର୍ଦ୍ଦେଶକ କହିଲେ—ଏଥର...

 

ଶତ୍ରୁଜିତଙ୍କ ଆବରଣ ଖୋଲି ଦେଖିନିଅ, ମିଷ୍ଟର ।

 

ଏସ୍‍. ପି. ଙ୍କ ଉଭୟ ଦଳପତି ତଥା ପରିଚାଳନା–ନିର୍ଦ୍ଦେଶକ ଚମକିଉଠିଲେ । କ୍ଷୀପ୍ରବେଗରେ ଯାଇ ସେହିଠାରେ ପହଞ୍ଚିଲେ । କାରଣ ଜୟନ୍ତ ସେଥର ଶତ୍ରୁଜିତଙ୍କର ଅବିକଳ ଛଦ୍ମବେଶରେ ଆସିଥିଲେ….

 

କିନ୍ତୁ ଏହା କିଭଳି ସମ୍ବବ ? ଉଭୟ ଦଳପତି ତଥା ପରିଚାଳନା ନିର୍ଦ୍ଦେଶକ ଶତ୍ରୁଜିତଙ୍କର ଛଦ୍ମ ଆବରଣ ଭିତରୁ ଯେତେବେଳେ ସ୍ୱୟଂ ଆଇ. ଜି. ଅର୍ଥାତ୍ ତାଙ୍କ ଦଳର ସଦସ୍ୟ ହରିଶ ବାବୁଙ୍କୁ ଦେଖିଲେ, ସେତେବେଳେ ଅସମ୍ବବ ଭାବେର ଚମକି ଉଠିଲେ । ଦଳପତି ତଥା ପରିଚାଳନା–ନିର୍ଦ୍ଦେଶକଙ୍କ ହାତରେ ଦୁଇଟି ପିସ୍ତଲ ଚମକିଉଠିଲା ।

 

ରମେଶ... । ତୁମେ ଏହା ଭିତରେ କେମିତି ? କୁଆଡ଼େ ଗଲା ଧୂର୍ତ୍ତ ଶତ୍ରୁଜିତ ?

 

ଏଥର ଆହୁରି ଜୋରରେ ହିସଉଠି ଏସ୍. ପି. କହିଲେ—ଆଇ. ଜି. ଙ୍କର ବାହୁଛାୟାରେ ଆଚ୍ଛାଦିତ ହୋଇ ପୋଲିସ୍ ବିଭାଗର ଗୁପ୍ତ ସମ୍ବାଦଗୁଡ଼ିକ ତମେ ସଂଗ୍ରହ କରିପାରି ଯେପରି ବିଜୟର ଚରମ ଶିଖରରେ ପହଞ୍ଚୁଥିଲ, ଆଜି ଠିକ୍ ସେହିପରି ସେ ପରାଜୟର ଗ୍ଲାନି ନେଇ ତମରି ନିକଟରେ ଛିଡ଼ା ହୋଇଛନ୍ତି ।

 

ଏସ୍‍. ପି. ଙ୍କ ବିଦ୍ର ପରେ ଦଳପତିଙ୍କ ମୁଖମଣ୍ଡଳ କ୍ରୋଧରେ କମ୍ପି ଉଠିଲା—ଫାଷ୍ଟ ଚିଫ୍....

 

ଏଥର ଆହୁରି ଜୋରରେ ହିସଉଠିଲେ ଫାଷ୍ଟ ଚିଫ୍ । କଣ୍ଟାକୁ ହିଁ କଣ୍ଟାଦ୍ୱାରା ବାହାର କରାଯାଏ, ଦଳପତି । ଚତୁରକୁ ଅତିଶୟ ଚତୁରତା ଦ୍ୱାରା ହିଁ ବଶୀଭୂତ କରାଯାଏ ।

 

ହଠାତ୍ ଫାଷ୍ଟ ଚିଫ୍‍ର କଣ୍ଠସ୍ୱର ଶୁଣି ଚମକିଉଠିଲେ ଦଳପତି । ତମେ....ତମେ.....

 

କଣ୍ଠସ୍ୱରରୁ ମଣିଷ ବାରି ପାରିବାର ଅଦ୍ଭୁତ ଦକ୍ଷତା ତମର ଅଛି, ଦଳପତି । ଯାହାକୁ ମନେ ମନେ ତମେ ଅପରେସନ ଥିଏଟରରେ ଚଢ଼ାଇ କେତେ ଲାଭ ହେବ ଏହି କେତେକ ମୁହୂର୍ତ୍ତ ପୂର୍ବରୁ କଳ୍ପନା କରୁଥିଲ, ସେହି ଶତ୍ରୁଜିତ ମୁଁ । ହଠାତ୍ ନିଜର ବାହ୍ୟ ଆବରଣ ଖୋଲି ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟବର୍ଗ ଚମକିଉଠିଲେ ।

 

କୄଦ୍ଧ ଦଳପତିଙ୍କର ରିଭରଭର୍ ଗର୍ଜିଉଠିଲା । କିନ୍ତୁ ତାର ଆଭାସ ଜାଣିପାରି ଖୁବ୍ ଚତୁରତା ସହକାରେ ସତର୍କ ହୋଇ ଯାଇଥିଲେ ଶତ୍ରୁଜିତ ।

 

ପରମୁହୂର୍ତ୍ତରେ ଲମ୍ପପ୍ରଦାନ କରି ଦୁହିଙ୍କ ହାତରୁ ରିଭଲଭର ଦୁଇଟି ଛଡ଼ାଇ ନେଇ, ସେମାନଙ୍କ ଆଡ଼କୁ ତାହା ଲକ୍ଷ୍ୟ କରି କହିଲେ—ସାବଧାନ.... । ଆଉ ଯଦି ଟିକିଏ ମାତ୍ର ଆଗେଇବାକୁ ଦୁଃସାହସ କର, ତା ହେଲେ…

 

ପରମୁହୂର୍ତ୍ତରେ ତାଙ୍କରି ଭାଷା ତାଙ୍କରି ତୁଣ୍ଡରେ ଅଟକିଗଲା । ଉପସ୍ଥିତ ସଦସ୍ୟବର୍ଗଙ୍କ ଭିତରୁ କେତେ ଜଣ ଉଲ୍‍କା ବେଗରେ ଧାଇଁ ଆସି ଶତ୍ରୁଜିତଙ୍କୁ କବଳିତ କରିନେଲେ ।

 

ଏଥର ଆହୁରି ଜୋରେ ହସିଉଠି ଦଳପତି କହିଲେ—ସେଇଟାକୁ ଡେଥ୍-ଚେମ୍ବରରେ ଭର୍ତ୍ତି କରିଦିଅ ।

 

କିନ୍ତୁ ତା ପୂର୍ବରୁ ତମେମାନେ ସେହିଠାକୁ ଯିବାକୁ ପ୍ରସ୍ତୁତ ହୋଇଯାଅ, ମିଷ୍ଟର ।

 

ହଠାତ୍ ସେହି କକ୍ଷ ଭିତରକୁ ସର୍ବାଙ୍ଗ କଳା ପୋଷାକ ଆଚ୍ଛାଦିତ ଏକ ବ୍ୟକ୍ତି ସଙ୍ଗେ ଆଉ କେତେ ଜଣ ସଶସ୍ତ୍ର ପୋଲିସଙ୍କୁ ପ୍ରବେଶ କରୁଥିବାରୁ ଦେଖି, ଉଭୟ ଦଳପତି ତଥା ପରିଚାଳନା ନିର୍ଦ୍ଦେଶକ ତାଙ୍କର ଆସନ ପାଖକୁ ଦୌଡ଼ିଗଲେ ।

 

ସେ ଆଶା ତମର ଧ୍ୱଂସ ହୋଇଛି, ଦଳପତି । ତମମାନଙ୍କର ଏଭଳି ଦୁର୍ଯୋଗରେ ଏକମାତ୍ର ପ୍ରତିରକ୍ଷାକାରୀ କଣ୍ଟ୍ରୋଲ ରୁମ୍ ତମ କଣ୍ଟ୍ରୋଲରୁ ବାହାର ହୋଇ ଯାଇଛି । ତା ପରେ ଉପସ୍ଥିତ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଲକ୍ଷ୍ୟ କରି ସେହି କଳାମୂର୍ତ୍ତି କହିଲା—ମୁଁ ଜାଣେ, ତମେମାନେ ସମସ୍ତେ ସଶସ୍ତ୍ର; କିନ୍ତୁ ତମେମାନେ ଯଦି କୌଣସି ପ୍ରକାର ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରିବାକୁ ଚାହଁ, ତା ହେଲେ ବାହାରକୁ ଅନାଇ ଦେଖ ତମମାନଙ୍କଠାରୁ ବହୁଗୁଣରେ ପୋଲିସ ଫୋର୍ସ ଏଠାରେ ଅପେକ୍ଷା କରି ରହିଛନ୍ତି ।

 

କିଏ......କିଏ.......ତୁ ସୈତାନ ? କ୍ରୋଧରେ ଗର୍ଜିଉଠିଲେ ଦଳପତି ।

 

ଦସ୍ୟୁ ଅଜୟର ନାମ ଏତେ ଶୀଘ୍ର ଭୁଲିଯାଉଛି, ମିଷ୍ଟର ।

 

ଦସ୍ୟୁ ଅଜୟ ।

 

ଏଥର ହସିଉଠିଲା ଅଜୟ ଦସ୍ୟୁ । ମୋର ସନ୍ଧାନ ପାଇଁ ବହୁତ ଚେଷ୍ଟା କରିଥିଲ, ମିଷ୍ଟର । ହେଲେ ତମରି ସୁଖରେ ସୁଖୀ, ତମରି ଦୁଃଖରେ ଦୁଃଖୀ ହୋଇ ଅଜୟ ଦସ୍ୟୁ ଚଳି ଆସିଥିଲେ ବି ତମେ ସହଜରେ ତାକୁ ଚିହ୍ନି ପାରିଲ ନାହିଁ ।

 

ତମେ......କିଏ......ତମେ ?

 

ହଠାତ୍ ଶତ୍ରୁଜିତଙ୍କ ନିକଟରେ କଳା ପୋଷାକ ପିନ୍ଧି ପୂର୍ବରୁ ଯିଏ ଛିଡ଼ା ହୋଇଥିଲା, ସେ କ୍ଷୀପ୍ର ବେଗରେ ଆସି ଦସ୍ୟୁ ଅଜୟର ମୁଖାବରଣ ଖୋଲିଦେବା ମାତ୍ରେ ସମସ୍ତ ପୋଲିସ କର୍ମଚାରୀଠାରୁ ଆରମ୍ବ କରି ଦଳପତିଙ୍କ ସହିତ ସମସ୍ତ ଦସ୍ୟୁଗଣ ଚକିତ ହୋଇ ଉଠିଲେ ।

 

ତମେ, ତମେ ତୁଷାରକାନ୍ତି ?

 

ଇୟେସ୍ ବସ । ଦସ୍ୟୁ ଅଜୟ ହିଁ ହେଉଛି ତୁଷାରକାନ୍ତି । ଏ ସମ୍ବାଦ ଏକା ଆପଣ କାହିଁକି ଅନ୍ୟମାନେ ବି ଭବିଷ୍ୟତରେ ଜାଣିବର ସୁଯୋଗ ପାଇ ନ ଥାନ୍ତେ; କିନ୍ତୁ ରୀତା ହିଁ ସବୁ ଗୋଳମାଳ କରିଦେଲା ।

 

ରୀତା..... । ଏସ୍‍. ପି. ଚମକିଉଠିଲେ ।

 

ଶତ୍ରୁଜିତଙ୍କ ନିକଟରେ ଛିଡ଼ା ହୋଇଥିବା କଳା ପୋଷାକ ପରିହିତା ରୀତା ଯେତେବେଳେ ନିଜର ଆବରଣ ଖୋଲିଦେଲା, ସେତେବେଳେ ସମସ୍ତେ ଚମକିଉଠିଲେ ।

 

ଓଃ......ଷଡ଼ଯନ୍ତ୍ର । ଦଳପତି ତଥା ପରିଚାଳନା–ନିର୍ଦ୍ଦେଶକ କ୍ରୋଧିତ ସିଂହ ପରି ଗର୍ଜି ଉଠୁଥିଲେ ।

 

ଆଉ ଆସ୍ଫାଳନ କରି ଲାଭ ନାହିଁ, ଦଳପତି । ତମରି ଜାଲରେ ତମେ ନିଜେ ଛନ୍ଦି ହୋଇ ଯାଇଛ । ତମେ ବିଶ୍ୱାସଘାତକତା ଓ ପ୍ରବଞ୍ଚନାର ଚରମ ଶିଖରକୁ ଉଠି ଅନ୍ୟାୟ ପରେ ଅନ୍ୟାୟ ସଂଗଠିତ କରିବାରେ ପଛଘୁଞ୍ଚା ଦେଲ ନାହିଁ । ସେତେବେଳେ ତମକୁ ଠିକ୍ ଏହିଭଳି ଷଡ଼ଯନ୍ତ୍ର ଦ୍ୱାରା ଆବିଷ୍କାର କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା ।

 

କାରଣ ଆଇ. ଜି. ଇତ୍ୟାଦି ଉଚ୍ଚପଦସ୍ଥ ଅଫିସର ତମରି ହାତରେ ଥିଲେ । ମୋଟ ଟଙ୍କା ଲୋଭରେ ସେମାନେ ନିଜ ପଦବୀ ପ୍ରତି ମର୍ଯ୍ୟାଦା ତଥା ଦେଶବାସୀଙ୍କ ପ୍ରତି କର୍ତ୍ତବ୍ୟ ସମସ୍ତ କିଛି ଭୁଲି ଯାଇଥିଲେ । କିନ୍ତୁ ଆବିଷ୍କାର କରିବା ଏତେ ସହଜସାଧ୍ୟ ବ୍ୟାପାର ନ ଥିଲା । ତଥାପି ଏକ ସୂକ୍ଷ୍ମ ସୂତ୍ର ଧରି ଏହି ଅଭିଯାନର ମୋତେ ଆଗେଇବାକୁ ପଡ଼ିଲା ।

 

ହଠାତ୍ ସେ ଦଳପତି ତଥା ପରିଚାଳନା–ନିର୍ଦ୍ଦେଶକଙ୍କ ଉପରେ ଚକ୍ଷୁ ପକାଇ ଚିତ୍କାର କରି କହିଉଠିଲେ—ସାବଧାନ, ପଳାଇବାର ସମସ୍ତ ପଥ ତୁମର ରୁଦ୍ଧ ହୋଇ ସାରିଛି । କଣ୍ଟ୍ରୋଲ ରୁମ୍ ତୁମର ତୁମ ନିର୍ଦ୍ଦେଶରୁ ଏକାବେଳକେ ବିଚ୍ଛିନ୍ନ ।

 

ତା ପରେ ସେ ପୁଣି କହିବାରେ ଲାଗିଲେ—କର୍ମପ୍ରବଣ ଏସ୍‍. ପି. ମହୋଦୟଙ୍କ କର୍ମଦକ୍ଷତା ହିଁ ଆଜିର ଏହି ବିଜୟ ବାର୍ତ୍ତା ଆଣି ଦେଇଛି । କାରଣ ଏ ସବୁପ୍ରତି ସେ ପ୍ରଥମରୁ ହିଁ ଗଭୀର ଭାବେ ଧ୍ୟାନ ଦେଇଥିଲେ । ଆଉ ତାଙ୍କର ଉଚ୍ଚ ଅଫିସର ଆଇ. ଜି. ମହୋଦୟଙ୍କୁ ଏହି କଥା କହିବା ଫଳରେ ତୁମମାନଙ୍କର ଦୃଷ୍ଟି ତାଙ୍କ ଉପରକୁ ଆକର୍ଷିତ ହୋଇଥିଲା । କର୍ମନିଷ୍ଠା ବଳରେ ସେ ପ୍ରମୋଶନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କୁ ଧରାଧରି କରି ସେହି ସୁବିଧାରୁ ବଞ୍ଚିତ କରିବାର ଚେଷ୍ଟା କରାଯାଇଥିଲା ।

 

ଏସ୍‍ବୁ ଚକ୍ରାନ୍ତ ଜାଣି ମଧ୍ୟ ତାଙ୍କର ପ୍ରତିକାର କରିବାର କୌଣସି ଉପାୟ ନ ଥିଲା । କାରଣ ଏ ଦେଶର ଶାସନ ଶୃଙ୍ଖଳା ଏକବାର ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିଥିଲା । ସେ ସ୍ଥିର କଲେ, ପୋଲିସ ବିଭାଗ ତରଫରୁ ଏଭଳି ଦଳକୁ ଧରିବାର ଉଦ୍ୟମ କରିବା କେବଳ ନିଷ୍ଫଳ ଆୟୋଜନ । ତେଣୁ ସେ ପୋଲିସ ବିଭାଗ ଅନ୍ତରାଳରେ ଏକ ଗୁପ୍ତ ସଂସ୍ଥା ଗଠନ କରିବାରେ ଲାଗିପଡ଼ିଲେ । ସେ ଦେଖିଲେ ଏ ଦଳର କଳ କୌଶଳ ଏଭଳି ଅଲୌକିକ ଯେ, ଏହା ଭିତରେ ପ୍ରବେଶ ନ କଲେ ସହଜରେ ଏହାର ଅଭିସନ୍ଧି ଜଣାପଡ଼ିବ ନାହିଁ । ତେଣୁ ଏହି ଦଳର ଦୁର୍ବଳତାର ଆଶ୍ରୟ ନେବାକୁ ପଛଘୁଞ୍ଚା ଦେଲେ ନାହିଁ । ତା ପରେ ସେ ସମ୍ବାଦ ପାଇଲେ, ଏହି ଦଳର ଫରେନ୍ କ୍ୱାଲିଫାଏଡ୍ ଡାକ୍ତରଙ୍କ ଉପରେ ବିଶେଷ ଲୋଭ ରହିଛି ।

 

ତେଣୁ ମୋତେ ସେଥିରେ ଉପଯୁକ୍ତ କରିବା ପାଇଁ ଏଫ୍. ଆର୍.ସି. ଏସ୍. ଡିଗ୍ରୀ ହାସଲ ପାଇଁ ପଠାଇଲେ । ସେହିଠାରୁ ମୁଁ ସମସ୍ତଙ୍କ ଅଜାଣତରେ ଗଳି ସ୍ମଟ୍‍ଲାଣ୍ଡ ୟାର୍ଡ଼ । ତା ପରେ ଏ ଭିତରକୁ ମୁଁ ଯେଉଁଭଳି ଭାବରେ ଆସିଲି ଆଉ ଏମାନଙ୍କୁ ବିଶ୍ୱାସ ଦେଖାଇ କିପରି ମୋର କାର୍ଯ୍ୟ ହାସଲ କଲି, ତାହା ନିଶ୍ଚୟ ଅଜଣା ନାହିଁ । ଏଠାକୁ ଆସିଲା ପରେ ଆସ୍ତେ ଆସ୍ତେ ଏ ଦଳର ଅନେକ କଥା ମୁଁ ଜାଣିପାରିଲି । ଆଉ ସେଥିରେ ସହଯୋଗ କଲେ ଲୀଳା ସନ୍ନ୍ୟାଲ । କାରଣ, ତାଙ୍କୁ ଯେଉଁ ଚକ୍ରାନ୍ତ ଭିତରେ ଏଠାରେ ପକାଯାଇଥିଲା, ସେଥିରୁ ଉଦ୍ଧାର ପାଇବାକୁ ଆଉ ତାଙ୍କର ଉପାୟ ନ ଥିଲା ।

 

କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ସେ ମୋତେ ଖୁବ୍ ଅଳ୍ପଦିନ ଭିତରେ ଜାଣି ନେଇଥିଲେ । କାରଣ ମୋର ଗତିବିଧି ନିରୀକ୍ଷଣ କରିବା ପାଇଁ ତାଙ୍କୁ ନିଯୁକ୍ତ କରାଯାଇଥଇଲା । ଆଉ ସେ ମଧ୍ୟ ମୁଁ ଏ ଦଳର ଜଣେ ସଚ୍ଚୋଟ କର୍ମୀ ବୋଲି ଗୁପ୍ତ ରିପୋର୍ଟ ଦେଉଥିଲେ ।

 

ଏସ୍‍ବୁ ଜାଣି ବି ଏତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାର ଗୋଟିଏ କାରଣ ଥିଲା । ଏଠାକାର ନିୟମ କାନୁନ ଏତେ ଶକ୍ତ ଥିଲା ଯେ, ଗୋଟିଏ ବିଭାଗର କଥା ଅନ୍ୟ ବିଭାଗକୁ ଜଣା ନ ଥିଲା । ସର୍ବୋପରି ଏହି ପ୍ରତିରକ୍ଷାପୁରୀର ନିର୍ମାଣ କୌଶଳ ଏତେ ଚାତୁରୀପୂର୍ଣ୍ଣ ଯେ, ତାହା ଜାଣିବାରେ ଟିକିଏ ମାତ୍ର ବ୍ୟତିକ୍ରମ ହେଲେ, ଆମର ଆଶା ପାଣି ଫାଟିଯିବାର ଯଥେଷ୍ଟ ସମ୍ବାବନା ରହିଥିଲା ।

 

କାରଣ ଦଳପତି ସର୍ବୋଚ୍ଚ ପରିଚାଳନା–ନିର୍ଦ୍ଦେଶକ । ଅସମ୍ବବ ଶକ୍ତିସଂପନ୍ନ ଥିଲେ ଏମାନେ । ଏ ଦଳର ପତନ ପରେ ଖୁବ୍ ଅଳ୍ପ ସମୟ ଭିତରେ ଆଉ ଗୋଟିଏ ଦଳ ସଂଗଠନ କରି ନେବାର କ୍ଷମତା ସେମାନଙ୍କର ଥିଲା । କାରଣ ଆଜିକାଲି ଅର୍ଥପିପାସା ଲୋକମାନଙ୍କର ଏତେ ପ୍ରବଳ ହୋଇଉଠିଛି ଯେ, ସେମାନେ ସେଥିପାଇଁ ଭଲମନ୍ଦର ବିଚାର ହରାଇ ବସିଛନ୍ତି ।

 

ଛାଡ଼ନ୍ତୁ, ମୁଁ ଆହୁରି ଅସଲ କଥା ଭୁଲିଗଲି । ବାହାରୁ ଏମାନଙ୍କର ସମସ୍ତ ସମ୍ପର୍କ ଛିନ୍ନ କରିବା ପାଇଁ ଯେପରି ଆଇଯ ଜି. ଇତ୍ୟାଦିଙ୍କୁ ମୁଁ କରଗତ କରିନେଲି, ସେହିପରି ଏମାନଙ୍କ ବିଶ୍ୱାସ ଜନ୍ମାଇ ଶତ୍ରୁଜିତ ବାବୁ, ଜୟନ୍ତ ଇତ୍ୟାଦି ଯେଉଁମାନେ ଏମାନଙ୍କ ପଛରେ ଲାଗିରହିଥିଲେ, ସେମାନଙ୍କୁ ଏଠାରେ ବନ୍ଦୀ ଭାବରେ ରଖିବା ଫଳରେ ମୋର ଦୁଇଟା ଉଦ୍ଦେଶ୍ୟ ସଂପୂର୍ଣ୍ଣ ହେଲା ।

 

ପ୍ରଥମରେ ଏମାନଙ୍କର ପରିଚାଳନା ପ୍ରଣାଳୀ ବିଷୟ ବାହାରେ କାହାରି ଜାଣିବାର ଉପାୟ ନ ଥିଲା । ଶତ୍ରୁଜିତ ବାବୁ ଅନେକ କିଛିର ସନ୍ଧାନ ପାଇ ଯାଇଥିଲେ ବି ସେ ଯେଉଁଭଳି ପଦକ୍ଷେପ ନେଉଥିଲେ, ସେଥିରେ ଦଳପତିଙ୍କୁ ହରାଇବାର ଯଥେଷ୍ଟ ସମ୍ବାବନା ଥିଲା ।

 

ଅନ୍ୟ ଦିଗରେ ମୋର ବିଶେଷ ଦରକାର ଥିଲା ଏହି ବିଦେଶୀ ବନ୍ଧୁଙ୍କୁ । ଶତ୍ରୁଜିତ ବାବୁ ଯେଉଁଭଳି ଭାବରେ ପଦକ୍ଷେପ ନେଉଥିଲେ, ଆଉ ମି: ଇଡିମ୍ବିଏନଙ୍କ ଆଗମନ ପରିଚାଳନା ନିର୍ଦ୍ଦେଶକଙ୍କୁ ଯଥେଷ୍ଟ ସତର୍କ କରାଇ ଦେଇଥାଆନ୍ତା । ତେଣୁ ଏମାନଙ୍କୁ ଏଠାରେ ଅଟକାଇ ରଖିବା ଫଳରେ ଦଳପତି ବାହାର ଆକ୍ରମଣ ବିଷୟରେ ଏକବାରେ ବେପରବାୟ ହୋଇଗଲେ । ଫଳରେ ପରିଚାଳନା–ନିର୍ଦ୍ଦେଶକଙ୍କର ଆସିବାର ସମୟ ଧାର୍ଯ୍ୟ ହୋଇଗଲା ।

 

ଏସବୁ ସତ୍ତ୍ୱେ ଏମାନଙ୍କୁ ଏଠାରୁ ସହଜରେ ଗରିଫ କରିବାର ଉପାୟ ନ ଥିଲା । କାରଣ, ବାହାରେ ବିଚକ୍ଷଣ ଧନୀରାମ କେତେକ ଅନୁଚରଙ୍କୁ ନେଇ ଜଗିରହିଥିଲା । କାରଣ, କୌଣସି ପୋଲିସ କର୍ମଚାରୀ ବା ସନ୍ଦେହଜନକ ବ୍ୟକ୍ତିଙ୍କୁ ଦେଖିଥିଲେ ସେ ଏଠାକୁ ଜଣାଇ ଦେଇଥାଆନ୍ତା । ଫଳରେ ବାହାରୁ ଭିତରକୁ ପଶିବାମାତ୍ରେ ଏଠାରେ ସମସ୍ତଙ୍କୁ ରୁଦ୍ଧ କରାଯାଇ ବିଷ ବାଷ୍ପ ପ୍ରୟୋଗରେ ମୃତ୍ୟୁ ମୁଖକୁ ପଠାଇ ଦିଆଯାଇଥାଆନ୍ତା ।

 

ସର୍ବୋପରି କଣ୍ଟ୍ରୋଲ ରୁମ୍ ଆଉ ପ୍ରତ୍ୟେକ ସୁଇଚ୍ ହାଉସରେ ଯେଉଁ ଅନୁଚରମାନେ ଥିଲେ, ସେମାନଙ୍କ ଉପସ୍ଥିତି ମଧ୍ୟ ପୋଲିସ ବାହିନୀ ପକ୍ଷରେ ବିପଜ୍ଜନକ ଥିଲା । କାରଣ ସେ ଯେଉଁ ସ୍ଥାନରେ ପରିଚାଳନା–ନିର୍ଦ୍ଦେଶକ ତଥା ଦଳପତି ଛିଡ଼ା ହୋଇଛନ୍ତି, ତାହାରି ପାଖରେ ସୁଇଚ୍ ରହିଛି । ତାହା ଦବାଇବା ମାତ୍ରେ କଣ୍ଟ୍ରୋଲ ରୁମ୍ ତରଫରୁ ପ୍ରାଚୀର ଛିଡ଼ା କରାଇ ଅନ୍ୟମାନଙ୍କୁ ପୃଥକ୍ କରାଇ ନିଆଯାଇ ଥାଆନ୍ତା । ଆଉ ପାଦତଳେ ଥିବା ପ୍ଲେଟ୍ ମୁକୁଳିଯିବା ଫଳରେ ବାହାରକୁ ଯିବାର ରାସ୍ତା ଏମାନଙ୍କ ପକ୍ଷରେ ପରିଷ୍କାର କରାଯାଇ ଥାଆନ୍ତା ।

 

ତେଣୁ ଧନୀରାମ ବିରୁଦ୍ଧରେ ଶେଷ ମୁହୂର୍ତ୍ତରେ ଲୀଳା ଏଭଳି ଏକ ଯୁକ୍ତିସଙ୍ଗତ ପ୍ରସ୍ତାବ ଉତ୍‍ଥାନ କଲା ଯେ, ଯାହା ଫଳରେ ଦଳପତି ହତବାକ୍‍ ହୋଇଗଲେ । କାରଣ, ସେତେବେଳେ ଭଲ ମନ୍ଦର ବିବେଚନା ତାଙ୍କର ଲୋପ ପାଇ ଯାଇଥିଲା । ତେଣୁ ସଙ୍ଗେ ସଙ୍ଗେ ସେମାନଙ୍କୁ କୌଶଳରେ ବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା ।

 

ତେଣୁ ବାହାରୁ ଭିତରକୁ ବିନାବାଧାରେ ପ୍ରବେଶ କରିବା ପାଇଁ ପୋଲିସମାନଙ୍କୁ ସୁବିଧା ହେଲା । ତା ପରେ ଶତ୍ରୁଜିତ ଇତ୍ୟାଦିଙ୍କୁ ପୂରାପୂରି ଲୀଳାର ମାରଫତରେ ଦିଆଯାଇଥିଲା-। ଆଉ ଏଠାରେ ଥିବା କେତେକ ଅନୁଚରଙ୍କୁ ମୁଁ ସାଙ୍ଗରେ ନେଇ କୌଶଳରେ ମୋର ଡିସପେନସରୀରେ ବନ୍ଦୀ କରିଦେଲି । ଆଉ ତାଙ୍କରି ଛଦ୍ମବେଶରେ ମୋର ଅନୁଚରଗଣ ଏଠାକୁ ଚାଲି ଆସିଲେ ।

 

ଆଜି ଶେଷ ମୁହୂର୍ତ୍ତରେ ଶତ୍ରୁଜିତଙ୍କୁ ସମସ୍ତ ବୁଝାଇ ମୋ ଭୂମିକାରେ ଆଭିନୟ କରିବା ପାଇଁ କହିଲି । କାରଣ ଲୀଳା ଯେତେ ଯାହା କରୁଥିଲେ ବି ଶେଷ ସୁଦ୍ଧା ତାକୁ ମୋର ବିଶ୍ୱାସ ନ ଥିଲା । କିନ୍ତୁ ସେ ଅତି ବିଶ୍ୱସ୍ତତାର ସହ କାମ କରିଛି । ଲୁସି ବି ।

 

ତେଣୁ ଚତୁର୍ଦ୍ଦିଗରେ ମୋର ଅନୁଚରମାନଙ୍କୁ ବେଢ଼ାଇ ଦେଲି । ଆଜି ଏହି ହଲରେ ଉପସ୍ଥିତ ଥିବା ଅଧିକାଂଶ ସଦସ୍ୟ ହିଁ ହେଉଛନ୍ତି ମୋର ଅନୁଚର ।

 

ଆଉ ଚିନ୍ତା କରିବାର ନାହିଁ, ଦଳପତି । ତୁମର ଅସଲ ରୂପ ମୋ ଆଗରେ ଉଦ୍‍ଘାଟିତ ହୋଇ ଯାଇଛି ।

 

ବାହାରେ ତୁମେ ମଣିରାମ ଅଗ୍ରୱାଲା । ଅଗ୍ରୱାଲା କେମିକାଲର ପ୍ରୋପ୍ରାଇଟର । ଦାମୀ, ମାନୀ, ସମ୍ବ୍ରାନ୍ତ ହିସାବରେ ପରିଗଣିତ । ଉପରେ କେମିକେଲର ବିରାଟ ଫ୍ୟାକ୍ଟରୀ, ତଳେ ଏଭଳି ପ୍ରତିରକ୍ଷାପୁରୀର କଳ୍ପନା କାହାରି ନ ଥିଲା । ତୁମେ ବହୁତ ଭୁଲ କଲ, ମଣିରାମ ଅଗ୍ରୱାଲା-। ଯଦିଓ ବାହାରର ଅଭିନୟ ତୁମର ଲାଭଦାୟକ ଥିଲା, ଆଉ ଶତ ସନ୍ଦେହ ସତ୍ତ୍ୱେ ତୁମକୁ ଗିରଫ କରି ପାରିବାର କାହାରି କ୍ଷମତା ନ ଥିଲା । ତଥାପି ଲୀଳା, ମୀରା, ରେଖା ଇତ୍ୟାଦି ଅନୁଚରମାନଙ୍କୁ ତାହାରି ଭିତରେ ପୂରାଇ ତୁମେ ତୁମ ଉପରକୁ ସନ୍ଦେହ ଟାଣି ଆଣଥିଲ-। ସର୍ବୋପରି ସବିତାର ଅପହରଣ, ଆଠ ଜଣ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଯୁବତୀଙ୍କ ଅପହରଣ, ସର୍ବୋପରି ସରଳ କୁଲିମାନଙ୍କୁ କାମ ଦେବା ଲାଳସାରେ ଡାକି ଆଣି ଗୋଟାକ ପରେ ଗୋଟାଏ ଅପରେସନ କରି ଯେଉଁଭଳି ଭାବରେ ବ୍ୟବସାୟ ଚଳାଉଥିଲ, ତାହା ସହଜରେ ବୁଝିବାର ଉପାୟ କାହାରି ନ ଥିଲା ।

 

ଏବେ ତୁମର ଅଧିକାଂଶ ସଭ୍ୟ ବନ୍ଦୀ । ଆଉ ତୁମେମାନେ ମଧ୍ୟ । ତାଙ୍କର ନିର୍ଦ୍ଦେଶରେ ସିପାହୀଗଣ ସେ ଦୁଇ ଜଣଙ୍କ ହାତରେ ଲୌହ ବଳୟ ପିନ୍ଧାଇ ଦେଲେ ।

 

କଲେକ୍ଟର ସାହେବ ଇତ୍ୟାଦିଙ୍କୁ ଇତି ମଧ୍ୟରେ ରୀତା ମୁକ୍ତ କରି ଦେଇଥିଲା । ସେ ତୁଷାରକାନ୍ତିଙ୍କୁ ଭିଡ଼ି ଧରି କହିଲେ—ଏସ୍. ପି. ସାହେବ ଅପାତ୍ରରେ କାର୍ଯ୍ୟ ନ୍ୟସ୍ତ କରି ନ ଥିଲେ ଡ: ତୁଷାରକାନ୍ତି ।

 

ଦୀର୍ଘଦିନ ପୋଲିସର ଅରାଜକତା ପରେ ଏହି ଷ୍ଟେଟମେଣ୍ଟ ତୁମର ଯେତେବେଳେ ଜନତା ଶୁଣିବ, ସେତେବେଳେ ତୁମ ପରି ।

Image